Latest Odisha News

BREAKING NEWS

ଲାଗୁନି କୁଷ୍ଠରୋଗରେ ରୋକ୍: ସୁନ୍ଦରଗଡ଼ରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

ସୁନ୍ଦରଗଡ଼: ଜିଲ୍ଲାରେ କୁଷ୍ଠରୋଗ ବଢ଼ି ଚାଲିଛି। ଗତ ୨୦ ମାସରେ ୭୦୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀମାନେ କହୁଛନ୍ତି, ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ ଫିଜିଓଥେରାପିଷ୍ଟଙ୍କ ଅଭାବ ଏହାର ମୁଖ୍ୟ କାରଣ। ନିର୍ଦ୍ଦିଷ୍ଟ ହସ୍ପିଟାଲ ଭଳି ଭିତ୍ତିଭୂମିର ଅଭାବ ମଧ୍ୟ ସମସ୍ୟା ବଢ଼ାଉଛି। ଏପ୍ରିଲରୁ ଜୁଲାଇ ମଧ୍ୟରେ ୮୧ଟି ନୂଆ ମାମଲା ମିଳିଛି।

ହେମଗିରି ଅଞ୍ଚଳରେ ସବୁଠାରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି। ବୟସ୍କ ଓ ପିଲାମାନେ ଏଥିରେ ବେଶି ଆକ୍ରାନ୍ତ। ଜିଲ୍ଲାରେ ରୋଗର ହାର ୪.୦୨ ପ୍ରତିଶତ। ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, କିନ୍ତୁ ରୋଗ ବଢୁଥିବାରୁ ଚିନ୍ତା ବଢ଼ିଛି।

ସୂଚନା ଅନୁଯାୟୀ, କୁଷ୍ଠରୋଗର ଲକ୍ଷଣ ୫-୬ ବର୍ଷ ପରେ ଦେଖାଯାଏ। ଏହି ରୋଗ ଶୀଘ୍ର ଧରାପଡ଼ିବା ଓ ଚିକିତ୍ସା କରିବା କଷ୍ଟକର। ସରକାର ଆଶା କର୍ମୀଙ୍କ ମାଧ୍ୟମରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ହସ୍ପିଟାଲରେ ପରୀକ୍ଷା କରୁଛନ୍ତି। ସଚେତନତା କାର୍ଯ୍ୟକ୍ରମ ଓ ଚିକିତ୍ସା ସୁବିଧା ମଧ୍ୟ ଚାଲୁଛି।

ସରକାର ଜିଲ୍ଲା କୁଷ୍ଠରୋଗ ଅଧିକାରୀ (ଡିଏଲଓ), ଫିଜିଓଥେରାପିଷ୍ଟ ଓ ପାରାମେଡିକାଲ କର୍ମଚାରୀ ନିଯୁକ୍ତ କରିଛନ୍ତି। କିନ୍ତୁ ସୁନ୍ଦରଗଡ଼ରେ ମାତ୍ର ଜଣେ ଫିଜିଓଥେରାପିଷ୍ଟ ଅଛନ୍ତି। ରାଉରକେଲାରେ ୬ଟି କୁଷ୍ଠ ପରୀକ୍ଷା କେନ୍ଦ୍ର ଥାଇ ମଧ୍ୟ କୌଣସି ଫିଜିଓଥେରାପିଷ୍ଟ ନାହାନ୍ତି। ଗୁରୁତର ମାମଲା ନହେଲେ ରାଉରକେଲା ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ପରୀକ୍ଷା କିମ୍ବା ଚିକିତ୍ସା ମିଳୁନାହିଁ। ସହରର ୬ଟି ହସ୍ପିଟାଲରେ ପାରାମେଡିକାଲ କର୍ମଚାରୀ ଓ ଫିଜିଓଥେରାପିଷ୍ଟଙ୍କ ଅଭାବ ରୋଗୀଙ୍କୁ ଅସୁବିଧାରେ ପକାଉଛି।

ସ୍ଥାନୀୟ ଲୋକେ କହୁଛନ୍ତି, ରୋଗ କମାଇବା ପାଇଁ ଅଧିକ ଡାକ୍ତର, କର୍ମଚାରୀ ଓ ଭଲ ହସ୍ପିଟାଲ ଦରକାର। ଜିଲ୍ଲା କୁଷ୍ଠରୋଗ ଅଧିକାରୀ ମହେନ୍ଦ୍ର ତାନ୍ତି କହିଛନ୍ତି, ସରକାରୀ ନିୟମ ଅନୁସରଣ କରାଯାଉଛି। ରୋଗୀଙ୍କୁ ଔଷଧ, ଥଇଥାନକେନ୍ଦ୍ର ଓ ସରକାରୀ ସହାୟତା ଦିଆଯାଉଛି। ଗାଁରୁ ସହର ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ସେ ଆଶା ରଖିଛନ୍ତି ଯେ ଆଗାମୀ ଦିନରେ ରୋଗ କମିବ।

Comments are closed.