ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ କରିଛି। କେଜ୍ରିୱାଲଙ୍କୁ ସିବିଆଇ ଏବେ ପଚରାଉଚରା କରିବ। ଏପ୍ରିଲ ୧୬ରେ ସିବିଆଇ ଅଫିସରେ ହାଜର ହେବାକୁ କହିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।
ଏହି ମାମଲାରେ ଉପମୁଖ୍ୟମନ୍ତ୍ରୀ ଥିବା ମନୀଷ ସିସୋଦିଆଙ୍କୁ ଦୀର୍ଘ ଦିନ ଧରି ପଚରାଉଚରା କରିବା ପରେ ଫେବୃଆରୀ ୨୬ରେ ସିବିଆଇ ଗିରଫ କରିଥିଲା। ପରେ ଅର୍ଥ ହେରଫେର ମାମଲାରେ ଇଡି ତାଙ୍କୁ ଗିରଫ କରିଥିଲା। ସେ ଏପର୍ଯ୍ୟନ୍ତ ଜାମିନ ପାଇନାହାଁନ୍ତି। ବର୍ତ୍ତମାନ ସିସୋଦିଆ ତିହାର ଜେଲରେ ରହିଛନ୍ତି।
ସିବିଆଇ ସମନ ପରେ ଆପ୍ ସାଂସଦ ସଞ୍ଜୟ ସିଂହ କହିଛନ୍ତି, ଯେଉଁଦିନ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋଦୀ ସରକାର ବିରୋଧରେ ବର୍ଷିଥିଲେ ଏବଂ ତାଙ୍କ ସହ କେଉଁ ସମ୍ପର୍କ ରହିଛି ବୋଲି ପଚାରିଥିଲେ ସେହି ସମୟରେ କେଜ୍ରିଓ୍ୱାଲଙ୍କୁ ଗିରଫ କରିବାକୁ ମସୁଧା ହେବ ବୋଲି ଆକଳନ ହେଉଥିଲା।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର କେଜ୍ରିଓ୍ୱାଲଙ୍କ ସଂପୃକ୍ତ ରହିଛି ବୋଲି ତଦନ୍ତ ବେଳେ ସିବିଆଇ ଜାଣିବାକୁ ପାଇଥିବା ସୂଚନା ରହିଛି। ପୂର୍ବରୁ ଏହି ମାମଲାରେ ସିସୋଦିଆ ଗିରଫ ହୋଇସାରିଛନ୍ତି। ଏବେ କେଜ୍ରିଓ୍ୱାଲଙ୍କୁ ସିବିଆଇ ସମନ କରିବା ରାଜନୀତିକୁ ଆହୁରି ଉଷ୍ମ କରିଛି।
ଗୁରୁବାର ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଗୋଆ ପୋଲିସ ନୋଟିସ ଜାରି କରିଛି। ତାଙ୍କୁ ଏପ୍ରିଲ ୨୭ ରେ ହାଜର ହେବାକୁ କୁହାଯାଇଛି। କ୍ରାଇମବ୍ରାଞ୍ଚର ଧାରା ୪୧ (ଏ) ଅନୁଯାୟୀ ସ୍ଥାନୀୟ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଦିଲୀପ କୁମାର ହାଲାନକର ଏକ ବିଜ୍ଞପ୍ତି ଜାରି କରିଛନ୍ତି।
ଏହି ମାମଲା ୨୦୨୨ ବିଧାନସଭା ନିର୍ବାଚନ ସମୟର। ସର୍ବସାଧାରଣ ସମ୍ପତ୍ତି ଉପରେ ପୋଷ୍ଟର ବେଆଇନ ମାରିବା ମାମଲାରେ ଗୋଆ ପୋଲିସ ହାଜର ହେବାକୁ କହିଛି।କେଜ୍ରିୱାଲ ଶୁକ୍ରବାର କହିଛନ୍ତି ଯେ ମୁଁ ଯିବି, ମୁଁ ନିଶ୍ଚିତ ଯିବି।
ଶୁକ୍ରବାର ଡକ୍ଟର ବି.ଆର୍ ଆମ୍ବେଦକର ଜୟନ୍ତୀ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୋଗ ଦେଇଥିଲେ। ବିଜେପି ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ ଆମ ଦେଶରେ ଅନେକ ଜାତୀୟ ବିରୋଧୀ ଶକ୍ତି ଅଛନ୍ତି ଯେଉଁମାନେ ଦେଶର ବିକାଶ ଚାହୁଁ ନାହାଁନ୍ତି। ଦେଶର ଗରିବ ଏବଂ ଅତ୍ୟାଚାରିତ ପିଲାମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା କିଏ ଚାହୁଁନାହିଁ?
ସେ ମନୀଷ ସିସୋଦିଆଙ୍କୁ ଜେଲକୁ ପଠାଇଲେ। ଯେଉଁମାନେ ଜେଲକୁ ପଠାଇଛନ୍ତି ସେମାନେ ଦେଶର ଶତ୍ରୁ ଅଟନ୍ତି। ସେମାନେ ଚାହୁଁ ନାହାଁନ୍ତି ଯେ ଦେଶର ବିକାଶ ହେଉ।
Comments are closed.