ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ ।
ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ନାରାୟଣ ସାହୁଙ୍କ ସହ ‘ସ୍ୱଳ୍ପ ଆଳାପ’
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
ଜଙ୍ଗଲଟେ ଥୁଣ୍ଟା ହେଇ ରହିବାଠୁ ଚିରହରିତ ହେବା ଯାଏଁ ଜଳବାୟୁ ଓ ମୂର୍ତ୍ତିକା ଯେମିତି ଆବଶ୍ୟକ । ସେହି ଭଳି ପ୍ରତ୍ୟେକ ମଣିଷ ଜୀବନ ସାହିତ୍ୟ ବିନା ଥୁଣ୍ଟା ପ୍ରାୟ । ସାହିତ୍ୟ ସର୍ଜନା ହିଁ ଦୁଃଖବେଳେ ଆମକୁ ନାନାବାୟା ଗୀତ ଶୁଣେଇ ଆଈମା କୋଳରେ ଶୁଆଇ ପକାଏ। ସାହିତ୍ୟ ସର୍ଜନା ହିଁ ସୁଖ ବେଳେ ନାଉରିଆ ସାଜି ଆମକୁ କୂଳ ପାରି କରେ । ଯେତେବେଳେ ସର୍ଜନା ଶିଖି ନଥିଲି ସେବେଳେ ବି ଜୀବନ ସ୍ଵୟଂ ବହୁ କବିତା ଓ ଗପ ଲେଖିଛି ଅଜାଣତେ ବିନା କାଗଜରେ ! ଯୁକ୍ତ ତିନି ପଢୁଥିବା ସମୟରେ ପ୍ରିୟ କବି ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କବିତା ପଢ଼ି ବହୁତ ଉତ୍ସାହିତ ହେଇଛି, ଯେଉଁଥିରୁ ଡାଇରୀରେ ସାହିତ୍ୟ ସର୍ଜନାର ମୂଳଦୂଆ ପଡ଼ିଲା ।
ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ପ୍ରଥମ ପ୍ରକାଶିତ ଲେଖା “ନଈ” ଯାହାକି ସଂଚାର ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ହୋଇଥିଲା। ମୋର ଅନେକ ପ୍ରିୟ କବି ସେହି କବିତାକୁ ପଢ଼ି ମୋତେ ଆହୁରି କବିତା ଲେଖିବାକୁ ଉତ୍ସାହିତ କରିଥିଲେ।
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ଗଳ୍ପରେ ମୁଁ ସମୁଦ୍ରରୁ ବିନ୍ଦୁଟିଏ ପାଏ ଓ କବିତାରେ ବିନ୍ଦୁରୁ ସମୁଦ୍ର। ଗଳ୍ପ ଓ କବିତା ଉଭୟ ଗୋଟେ ଗୋଟେ ବଗିଚାର ଫୁଲ ଭଳି ଆକାଶ ମୁହାଁ ଯେଉଁଠାରେ ଅସଂଖ୍ୟ ନକ୍ଷତ୍ର , ତଥ୍ୟ, ଦୁଃଖ, ଯନ୍ତ୍ରଣା ଓ କ୍ଳେଶର ମଲମ ଲୁକ୍କାୟିତ।
ତାଙ୍କ ରଚନାରୁ କବିତା : ବିବର୍ତ୍ତନ
ଗଛଡାଳରେ ବସିଥିବା ପକ୍ଷୀର ଏ ବସାକୁ
ମୁଁ କହିବି ନାହିଁ ଅନୁପମ !
ମୋ ଆଖିର ନଈରେ ହିଁ ଦେଖାଇବି
ଏ ଚିତ୍ର ସବୁର ପ୍ରତିବିମ୍ବକୁ କେବଳ !
ସେଇଠି ସ୍ଥିର ଥିବା ଭ୍ରମରକୁ କହିବିନି
ଉଡ଼ି ଆସି ବସିବାକୁ ମୋ ଓଠରେ ,
ସୁବର୍ଣ୍ଣ ହରିଣକୁ କହିବିନି
ପୋଷା ହେବାକୁ ମୋ ଘରେ ,
ଲୁଚିଯାଇଥିବା ଜହ୍ନକୁ କହିବିନି
ବାଦଲକୁ ଫୁଙ୍କି ଆସିବାକୁ” ଥରେ !
ମୁଁ ,
କେବଳ ବଂଶୀର ସ୍ଵରରେ ହିଁ ଆବୋରିବି
ଗୋଟେ ବସନ୍ତର ସକାଳ!
ମୁଁ ଇଚ୍ଛାମୁତାବକ ପବନ ଭଳି !
ଅପମାନ ପାଇଥିବା ଧୂଳିକୁ ସାନ୍ତ୍ଵନା ଦେଇ
କୋଳେଇ ନେବିନି ପୃଥିବୀରୁ ମୋ ଛାତିରେ ,
ଶେଷଶୀତର ପତ୍ରକୁ କରବିନି ଅନାଥ,
ଜଳରେ କଣିକା ମାନଙ୍କ ସ୍ଥାନ ନେଇ
ରଙ୍ଗ ବଦଳାଇବିନି କେବେ !
ମୁଁ କେବଳ ପ୍ରଜାପତି ହେଇ ଉଡ଼ିବି
ଏ ଫୁଲରୁ ସେ ଫୁଲ,
ଏ ସ୍ୱପ୍ନର ଗାଆଁ ରୁ ଆରେକ !
କେବେକେବେ ସମୁଦ୍ରକୂଳରେ ଛିଡ଼ା ହୋଇଥିବା ଛୋଟପିଲାଟେ ହେବି ମୁଁ,
ସମୁଦ୍ର ମାଗିବା ପୂର୍ବରୁ ସ୍ଵହସ୍ତରେ ସମର୍ପି ଦେବି ମୋ ବାଲିଘର!
କେବେକେବେ ନଈକୂଳରେ ଛିଡ଼ା ହୋଇଥିବା ଗାଈଆଳଟେ ହେବି ମୁଁ
ଆମ୍ବଗଛରେ ଚଢ଼ି, ଆମ୍ବ ନଖାଇ ,
ଖାଇବି ମୋ ମାଆ ଭାଜିଥିବା ଚାଉଳ!
ମୁଁ ବିନ୍ଦୁଏ ଅଶ୍ରୁକଣିକାରେ ଫୁଟାଇବି
ସହସ୍ର ମୋତିଫୁଲ,
ଗୋଟିଏ ଫୁଲରେ ପୂଜା କରି ପାରିବି
ତେତିଶ କୋଟି ଦେବତା !
ମୁଁ ଏ ସଂସାରରେ ଥିବା ଭଲ ଲୋକମାନଙ୍କ ଭିତରୁ ହେବି ଜଣେ,
ଯଦି ଭଲ ଲୋକ ନଥିବେ,
ଭିକ୍ଷା ମାଗିବେନି ବିକଳାଙ୍ଗ ମନ୍ଦିରେ, ବାଟରେ ଓ ବଜାରରେ ,
ପ୍ରେମର ଅସ୍ତିତ୍ବ ରହିବନି ସମ୍ପର୍କରେ ,
ଗରିବୀର ନାଁ ହିଁ ନଥିବ ଏ ପୃଥିବୀରେ ,
ବୁଲା କୁକୁରଙ୍କ ଗହଳି ନଥିବ ରାତିରେ,
ଓ ସମାଧି ସ୍ଥଳର କୋକେଇ ହୁତୁହୁତୁ ଜଳୁ ନ ଥିବ
ଦରଓଦା କାଠରେ !
Comments are closed.