Latest Odisha News

ଆରମ୍ଭ ହେଲା ଲେଜର ସ୍କାନିଂ ପ୍ରକ୍ରିୟା, ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବ ଏଏସଆଇ

ପୁରୀ: ରତ୍ନଭଣ୍ଡାର ବାହାର କାନ୍ଥ ଲେଜର ସ୍କାନିଂ ପାଇଁ ଆଜି ଆରମ୍ଭ ହୋଇଛି ପ୍ରକ୍ରିୟା । ରତ୍ନଭଣ୍ଡାରର ଘଣ୍ଟିଦ୍ୱାର ଓ ନାଭିକଟା ମଣ୍ଡପର ମଝି ଅଂଶରେ ତିନୋଟି ସ୍ଥାନରେ ଲେଜର ସ୍କାନ କରାଯାଉଛି । ୧୫ ଦିନର ସମୟ ମଧ୍ୟରେ ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ରିପୋର୍ଟ ଦେବ ଏଏସଆଇ । ହେଲେ ଏଠି ବଡ଼ ପ୍ରଶ୍ନ ଉଠୁଛି ଯେ, ଭିତର ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବା ନେଇ ଜାଣିବା ସତ୍ତ୍ୱେ ମଧ୍ୟ କେବଳ ବାହାର ଲେଜର୍ ସ୍କାନିଂ କରି କଣ ଲୁଚାଇବାକୁ ଚାହୁଛନ୍ତି ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ? ୨୦୧୮ ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୂଆୟୀ ରତ୍ନଭଣ୍ଡାର ପର୍ଯ୍ୟନ୍ତ ଯାଇଥିବା ୧୭ ଜଣିଆ କମିଟି ରିପୋର୍ଟ ଦେଇଥିଲା ଯେ ରତ୍ନଭଣ୍ଡାରରେ ପାଣି ଗଳିବା ସହ, ପ୍ଲାଷ୍ଟର ଛାଡିଛି, ଏମିତିକି ରଡ଼୍ ମଧ୍ୟ ଦେଖାଯାଉଛି । ଖାଲି ସେତିକି ନୁହେଁ ହାଇକୋର୍ଟଙ୍କ ପାଖରେ ମଧ୍ୟ ରତ୍ନଭଣ୍ଡାର ସ୍ଥିତିକୁ ନେଇ ସତ୍ୟପାଠ ଦେଇସାରିଛି ଏଏସଆଇ ।

୨୦୨୨ ନଭେମ୍ବରରେ ଶ୍ରୀମନ୍ଦିର ପ୍ରଶାସନକୁ ସମାନ କଥା ଚିଠିରେ ଲେଖି ଅନୁମତି ମାଗିଥିଲା ଏଏସଆଇ । ପରେ ପରିଚାଳନା କମିଟି ଉପରେ ପ୍ରଶ୍ନ ଆସିବା ପରେ ହାଇଲେବୁଲ କମିଟି ଗଠନ କରିବାକୁ ପ୍ରସ୍ତାବ ରଖିଥିଲା ଶ୍ରୀମନ୍ଦିର ପ୍ରଶାସନ । ଯାହା ଉପରେ ମୋହର ମାରିଥିଲେ ହାଇକୋର୍ଟ । ହାଇକୋର୍ଟଙ୍କ ସହମତି ଅନୁଯାୟୀ ହାଇଲେବୁଲ କମିଟି ଗଠନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି ଲେଖିବାର ଦୁଇମାସ ଭିତରେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବେ । ହେଲେ ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ ଅନୁମତି ଦେଇନାହିଁ ଶ୍ରୀମନ୍ଦିର ପ୍ରଶାସନ । ଗୋଟିଏ ପଟରେ ହାଇଲେବୁଲ କମିଟି ଠାରୁ ଦୂରତା ରଖିଥିବା ବେଳେ ଲେଜର୍ ସ୍କାନିଂ ପାଇଁ ନିଜର ସହମତି ଓ ଅନୁମତି ରଖିଛି ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି । ଯାହାକୁ ଭେଳିକି ବୋଲି କହିଛନ୍ତି ବୁଦ୍ଧିଜୀବୀ ।

ସେପଟେ ୫ବର୍ଷ ପରେ କ୍ଷତି କେତେ ବଢ଼ିଛି ଜାଣିବାକୁ ଚାହୁଁଛି ଏଏସଆଇ । ଲେଜର୍ ସ୍କାନିଂ ଜରିଆରେ ୩୬୦ ଡିଗ୍ରୀରେ 3D ଫଟୋ ଉତ୍ତୋଳନ କରାଯାଉଛି । ଯାହାକି ପଥର କାନ୍ଥରେ ସୂକ୍ଷ୍ମ ଫାଟ ଥିଲେ ବି ଡିଜିଟାଲ ମେଥଡରେ ଚିହ୍ନଟ କରାଯାଇପାରିବ । ତେବେ ପ୍ରତି ଫଟୋ ଉତ୍ତୋଳନ ପାଇଁ ତିନିରୁ ୪ଘଣ୍ଟା ସମୟ ଲାଗୁଛି । ଏଣୁ ରତ୍ନଭଣ୍ଡାରର ଲେଜର ସ୍କାନିଂ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ସରିବାକୁ ତିନି ରୁ ଚାରିଦିନ ଲାଗିବ ବୋଲି ଜଣାପଡିଛି । ଲେଜର ସ୍କାନିଂ ଦ୍ୱାରା କେବଳ ପଥର କାନ୍ଥର ଫଟୋ ଉଠିଥିବା ସ୍ଥାନର ସ୍ଥିତି ଜଣାପଡିବ । ମାତ୍ର ଭିତର ଅଂଶର ସ୍ଥିତି ଜଣାପଡିବ ନାହିଁ । କେବଳ ଯଦି ବାହାର ରତ୍ନଭଣ୍ଡାରର ସ୍ଥିତି ଦୁର୍ବଳ ଥିବା ଲେଜର ସ୍କାନିଂ ରୁ ଜଣାପଡେ ତେବେ ଭିତର ରତ୍ନଭଣ୍ଡାରର ସ୍ଥିତି ପରଖାଯିବ ବୋଲି ଏଏସଆଇ ଅଧିକାରୀ ମାନେ କହିଛନ୍ତି ।

