କଟକ: ଆସନ୍ତା ୧୪ ତାରିଖରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ହେବ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍-ସଂଶୋଧକ ପୁରସ୍କାର । ଏହି ଅବସରରେ ପ୍ରସିଦ୍ଧ ଶିଶୁ ସାହିତ୍ୟିକ ସ୍ୱର୍ଗତ ରାମକୃଷ୍ଣ ନନ୍ଦଙ୍କ କନ୍ୟା ସ୍ବର୍ଗତା ଶୈଳବାଳା ମହାପାତ୍ର ଓ ଫୁଲେଶ୍ୱରୀ ବିହାର, ଭୁବନେଶ୍ୱରନିବାସୀ ଡକ୍ଟର ଶମ୍ଭୁଦୟାଲ ଅଗ୍ରୱାଲଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ । ଏନେଇ ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ପକ୍ଷରୁ ଘୋଷଣା କରାଯାଇଛି ।
ନ୍ୟାସର ଆବାହକ ଦୀପକ କୁମାର ମହାନ୍ତ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଆସନ୍ତା ୧୪ ତାରିଖ ପୂର୍ବାହ୍ନରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ । ଏଥିରେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମଦନମୋହନ ଦାସ ମୁଖ୍ୟ ଅତିଥି ଓ ଉତ୍କଳ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଇଂରାଜୀ ବିଭାଗର ପୂର୍ବତନ ପ୍ରଫେସର ତଥା ମୁଖ୍ୟ ଡକ୍ଟର ଯତୀନ୍ଦ୍ର କୁମାର ନାୟକ ମୁଖ୍ୟ ବକ୍ତା ରୂପେ ଯୋଗଦେବେ ।
ଉଲ୍ଲେଖଯୋଗ୍ୟ ଯେ, ପ୍ରୁଫ୍-ସଂଶୋଧନର ଗୁରୁତ୍ୱକୁ ସମାଜ ଆଗରେ ଉପସ୍ଥାପନ କରିବା ସଙ୍ଗେସଙ୍ଗେ ପ୍ରୁଫ୍-ସଂଶୋଧକମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ନେଇ ଅଧ୍ୟାପିକା ନୀହାରିକା ଦାସ ସ୍ମୃତି ନ୍ୟାସ ତରଫରୁ ପ୍ରତିବର୍ଷ ଓଡ଼ିଆ ଭାଷାର ଶ୍ରେଷ୍ଠ ପ୍ରୁଫ-ସଂଶୋଧକଙ୍କୁ ଅର୍ଥରାଶି ସହ ପୁରସ୍କୃତ କରାଯିବ ବୋଲି ଗତ ଫେବ୍ରୁଆରି ମାସରେ ଘୋଷଣା କରାଯାଇଥିଲା।