ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ପ୍ରତିଭା ଅନୀଲ କୁମାର ପାଢ଼ୀ। ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ମଣିଷର ସଂସାର ସଂଘର୍ଷ ଓ ଜୀବନାଦର୍ଶ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ। ଦୀର୍ଘ ତିନି ଦଶନ୍ଧି ଧରି ସେ ଋଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ସାହିତ୍ୟର କଳେବରକୁ ।
ଏକ ବିସ୍ଫୋରଣର ଅପେକ୍ଷାରେ, ସୋପାନ ସୋପାନ ମୁକ୍ତି, ଆର୍ଦ୍ରା ନକ୍ଷତ୍ରର ବର୍ଷା , ଛାଇ ପରି କିଛି, ସନ୍ଧିକ୍ଷଣ, ହାଟ, ନୀଡ ନିର୍ଜନ, ଶେଷ ରାତିର ଶୋଷ, ନୂଆ ସ୍ବପ୍ନର ସ୍କେଚ୍, ଘା’ ଓ ମେଫିଷ୍ଟୋଫିଲିସ୍, ବିସ୍ଥାପିତ ଈଶ୍ବର, ଗ୍ରୀନ ରୁମ୍, ଷ୍ଟାପଲର୍, ବିମ୍ବ ପ୍ରତିବିମ୍ବ ( ଗଳ୍ପ ସଙ୍କଳନ ) , ମେଘରାତି , ସାରା ରାସ୍ତା, ଓ’ ଏକାକୀ, ମଧ୍ୟପଦ , ଅନ୍ଧାର ସେତିକି ( ଉପନ୍ୟାସ ), ଅଳ୍ପ ଆଳାପ , କିଞ୍ଚିତ ଅନାବରଣ ( ସମାଲୋଚନା ଓ ପ୍ରବନ୍ଧ ) , ଅବୁଦ୍ଧ ( କବିତା ସଙ୍କଳନ ) ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା ।
ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ କାଦମ୍ବିନୀ ଗଳ୍ପ ପୁରସ୍କାର , ସର୍ବ ଭାରତୀୟ “କଥା” ଷ୍ଟୋରୀ ଆଓ୍ବାର୍ଡ, ପ୍ରଜାତନ୍ତ୍ର ବିଷୁବ ଝଙ୍କାର ଗଳ୍ପ ସମ୍ମାନ , ଳିଙ୍ଗପ୍ରଭା ସାହିତ୍ୟ ସାରଥି ସମ୍ମାନ , ପଶ୍ଚିମା ଗଳ୍ପ ସମ୍ମାନ , ମାଟିଭାଷା ଜୀବନବ୍ୟାପୀ ସାହିତ୍ୟ ସମ୍ମାନ, ବ୍ରହ୍ମପୁର ସାହିତ୍ୟ ସଂସଦ ଗଳ୍ପ ପୁରସ୍କାର, ଅନୁଷ୍ଠାନ “ଶବ୍ଦ” ଦ୍ବାରା ସମ୍ବର୍ଦ୍ଧନା,ଅଳକା ଗଳ୍ପ ସମ୍ମାନ , ଘନଶ୍ୟାମ ପାଣି ଗଳ୍ପ ସମ୍ମାନ, ବନଲତା ପଟ୍ଟନାୟକ ଭୁବନେଶ୍ବର ବୁକ୍ ଫେୟାର ଗଳ୍ପ ସମ୍ମାନ ଆଦି ସମ୍ମାନ ସହ ଆହୁରି ଅନେକ ସାହିତ୍ୟ ସଂସଦ ପକ୍ଷରୁ ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ ।
ଲେଖକ ଅନୀଲ କୁମାର ପାଢ଼ୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ ।
୧. ଆପଣ ଇଂରାଜୀ ବିଭାଗର ଅଧ୍ୟାପକ , ତେବେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି କିପରି ଆକୃଷ୍ଟ ହେଲେ ?
