ପୁରୀ: ବେଳାଭୂମିରେ ପର୍ଯ୍ୟଟକ ମାନଙ୍କୁ ଉତ୍ତମ ସେବା ଓ ସୁରକ୍ଷା ପ୍ରଦାନ ନିମନ୍ତେ ଲାଇଫଗାର୍ଡ ମାନଙ୍କୁ ତାଲିମ ଦିଆଯାଇଛି । ଆସନ୍ତା ନବ ବର୍ଷ ଅବସରରେ ବେଳାଭୂମିରେ ଜନ ସମାଗମ ଦୃଷ୍ଟିରୁ ଅଧିକ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।
ଏହି ଅବସରରେ ନୀଳାଦ୍ରୀ ବେଳାଭୂମି ପାର୍କରେ ଜିଲ୍ଲାପାଳ ବଲୱନ୍ତ ସିଂ, ଆରକ୍ଷୀ ଅଧିକ୍ଷକ ଡଃ କନୱାର ବିଶାଲ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ, ଅଗ୍ନିଶମ ଅଧିକାରୀ ପ୍ରଦୀପ କୁମାର ରାଉତ ପ୍ରମୁଖ ଯୋଗଦେଇ ଲାଇଫଗାର୍ଡ ମାନଙ୍କୁ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଛନ୍ତି ।
ଲାଇଫଗାର୍ଡ ମାନଙ୍କ ସେବା ଓ ସହଯୋଗକୁ ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଭୂୟସୀ ପ୍ରଶଂସା କରିଛନ୍ତି । ନିଜେ ବେଳାଭୂମିକୁ ସ୍ବଚ୍ଛ ରଖିବା ସହ ସ୍ବଚ୍ଛତା ରକ୍ଷା ଦିଗରେ ଆଗନ୍ତୁକ ମାନଙ୍କୁ ସଚେତନ କରାଇବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି । ଏଥିସହ କୋଭିଡ କଟକଣା ମାନିବାକୁ ପରାମର୍ଶ ଦେବେ। ଲାଇଫଗାର୍ଡ ମାନେ ବେଳାଭୂମିରେ କର୍ତ୍ତବ୍ୟ ପାଳନ ସମୟରେ କୈଣସି ଅନ୍ୟ ବେପାରରେ ସାମିଲ ନହେବାକୁ ପରାମର୍ଶ ଦିଆଯାଇଛି ।
ସେମାନଙ୍କ ନିମନ୍ତେ ଦିଗବାରେଣୀ ଠାରେ ଏକ କାର୍ଯ୍ୟାଳୟ ଖୋଲାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ସେମାନଙ୍କୁ ଆନ୍ତର୍ଜାତିକ ସ୍ତରୀୟ ପେଶାଦାର ୟୁନିଫର୍ମ ଓ ଆନୁଷଙ୍ଗିକ ଉପକରଣ ପ୍ରଦାନ କରାଯିବ । ଏଥିସହ ଆବଶ୍ୟକସ୍ଥଳେ ପର୍ଯ୍ୟଟକ ମାନଙ୍କ ମତାମତକୁ ପଞ୍ଜିକାରେ ରେକର୍ଡ କରାଯିବ । ହ୍ବଟସଆପ ଗ୍ରୁପ ମାଧ୍ୟମରେ ସେମାନଙ୍କ ଉପସ୍ଥିତି ଓ କାର୍ଯ୍ୟ ସଂପର୍କରେ ଅନୁଧ୍ୟାନ କରାଯିବ ।
Comments are closed.