ଓଡ଼ିଆ ସାହିତ୍ୟ ଆକାଶର ଏକ ସୁପରିଚିତ ନକ୍ଷତ୍ର ଅନୀତା ପାଣି । ତାଙ୍କ ସୃଜନୀର ସ୍ରୋତ ଦିଗରୁ ଦିଗନ୍ତ ଯାଏଁ ପରିବ୍ୟାପ୍ତ । ନିଜ ଳେଖନୀର ସ୍ପର୍ଶରେ ,ଓଡ଼ିଆ ଭାଷା ସାହିତ୍ୟକୁ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି । ତାଙ୍କରି ପ୍ରତିଟି ରଚନାରେ ଥାଏ ଜୀବନର ଦର୍ଶନ । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ଫୁଟାଇ ପାରନ୍ତି ଅନେକ ଚରିତ୍ର । ପୁଣି ସେଇ ଚରିତ୍ର ମାନଙ୍କରେ ରଙ୍ଗ ଭରି ଜୀବନ୍ତ କରନ୍ତି ତାଙ୍କ କଲମ ନିଃସୃତ ପ୍ରତିଟି ଶବ୍ଦ ।
ଭାବ ତରଙ୍ଗିଣୀ , ଭକ୍ତି ଗୀତି କବିତା ଭାବ ମନ୍ଦାକିନୀ, ଭକ୍ତି ଗୀତି କବିତା ଭାବ ରତ୍ନାକର, ଏକପଦୀ ସଙ୍କଳନ ସମ୍ମୋହନ, ରୋମାଣ୍ଟିକ କବିତା, ଶିଶୁ କବିତା ଗପରେ ଗପରେ ଗୀତଟିଏ ଓଡ଼ିଆ ଅନୁବାଦ- ଗୋବିନ୍ଦ ଦାମୋଦର ସ୍ତୋତ୍ର, ଓ ଗୀତି କବିତା , ନିଳାଦ୍ରିବିଜେ-ଦିବ୍ୟ ବଚନିକା ଏବଂ ସନେଟ୍-ଶତଦଳ ପ୍ରଭୃତି ପୁସ୍ତକର ସେ ସ୍ରଷ୍ଟା । ସାହିତ୍ୟ ସାଧନା ପାଇଁ ସେ ଅନେକ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ସମ୍ମନିତା ଓ ସମ୍ବର୍ଦ୍ଧିତା ।
ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟା ଅନୀତା ପାଣିଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ “ଆଳାପ”
ସାହିତ୍ୟ ଓ ଜୀବନ କିପରି ଭାବରେ ପରସ୍ପର ସହ ଜଡ଼ିତ?
ଯେଉଁ ସମାଜର ଜୀବନଶୈଳୀ ଯେତେ ଉତ୍କୃଷ୍ଟ ତାର ସାହିତ୍ୟ ସେତେ ସମୃଦ୍ଧ। ସାହିତ୍ୟ ଓ ଜୀବନ ମୁଦ୍ରାର ଦୁଇ ପାର୍ଶ୍ଵ। ଯଦି ଜୀବନ ଅଛି ତା ହେଲେ ସାହିତ୍ୟ ଅଛି,ଯଦି ସାହିତ୍ୟ ଅଛି ତା ହେଲେ ଜୀବନ ଅଛି। ଜୀବନରେ ଅଙ୍ଗେ ନିଭେଇ ଥିବା ସୁଖ ଦୁଃଖ ,ଉନ୍ନତି ଅବନତି ଘଟଣା ଗୁଡିକ ସବୁ ସାହିତ୍ୟରେ ପ୍ରତିଫଳିତ ହୁଏ ,ସାହିତ୍ୟ ଦିଗହରା ସମାଜକୁ ଉଚିତ୍ ମାର୍ଗ ଦେଖାଏ ଓ ସ୍ବାଭିମାନ ସହିତ ବଞ୍ଚିବାର ରାହା ଦିଏ। ଜୀବନର ଅବ୍ୟକ୍ତ କଥା ଓ ସମସ୍ୟା ସମାଧାନର ସୂତ୍ର ସାହିତ୍ୟରେ ହିଁ ସମାହିତ ହୋଇଯାଏ। ଜନ୍ମରୁ ମୃତ୍ୟୁ ଯାଏ ଅଙ୍ଗାଙ୍ଗୀ ଭାବେ ଜଡିତ ରହି ସମାଜର ହିତ ସାଧନ କରେ ଏଇ ସାହିତ୍ୟ। କେବେ ଅବୁଝା ଅବୋଧ ଶୈଶବକୁ ସାନ୍ତ୍ବନା ଦିଏ ମାଆର ମିଠା ଲୋରୀରେ ,କେବେ କୈଶୋରର ଚପଳାମୀରେ ଅଜାଣତେ ଶୀଳତାର ଶିକ୍ଷା ଦିଏ ସାହିତ୍ୟ, କେବେ ପୌରୁଷ ବୃଦ୍ଧି କରେ ନାୟକରୁ ମହାନାୟକ କରେ,କେବେ କନ୍ୟାକୁ ସକଳ ଗଣ ସଂପୂର୍ଣ୍ଣା ସୁଲକ୍ଷଣା ଗୃହିଣୀର ମର୍ଯ୍ୟାଦା ଦିଏ ତ କେବେ ବୀରାଙ୍ଗନାର ପ୍ରେରଣା ଦିଏ ସାହିତ୍ୟ, ଆଧ୍ୟାତ୍ମିକ ଚେତନାର ଉତ୍ସ ସାଜି ମୋକ୍ଷର ମାର୍ଗ ଦେଖାଏ , ସୁସ୍ଥ ସମାଜ ଗଠନରେ ଯୁଗାନ୍ତକାରୀ କ୍ରାନ୍ତି ସୃଷ୍ଟି କରେ ସାହିତ୍ୟ। ଅକ୍ଳାନ୍ତ ପରିଶ୍ରମ ଉପସମର ମାଧ୍ୟମ ସାଜେ, ଜୀବିକାରୁ ପର୍ବପର୍ବାଣି ଯାଏ ଜୀବନକୁ ପୃଷ୍ଟ କରେ ସାହିତ୍ୟ। ଅନ୍ଧବିଶ୍ୱାସ କୁସଂସ୍କାର ଗହ୍ବର ଭିତରୁ ଉଦ୍ଧାର କରି ଆଲୋକର ଦିଶା ଦେଖାଏ, ନୈରାଶ୍ୟର କୁହେଳିକା ଭିତରୁ ବଞ୍ଚିବାର ଉଚ୍ଛ୍ବସ ଦିଏ ସାହିତ୍ୟ। ଶେଷରେ କହିବି ସାହିତ୍ୟ ପାଇଁ ଜୀବନ ଆଉ ଜୀବନ ପାଇଁ ସାହିତ୍ୟର ଅବଦାନ ଅବସମ୍ଭାବି। ଜୀବନ ଶରୀର ହେଲେ ସାହିତ୍ୟ ତା ଆତ୍ମା, ଜୀବନ ମାଠିଆ ହେଲେ ସାହିତ୍ୟ ତା ଭିତରର ତୃଷା ନିବାରିତ ବାରି।
କେଉଁ ସ୍ରଷ୍ଟାଙ୍କ ସୃଷ୍ଟି, ଆପଣଙ୍କୁ ସାହିତ୍ୟମନସ୍କ କରାଇଲା ?
ସାହିତ୍ୟମନସ୍କ ମୁଁ ଅତି ଛୋଟ ବେଳରୁ । ଯେତେବେଳେ ମୋର ଟିକେ ଟିକେ ଜ୍ଞାନ ହୋଇଥିଲା ସେତେବେଳେ ମୋ କାନରେ ପ୍ରାଚୀନ ସାହିତ୍ୟର ଭକ୍ତି ଗୀତ,ଚମ୍ପୁ,ଛାନ୍ଦ, ରାସର ମଧୁର ସଙ୍ଗୀତ ହାରମୋନିୟମ ଧ୍ବନି ସହିତ ବାଜୁଥିଲା। ବେଦ,ଶାସ୍ତ୍ର, ପୁରାଣ ଆଲୋଚନା ଆମ ଘରେ ହୁଏ। ତାପରେ ସ୍କୁଲରେ ପାଠ ପଢା ବେଳେ ସାହିତ୍ୟ ପୁସ୍ତକ ଥିଲା ମୋର ଅତି ପ୍ରିୟ। ଅନେକ ସାହିତିକଙ୍କ ସୃଷ୍ଟି ଭିତରୁ ସାରଳା ଦାସ ,ଉପେନ୍ଦ୍ର ଭଞ୍ଜ, ଫକୀରମୋହନ ସେନାପତି,ସଚ୍ଚି ରାଉତରାୟ,ରାଧାମୋହନ ଗଡନାୟକ , ଭାନୁଜୀ ରାଓ, ମନୋଜ ଦାସ, ବିଭୂତି ପଟ୍ଟନାୟକ, ପ୍ରତିଭା ରାୟଙ୍କ ଲେଖା ମୋତେ ଅଧିକ ସାହିତ୍ୟ ମନସ୍କ କରିଛି।
କବିତାର ଭାବ ନା ଗଳ୍ପର କଳେବର, କେଉଁଥିରେ ଆପଣ ଅଧିକ ସନ୍ତୁଷ୍ଟ ?
