ଗଞ୍ଜାମ: ଭଞ୍ଜନଗର ବ୍ଲକ ଅନ୍ତର୍ଗତ ନୂଆମହୁଲିଆ ଗାଁରେ ଯାତ୍ରା ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ହୋଇଛି। ‘ଦାଣ୍ଡ ନାଚ’ ଅବସରରେ ଏହି ଯାତ୍ରାର ଆୟୋଜନ କରାଯାଇଥିଲା। ଯେଉଁ ସମୟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।
ଯାତ୍ରାରେ ରେକର୍ଡ ଡ୍ୟାନ୍ସ ଚାଲିଥିବା ବେଳେ ଜଣେ ଯୁବକ କିଛି ଅଶ୍ଳୀଳ ମନ୍ତବ୍ୟ ଦେବା ପରେ ବିବାଦ ଉପୁଜିଥିଲା। ଏଥିରେ ରାଗି ଯାଇ ଅପେରା କର୍ମଚାରୀମାନେ ଯୁବକଙ୍କ ସହ ପାଟିତୁଣ୍ଡ କରିଥିଲେ ପରେ ଏହା ଏକ ବଡ଼ ଧରଣର ଗଣ୍ଡଗୋଳରେ ପରିଣତ ହୋଇଥିଲା।
କିଛି ସମୟ ମଧ୍ୟରେ ଉଭୟ ଗୋଷ୍ଠୀ ହାତରେ ଲାଠି ଧରି ପରସ୍ପରକୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଯାଇଥିଲେ। ଏହାପରେ ପୂରା ମଞ୍ଚ ରଣକ୍ଷେତ୍ର ପାଲଟି ଯାଇଥିଲା। ଉତ୍ତ୍ୟକ୍ତ ଗ୍ରାମବାସୀ ଯାତ୍ରା ପାର୍ଟିର ମଞ୍ଚ ଓ ଗାଡି ମଧ୍ୟ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି।
ବେଲଗୁଣ୍ଠା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଙ୍ଘର୍ଷକାରୀ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ପରେ ହିଁ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଏହି ଗଣ୍ଡଗୋଳରେ ଜଣେ ଆହତ ହୋଇଥିବା କୁହାଯାଉଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।
Comments are closed.