Latest Odisha News

BREAKING NEWS

ଭାରତରତ୍ନ ପରି ପାକିସ୍ତାନର ସର୍ବୋଚ୍ଚ ସମ୍ମାନ କଣ, କଣ ଭାରତୀୟ ବି ପାଇଛନ୍ତି ଏହି ସମ୍ମାନ

ନୂଆଦିଲ୍ଲୀ: ଲାଲ କୃଷ୍ଣ ଆଡଭାନୀଙ୍କ ପରେ ଆଜି ପ୍ରଧାନମନ୍ତ୍ରୀ ସ୍ୱାମୀନାଥନ, ଚୌଧୁରୀ ଚରଣ ସିଂ ଏବଂ ନରସିଂହ ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବା ନେଇ ଘୋଷଣା କରିଛନ୍ତି । ଏହି ସମ୍ମାନରେ ସମ୍ମାନିତ ବ୍ୟକ୍ତି ତାଙ୍କ ପୁରା ଜୀବନକାଳରେ ଦେଶର ହିତପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି । ବେଳେ ବେଳେ କିଛି ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ଯେପରି ଭାରତରେ ଏପରି କିଛି ମହାନ କାର୍ଯ୍ୟ ପାଇଁ ବିବେଚିତ ବ୍ୟକ୍ତିଙ୍କୁ ସର୍ବୋଚ୍ଚ ସମ୍ମାନ ଭାବରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଏ ସେହିପରି ପାକିସ୍ତାନରେ କଣ ଏପରି କୌଣସି ସମ୍ମାନ ପ୍ରଦାନ କରାଯାଏ? ତେବେ ଆସନ୍ତୁ ଜାଣିବା ପାକିସ୍ତାନର ସବୁଠାରୁ ବଡ ସମ୍ମାନ କ’ଣ?

ବାସ୍ତବରେ, ପାକିସ୍ତାନର ସବୁଠାରୁ ବଡ ସମ୍ମାନ ହେଉଛି ‘ନିଶାନ-ଇ-ପାକିସ୍ତାନ’ । ଭାରତ ପରି ମଧ୍ୟ ପାକିସ୍ତାନରେ ଯେଉଁ ଲୋକ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ମହାନ କାର୍ଯ୍ୟ କରିଥାଆନ୍ତି ସେମାନଙ୍କୁ ନିଶାନ-ଇ-ପାକିସ୍ଥାନ ଦିଆଯାଇଥାଏ । କେବଳ ପାକିସ୍ତାନୀ ନୁହଁନ୍ତି ପାକିସ୍ତାନ ବାହାର ନାଗରିକମାନଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଏ । ଏହି କ୍ରମରେ କିଛି ଭାରତୀୟଙ୍କୁ ମଧ୍ୟ ପାକିସ୍ତାନର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ଏପର୍ଯ୍ୟନ୍ତ ୪ ଜଣ ଭାରତୀୟଙ୍କୁ ପାକିସ୍ତାନର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି । ଯେଉଁଥିରେ ପ୍ରଥମ ନାମ ହେଉଛି ଭାରତୀୟ ପର୍ସର୍ ନୀରଜା ଭରୋଟ | ୧୯୮୭ ମସିହାରେ ନୀରଜା ଭରୋଟଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା ଏବଂ ସେ ଏହି ସମ୍ମାନ ପାଇଥିବା ପ୍ରଥମ ଭାରତୀୟ ଥିଲେ।

୧୯୯୦ ମସିହାରେ ଭାରତର ଚତୁର୍ଥ ପ୍ରଧାନମନ୍ତ୍ରୀ ‘ମୋରାର୍ଜୀ ଦେଶାଇ’ ‘ନିଶାନ-ଇ-ପାକିସ୍ତାନ’ରେ ସମ୍ମାନିତ ହୋଇଥିଲେ। ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଏବଂ ପାକିସ୍ତାନର ସର୍ବୋଚ୍ଚ ସମ୍ମାନ ନିଶାନ-ଇ-ପାକିସ୍ତାନରେ ପୁରସ୍କୃତ ହୋଇଥିଲେ। ଅଗଷ୍ଟ ୧୪,୨୦୨୦ରେ ପୁଣିଥରେ ଏହି ସମ୍ମାନ ଭାରତୀୟ ତଥା କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କୁ ପ୍ରଦାନ କରାଯାଇଥିଲା । ଡିସେମ୍ବର ୫, ୨୦୨୩ରେ, ଦାଉଦି ବୋହରା ସମ୍ପ୍ରଦାୟର ନେତା ମୁଫାଦଲ ସୈଫୁଦ୍ଦିନଙ୍କୁ ମଧ୍ୟ ‘ନିଶାନ-ଇ-ପାକିସ୍ତାନ’ରେ ସମ୍ମାନିତ କରାଯାଇଥିଲା । ଏହିପରି ଭାବରେ, ବର୍ତ୍ତମାନ ସୁଦ୍ଧା ୪ ଜଣ ଭାରତୀୟ ଲୋକ ପାକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।

 

 

Comments are closed.