Latest Odisha News

BREAKING NEWS

ଫ୍ରେଣ୍ଡଶିପ କପ ଫୁଟବଲ ଟୁର୍ଣ୍ଣାମେଂଟ ଜିତିଲା ଲିଡର୍ସ ଏକାଦଶ

ଭୁବନେଶ୍ୱର: ଓଡିଶା ଫୁଟବଲ ଏକାଡେମୀରେ ଅନୁଷ୍ଠିତ ଟାଟା ଷ୍ଟିଲ ଫ୍ରେଣ୍ଡଶିପ କପ ଟୁର୍ଣ୍ଣାମେଂଟରେ ଲିଡର୍ସ ଏକାଦଶ ପେନାଲ୍ଟି ଶୁଟ ଆଉଟ(୩-୦)ରେ ଅଫିସର୍ସ ଏକାଦଶକୁ ପରାସ୍ତ କରି ଟାଇଟଲ ହାସଲ କରିଛି । ଏହି ଟୁର୍ଣ୍ଣାମେଂଟରେ ୪ଟି ଟିମ ଅଂଶଗ୍ରହଣ କରିଥିଲେ । ନାଭାଲ ଟାଟା ହକି ଏକାଡେମୀର ପ୍ରୋଜେକ୍ଟ ଡାଇରେକ୍ଟର ରାଜୀବ ସେଠୀ ଟାଟା ଷ୍ଟିଲ ଏକାଦଶର ଅଧିନାୟକ ରହିଥିବା ବେଳେ ମନ୍ତ୍ରୀ ରବି ନାରାୟଣ ନାଏକ ଲିଡର୍ସ ଏକାଦଶ, ଚିଫ ସେକ୍ରେଟାରୀ ମନୋଜ ଆହୁଜା ଅଫିସର୍ସ ଏକାଦଶର ଏବଂ ଓଡିଶା ବାଇଟ୍ସର ସମ୍ପାଦକ ସନ୍ଦୀପ ମିଶ୍ର ମିଡିଆ ଏକାଦଶର ନେତୃତ୍ୱ ନେଇଥିଲେ ।

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ ଏବଂ ପ୍ରଭାତୀ ପରିଡା ଯୋଗ ଦେଇ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟ ସମ୍ମାନୀତ ଅତିଥି ଭାବେ ମୁକେଶ ମହାଲିଙ୍ଗ, ପୃଥ୍ୱୀରାଜ ହରିଚନ୍ଦନ, ରବିନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, ସୁର୍ଯ୍ୟବଂଶୀ ସୂରଜ, ସଙ୍ଗୀତା କୁମାରୀ ସିଂଦେଓ ଯୋଗ ଦେଇଥିଲେ । ମହିଳା ବିଧାୟକ ସୋଫିଆ ଫିର୍ଦ୍ଦୋଷ, ଉପାସନା ମହାପାତ୍ର ଓ ସଞ୍ଜଳୀ ମୂର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

ପ୍ରଥମ ମ୍ୟାଚରେ ଲିଡର୍ସ ଏକାଦଶର ଫକିର ନାୟକ, ଦ୍ୱିତୀୟ ମ୍ୟାଚରେ ଚିଫ ସେକ୍ରେଟାରୀ ମନୋଜ ଆହୁଜା ଓ ଫାଇନାଲରେ ତିର୍ତୋଲ ବିଧାୟକ ରମାକାନ୍ତ ଭୋଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ମିଡିଆ ଏକାଦଶ ଶୃଙ୍ଖଳିତ ଟିମ ଭାବେ ପୁରସ୍କୃତ ହୋଇଥିଲା । ଚମତ୍କାର ପ୍ରଦର୍ଶନ ନେଇ ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କୁ ଶ୍ରେଷ୍ଠ ଗୋଲକିପର, ମନ୍ତ୍ରୀ ରବି ନାରାୟଣ ନାଏକ ଶ୍ରେଷ୍ଠ ଡିଫେଣ୍ଡର, ନୟାଗଡ ବିଧାୟକ ଅରୁଣ ସାହୁ ଶ୍ରେଷ୍ଠ ଫରୱାର୍ଡ ଭାବେ ପୁରସ୍କୃତ ହୋଇଥିଲେ ।

Comments are closed.