ଭୁବନେଶ୍ବର: ଆସନ୍ତା ୨୭ ତାରିଖରୁ ଖୋଲିବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର । ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ତାଙ୍କ ପରିବାର ଦର୍ଶନ କରିପାରିବେ । ନୂଆବର୍ଷ ଓ ତା ପରଦିନ ଅର୍ଥାତ୍ ଜାନୁଆରୀ ୧ ଓ ୨ ତାରିଖ ଦୁଇ ଦିନ ମନ୍ଦିର ଦର୍ଶନ ବନ୍ଦ ରହିବ । ୩, ୪ ଓ ୫ ତାରିଖରେ ଭୁବନେଶ୍ବର ବାସିନ୍ଦା ଓ ଆଖପାଖ ଅଞ୍ଚଳର ଲୋକେ ଦର୍ଶନ କରିପାରିବେ । ଜାନୁଆରୀ ୬ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ଆରମ୍ଭ କରାଯିବ ।
ପ୍ରତ୍ୟେକ ଦିନ ୫ ଶହ ଲୋକ ଦର୍ଶନ କରିପାରିବେ । ସବୁ କ୍ଷେତ୍ରରେ କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ । ମନ୍ଦିର ଆସିବା ବେଳେ ସାଥିରେ କରୋନା ନେଗେଟିଭ୍ ରିପୋର୍ଟ ଆଣିବାକୁ ପଡ଼ିବ । ଭୁବନେଶ୍ବରର ଅନ୍ୟାନ୍ୟ ଧାର୍ମିକ ସ୍ଥଳ ଖୋଲିବା ନେଇ ନିଷ୍ପତ୍ତି ନେଇଛି ବିଏମସି । ସମସ୍ତ କୋଭିଡ ଗାଇଡଲାଇନ୍ ଅନୁସାରେ ଧାର୍ମିକ ସ୍ଥଳ ଖୋଲିବ । ୩ ତାରିଖ ପରେ ଏହି ସମସ୍ତ ଧାର୍ମିକ ସ୍ଥଳ ଖୋଲିବା ନେଇ ଆଜି ବସିଥିବା ବିଏମସି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଚର୍ଚ୍ଚ ଗୁଡ଼ିକରେ ମଧ୍ୟ ବଡ଼ଦିନ ପାଳନ କରିବା ପାଇଁ ଅନୁମତି ଦିଆଯାଇଛି । କେତେ ଲୋକଙ୍କୁ ନେଇ ଚର୍ଚ୍ଚରେ ପ୍ରାର୍ଥନା କରାଯିବ, ସେନେଇ ବିଏମସି ପାଖରେ ଆବେଦନ କରିବାକୁ ପଡ଼ିବ । ସଂପୂର୍ଣ୍ଣ ରିପୋର୍ଟ ମିଳିବା ପରେ ଚର୍ଚ୍ଚ ଖୋଲିବା ପାଇଁ ଅନୁମତି ଦିଆଯିବ । ହେଲେ ୨ ମିଟର ଦୂରତା ରକ୍ଷା କରି ଚର୍ଚ୍ଚରେ ପ୍ରାର୍ଥନା କରିବା ନେଇ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ ।
Comments are closed.