Latest Odisha News

BREAKING NEWS

ସାହିତ୍ୟିକ ସକିତ ରତେଙ୍କୁ ଦେବଗିରିର ସର୍ବୋଚ୍ଚ ସମ୍ମାନ

କଳାହାଣ୍ଡି: ବରିଷ୍ଠ ସାହିତ୍ୟିକ ସକିତ ରତେଙ୍କୁ ଦେବଗିରି ସମ୍ମାନରେ ସମ୍ମାନିତ କରାଯିବ । ସକିତ ରତେ ଏକାଧାରରେ ଜଣେ ସାହିତ୍ୟିକ, ସମ୍ପାଦକ, ସମାଜସେବୀ ତଥା ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ । ଚଳିତ ବର୍ଷର ଦେବଗିରି ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଙ୍କୁ ‘ଦେବଗିରି ସମ୍ମାନ’ ପ୍ରଦାନ କରାଯିବ। ସେହିପରି ଲେଖକ, ସାମ୍ବାଦିକ, ସଂଗଠକ ତଥା ସମାଜସେବୀ ରଜତ ବଂଶଲଙ୍କୁ ‘ଦେବଗିରି ଯୁବ ସମ୍ମାନ’ ଏବଂ ନୃତ୍ୟଶିଳ୍ପୀ, ନୃତ୍ୟ ଓ ସଙ୍ଗୀତ ନିର୍ଦ୍ଦେଶକ, ବାଦ୍ୟକାର, ସଂଗଠକ ତଥା ଗବେଷକ ଧ୍ୟାନାନନ୍ଦ ପଣ୍ଡାଙ୍କୁ ‘ଦେବଗିରି ଲୋକନୃତ୍ୟ ସମ୍ମାନ’ ପ୍ରଦାନ କରାଯିବ ।  କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ବୁଢ଼ୀପଦର ସ୍ଥିତ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

ତେବେ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ଭବାନୀପାଟଣା ନିବାସୀ ସକେତ ରତେଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବ । କବିତା, ଗଳ୍ପ, ଉପନ୍ୟାସ, ଅନୁବାଦ, ସମ୍ପାଦନା ଆଦି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ସେ ବେଶ୍ ପାଠକପ୍ରିୟ ହୋଇପାରିଛନ୍ତି । ତାଙ୍କର ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ ହିନ୍ଦୀ କବିତା ସଂକଳନ ‘କୁସୁମାଞ୍ଜଳି’, ଓଡ଼ିଆ କବିତା ସଂକଳନ ‘ମଶାଣୀରୁ ମୁକ୍ତିପଥ’, ‘ବାରବାର ଗଢୁଥିବି ଘର’; ରହସ୍ୟ ଉପନ୍ୟାସ ‘ହତ୍ୟା’; ଗଳ୍ପ ସଂକଳନ ‘ପଲ୍‌ଟନ ଆସିଛି’, ‘ଡାହାଣୀ’, ‘ଶବ ଫେରିଛି’, ‘ଆମ କଳାହାଣ୍ଡି ଲୋକକଥା’ ଏବଂ ଅନୁବାଦ ସଂକଳନ ‘ଜୀବନ ଜୀବନ’, ‘ଋତୁରାଜ ଜେମା’, ‘ଭାରତୀୟ କଥା’ ଭଳି ଅନେକ ନିଦର୍ଶନ ରହିଛି । ଜଣେ ହିନ୍ଦୀ ଶିକ୍ଷକ ଭାବରେ ଅନେକ ଛାତ୍ରଛାତ୍ରୀଙ୍କ ଜୀବନ ଗଢିଥିବା ବେଳେ ଜଣେ ସମାଜସେବା ଭାବରେ ମଧ୍ୟ ସେ ଖୁବ୍ ପରିଚିତ ।