କବିତା ଅଳ୍ପରେ ଅନେକ କଥା କହିବା ବେଳେ ଗଳ୍ପରେ ଅନେକ କିଛି ବିସ୍ତୃତ ଭାବରେ କହିହୁଏ। କବିତା ହେଉ ବା ଗପ ସେଥିରେ ସମାଜ ପାଇଁ କିଛି ବାର୍ତ୍ତା ଥିଲେ ସନ୍ତୁଷ୍ଟି ବୋଧ ହୁଏ ଓ ଉଭୟ ପ୍ରଭାବିତ କରି ପାରନ୍ତି। ମୋ କଥା କହିଲେ କବିତା ମୋତେ ଅଧିକ ଶାନ୍ତି ଦିଏ।
ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧାର ସାମ୍ନା କରେ ବୋଲି ଅନେକ ମତ ଦିଅନ୍ତି। ସେ ବିଷୟରେ ଆପଣ କଣ କହିବେ ?
ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧା ସାମ୍ନା କରିବାକୁ ପଡେ, ଏଥିରେ ମୁଁ ଏକମତ।ପ୍ରଥମତଃ ଲେଖିକା ହେବା ଗୋଟେ ତପସ୍ୟାରୁ କମ ନୁହେଁ। ନାରୀଟିଏ ଘରର ସମସ୍ତ ଦାୟିତ୍ୱ ନିର୍ବାହ କରେ। ପରିବାର ଲୋକ ତା ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଲେଖିକା ହେବା ତାର ସାଧନା ଉପରେ ନିର୍ଭର କରେ। ସମୟର ଅଭାବ ପ୍ରଥମ କଥା। ଦ୍ବିତୀୟତଃ ନାରୀ ଲେଖିକାଟିଏ ଏତେ ସ୍ବାଧୀନତା ଏ ଯାଏ ପାଇନାହିଁ ଯେତିକି ପୁରୁଷ ମାନେ ପାଆନ୍ତି। ତାର ନିଜସ୍ୱ ବେଦନାକୁ ଖୋଲା ଖୋଲି କହିବାରେ ସଙ୍କୋଚ କେତେ ସ୍ଥାନରେ ପ୍ରତିବନ୍ଧକ ସାଜିଛି। ସମାଜ ପରିବାରର ସମ୍ମାନ ଆଗରେ ନିଜକୁ ଏତେ ପ୍ରକାଶିତ କରିପାରେନାହିଁ। ଅନେକ ନାରୀ ଲେଖିକା ତାଙ୍କ ନିଜ ନାମ ନ ଦେଇ ଛଦ୍ମ ନାମରେ ଲେଖୁଥିଲେ । କିନ୍ତୁ ସେ ସମୟ ଏବେ ଆଉ ନାହିଁ। ତୃତୀୟତଃ କିଛି ନାରୀମନୋସ୍ତତ୍ବ ବା ଫେମିନିଜିମ୍ ଯାହାକୁ କୁହନ୍ତି , ଲେଖିଲା ବେଳେ ଅନେକ କଟାକ୍ଷ କରନ୍ତି ଯେ ନିଜ ଜୀବନରେ ସେ ଭୋଗିଥିବା କଥା ଲେଖୁଛି । କିନ୍ତୁ ସବୁ କ୍ଷତ୍ରରେ ଏହା ହୋଇ ନଥାଏ। ସମାଜରେ ଘଟୁଥିବା ଘଟଣାରେ ଆନ୍ଦୋଳିତ ହୋଇ ଅନେକ ଲେଖା ହୁଏ।
ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?
