ଭୁବନେଶ୍ୱର: ରାଜ୍ୟର ଅନୁସୂଚିତ ଜାତି, ଜନଜାତି, ପଛୁଆବ ବର୍ଗ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଜନସଂଖ୍ୟା ଆନୁପାତିକ ଭାବରେ ସର୍ବାଧିକ ରହିଛି। ଯେପର୍ଯ୍ୟନ୍ତ ରାଜ୍ୟର ଏହି ବର୍ଗର ଜନସାଧାରଣଙ୍କ ମଧ୍ୟରେ ନେତୃତ୍ୱର ବିକାଶ ହୋଇନାହିଁ ସେ ପର୍ଯ୍ୟନ୍ତ ରାଜ୍ୟର ବିକାଶ ଅସମ୍ଭବ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ।
ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ରାଜ୍ୟ ପ୍ରଗତୀ ପାଇଁ ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସଂପ୍ରଦାୟର ନେତୃତ୍ୱ ବିକାଶ ପାଇଁ ଏକାନ୍ତ ଆବଶ୍ୟକ ବୋଲି କହିଛନ୍ତି ଶରତ ପଟ୍ଟନାୟକ। ସେ କହିଛନ୍ତି, ଦୀର୍ଘ ୨୩ ବର୍ଷର ବିଜୁଜନତା ଦଳର ସରକାର ଓଡ଼ିଶାକୁ ସବୁକ୍ଷେତ୍ରରେ ପଛକୁ ଠେଲି ଦେଇଛି। ଆଜି ଓଡ଼ିଶା ସବୁଠାରୁ ଏକ ଦରିଦ୍ରତମ ରାଜ୍ୟରୂପେ ପରିଗଣିତ ହେଉଛି। ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଯାଉଛନ୍ତି। ଆଦିବାସୀ ଓ ଦଳିତଙ୍କ ଉପରେ ଅତ୍ୟାଚାର ବହୁମାତ୍ରାରେ ବଢ଼ି ଚାଲିଛି। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଜନସାଧାରଣଙ୍କୁ ଲଲିପପ୍ ଧରାଇବାରେ ବ୍ୟସ୍ତ।
ନରେନ୍ଦ୍ର ମୋଦୀ ସରକାର ଜନସାଧାରଣଙ୍କୁ ଯେତେଗୁଡ଼ିଏ ପ୍ରତିଶ୍ରୁତି ଦେଇଥିଲେ କେଉଁ ଗୋଟିଏ ବି ଆଜି ପର୍ଯ୍ୟନ୍ତ ପାଳନ ହୋଇପାରିଲା ନାହିଁ। ୨ କୋଟି ନିଯୁକ୍ତି ଦରଦାମକୁ ନିୟନ୍ତ୍ରଣରେ ରଖିବା, ୧୫ ଲକ୍ଷ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଦେବା, କଳାଧନ ଦେଶକୁ ଫେରାଇ ଆଣିବା ଏସବୁ କେବଳ ଆଜି ଧୂଆଁବାଣ ସାଜିଛି। ଓଡ଼ିଶା ସରକାର ୨ଲକ୍ଷ ୨୬ ପଦବୀ ଖାଲି ପଡ଼ିଛି, ମହିଳା ନିର୍ଯ୍ୟାତନା ବଢ଼ି ଚାଲିଛି। ଓଡ଼ିଶା ପ୍ରତି ପଣ୍ଡିତ ନେହେରୁଙ୍କର ଅବଦାନ ଅତୁଳନୀୟ। ଜାନକୀ ପଟ୍ଟନାୟକ ସରକାର ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପ୍ରଗତି ଆଣିବା ସହ ବିକାଶ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଥିଲେ। କଂଗ୍ରେସ ଆଗାମୀ ଦିନରେ ଓଡ଼ିଶାର ବିକାଶର ସୂତ୍ରଧର ହେବ ଏବଂ ଗୌରବ ଫେରାଇ ଆଣିବ ବୋଲି କହିଛନ୍ତି ଶରତ ପଟ୍ଟନାୟକ।
