Latest Odisha News

ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ; ସଂସଦରେ ବିଲ ଆଣିଲେ ଅମିତ ଶାହ

ନୂଆଦିଲ୍ଲୀ:ହଟିବ ବ୍ରିଟିଶ ଅମଳର ୩ ଗୁରୁତ୍ୱପୂର୍ଣ୍ଣ ଆଇନ ବ୍ୟବସ୍ଥା  । ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବା  ପାଇଁ ଲୋକସଭାରେ ଆସିଲା ବିଲ ।  ଶୁକ୍ରବାର ସଂସଦରେ ଏହି ବିଲ୍ ଆଗତ କରିଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହ ।

ଆଜି ୩ ଗୁରୁତ୍ୱପୂର୍ଣ୍ଣ ବିଲ ଆଣିଛନ୍ତି କେନ୍ଦ୍ର ଗୃ୍ହମନ୍ତ୍ରୀ ଅମିତ ଶାହ  । ଲୋକସଭାରେ ଭାରତୀୟ ସଂହିତା ସୁରକ୍ଷା ବିଲ ୨୦୨୩ ଉପରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୧୮୬୦ରୁ ୨୦୨୩ ପର୍ଯ୍ୟନ୍ତ ଦେଶର ଅପରାଧିକ ନ୍ୟାୟପ୍ରଣାଳୀ ଇଂରେଜ ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏହା ଆାଜି ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛି । ହେଲେ ଏଥିରୁ ୩ ଆଇନ ବଦଳିବ ଏବଂ ଦେଶରେ ଅପରାଧିକ ନ୍ୟାୟ ପ୍ରଣାଳିରେ ବଡ ପରିବର୍ତ୍ତନ ଅଣାଯିବ ।

ଏହି ତିନି ନୂଆ ଏହି ତିନି ଆଇନ ହେଉଛି ଆଇପିସି, ସିଆରପିସି ଓ ଆଇଇଏ । ଏହି ତିନି ଆଇନ ବଦଳି ନୂଆ ଆଇନ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ ଶାହ  ।

ଆଇପିସି ହଟି ତା ସ୍ଥାନରେ ଆସିବ ଭାରତୀୟ ନ୍ୟାୟ ସଂହିତା-୨୦୨୩  ।  ସିଆର୍‌ପିସି ହଟି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା  । ଆଇଇଏ ହଟି ତା ସ୍ଥାନରେ ଆସିବ ଭାରତୀୟ ସାକ୍ଷ୍ୟ ଅଧିନିୟମ  । ସେହିପରି ଆଇପିସିରେ ୫୧୧ ଧାରା ଥିଲା, ଏବେ ୩୫୬ଟି ଧାରା ରହିବ  । ୧୭୫ଟି ଧାରାରେ ପରିବର୍ତ୍ତନ ହେବ ଓ ୮ ନୂଆ ଧାରା ଯୋଡ଼ାଯିବ  । ଆଇପିସିରୁ ହଟିବ ୨୨ଟି ଅନାବଶ୍ୟକ ଧାରା  । ସେହିପରି ସିଆରପିସିରେ ୫୩୩ ଧାରା ରହିବ, ୧୬୦ ବଦଳିବ  । ସିଆର୍‌ପିସିରେ ସାମିଲ ହେବ ୯ ନୂଆ ଧାରା ଓ  ୯ ଧାରା ଉଚ୍ଛେଦ ହେବ  ।

ଗୃହମନ୍ତ୍ରୀ   ନୂଆ ଫୌଜଦାରୀ ଆଇନ ସଂପର୍କରେ  ସୂଚନା ଦେଇ କହିଥିଲେ, ଆଇନରେ ବ୍ୟାପକ ସଂସ୍କାର କରାଯାଇଛି। ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ। ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମିଳିବ ମୃତ୍ୟୁଦଣ୍ଡ। ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ । ସେହିପରି ୯୦ ଦିନ ଭିତରେ ଚାର୍ଜସିଟ୍ ପାଇଁ ନୂଆ ଆଇନରେ ବ୍ୟବସ୍ଥା ରହିଛି । କୋର୍ଟ ଚାହିଁଲେ ଚାର୍ଜସିଟ୍ ପାଇଁ ଆଉ ୯୦ ଦିନ ଦେଇପାରିବେ  । ଚାର୍ଜସିଟ୍ ଦାଖଲର ୬୦ ଦିନ ଭିତରେ ହେବ ଚାର୍ଜଫ୍ରେମ୍  । ୯୦ ଦିନ ଭିତରେ ଶୁଣାଣି ସାରି ରାୟ ଶୁଣାଇବେ କୋର୍ଟ ।

ବିଲ୍ ଆଗତ କରି ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି,  ଦଣ୍ଡ ଦେବା ନୁହେଁ, ସମସ୍ତଙ୍କୁ ନ୍ୟାୟ ଦେବା ଆଇନର ଉଦ୍ଦେଶ୍ୟ । ଏହି ନୂଆ ଆଇନ ଦ୍ୱାରା ନାଗରିକଙ୍କ ଅଧିକାର ସୁରକ୍ଷିତ ରହିବ । ଏହି ବିଲକୁ ଆଜି ଷ୍ଟାଡିଂ କମିଟି ପାଖକୁ ପଠାଇ ଦିଆଯାଇଛି ।

ମଣିପୁର ହିଂସାକୁ ନେଇ ସରକାରଙ୍କ ବିରୋଧରେ ଆସିଥିବା ଅନସ୍ଥା ପ୍ରସ୍ତାବ ହଙ୍ଗାମା ଶେଷ ହୋଇଛି । ତିନି ଧରି ଚାଲିଥିବା ଆଲୋଚନା ଶୁକ୍ରବାର ଶେଷ ହୋଇଛି । ମଣିପୁର ହିଂସାକୁ ନେଇ ବିରୋଧୀ ଦଳ ଜୋରଦାର ହଙ୍ଗାମା କରିଥିଲେ । ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଜବାବ ସଂସଦରେ ରଖିଥିଲେ । ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦେବା ସମୟରେ ବିରୋଧୀ ବୟକଟ କରିଥିଲେ । ଏହା ପରେ ଅବିଶ୍ୱାସ ପ୍ରସ୍ତାବ ବାଚନିକ ଭୋଟରେ ଖାରଜ ହୋଇ ଯାଇଥିଲା । ଏହାପରେ ଆଜି ସଂସଦର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।

ସୂଚନାଥାଉ କି, ଆଜି ସଂସଦର ମୌସୁମୀ ଅଧିବେଶନର ଶେଷ ଦିନ । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ରାଜ୍ୟସଭାକୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଛି ।

Comments are closed.