ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ଚୁମକି ଦାଶ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।
ଓଡ଼ିଆ ସାହିତ୍ୟର ନବପ୍ରତିଭା ଚୁମକି ଦାଶଙ୍କ ସହ ‘ଅଳ୍ପ ଆଳାପ’
ମୁଁ କାହିଁକି ଲେଖେ ?
ବେଳେ ବେଳେ ଅନ୍ତର୍ମନରେ ଅନେକ ଅକୁହା ଶବ୍ଦ ବସା ବାନ୍ଧନ୍ତି। ବାସ୍ ସେଇମାନଙ୍କୁ କବିତା କିମ୍ୱା ଗଳ୍ପର ରୂପ ଦେଇ ଦେଲେ ହୃଦୟକୁ ଅନେକ ଶାନ୍ତି ମିଳେ।
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
ସାହିତ୍ୟ ଦ୍ଵାରା ସମାଜ ପ୍ରତି ଫଳିତହୁଏ। ସାହିତ୍ୟ ଶିକ୍ଷାକୁ ସର୍ବାଙ୍ଗ ସୁନ୍ଦର କରେ। ସମାଜର ହିତ ନିମନ୍ତେ ଯିଏ ଅନବରତ କାର୍ଯ୍ୟରତ ତାକୁ ଛାଡ଼ି ବଞ୍ଚିବା ବୋଧେ ସମ୍ଭବ ନୁହେଁ।
ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ପ୍ରଥମ ପ୍ରକାଶିତ ଲେଖାଟି ଥିଲା ମୋର୍ ଗୋଟେ କବିତା ‘ମନ ମୌସୁମୀ’ ଯାହାକି କେଦାର ଭାରତୀ ପତ୍ରିକାରେ ପ୍ରକାଶ ପାଇଥିଲା। ଫଟୋ ସହ ଲେଖା ଦେଖି ମୁଁ ଖୁବ୍ ଖୁସି ଅନୁଭବ କରିଥିଲି ସେଦିନ। ପରବର୍ତ୍ତୀ ସମୟରେ ଅନେଗୁଡ଼ିଏ ଲେଖା ଅନେକ ପତ୍ର ପତ୍ରିକାରେ ସ୍ଥାନିତ ହୋଇଥିଲା।
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ସାମ୍ପ୍ରତିକ ସମାଜର ଘଟଣାବଳୀକୁ ଅନୁଧ୍ୟାନ କରି କବିତା, ପ୍ରବନ୍ଧ, କିମ୍ୱା ଗଳ୍ପର ରୂପ ଦିଏ। ସ୍ଥିତି ବା ଦୁର୍ନୀତି ଯାହା ଏ ଆଖି ଦେଖେ କଲମ ମୁନରେ ନିରପେକ୍ଷ ଭାବରେ ଆଙ୍କିଥାଏ। ବାର୍ତ୍ତା ଦେବାକୁ ମୁଁ ବା କିଏ ବରଂ କହିବି ହୃଦୟରେ ଆନ୍ଦୋଳିତ କରୁଥିବା ଶବ୍ଦମାନଙ୍କୁ ଏକଜୁଟ କରି ଜନ ହିତରେ ସମର୍ପିତ ମୋର ଏ ଲେଖନୀର କମା ଆଉ ପୂର୍ଣ୍ଣଛେଦ୍ ସବୁ।
ତାଙ୍କ ରଚନାରୁ କବିତା : ବସନ୍ତର ଅଭିଷେକ
ଋତୁରାଜ ବସନ୍ତର ଆଗମନେ ଧରା ମନ୍ଦ ମନ୍ଦ ସମୀରଣ ବାସେ ,
ଭ୍ରମର ଓ ପ୍ରଜାପତି ଗୁଣୁଗୁଣୁ ଶବ୍ଦେ ଢଳଢଳ କୁମୁଦିନୀ ହସେ ।।
ପେନ୍ଥାପେନ୍ଥା ଫୁଲ ଧରି ଉଲ୍ଲାସେ ପାଦପ ସୁଶୋଭିତ ତରୁଲତା ଗଣ,
ବସନ୍ତର ନବୋଲ୍ଲାସେ ଭୁବନ ନାଚଇ ଭାବୁକ ଯେ ଭାବାନ୍ତର ମନ ।।
ରସଶ୍ରାବୀ କୋକିଳର କୁହୁକୁହୁୁ ତାନେ ବିଚ୍ଛୁରିତ ବକୁଳ ପ୍ରାଙ୍ଗଣ,
ପ୍ରଜାପତି ଗୁଞ୍ଜାରଣେ ଲାବଣ୍ୟ କଳିକା ପ୍ରୀତିକୁ ସେ କରେ ଆଲିଙ୍ଗନ।।
ଉର୍ଦ୍ଧରେ ନୀଳ ନିର୍ମଳ ନୀର୍ମେଘ ଆକାଶ ଅଭିଷେକ ଋତୁ ବସନ୍ତର,
ଅଶୋକ, ବକୁଳ, ନିମ୍ବ,ସେବତୀ,କାଞ୍ଚନ ଚମ୍ପକ, ଯେ ହୁଅନ୍ତି ଅଧିର।।
ପ୍ରୀତି ପର୍ବ ଫଗୁଣର ଉନ୍ମାଦନା ଏତେ କୋଇଲିର କୁହୁ ତାନ ଶୁଭେ,
ବନ ଉପବନ ଧରା ସୁମନ ସୌରଭେ ଅଗଣା ଠୁଁ ଆକାଶର ଦିଗେ।।
ଗୋଧୁଳି ଅଗତେ ସଂଜଦିପାଳି ହସଇ ଭାଗବତ ଟୁଙ୍ଗୀ ମୁଖରିତ ,
ଝାଞ୍ଜିସହ ମୃଦଙ୍ଗର ତାଳ ମନଲୋଭା ନୃତ୍ୟ ରତେ ମୟୁରି ଆନନ୍ଦ ।।
ଜହ୍ନ ତାରା ଆକାଶର ଶୋଭା ଦ୍ଵି ଗୁଣିତ ନୀଳ କଇଁ ଉର୍ଦ୍ଧ ମୁଖେ ଚାହେଁ,
ପ୍ରଭାତର ପ୍ରତୀକ୍ଷାରେ କମଳିନୀ ବ୍ୟସ୍ତ ଢଳ ଢ଼ଳ ପତ୍ରେ ଜଳ ହୁଏ ।।
Comments are closed.