Latest Odisha News

କେନ୍ଦ୍ରର ବିଭିନ୍ନ ମନ୍ତ୍ରଣାଳୟର ଥିବା ବିଭାଗରେ ଆଇଏଏସଙ୍କ ଅଦଳବଦଳ

ନୂଆଦିଲ୍ଲୀ: ସରକାର ବିଳମ୍ବିତ ରାତିରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି, ଟେଲିକମ୍, ଖଣି, ସଂଖ୍ୟାଲଘୁ ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ ବିଭାଗର ନୂଆ ସଚିବଙ୍କ ସମେତ ୧୫ ଜଣ ସଚିବସ୍ତରୀୟ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। ଯେଉଁଥିରେ କିଛି କେନ୍ଦ୍ରୀୟ ଡେପୁଟେସନକୁ ଫେରିଥିବା ବେଳେ ଆଉ କିଛି ଅଧିକାରୀଙ୍କ ବିଭାଗ ବଦଳିଛି।

ନୂଆ ଆଇଟି ସଚିବ ହେଉଛନ୍ତି ୧୯୮୯ ବ୍ୟାଚର ତାମିଲନାଡୁ କ୍ୟାଡର ଆଇଏଏସ୍ ଏସ୍ କ୍ରିଷ୍ଣନ୍। ପ୍ରାୟ ୧୨ ବର୍ଷ ପରେ ସେ କେନ୍ଦ୍ରୀୟ ଡେପୁଟେସନକୁ ଫେରିଛନ୍ତି। କେନ୍ଦ୍ରୀୟ ଡେପୁଟେସନରେ ତାଙ୍କର ଶେଷ ପୋଷ୍ଟିଂ ଥିଲା ବିଦେଶରେ। ଏହା ପୂର୍ବରୁ ସେ ୨୦୦୪ରୁ ୨୦୦୭ ମଧ୍ୟରେ ତତ୍କାଳୀନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ।

ନୂଆ ଟେଲିକମ୍ ସଚିବ ହେଉଛନ୍ତି ୧୯୯୨ ବ୍ୟାଚ୍ ତାମିଲନାଡୁ କ୍ୟାଡରର ଆଇଏଏସ୍ ଅଫିସର ନୀରଜ ମିତ୍ତଲ। ପାଖାପାଖି ୫ ବର୍ଷ ପରେ ସେ ପୁଣି କେନ୍ଦ୍ରୀୟ ଡେପୁଟେସନରେ ଆସିଛନ୍ତି। କେନ୍ଦ୍ରୀୟ ଡେପୁଟେସନରେ ତାଙ୍କର ଶେଷ ପୋଷ୍ଟିଂ ଥିଲା ବିଦେଶରେ ଥିବା ଏକ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ପରାମର୍ଶଦାତା ଭାବେ।

ନୂଆ ଖଣି ସଚିବ ଆଲୋକ କୁମାର ୧୯୯୩ ବ୍ୟାଚର ଝାଡ଼ଖଣ୍ଡ କ୍ୟାଡରର ଆଇଏଏସ୍ ଅଧିକାରୀ। ବର୍ତ୍ତମାନ ସେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗର ସଚିବ ଭାବେ କାମ କରୁଛନ୍ତି।

ପଞ୍ଜାବ କ୍ୟାଡରର ୧୯୯୪ ବ୍ୟାଚର ଆଇଏଏସ୍ ଅଧିକାରୀ ଇନ୍ଦ୍ରଜିତ୍ ଖାନ୍ନାଙ୍କୁ ସଂଖ୍ୟାଲଘୁ ବ୍ୟାପାର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ଏବେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର ସଚିବ ଭାବେ କାମ କରୁଛନ୍ତି।

ନୂଆ ବେସାମରିକ ବିମାନ ଚଳାଚଳ ସଚିବ ହେଉଛନ୍ତି ୧୯୯୬ ବ୍ୟାଚର ମଣିପୁର କ୍ୟାଡର ଆଇଏଏସ୍ ଅଧିକାରୀ ଭୁମ୍ଲୁନମାଙ୍ଗ ଭ୍ୟୁଲନମ୍। ଏବେ ସେ ପାନୀୟ ଜଳ ଓ ପରିମଳ ବିଭାଗର ସଚିବ ଭାବେ କାମ କରୁଛନ୍ତି।

ସଂସଦୀୟ ବ୍ୟାପାର ସଚିବ ହୋଇଛନ୍ତି ୨୦୦୮ ବ୍ୟାଚର କେନ୍ଦ୍ର ଶାସିତ ଅଞ୍ଚଳର ଆଇଏଏସ୍ ଅଧିକାରୀ ଉମଙ୍ଗ ନରୁଲା। ସେ ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟରେ ଅତିରିକ୍ତ ସଚିବ ଭାବେ କାମ କରୁଛନ୍ତି।

ଏହି ନିଯୁକ୍ତି ଏକ ନିୟମିତ ଅମଲାତାନ୍ତ୍ରିକ ଅଦଳବଦଳର ଅଂଶବିଶେଷ। ୟୁପିଏସସିର ସୁପାରିସକୁ ବିଚାରକୁ ନେଇ  ଏହି ନିଯୁକ୍ତିକୁ ଅନୁମୋଦନ କରିଛି।

Comments are closed.