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗର ନେତୃବର୍ଗଙ୍କୁ ଚିହ୍ନଟ କରିବା ସହିତ ନେତୃତ୍ୱ ନେବାର ସେମାନଙ୍କର ଦକ୍ଷତାକୁ ବିକାଶ କରାଯିବ। ସେଥିପାଇଁ ବ୍ଲକ, ବିଧାନସଭା, ଜିଲ୍ଲା ଓ ରାଜ୍ୟସ୍ତର ପର୍ଯ୍ୟନ୍ତ ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରହିବ। ଏଥିପାଇଁ ଜିଲ୍ଲାସ୍ତରରେ ନେତୃତ୍ୱ ବିକାଶ ଟିମ ଗଠନ କରାଯାଇଛି। ଏହି କମିଟିରେ ଜିଲ୍ଲା ସଭାପତି ଅଧ୍ୟକ୍ଷ ରହିବେ ଏବଂ ଜିଲ୍ଲାସ୍ତରର ନେତୃତ୍ୱ ବିକାଶ ମିଶନର ସଂଯୋଜକ ଆବାହକ ରହିବେ। ଏହି କମିଟିରେ ଜିଲ୍ଲାର ସମସ୍ତ ବିଭାଗ ଓ ପ୍ରକୋଷ୍ଠର ନେତୃବର୍ଗ, ପଂଚାୟତରାଜ ବିଭାଗର ନେତୃବର୍ଗ, ରାଜୀବ ଗାନ୍ଧୀ ପଞ୍ଚାୟତରାଜର ନେତୃବର୍ଗ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ, ପୂର୍ବତନ ସାଂସଦ, ଛାତ୍ର, ଯୁବ, ମହିଳା କଂଗ୍ରେସ, ସେବାଦଳ, କିଷାନ କଂଗ୍ରେସର ନେତୃବୃନ୍ଦ ସଦସ୍ୟ ରହିବେ।
ଅନ୍ୟପକ୍ଷରେ ବ୍ଲକଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସବୁଠାରେ ସ୍ଥାନୀୟ ସମସ୍ୟା ବିଶେଷକରି ରାସ୍ତା ସମସ୍ୟା, ବିଭିନ୍ନ ଯୋଜନା ରୂପାୟନରେ ଦୁର୍ନୀତି ଏବଂ ଉଦାସୀନତା, ଆବାସ ଯୋଜନାରେ ପ୍ରୀୟାପ୍ରିତ ପୋଷଣ, ମହଙ୍ଗାମାଡ, ଆଇନଶୃଙ୍ଖଳାର ବିପର୍ଯ୍ୟସ୍ତତାକୁ ନେଇ ମଧ୍ୟ ଏହି କମିଟି ତାର ଜନସେଚତନତା ବା ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ କରିବ। ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ନେତୃତ୍ୱ ବିକାଶ ମିଶନ ଏବଂ ଜିଲ୍ଲା ସଭାପତିମାନଙ୍କର ଏକ ଓରିଏନଟେସନ ପୋଗ୍ରାମ ଆୟୋଜିତ ହୋଇଥିଲା। ଏଠାରେ ବ୍ଲକ, ବିଧାନସଭା, ଜିଲ୍ଲା ଏବଂ ଜୋନ ସ୍ତରୀୟ କମିଟି ଗଠନ ଓ କମିଟିର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଓ ସମୟସୀମା ସମ୍ପର୍କରେ ଆଲୋଚନା ହୋଇଥିଲା। ଆସନ୍ତା ସେପ୍ଟେମ୍ବର ୧୫ ତାରିଖରୁ ନେତୃତ୍ୱ ବିକାଶ ମିଶନ ତୃଣମୂଳସ୍ତରରେ ତାର କାର୍ଯ୍ୟକ୍ରମ ଆରମ୍ଭ କରି ଓଡ଼ିଶାରେ ଘରେ ଘରେ ପହଞ୍ଚିବ ଘୋଷଣା କରାଯାଇଛି।
ଆଜିର ଉଭୟ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଜେନା, ଦାଶରଥି ଗମାଙ୍ଗୋ, ରାଜନ ଏକ୍କା, ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଅଖିଳ ଭାରତ କଂଗ୍ରେସ କମିଟି ଅନୁସୂଚୀତ ଜାତି ବିଭାଗ ଅଧ୍ୟକ୍ଷ ରାଜେଶ ଲିଲୋଠିଆଙ୍କ ଭଳି ଅନେକ ବଡ଼ବଡ଼ ନେତା ଉପସ୍ଥିତ ଥିଲେ।
Comments are closed.