Latest Odisha News

ଜାନୁଆରୀରେ ଲଢ଼େଇ ଜୋରଦାର ହେବ କହି ବିଜେଡି ସରକାରକୁ ବିରୋଧୀ ଦଳ ନେତା ଦେଲେ ଚେତାବନୀ

ଭୁବନେଶ୍ୱର: ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଗାମୀ ନିର୍ବାଚନରେ ସମସ୍ତ ୨୧ଟି ଲୋକସଭା ଆସନ ଦଖଲ କରିବାକୁ ଲକ୍ଷ୍ୟ ରଖିଛି। ବରିଷ୍ଠ ବିଜେପି ନେତା ତଥା ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଏହା କହିଛନ୍ତି।

ଜାନୁଆରୀ ମାସରୁ ଶାସକ ବିଜୁ ଜନତା ଦଳ ସରକାର ବିରୋଧରେ ଲଢ଼େଇ ଜୋରଦାର କରାଯିବ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି। ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ଦଳୀୟ ନେତାମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ବୋଲି ସେ ସଙ୍କେତ ଦେଇଛନ୍ତି।

ଜୟନାରାୟଣ ମିଶ୍ର କହିଛନ୍ତି, ପୁରୀ ଜଗନ୍ନାଥ ମନ୍ଦିରରେ ରତ୍ନ ଭଣ୍ଡାର ଖୋଲିବା, ଶ୍ରୀମନ୍ଦିରରେ ୟୁଟ୍ୟୁବର କାମିଆ ଜାନୀଙ୍କ ବିବାଦୀୟ ପ୍ରବେଶ, ମଦ ବ୍ୟବସାୟୀଙ୍କଠାରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ, ମହିଳାଙ୍କ ଉପରେ ଅତ୍ୟାଚାର ଓ ଖଣି ଦୁର୍ନୀତି ଆଦି କଥା କହି ବିଜେଡି ସରକାରକୁ ଘେରାଯିବ। ସେହିପରି ଜାନୁଆରୀରେ ପ୍ରଧାନମନ୍ତ୍ରୀ ଆସିବା ନେଇ କହିଛନ୍ତି।

ସେହିପରି ପ୍ରାର୍ଥୀ ଚୟନ କ୍ଷେତ୍ରରେ ବିଜୟ, ଦଳ ପ୍ରତି ସମର୍ପଣ ଓ ସମାଜ ପ୍ରତି ପ୍ରତିବଦ୍ଧତା ମୁଖ୍ୟ ମାନଦଣ୍ଡ ରହିବ ବୋଲି ଜୟନାରାୟଣ ମିଶ୍ର ପ୍ରକାଶ କରିଛନ୍ତି। ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ସହିତ ଏକାସାଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ଓଡ଼ିଶାରେ ସରକାର ଗଠନ କରିବା ସହ ସମସ୍ତ ୨୧ଟି ଲୋକସଭା ଆସନ ସୁରକ୍ଷିତ କରିବା ବିଜେପିର ଅନ୍ତିମ ଲକ୍ଷ୍ୟ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

Comments are closed.