ଉତ୍ତର:- ସାହିତ୍ୟ ସର୍ବତୋଭାବେ ଏକ ମାନସିକ ପ୍ରକ୍ରିୟା। ଭାଷା ସାହିତ୍ୟକୁ ପ୍ରକାଶ କରେ। ତେବେ, ଇଂରାଜୀ ଭାଷା ମୋର ମାତୃଭାଷା ନୁହେଁ। ମାତୃଭାଷା ଓଡିଆ। ସ୍ବତଃ ଏ ଭାଷା ପ୍ରତି ମୋର ମମତ୍ବ ଓ ଜିଜ୍ଞାସା ସୃଷ୍ଟି ହେବ ନିଶ୍ଚିତ। ମାତୃଭାଷାର ମୌଳିକ ଗୁଣ ଭିତରେ ଭାଷାର ଶବ୍ଦ ଓ ବ୍ୟାକରଣ ମୋର ଆଜନ୍ମ। ଇଂରାଜୀ ଭାଷା ଓ ସାହିତ୍ୟ ମୁଁ ଆହରଣ କରିଛି। ଦୁଇଟି ଭାଷାର ସମନ୍ବୟରୁ ମୋର ଓଡ଼ିଆ ସାହିତ୍ୟ ଅଧିକ ସମ୍ପନ୍ନ ହେଲା ପରି ମୋତେ ଲାଗେ। ଭାଷାଟିଏ ଭାଷାର ଶତ୍ରୁ ନୁହେଁ। ବରଂ, ଗୋଟିଏ ଭାଷା ଆନ ଭାଷା ପାଇଁ ସିଡ଼ି ପରି କାର୍ଯ୍ୟ କରେ।
୨. ଅନୁଭୂତି ରଚନାକୁ କିପରି ସାନ୍ଦ୍ର କରେ ?
ଉତ୍ତର:- ଏ ପ୍ରଶ୍ନର ଉତ୍ତର ଏକ ଜଟିଳ ରଚନାତ୍ମକ ଧାରା। ଏହା ଏକ ବଡ ଚର୍ଚ୍ଚାର ଆବଶ୍ୟକତା ରଖେ। ରଚନାକାର କିଏ ? ରଚନାକାର ହେଲା ଲେଖକ। ଲେଖକଟି “ମୁଁ” ଭିତରେ ଆବଦ୍ଧ। ଅର୍ଥାତ୍ “ମୁଁ” ର ଅନୁଭୂତି ହିଁ ସାହିତ୍ୟ। ମାତ୍ର ଏହା ସତ୍ୟ ନୁହେଁ। ଏପରି ହେଲେ ଲେଖାଟି “ଆମ”, “ତମ” ହୋଇ “ସେମାନେ” ପାଖରେ ପହଞ୍ଚି ସାର୍ବଜନୀନ ହୋଇପାରନ୍ତା ନାହିଁ। ତେବେ, କଥା ହେଲା ସାହିତ୍ୟ ସମ୍ପୂର୍ଣ୍ଣ ଭାବେ ଅନୁଭୂତି ଉପରେ ନିର୍ଭରଶୀଳ ନୁହେଁ। ଅନୁଭୂତି ସହିତ କଳ୍ପନା, ଜିଜ୍ଞାସା, ଜ୍ଞାନ ବି ସଫଳ ସାହିତ୍ୟ ପାଇଁ ଜରୁରୀ। ଅନୁଭୂତି ଶାରିରୀକ ହୋଇପାରେ ଆଉ ମାନସିକ ବି। ଏକଥା ହୁଏତ ସତ୍ୟ ଯେ ଅନୁଭୂତି ସାହିତ୍ୟକୁ ସାନ୍ଧ୍ର କରେ। ହେଲେ, ବେଳେବେଳେ ସାହିତ୍ୟ ଝରଣାର ପାଣି ପରି ସ୍ବଚ୍ଛ ଓ ତରଳ ହେବା ଦରକାର। ସବୁ ମନ, ହୃଦୟ ଭିତରେ ସାନ୍ଧ୍ର ସାହିତ୍ୟ ଛାଣିହେଲା ପରି କଣା ନଥାଏ।
୩. ଆପଣଙ୍କ ସୃଷ୍ଟି ସମୂହରେ ଜୀବନ ଦର୍ଶନକୁ ଆପଣ କିପରି ଭାବରେ ରୂପାୟନ କରିଛନ୍ତି ?