ମୋର ପ୍ରଥମ ପ୍ରକାଶିତ ଲେଖାଟି ସ୍କୁଲ ସମୟର ଥିଲା। ସେ ଲେଖା ବର୍ତ୍ତମାନ ମୋ ପାଖରେ ନାହିଁ। ତାହା ସ୍କୁଲ ମ୍ୟାଗାଜିନ୍ରେ ପ୍ରକାଶିତ ହୋଇଥିଲା। ଆମ କ୍ଲାସରୁ ମ୍ୟାଗାଜିନ୍ ପାଇଁ ଅନେକ ଲେଖା ଯାଇଥିଲା ବେଳେ ମୋ ଲେଖାଟି ସ୍ଥାନ ପାଇଥିବାରୁ ମୋ ସାଙ୍ଗସାଥୀମାନଙ୍କ ପାଖରେ ବହୁ ପ୍ରଶଂସିତ ହୋଇଥିଲି। ବିଡମ୍ବନାର କଥା ତା ପରେ ମୁଁ ଆଉ କିଛି ଲେଖିବାର ସୁଯୋଗ ପାଇ ନଥିଲି। ବହୁତ ଦିନ ପରେ ପୁଣି ଲେଖିବା ମନସ୍କ ହେଲି।
ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?
ଆଜି ଯାଏଁ ଯାହା ଲେଖିଛି ,ପାଠକୀୟ ମତାମତ ପାଇଛି । କିନ୍ତୁ ମୁଁ ନିଜେ ସେଥିରେ ଆତ୍ମସନ୍ତୋଷ ପାଇନାହିଁ।
ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?
ସାହିତ୍ୟ ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମର ଭୂମିକା ଏବେ ବହୁ ମାତ୍ରାରେ ସହାୟକ ହୋଇଛି। ଗଣମାଧ୍ୟମ ଫେସବୁକ ଓ୍ବାଟସପ ଆସିଲା ଦିନରୁ ଅନେକ ଓଡ଼ିଆ ଭାଷାର ଲେଖା ଦେଖିବାକୁ ମିଳୁଛି। ଓଡ଼ିଆ ସାହିତ୍ୟ ପାଇଁ ଏହା ଶୁଭ ସୂଚନା। ସ୍ବାଧୀନ ଭାବରେ ସମସ୍ତେ ନିଜ ଭାବନା ବ୍ୟକ୍ତ କରିପାରୁଛନ୍ତି। ସମ୍ପାଦକ ମାନଙ୍କ ଦ୍ବାରା ଅନେକ ଭଲ ଲେଖା ଅନେକ କାରଣ ପାଇଁ ପ୍ରକାଶିତ ହୋଇ ପାରେନାହିଁ। ଫଳରେ ଅନେକ ଲେଖକ ବା କବି ନୈରାଶ୍ୟତା ହାତେଇ ଛନ୍ତି। ଏବେ କିନ୍ତୁ ଗଣମାଧ୍ୟମ ଯୋଗୁଁ ଲେଖା ଗୁଡିକ ସମସ୍ତଙ୍କ ପାଖରେ ପହଞ୍ଚି ପାରୁଛି ଓ ସହଜରେ ପ୍ରକାଶିତ,ଲୋକାଦୃତ ହୋଇ ପାରୁଛି।
ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ ?
ଯଦି ପାଠକ ନକାରାତ୍ମକ ମତ ରଖନ୍ତି ତାହେଲେ ମୋର ପ୍ରତିକ୍ରିୟା କିଛି ହେବ ନାହିଁ । ମୁଁ ମୋର ତୃଟି ଖୋଜିବି ଆଉ ସୁଧାରିବା ପାଇଁ ଚେଷ୍ଟା କରିବି। ଲେଖିବାର ସ୍ବାଧୀନତା ଯେମିତି ମୋର ଅଛି ସେମିତି ପାଠକଙ୍କର ସ୍ବାଧୀନତା ଅଛି ମତାମତ ଦେବାର।ଗଣମାଧ୍ୟମରେ ସିଧାସଳଖ ଲେଖା ପ୍ରକାଶିତ କରିବାକୁ ହେଲେ ପ୍ରଶଂସା ଶୁଣିବାକୁ ଅଭ୍ୟାସ ରହିବା ସହିତ ନିନ୍ଦା ଶୁଣିବା ପାଇଁ ପ୍ରସ୍ତୁତ ରହିଵା ଦରକାର। ଗୋଟେ କଥା ମୋତେ ଭଲ ଲାଗୁଛି । ତା ମାନେ ନୁହେଁ ସମସ୍ତଙ୍କୁ ତାହା ଭଲ ଲାଗିବ ବୋଲି।ନକାରାତ୍ମକରୁ ସକାରାତ୍ମକର ସନ୍ଧାନ ହିଁ କେବଳ ସୃଜନକାରଙ୍କ ଅଧିନରେ ଥାଏ।
ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି ?