ସେହିପରି ‘ଦେବଗିରି ଯୁବ ସମ୍ମାନ’ରେ ସମ୍ମାନିତ ହେବାକୁ ଯାଇଥିବା ରଜତ ବଂଶଲ ସାହିତ୍ୟ ତଥା ସମାଜସେବା କ୍ଷେତ୍ରରେ ସାରା ରାଜ୍ୟରେ ଜଣେ ଚର୍ଚ୍ଚିତ ଚେହେରା। ତାଙ୍କ ଦ୍ଵାରା ଗଠିତ ଦଣ୍ଡପାଟ ଯୁବ ସେବା ସଂଗଠନ ତରଫରୁ କଳାହାଣ୍ଡିର କୋଣ ଅନୁକୋଣରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପାଠ୍ୟ ପୁସ୍ତକ ବଣ୍ଟନ, ଗରିବ ଅସହାୟଙ୍କୁ ନୂଆଖାଇ ସମୟରେ ବସ୍ତ୍ର ବଣ୍ଟନ, ସାମାଜିକ ସମରସତା କାର୍ଯ୍ୟକ୍ରମ ମାଧ୍ୟମରେ ଦିବ୍ୟାଙ୍ଗମାନଙ୍କୁ କମ୍ବଳ ବଣ୍ଟନ ଇତ୍ୟାଦି ସେବା କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ରଚିତ କବିତା ସଂକଳନ ‘ଅବ୍ୟକ୍ତ ଶବ୍ଦ’ ସାରା ଓଡ଼ିଶାର ପାଠକମାନଙ୍କ ପ୍ରିୟ ହେଇପାରିଛି। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ମଧ୍ୟରେ ଏକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ସହ ୪୦ଜଣ ମହିଳାଙ୍କୁ ନେଇ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ଗଠନ ପୂର୍ବକ ରୋଜଗାରକ୍ଷମ କରିବା ପାଇଁ ବିଭିନ୍ନ ପନ୍ଥା ମଧ୍ୟ ଯୋଗାଇ ଦେଇଛନ୍ତି । ।

ଏଥିସହିତ  ‘ଦେବଗିରି ଲୋକନୃତ୍ୟ ସମ୍ମାନ’ ପାଇବାକୁ ଥିବା ଲୋକକଳାକାର, ନୃତ୍ୟଶିଳ୍ପୀ, ନୃତ୍ୟ ଓ ସଙ୍ଗୀତ ନିର୍ଦ୍ଦେଶକ, ବାଦ୍ୟକାର, ସଂଗଠକ ତଥା ଗବେଷକ ଧ୍ୟାନାନନ୍ଦ ପଣ୍ଡା କଳାହାଣ୍ଡିର ଲୁପ୍ତପ୍ରାୟ ଲୋକନୃତ୍ୟର ପ୍ରଚାର ପ୍ରସାର ଓ ପୁନରୁତ୍ଥାନ ଦିଗରେ ପ୍ରୟାସରତ। ଏଥିପାଇଁ ସେ ‘ପ୍ରତିଭା’ ଅନୁଷ୍ଠାନ ମାଧ୍ୟମରେ ଘୁମୁରା, ଶିଙ୍ଗବଜା, ଢାପ୍, ବନାବାଡ଼ି, ମାଦଳି, ଘୁଡ଼କା ନାଚ ଆଦି ଶିକ୍ଷା ଦେବାସହ ଦେଶ ବିଦେଶରେ ମଧ୍ୟ ପ୍ରଦର୍ଶନ ଜାରି ରଖିଛନ୍ତି। ଏଥିପାଇଁ ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ଯୁବ ପୁରସ୍କାର, ସ୍କଲାରସିପ ଓ ଫେଲୋସିପ ପାଇଥିବା ବେଳେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଉସ୍ତାଦ ବିସମିଲ୍ଲା ଖାଁ ପୁରସ୍କାର ଏବଂ କେନ୍ଦ୍ର ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସମାଜସେବାରେ ରାଜ୍ୟ ପୁରସ୍କାର ସମେତ ଅନେକ ସମ୍ମାନ ଓ ପୁରସ୍କାର ଗ୍ରହଣ କରିଛନ୍ତି। ମାଦଳୀ ଓ ବନାବାଡ଼ି ଉପରେ ତାଙ୍କର ଦୁଇଟି ଇଂରାଜୀ ପୁସ୍ତକ ପ୍ରକାଶିତ।

Comments are closed.