ଉତ୍ତର:- ମୋ ସୃଷ୍ଟି ଭିତରେ ଗଳ୍ପ, ଉପନ୍ୟାସ, କବିତା, ସମାଲୋଚନା ସବୁ ଅଛି। କେବେକେବେ ମୁଁ ମୋର ଦୀର୍ଘ ୩୨ ବର୍ଷର ସାହିତ୍ୟାନୁରାଗ ଓ ସାହିତ୍ୟାନୁଭୂତିର ତର୍ଜମା କରେ। ଏହା ଅଧିକାଂଶ ସମୟରେ ମୋତେ ହତାଶ ବି କରେ। ଉତ୍ତର ଆଧୁନିକ ସାହିତ୍ୟ , ଆଉ ବିଶେଷ ଭାବରେ ସମାଜର ପ୍ରତିଫଳନ ନୁହେଁ। ସାହିତ୍ୟିକର ଆଭିମୁଖ୍ୟ ବହୁ ଦିନରୁ ଆଉ ସମାଜମନସ୍କ ନହୋଇ , ବ୍ୟକ୍ତିମନସ୍କ ହୋଇସାରିଛି। ଏବେ, ଏହା ମନ ଭିତରର ପରିବର୍ତ୍ତିତ ମୁହୂର୍ତ୍ତକୁ ଲିପିବଦ୍ଧ କଲାଣି। ଉଦ୍ଭଟ ଲେଖା, ମନସ୍ତାତ୍ତ୍ବିକ ଲେଖା, ବିଜ୍ଞାନସମ୍ମତ ଲେଖା ଇତ୍ୟାଦିକୁ ଏହାର ଉଦାହରଣ ରୂପରେ ନିଆଯାଇପାରେ। ଉତ୍ତର ଆଧୁନିକ ଯୁଗ, ଗୋଳିଆ ପାଣି। କିଛି ସାହିତ୍ୟିକ ଅଣନିଃଶ୍ବାସୀ ହୋଇ , ଦଣ୍ଡିକିରୀ ମାଛ ପରି ଗୋଳିଆ ପାଣି ଉପରେ ଭାସି , ନିଜର ଲେଖକତ୍ବ ସାବ୍ୟସ୍ତ କରୁଛନ୍ତି। ହେଲେ, ନା ଏଯାଏଁ ଅସଲ ସାହିତ୍ୟିକ ବାହାରିଲେଣି ନା ଅସଲ ସାହିତ୍ୟ। ମୋ ଲେଖାରେ , ମୁଁ ମୂଲ୍ୟବୋଧର ପଶ୍ଚାତଧାବନ କରେନା। ଏପରି କରନ୍ତି ମୂଲ୍ୟବୋଧ ନଥିବା ସାହିତ୍ୟିକମାନେ। ମୋର ଅସଲ ଜୀବନରେ ଯେହେତୁ ମୁଁ ମୂଲ୍ୟବୋଧସମ୍ପନ୍ନ ମଣିଷଟିଏ, ମୋତେ ସାହିତ୍ୟ ପାଇଁ ଆଭିମୁଖ୍ୟ ବା ମୂଲ୍ୟବୋଧ ଖୋଜିବା ଦରକାର ପଡ଼େ ନାହିଁ। ସେଥିପାଇଁ ମୁଁ ବିଶ୍ବାସ କରେ ଯେ, ଭଲ ଲୋକ ହିଁ ଭଲ ସାହିତ୍ୟ ସୃଷ୍ଟି କରେ। କହିପାରନ୍ତି ଯେ, ମୋ ଜୀବନଦର୍ଶନ ହେଲା ପରପୀଡ଼ନକୁ ବନ୍ଦ କରିବା। ଏହି ଦର୍ଶନକୁ ମୁଁ ମାନେ।
୪. ଜଣେ ଲେଖକର ସାମାଜିକ ଦାୟିତ୍ୱବୋଧ କିପରି ହେବା ଆବଶ୍ୟକ ?