ସାହିତ୍ୟ ସମାଜର ଦର୍ପଣ ହେଉ। ସାହିତ୍ୟ ମାଧ୍ୟମରେ ଆମ ହଜିଯାଇଥିବା ସଂସ୍କୃତି,ଲିଭିଯାଉଥିବା ମାନବିକତା ଓ କଳୁଷିତ ହେଉଥିବା ସମାଜ,ପ୍ରାକୃତିକ ସୌନ୍ଦର୍ଯ୍ୟର ପୁନଃ ଉଦ୍ଧାର ହେଉ। ବିଜ୍ଞାନର ଅଗ୍ରଗତି ନୂତନ ଆବିଷ୍କାର ସହିତ ସାହିତ୍ୟର ସାମୁହିକ ହିତପଣିଆ ଅକ୍ଷୁର୍ଣ୍ଣ ରହୁ।
ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?
ସାହିତ୍ୟ ଏକ ସାଧନା। ପୁରସ୍କାର ବା ପରିଚିତି କିଛି ସମୟ ପାଇଁ ସାହିତ୍ୟିକଙ୍କୁ ଆମୋଦିତ କରେ,ପ୍ରେରଣା ଦିଏ। ଆଗକୁ ଆହୁରି ସୃଜନମନସ୍କ ହେବାକୁ ସହାୟକ ହୁଏ। ସାହିତ୍ୟିକ ପୁରସ୍କାର ଓ ପରିଚିତି ପଛରେ ଧାଇଁ ବା ମୋଟେ ଜରୁରୀ ନୁହେଁ।ପୁରସ୍କାର ସାହିତ୍ୟର ମାନଦଣ୍ଡ ନୁହେଁ । ପାଠକୀୟ ମହଲରେ ଆଦୃତି ହିଁ ଜଣେ ସାହିତ୍ୟିକ ପାଇଁ ପ୍ରକୃତ ପୁରସ୍କାର।
ଜଣେ ସଫଳ ଲେଖକ( ଲେଖିକା) କେମିତି ହୋଇ ପାରିବ ?
ଜଣେ ସଫଳ ଲେଖକ ବା ଲେଖିକା ହେବା ପାଇଁ ପ୍ରଥମେ ଆମେ ଜଣେ ଭଲ ମଣିଷ ହେବା ଦରକାର। ଅନ୍ୟର ଦୁଃଖ ସୁଖର ଅନୁଭବ କରିପାରିବା ସହିତ ସମାଜରେ ଘଟୁଥିବା ଅପ୍ରୀତିକର ଘଟଣାଗୁଡିକ ପୁନଃ ନହେଉ ସେ ବିଷୟରେ ଲେଖନୀ ଚାଳନା କରିବା ଦରକାର। ତା ସହିତ ଆମ ପୂର୍ବ କବି ଲେଖକ ମାନେ କଣ ଲେଖିଯାଇଛନ୍ତି ସେ ସବୁ ବିଷୟରେ ଜ୍ଞାତ ରହିବା ଦରକାର। ଅନେକ ସୁସାହିତ୍ୟ ପଢିବା ଓ ସବୁଦିନେ କିଛି ଲେଖିବା ଅଭ୍ୟାସ ରଖିବା।
ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେବେ ?
ସମସାମୟିକ ଲେଖକ ବା କବି ଅନ୍ୟକୁ ପଢିବା ସହିତ ସମାଜର କିଛି ବାର୍ତ୍ତା ଦେଲା ଯୋଗ୍ୟ ଲେଖିବା। ଓଡ଼ିଆ ସାହିତ୍ୟର ମୌଳିକତା ମଧୁରତା ପ୍ରତି ଯତ୍ନବାନ୍ ହେବା । ଯାହା ଜୀବନଶୈଳୀକୁ ସହଜ ସୁନ୍ଦର ଗଢି ତୋଳିବ। ସାହିତ୍ୟର ଜୟ ଯାତ୍ରା ସୁଦୂର ପ୍ରସାରୀ ହେଉ।
Comments are closed.