ଏହି ଲେଜର ସ୍କାନରର ଉଚ୍ଚତା ୭ ଇଞ୍ଚ ଓ ଚଉଡା ୪ ଇଞ୍ଚ । ଏଥିରେ ପଏଣ୍ଟ କ୍ଲାଉଡ଼ ପ୍ରୋସେସିଂରେ ଫୋଟୋ ଉତ୍ତୋଳନ ହେବ । ଆଉ ଅଟୋଡେସ୍କ ସଫ୍ଟୱେରରେ କ୍ୟାପଚର ପ୍ରୋସେସ ହେବ । ଏହା ୩ ମିନିଟରେ ଫୁଲ ଡୋମ ସ୍କାନ କରିବା ସହ ୧୫୦ ମେଗାପିକ୍ସ ସ୍ଫିଆରିକାଲ ଇମେଜ କରିବ । ଏଥିରେ ପୁରା ଫାଟର ସମ୍ପୂର୍ଣ୍ଣ ମାପ ଅନୁସାରେ ଫୋଟୋ ଆସିବ ବୋଲି କହିଛନ୍ତି । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ପାଇଁ ପୁରୀରେ ୭ ଜଣିଆ ଶ୍ରୀମନ୍ଦିର ବୈଷୟିକ କୋର କମିଟି ସଦସ୍ୟ, ପରିଚାଳନା କମିଟି ସଦସ୍ୟ ଓ ଏଏସଆର ୧୫ ଜଣିଆ ଟିମ୍ ଲେଜର ସ୍କାନିଂ ସମୟରେ ଉପସ୍ଥିତ ରହିଛନ୍ତି । ଏଏସଆଇ ସୁପରିଟେଡେଣ୍ଟ ଦେବାଶିଷ ଗଡନାୟକଙ୍କ ନେତୃତ୍ବରେ ୭ ଜଣିଆ ଟେକ୍ନିକାଲ ଟିମ୍ ଲେଜର ସ୍କାନିଂ କରୁଥିବା ଜଣାପଡିଛି । ଏହି ଟିମ୍ ରେ ଫଟୋଗ୍ରାଫିକ ସଦସ୍ୟ ଓ ମୁମ୍ବାଇର ୩ ଜଣିଆ ବୈଷୟିକ ଟିମ୍ ନିୟୋଜିତ ହୋଇଛନ୍ତି ।

ତେବେ ଏଠି ପ୍ରଶ୍ନ ଆସୁଛି ଯଦି ଏହି ସ୍କାନିଂ ପ୍ରୋସେସରେ ଭିତର ରତ୍ନଭଣ୍ଡାର ସ୍ଥିତି ଜଣାପଡିବ ନାହିଁ ତେବେ ୟା ଭିତରେ ୫ ବର୍ଷ ସମୟ ଗଡିଥିବା ବେଳେ ଆଉ କେତେ ସମୟ ଗଡେଇବାକୁ ରାଜ୍ୟ ସରକାର ଭେଳିକି କରୁଛନ୍ତି ? ଆଗକୁ ନିର୍ବାଚନ ବୈତରଣୀ ପାର ହେବାପାଇଁ ଏମିତି ବିଭିନ୍ନ ବାହାନାରେ ରତ୍ନଭଣ୍ଡାର ପ୍ରସଙ୍ଗ ଗଡେଇବାକୁ ନେବାକୁ ଷଡ଼ଯନ୍ତ୍ର ଚାଲିନି ତ! ନା ଏଏସଆଇ ମୁଣ୍ଡରେ ଅଠା ବୋଳି ଖସିଯିବାକୁ ଚାହୁଁଛନ୍ତି ସରକାର ।

ତେବେ ଜଗନ୍ନାଥ ପ୍ରେମୀଙ୍କ ରହିଛି ଗୋଟିଏ ଦାବି ରତ୍ନଭଣ୍ଡାରର ଯାଞ୍ଚ ମରାମତି, ରତ୍ନ ଅଳଙ୍କାରର ଗଣତି ଓ ମଣତି । ତେବେ ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ କେବଳ ସ୍କାନିଂରେ ସୀମିତ ରହିବ ନା ଭଣ୍ଡାର ଖୋଲି ଯାଞ୍ଚ କରିବାକୁ ରାଜ୍ୟ ସରକାର ଏଏସଆଇକୁ ଅନୁମତି ଦେବେ, ନା ଏହାସହ ରତ୍ନ ଗଣତି ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ କରିବେ ତାହା ଦେଖିବାକୁ ବାକି ରହିଲା ।

Comments are closed.