ଉତ୍ତର:- ସାମାଜିକ ଦାୟିତ୍ବବୋଧ ଜଣେ ଲେଖକର କାହିଁକି ; ପ୍ରତ୍ୟେକ ମଣିଷର ହେବା ଉଚିତ। ଲେଖକ ସମାଜକୁ ସୁଧାରିବାର ଠିକା ସେବେ ଗ୍ରହଣ କରିଥିଲା , ଯେବେ ସମାଜ ସଂସ୍କାରର ଆଉ ବିଶେଷ ମାଧ୍ୟମ ନଥିଲା। ଏବେ ତ ବହୁ ମାଧ୍ୟମ ! ମୁଁ ସନ୍ଦିହାନ ଯେ , ଏବେ କୌଣସି ଲେଖା ଜନତାକୁ ପ୍ରଭାବିତ କରେଇ , ଫରାସୀ ବିପ୍ଳବ ପରି ଏକ ପରିବର୍ତ୍ତନ ଆଣିପାରିବ! ଅପରପକ୍ଷେ, ବର୍ତ୍ତମାନର ସାହିତ୍ୟ ଅନେକାଂଶରେ ଗୁଜବ ପରି ହୋଇଗଲାଣି। ଯେମିତି କିଛି ଗୁଜବପ୍ରିୟ ସାହିତ୍ୟିକ ଏବେ ସ୍ରୋତର ବିପରୀତରେ ଯାଇ ହାହୋଲ୍ଲା କରିବାରେ ମଦମସ୍ତ ଅଛନ୍ତି। ଅଶ୍ଳୀଳତା ତ ଏହି ପ୍ରଚାରଖୋର୍ ମନୋବୃତ୍ତିରୁ ଜାତ ହୋଇଛି। ମୁଁ ପରୀକ୍ଷାମୂଳକ ଲେଖା ଲେଖେ। କମ୍ ଦୃଷ୍ଟି ଦିଆଯାଇଥିବା ବିଷୟବସ୍ତୁକୁ ନିଏ। ତେବେ, ମୋର ବି ସହଜାତ ସାମାଜିକ ପ୍ରତିବଦ୍ଧତା ଅଛି ଓ ସମାଜ ଭିତରେ ଥାଇ ହିଁ ମୁଁ ଲେଖେ।
୫. ସାହିତ୍ୟକୁ ଲୋକପ୍ରିୟ କରାଇବାରେ ଗଣମାଧ୍ୟମର ଭୂମିକାକୁ ଆପଣ କିପରି ମୂଲ୍ୟାୟନ କରିବେ ?
ଉତ୍ତର:- ସାହିତ୍ୟ ସହିତ ଗଣମାଧ୍ୟମର କଥା ଉଠେଇଲେ , ମୁଁ ମୋର ମତାମତକୁ ସ୍ପଷ୍ଟ ରୂପେ ନିରେଖି ପାରୁନାହିଁ। ଯଦି ଫେସବୁକକୁ ଗଣମାଧ୍ୟମ ଭିତରେ ନିଆଯାଏ, ତେବେ ମୁଁ କହିବି ଏବର ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ସବୁଠାରୁ ବଡ଼ ଅବଦାନ ହେଲା ଫେସବୁକର। ଦ୍ବିତୀୟ ସ୍ଥାନରେ ଆସିବ, କିଛି ଖବରକାଗଜ ,ନିୟମିତ ଭାବେ ସାପ୍ତାହିକ ସାହିତ୍ୟପତ୍ର ପ୍ରକାଶକରିବା। ଓଡିଶା ସମ୍ବାଦର ଏହି ଭୂମିକା ପାଇଁ ମୋର ସାଦର ଧନ୍ୟବାଦ। ତୃତୀୟ ହେଲା ଦୃଶ୍ୟମାଧ୍ୟମ। କାଁଭାଁ ଚ୍ୟାନେଲକୁ ଛାଡିଦେଲେ , ଆଉ କେଉଁଠି ସାହିତ୍ୟର ଆଲୋଚନା ନାହିଁ। ସାହିତ୍ୟର ଖବର, ସାହିତ୍ୟିକର ଖବର ଯଦି ପ୍ରଚାରିତ ଓ ପ୍ରସାରିତ ନହେଲା, ତେବେ ଆମ ଭାଷାସାହିତ୍ୟର ବିକାଶ ହେବ କେମିତି ! ଯେଉଁ ଚେଷ୍ଟା ଏବେ ଗଣମାଧ୍ୟମ କରୁଛି, ଏ କ୍ଷେତ୍ରରେ ତାହାଠାରୁ ଅଧିକ ଚେଷ୍ଟା ହେବା ଦରକାର।
୬. ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ସର୍ବଶ୍ରେଷ୍ଠ ସୃଷ୍ଟି କଣ ?
