Latest Odisha News

BREAKING NEWS

ସର୍ବସାଧାରଣ ସମ୍ପତ୍ତି ଭଙ୍ଗାରୁଜା ରୋକିବା ପାଇଁ କଠୋର ଆଇନ ପ୍ରଣୟନ ପାଇଁ ଲ’ କମିଶନଙ୍କ ପରାମର୍ଶ

ନୂଆଦିଲ୍ଲୀ: ଜାତୀୟ ରାଜପଥ କିମ୍ବା ସାର୍ବଜନୀନ ସ୍ଥାନକୁ ବାରମ୍ବାର ଅବରୋଧ କରିବା ଏବଂ ବିକ୍ଷୋଭ କିମ୍ବା ଦଙ୍ଗା ସମୟରେ ସରକାରୀ କିମ୍ବା ବେସରକାରୀ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର ଜରିମାନା ଲଗାଇବା ପାଇଁ ଭାରତୀୟ ଆଇନ ଆୟୋଗ ସରକାରଙ୍କୁ ସୁପାରିସ କରିଛନ୍ତି।

ଶୁକ୍ରବାର ଦାଖଲ ହୋଇଥିବା ରିପୋର୍ଟରେ କମିଶନ କହିଛନ୍ତି ଯେ, ଜାମିନ ପାଇବା ସର୍ତ୍ତ ରେ କ୍ଷତିଗ୍ରସ୍ତ ସମ୍ପତ୍ତିର ଆନୁମାନିକ ମୂଲ୍ୟ ଜମା କରିବାକୁ ବାଧ୍ୟ ହେବା ଉଚିତ। ଏହା ଦ୍ବାରା ଏକ ଉଚିଚ ନ୍ୟାୟ ହେବ। ଏବଂ ସରକାରୀ ରାଜକୋଷକୁ ବ୍ୟାପକ କ୍ଷତି ପହଞ୍ଚାଉଥିବା ବ୍ୟକ୍ତି ଆଗାମୀ ଦିନରେ ଏପରି କରିବା ବେଳେ ଦ୍ବିତୀୟ ଥର ଚିନ୍ତା କରିବେ।

ବିଶେଷ କରି ବିଭିନ୍ନ ପ୍ରସଙ୍ଗରେ ନ୍ୟାୟ କିମ୍ବା ସଂସ୍କାର ଦାବିରେ ବିଭିନ୍ନ ବିରୋଧୀ ଦଳ ଓ ଅଧିକାର ସଙ୍ଗଠନ ପକ୍ଷରୁ ଜାତୀୟ ରାଜଧାନୀରେ ବାରମ୍ବାର ଅବରୋଧ କରାଯାଉଥିବା ପରିପ୍ରେକ୍ଷୀରେ କମିସନଙ୍କ ରିପୋର୍ଟ ଗୁରୁତ୍ୱପୂର୍ଣ୍ଣ।

ଆୟୋଗ କହିଛନ୍ତି ଯେ ଏଭଳି ସଂଗଠନର କର୍ମକର୍ତ୍ତାମାନଙ୍କୁ ଦାୟୀ କରାଯିବା ଉଚିତ ଏବଂ କୌଣସି ଅପରାଧ ପାଇଁ ପ୍ରୋତ୍ସାହିତ କରିବା ଅପରାଧପାଇଁ ଦୋଷୀ ବିବେଚନା କରାଯିବା ଉଚିତ। ମାମଲାର ତଥ୍ୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜରିମାନା କ୍ଷତିଗ୍ରସ୍ତ ସମ୍ପତ୍ତିର ବଜାର ମୂଲ୍ୟ କିମ୍ବା ଅଦାଲତ ନିର୍ଦ୍ଧାରଣ କରିଥିବା ପରିମାଣ ସହିତ ସମାନ ହେବା ଉଚିତ।

ଏହି ଉଦ୍ଦେଶ୍ୟ ହାସଲ ପାଇଁ ସରକାର କେରଳ ଘରୋଇ ସମ୍ପତ୍ତି କ୍ଷୟକ୍ଷତି ନିବାରଣ ଏବଂ କ୍ଷତିପୂରଣ ପ୍ରଦାନ ଆଇନ ଭଳି ଏକ ପୃଥକ ଆଇନ ପ୍ରଣୟନ କରିପାରିବେ କିମ୍ବା ଭାରତୀୟ ନ୍ୟାୟ ସଂହିତାର ପ୍ରଯୁଜ୍ୟ ଧାରାରେ ସଂଶୋଧନ କରି ଯୋଡ଼ିପାରିବେ ବୋଲି କମିଶନ ପରାମର୍ଶ ଦେଇଛନ୍ତି।

ଶାନ୍ତିଶୃଙ୍ଖଳା ଓ ସଂଯମର ସହ ପ୍ରତିବାଦ କରିବାର ଅଧିକାର ବ୍ୟବହାର କରିବା ସହ ହିଂସା କିମ୍ବା ଭଙ୍ଗାରୁଜା ନ କରିବାକୁ ଆୟୋଗ ଅଧିକାର ସଂଗଠନ ଓ ରାଜନୈତିକ ଦଳଗୁଡ଼ିକୁ ସତର୍କ କରାଇ ଦେଇଛନ୍ତି।

୧୯୮୪ ର ସାର୍ବଜନୀନ ସମ୍ପତ୍ତି କ୍ଷୟକ୍ଷତି ନିବାରଣ ଆଇନକୁ କମିଶନ ଉଦାହରଣ ଦେଇଛନ୍ତି, ଯାହା ସରକାରୀ ସମ୍ପତ୍ତି ଉପରେ ହୋଇଥିବା ଭଙ୍ଗାରୁଜା କାର୍ଯ୍ୟକୁ ଅପରାଧୀକରଣ କରିବା ପାଇଁ ପ୍ରଣୟନ କରାଯାଇଥିଲା । ତେବେ ସରକାରୀ ସମ୍ପତ୍ତି ନଷ୍ଟକୁ ରୋକିବାରେ ଏହି ଆଇନ ବିଫଳ ହୋଇଥିବାରୁ ସୁପ୍ରିମକୋର୍ଟ ଏହି ମାମଲାର ସ୍ୱୟଂପ୍ରୟୋଗ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି କମିଶନ ଦର୍ଶାଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଆଧାରରେ ଗୃହ ମନ୍ତ୍ରଣାଳୟ ୨୦୧୫ମସିହାରେ ସାର୍ବଜନୀନ ସମ୍ପତ୍ତି କ୍ଷୟକ୍ଷତି ନିବାରଣ ଆଇନ (ସଂଶୋଧନ) ବିଲର ଏକ ଡ୍ରାଫ୍ଟ ଜାରି କରିଥିଲେ ମଧ୍ୟ ଏହି ପ୍ରସ୍ତାବକୁ ଆଗକୁ ବଢ଼ାଯାଇ ନାହିଁ ବୋଲି କମିଶନ କହିଛନ୍ତି।

ଗତ କିଛି ବର୍ଷ ମଧ୍ୟରେ ସରକାରୀ ସମ୍ପତ୍ତିର କ୍ଷତି ମାତ୍ରା ବୃଦ୍ଧି ପାଇଛି ବୋଲି କମିଶନ କହିଛନ୍ତି ଏବଂ ଏହାର ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.