ଢେଙ୍କାନାଳ : ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜାର ଆଜି ହେଉଛି ଶେଷ ଦିନ। ମା’ଲକ୍ଷ୍ମୀଙ୍କୁ ଦର୍ଶନ କରିବାକୁ ବହୁ ଦୂରଦୂରାନ୍ତରୁ ଛୁଟି ଆସିଛନ୍ତି ଲୋକେ। କୋଭିଡ଼ କଟକଣା ଭିତରେ ମା’ଙ୍କର ସୁରୁଖୁରୁରେ ଦର୍ଶନ କରିଛନ୍ତି । ଚଳିତ ବର୍ଷ ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜାରେ ଚାରୋଟି ପୂଜା ମଣ୍ଡପରେ ଚାନ୍ଦିମେଢର ଆୟୋଜନ କରାଯାଇଛି । ୭୮ ବର୍ଷ ହେବ ଢେଙ୍କାନାଳର ଏହି ଗଣପର୍ବ ଗଜଲକ୍ଷ୍ମୀ ପୂଜା ପାଳିତ ହୋଇ ଆସୁଛି । ସହରରେ ମଉଡମଣୀ ବଜାର ଭାବେ ଖ୍ୟାତି ଅର୍ଜନ କରିଥିବା ଶ୍ରୀ ଶ୍ରୀ ରାଜଲକ୍ଷ୍ମୀ ପୁଜା ପ୍ରତିଷ୍ଠାନ ପକ୍ଷରୁ ଏହି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୁଜା ଆରମ୍ଭ ହୋଇଥିଲା । ମୀନାବଜାର ପକ୍ଷରୁ ପ୍ରଥମ ଚାନ୍ଦିମେଢର ଆୟୋଜନ ମଧ୍ୟ କରାଯାଇଥିଲା। କାଳକ୍ରମେ ଚାନ୍ଦିମେଢର ବୃଦ୍ଧି ଘଟି ଏବେ ଚାରୋଟି ପୂଜା ମଣ୍ଡପରେ ଚାନ୍ଦିମେଢର ଆୟୋଜନ କରାଯାଉଛି।
ସହରର ଏହି ପ୍ରଥମ ଚାନ୍ଦିମେଢ ୧୯୭୨ ମସିହାରେ ଚୋରି ହୋଇଯିବା ଯୋଗୁଁ ଦୀର୍ଘ ୪୯ ବର୍ଷ ଧରି ଆଉ ଚାନ୍ଦିମେଢର ଆୟୋଜନ କରାଯାଇ ପାରି ନଥିଲା। ପରବର୍ତ୍ତୀ ସମୟରେ ୨୦୧୧ ମସିହାରୁ ବସ୍ତି ବାସିନ୍ଦା ଓ ପୂଜା କମିଟିର ସହଯୋଗ କ୍ରମେ ଦ୍ୱିତୀୟ ଥର ପାଇଁ ମୀନାବଜାରରେ ଚାନ୍ଦିମେଢର ଆୟୋଜନ କରାଯାଇଛି ।
ଚଳିତ ବର୍ଷ ସହରର ମୋଟ ୪ଟି ପୂଜା ମଣ୍ଡପ ମୀନାବଜାର , ଗଣେଶ ବଜାର ,ଗୁଡିଆନାଳୀ, କୈବଲ୍ୟ ବଜାରରେ କୁଇଣ୍ଟାଲ କୁଇଣ୍ଟାଲ ଓଜନର ଚାନ୍ଦି ମେଢର ଆୟୋଜକ କରାଯାଇଛି । ଗତବର୍ଷ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ କରୋନାର ପ୍ରଥମ ଲହର ଜାରି ରହିଥିଲା । ସେଥିପାଇଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କରୋନା କଟକଣା ପାଇଁ ସମସ୍ତ ପୂଜା ମଣ୍ଡପରେ ଭକ୍ତଙ୍କ ପାଇଁ ଦର୍ଶନ ବାରଣ କରାଯାଇଥିଲା।ମୀନାବଜାରରେ ୧ କୁଇଣ୍ଟାଲ ୬୦କେଜି ଓଜନର ଚାନ୍ଦିମେଢ ତାସହିତ ଏକ କେଜି ଓଜନର ସୁନା ମୁକୁଟ ଚଳିତ ବର୍ଷ ଆଉ ୧କେଜି ଓଜନର ଏକ ଚାନ୍ଦିର କଳସ କରାଯାଇଛି। ଗଣେଶ ବଜାରରେ ୧କୁଇଣ୍ଟାଲ ୭୦କେଜି ଓଜନର ଚାନ୍ଦିମେଢ ପ୍ରାୟ ଅଧକେଜି ସୁନାର କାନଫୁଲ ମା’ଙ୍କ ଚୁଡି ଓ ସିନ୍ଥି ଲଗାଯାଇଛି ।ଗୁଡିଆନାଳୀ ପୂଜା ମଣ୍ଡପରେ ମଧ୍ୟ ୨୦୧୮ ମସିହାରୁ ୧କୁଇଣ୍ଟାଲ ୨୦କେଜି ଓଜନର ରୁପା କୈବଲ୍ୟ ବଜାରରେ ୮୦ କେଜିର ରୁପା ମେଢ କରାଯାଇଛି। ଯାହା ଗଜଲକ୍ଷ୍ମୀ ପୂଜାରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ଚାନ୍ଦିମେଢର ଆୟୋଜନ କରିଥିବା ଚାରୋଟି ଯାକ ପୂଜା ମଣ୍ଡପରେ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ସାଙ୍ଗକୁ ଷ୍ଟ୍ରିଙ୍ଗ ରୁମ ଓ ପ୍ରଶାସନ ପକ୍ଷରୁ ବନ୍ଧୁକଧାରୀ ସୁରକ୍ଷା କର୍ମୀ ଯୋଗାଇ ଦିଆଯାଇଛି ।କୋରୋନା କଟକଣା ଭିତରେ ଗଜଲକ୍ଷ୍ମୀ ପୂଜା ପାଳନ ହେଉଥିଲେ ମଧ୍ୟ ଢେଙ୍କାନାଳରେ ପରମ୍ପରା ବଜାୟ ରଖିବାକୁ ଚାନ୍ଦିମେଢ କରାଯାଉଛି ।
ଲକ୍ଷ୍ମୀବଜାର ପୂଜା କମିଟି ଓ ଦେଉଳ ସାହି ପୂଜା କମିଟି ପକ୍ଷରୁ ୨୦୧୯ ମସିହାରୁ ଚାନ୍ଦିମେଢ କରିବା ପାଇଁ ସମସ୍ତ ଆୟୋଜନ କରାଯାଇଥିଲା ।
Comments are closed.