ଉତ୍ତର:- ଏ ପ୍ରଶ୍ନ ଯଦି ଈଶ୍ବରଙ୍କୁ ପଚରା ଯାଆନ୍ତା ସେ ବି କୁହନ୍ତେ, ସବୁ ତ ମୋର, ଏହା ଭିତରେ ପାତରଅନ୍ତର କରିବି କେମିତି। ମା’ଟିଏ ପାଖରେ ତାହାର ସବୁ ସନ୍ତାନ ଏକ ପରି। ସୃଜନକର୍ମ ଜାଣିଶୁଣି ଦୁର୍ବଳ ବା ସବଳ କରାଯାଇନଥାଏ। ଅବଶ୍ୟ ଲେଖକ ପାଖରେ ପୂର୍ବର ଭୁଲକୁ ପର ଲେଖାରେ ସୁଧାରିବାର ସୁଯୋଗ ଥାଏ। ହେଲେ, ସେ ଖୋଲାଖୋଲି କହିପାରିବ ନାହିଁ ଯେ ନିର୍ଭୁଲ ଲେଖାଟି ସର୍ବଶ୍ରେଷ୍ଠ। ତେବେ, ସମୟ, ପାଠକ, ଗୋଷ୍ଠୀ, ଖଟି, ରାଜନୀତି, ଆଞ୍ଚଳିକତା ଆଜିକାଲି ସର୍ବଶ୍ରେଷ୍ଠ ସାହିତ୍ୟ ବାଛିବାର ଠିକା ନେଇଛି। ମୋର ଚବିଶଟି ସଂକଳନ। ଏହା ଭିତରୁ ସବୁଠାରୁ ଭଲ କେଉଁଟି ଏହାକୁ ଦୁଇ ଜଣ କହିପାରିବେ; ଜଣେ ଉପରୋକ୍ତ ଠିକାଦାର ଓ ଆଉ ଜଣେ ଈଶ୍ବର। ମୋ ପରି ପ୍ରଚାରଅପ୍ରିୟ ଓ ମଧ୍ୟବିତ୍ତ ଲେଖକର ଲେଖା କଣ ସର୍ବଶ୍ରେଷ୍ଠ ହୋଇପାରେ ! ମୁଁ ଅଧମଟିଏ, ଚାଲାକ ସମୟର ଭଉଁରୀରେ ପଡିଯାଇଛି।
୭. ଓଡ଼ିଆ ଭାଷା ସାହିତ୍ୟକୁ ପାଶ୍ଚାତ୍ୟ ସାହିତ୍ୟ କିପରି ଭାବରେ ପ୍ରଭାବିତ କରିଛି ?
ଉତ୍ତର:- ଓଡ଼ିଆ ଭାଷା ସାହିତ୍ୟରେ ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବ ? ମୋତେ ସେମିତି ଲାଗୁନି ଯେ , ଆମେ ପ୍ରଭାବିତ ହୋଇଛୁ । ଲାଗୁଛି, ଆମେ ପାଶ୍ଚାତ୍ୟ ସାହିତ୍ୟର ଅନୁକରଣ ବି ନୁହେଁ , କେବଳ ହନୁକରଣ କରିଛୁ। ବିଡ଼ମ୍ବନା ହିଁ ଏଇଠି। ଆମକୁ ଆମ ସାହିତ୍ୟର ଭୌଗୋଳିକ ବାତାବରଣ ଓ ପାଶ୍ଚାତ୍ୟ ସାହିତ୍ୟର ବାତାବରଣ ଭିତରେ ଫରକ୍ ମାଲୁମ ନାହିଁ। ଛଉରୋଗରେ ଆକ୍ରାନ୍ତ ଜଣେ ଲୋକକୁ ଯଦି ଟୋପି ଓ କୋଟ୍ ପିନ୍ଧାଇ ଆମେ ଇଂରେଜ ବୋଲି ମାନିନେଉ, ତା’ହେଲେ ମୁଁ ନାଚାର। ପାଶ୍ଚାତ୍ୟ ସାହିତ୍ୟ ପ୍ରାଚ୍ୟକୁ, ପ୍ରାଚ୍ୟ ସାହିତ୍ୟ ପାଶ୍ଚାତ୍ୟକୁ ପ୍ରଭାବିତ କରୁ। ଏହାଦ୍ବାରା ଦୁଇ ସାହିତ୍ୟ ସମୃଦ୍ଧ ହେବ। ହେଲେ, ନିଜକୁ ଗୋରା ଦେଖେଇବା ପାଇଁ ନିଜ ଦେହରେ ଶହେ ପରସ୍ତ କ୍ରିମ ଓ ପାଉଡର ବୋଳିଲେ ଯେଉଁ ଲୋକହସା ହେବା କଥା , ଆମେ ସେପରି ହେଉଛୁ। ସେତିକି ପ୍ରଭାବକୁ ଗ୍ରହଣ କରିବା ଉଚିତ୍, ଯାହାଦ୍ବାରା ଆମର ନିଜସ୍ବ ମୌଳିକତା ନଷ୍ଟ ନହେବ!
୮. ବର୍ତ୍ତମାନ ସମୟରେ ବହୁଳ ଭାବରେ ଇ- ପତ୍ରିକା ପ୍ରକାଶ ପାଉଛି । ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଏହା କିପରି ଭାବରେ ସହାୟକ ହୋଇ ପାରୁଛି ?
