Latest Odisha News

ନାଟ୍ୟକାର ତଥା ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପରଲୋକ

ଭୁବନେଶ୍ୱର : ବର୍ଷୀୟାନ ନାଟ୍ୟ ନିର୍ଦ୍ଦେଶକ ତଥା ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ୮୯ ବର୍ଷ ବୟସରେ ପରଲୋକ ଘଟିଛି। ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ପୀଡିତ ହୋଇ ସେ ଚିକିତ୍ସିତ ହେଉଥିଲେ । ଅନ୍ତିମ ଶଯ୍ୟା ନିକଟରେ ତାଙ୍କ ଭାଇ ଭ୍ରାତା ପ୍ରଭାତ କୁମାର ଦାସ, ପ୍ରତାପ ଚନ୍ଦ୍ର ଦାସ, କନ୍ୟା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ, କନିଷ୍ଠ ପୁତ୍ର ସମ୍ବିତ ଦାସ, ଜାମାତା, ପୁତ୍ରବଧୂ, ନାତିନାତୁଣୀ ତଥା ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ ।

ସ୍ବର୍ଗତ ଦାସ ଏକାଧାରରେ ନାଟ୍ୟକାର, ମଞ୍ଚ ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ଓ ସୁବକ୍ତା ଭାବେ ଅଶି ଦଶକରେ ବେଶ ପ୍ରସିଦ୍ଧ ଥିଲେ । ତାଙ୍କ ରଚିତ ଏବଂ ନିର୍ଦ୍ଦେଶିିତ ଶତାଧିକ ବେତାର ନାଟକ ଆକାଶବାଣୀ ସମ୍ବଲପୁର ଓ କଟକରୁ ପ୍ରସାରିତ ହୋଇଛି । ଅନୁରୂପ ଭାବେ ତାଙ୍କ ରଚିତ ଏକାଧିକ୍ର ମଞ୍ଚ ନାଟକ ରାଜ୍ୟର ବିଭିନ୍ନ ସ୍ଥାନରେ ପରିବେଷିତ ହୋଇ ପ୍ରଶଂସିତ ହୋଇଥିଲା । ୧୯୩୫ ଜୁଲାଇ ପହିଲାରେ ପୁରୀ ଜିଲ୍ଲା ସତ୍ୟବାଦୀରେ ସେ ଜନ୍ମ ଗ୍ରହଣ କରିଥିଲେ । ପି. ସି. ଦାସ ଭାବେ ନାଟ୍ୟ ମହଲରେ ସେ ସୁପରିଚିତ ଥିଲେ । ତାଙ୍କ ଦ୍ୱାରା ରଚିତ ନାଟକଗୁଡିକ ମଧ୍ୟରେ ରହିଛି ନିଷିଦ୍ଧ ନଗରୀ, ମହାନଗରୀରେ ବନ୍ୟା, ଆହତ ଅରଣ୍ୟ, ଶେଷ ପାହାଚ, ସୂର୍ଯ୍ୟାସ୍ତରୁ ସୂର୍ଯ୍ୟଦୟ, ସେ ଏବଂ ଆମେ ଆଦି ବେଶ ଲୋକପ୍ରିୟ ଥିଲା । ବତୀଘର, ପ୍ରତିଧ୍ୱନି ଆଦି କଳାତ୍ମକ ଚଳଚିତ୍ରର ସଂଳାପକାର ଏବଂ ସହ ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ମଞ୍ଚ ଓ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ବର୍ଗତ ଦାସ ବହୁ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ ହେବା ସହିତ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।

ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିବାବେଳେ ଜ୍ୟେଷ୍ଠ ପୁତ୍ର ସୁବ୍ରତ ଦାସ ମୁଖାଗ୍ନି ଦେଇଥିଲେ ।
ନାଟ୍ୟକାର ସ୍ବର୍ଗତଦାସଙ୍କ ପରଲୋକରେ କଳାଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି ।

Comments are closed.