Latest Odisha News

BREAKING NEWS

ତାରକା ଆଥଲେଟଙ୍କ ଅଲିମ୍ପିକ ବିଫଳତା

ନୂଆଦିଲ୍ଲୀ: ଅଲିମ୍ପିକ୍ସ ଇତିହାସରେ ବହୁ ନାମୀଦାମୀ ଆଥଲେଟ ଫେଲ୍ ମାରିଛନ୍ତି । ଖ୍ୟାତି ମୁତାବକ ପ୍ରଦର୍ଶନ କରିପାରିନାହାନ୍ତି । ଆଉ କିଛି ଫେରିଛନ୍ତି ରିକ୍ତ ହସ୍ତରେ । ଅନ୍ୟ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ ମଧ୍ୟ ଅନେକ କିମ୍ବଦନ୍ତୀ ଆଥଲେଟ ଅଲିମ୍ପିକ୍ସରେ ନିରାଶ ହୋଇଛନ୍ତି ।

ବ୍ରିଟେନର ରୋଜର ବାନିଷ୍ଟର ବିଶ୍ୱର ପ୍ରଥମ ଧାବକ ଭାବେ ୪ ମିନିଟରୁ କମ୍ ସମୟ ମଧ୍ୟରେ ମାଇଲ୍ ପୂରଣ କରିଥିଲେ । କିନ୍ତୁ ଏହି କିମ୍ବଦନ୍ତୀ ଧାବକଙ୍କ ଅଲିମ୍ପିକ୍ସ ରେକର୍ଡ ଅତ୍ୟନ୍ତ ନିରାଶାଜନକ । ୧୯୪୮ ଲଣ୍ଡନ ଅଲିମ୍ପିକ କ୍ରୀଡାରେ ଭାଗ ନେଇନଥିଲେ ବାନିଷ୍ଟର । କାରଣ ଏଥିପାଇଁ ସେ ପ୍ରସ୍ତୁତ ନଥିଲେ । ଚାରିବର୍ଷ ପରେ ହେଲସିଙ୍କିରେ ସେ ଭାଗ ନେଇଥିଲେ ମଧ୍ୟ ତାଙ୍କର ପ୍ରିୟ ୮୮୦ ମିଟର ଦୌଡ ସ୍ଥାନ ପାଇନଥିଲା । ବାଧ୍ୟ ହୋଇ ୧୫୦୦ ମିଟରରେ ଭାଗ ନେଇ ଚତୁର୍ଥ ସ୍ଥାନରେ ରହିଥିଲେ ବାନିଷ୍ଟର ।

ଅଲିମ୍ପିକ୍ସରେ ଏକାଧିକ ପ୍ରୟାସରେ ମଧ୍ୟ କିଛି ଆଥଲେଟ ସ୍ୱର୍ଣ୍ଣ ପଦକ ଜିତିବାରେ ବିଫଳ ହୋଇଛନ୍ତି । ଖ୍ୟାତି ମୁତାବକ ସ୍ୱର୍ଣ୍ଣ ଜିତି ପାରିନଥିବା ଆଥଲେଟଙ୍କ ମଧ୍ୟରେ ଜାମାଇକାର ମାର୍ଲିନ ଓଟ୍ଟେ ଅନ୍ୟତମ । ସ୍ପ୍ରିଂଟର ମାର୍ଲିନ ଓଟ୍ଟେ ମୋଟ ୯ ଅଲିମ୍ପିକ ପଦକ ଜିତିଛନ୍ତି । କିନ୍ତୁ ଏଥିରେ ଗୋଟିଏ ବି ସ୍ୱର୍ଣ୍ଣ ନାହିଁ । ଓଟ୍ଟେଙ୍କଠାରୁ ବୋଧହୁଏ ଅନ୍‌ଲକି ଆଥଲେଟ ଆଉ କିଏ ବି ନଥିବେ ।

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିପାରିନଥିବା ଧାବକଙ୍କ ମଧ୍ୟରେ ନାମ୍ବିଆର ସ୍ପ୍ରିଂଟର ଫ୍ରାଙ୍କି ଫ୍ରେଡରିକସଙ୍କ ନାମ ମଧ୍ୟ ଆସିବ । ଦୁଇଟି ଅଲିମ୍ପିକ୍ସରେ ଭାଗ ନେଇଥିଲେ ଫ୍ରେଡରିକ୍ସ । ବିଶ୍ୱ ଚାମ୍ପିଅନସିପ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡାର ୧୦୦ ଓ ୨୦୦ ମିଟରରେ ସ୍ୱର୍ଣ୍ଣ ସମେତ ଏକାଧିକ ପଦକ ହାସଲ କରିଥିଲେ ମଧ୍ୟ  ଦୁଇଟି ଅଲିମ୍ପିକ୍ସରେ ରୌପ୍ୟ ପଦକ ହିଁ ତାଙ୍କ ଭାଗ୍ୟରେ ଜୁଟିଥିଲା ।

ମାରାଥନ ଓ କ୍ରସ କଣ୍ଟ୍ରି ଦୌଡରେ କେନିଆର ପଲ୍ ଟେର୍ଗାଟ୍ ଥିଲେ ବିଶ୍ୱ ବିଜେତା । ୨୦୦୩ ରୁ ୨୦୦୭ ଯାଏଁ ମାରାଥନ ବିଶ୍ୱରେକର୍ଡ ଟେର୍ଗାଟଙ୍କ ନାଁରେ ଥିଲା । ୫ ଥର ବିଶ୍ୱ କ୍ରସ କଣ୍ଟ୍ରି ଟାଇଟଲ ଜିତିଥିଲେ ଟେର୍ଗାଟ୍ । ୧୦ ହଜାର ମିଟର ଦୌଡରେ ଫେଭରିଟ ଭାବେ ୧୯୯୬ ଓ ୨୦୦୦ ମସିହା ଅଲିମ୍ପିକ୍ସରେ ଭାଗ ନେଇଥିଲେ ଟେର୍ଗାଟ୍ । କିନ୍ତୁ ପ୍ରତ୍ୟେକ ଥର ସେ ଅନ୍ୟତମ ମହାନ ଧାବକ ଇଥିଓପିଆର ହେଇଲି ଗେବ୍ରସେଲାସିଙ୍କଠାରୁ ପରାସ୍ତ ହୋଇଥିଲେ ।

କେନିଆ ଜନ୍ମିତ ଡେନମାର୍କ ଆଥଲେଟ୍ ୱିଲସନ କିପକେଟର ନବେ ଦଶକରେ ୮୦୦ ମିଟର ଦୌଡରେ ଥିଲେ ଅପରାଜେୟ । ଏକାଧିକ ଟାଇଟଲ ହାସଲ କରିଥିଲେ । କିନ୍ତୁ ୨୦୦୦ ଓ ୨୦୦୪ ଅଲିମ୍ପିକ୍ସରେ ନିଜ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିପାରିନଥିଲେ କିପକେଟର ।

 

Comments are closed.