ଉତ୍ତର:- ବର୍ତ୍ତମାନ କୋରୋନା କାଳରେ ଇ-ପତ୍ରିକାର ଦାୟିତ୍ବ ଗୁରୁତ୍ବପୂର୍ଣ୍ଣ। ଦିନେ ନା ଦିନେ ସାହିତ୍ୟକୁ ଡିଜିଟାଲ ହେବାର ଥିଲା। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଯୁଗଧର୍ମ ବି ଏହା ଚାହେଁ। ତେବେ, ଇ-ପତ୍ରିକାମାନ ଭଲଭାବରେ ପ୍ରସାରିତ ହେବା ଉଚିତ୍ ଓ ଏହାର ଗୁଣବତ୍ତା ବଜାୟ ରହିବା ଦରକାର। ଇ-ପତ୍ରିକାର ଭୂମିକା ଅନସ୍ବୀକାର୍ଯ୍ୟ।
,
ପ୍ରଶ୍ନ ୯. ପୁରସ୍କାର ସାହିତ୍ୟ ସୃଷ୍ଟିର ମାପଦଣ୍ଡ ବୋଲି ଆମେ ଭାବିବା ଉଚିତ କି ?
ଉତ୍ତର:- ଭଲ କାମର ପୁରସ୍କାର ଥାଏ। ଭଲ ସାହିତ୍ୟର ବି ପୁରସ୍କାର ରହିବା ବିଧେୟ। ଏକଥା ସତ ଯେ ସେ ଯେକୌଣସି ପୁରସ୍କାର ହେଉ, ତାହା ଲେଖକ ଓ ଲେଖାର ଶ୍ରେଷ୍ଠତ୍ବକୁ ସେତେ ବେଶୀ ପ୍ରତିଭାତ କରିପାରେନା। ଏହାର ବ୍ୟତିକ୍ରମ ତ ଥାଇପାରେ। ପୁରସ୍କାର ଲେଖକକୁ ପ୍ରୋତ୍ସାହିତ କରେ। ନହେଲେ, ହାତରୁ ଖାଇ ଘୋଡ଼ା ଆଗରେ ନାଚିବା ସଦୃଶ , ଏ ସାହିତ୍ୟକର୍ମ ଲେଖକ କରନ୍ତା କାହିଁକି! ଆମମାନଙ୍କ ସଂସ୍କୃତିରେ ପୁରସ୍କାର କିଣିବା, ଯୋଗାଡ଼ କରିବା ଏକ ସମ୍ମାନସ୍ପଦ କାର୍ଯ୍ୟ ହୋଇଗଲାଣି। ନା ଏହାର ଦଲାଲମାନଙ୍କୁ ଲାଜ ଲାଗୁଛି ନା ଲେଖକମାନଙ୍କୁ। ଏଣୁ, ଏଠି ପୁରସ୍କାର ସାଧାରଣ ଲୋକର ଭାଗ୍ୟରେ ନଥାଏ। ଏ ସାଧାରଣ ଲେଖକ ବି ବଡ଼ ଅଜବ ! ଆମ ସାହିତ୍ୟ ସମାଜ ତାକୁ ଯେତେ ଥର ଧକ୍କା ମାରି ବାହାର କରି ଦେଉଥିବ, ବିଚରା ପୁଣି ଲୁଚିଛପି ପଛ ଧାଡ଼ିରେ ପହଞ୍ଚି ଯାଉଥିବ! ପୁରସ୍କାର ଦରକାର, ହେଲେ ମିଳେନା।
ପ୍ରଶ୍ନ ୧୦. ନୂଆ ଲେଖକମାନଙ୍କୁ କି ବାର୍ତ୍ତା ଦେବେ ?
ଉତ୍ତର:- ଯୁବପିଢ଼ୀ ପାଇଁ ବାର୍ତ୍ତା ବା କଣ୍ ଦେଇପାରିବି। ସେମାନେ ସମସ୍ତେ ସ୍ବୟଂସମ୍ପୂର୍ଣ୍ଣ। ବଡ ଅଧ୍ୟବସାୟୀ । ତେବେ, କେବଳ ଏତିକି କହିବି ଯେ, ସେମାନେ ଆଉ କାହା ପରି ନହୋଇ, ନିଜ ପରି ହୁଅନ୍ତୁ ଓ ସ୍ବାଭିମାନ ବଜାୟ ରଖନ୍ତୁ। ଧନ୍ୟବାଦ।
Comments are closed.