ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖିକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅସିତ କୁମାର ପଣ୍ଡା । ସ୍ତମ୍ଭ , ଗଳ୍ପ , କବିତା, ନାଟକ ଓ ଗବେଷଣାତ୍ମକ ପ୍ରବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ସେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ନାଟକର ଆରମ୍ଭ ସହ ପ୍ରବନ୍ଧର ବିଶ୍ଳେଷଣ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇପାରନ୍ତି ତାଙ୍କ ସର୍ଜନାର ଧାରା । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ପୁରସ୍କାରର ଓ ସମ୍ମାନରେ ସମ୍ମାନିତ।
ଲେଖକ ଅସିତ କୁମାର ପଣ୍ଡାଙ୍କ ସହିତ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’
ସାହିତ୍ୟ ସର୍ଜନା ପାଇଁ ଆଗ୍ରହୀ କିପରି ହେଲେ ?
ମୋ ଉପରେ ପିଲାଦିନୁ ମାଆ କବୀ ଶାନ୍ତିଲତା ପଣ୍ଡାଙ୍କର ପ୍ରଭାବ ରହି ଆସିଛି । ଜଣେ ଗୃହିଣୀ ହୋଇ ମଧ୍ୟ ସବୁଦିନ କିଛି ନା କିଛି ପଢିବା ଓ ଲେଖିବା ତାଙ୍କର ଅଭ୍ୟାସ ଥିଲା ଏବଂ ଆଜି ଯାଏଁ ତାହା ଅଛି । ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କବିତା ଲେଖାରୁ ହିଁ ମୋ ସାହିତ୍ୟ ଜୀବନର ଆରମ୍ଭ ହୋଇଥିଲା ।
ଆପଣଙ୍କ ପ୍ରଥମ ଲେଖା କ’ଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?
ଉ: ଯଦିଓ ମୁଁ ୧୧ ବର୍ଷ ବୟସରୁ ପଦ ବାନ୍ଧିବାର ପ୍ରୟାସ କରି ଆସୁଥିଲି କିନ୍ତୁ ମୋର ପ୍ରଥମ ପୂର୍ଣ୍ଣାଙ୍ଗ କବିତା ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ଲେଖିଥିଲି । ମୋ ସ୍କୁଲର ଶିକ୍ଷକ ଦୟାନିଧି ସେଠୀ ସାର ସ୍ୱାଧୀନତା ଦିବସ ଉପଲକ୍ଷେ ବକ୍ତୃତା ପାଇଁ ସବୁ ପିଲାଙ୍କୁ କିଛି ନା କିଛି ଲେଖା ଆଣିବାକୁ କହିଥିଲେ । ମୋ ମନରେ କିନ୍ତୁ ଥିଲା ଆଉ କାହାଠୁ କିଛି ଲେଖିନେଇ ଆସିବାଠୁଁ ଭାରତମାତାଙ୍କ ଉପରେ ନିଜେ ନିଜର କିଛି ଲେଖି କହିବା ଭଲ । କିନ୍ତୁ ମୋତେ ବକ୍ତୃତା ଅପେକ୍ଷା ପଦ ବାନ୍ଧିବା ସହଜ ମନେ ହେଲା ଆଉ ମୁଁ ଗୋଟିଏ ଗୋଟିଏ ପଦ ଯୋଡି ମାଆଙ୍କୁ ଦେଖାଉଥିଲି । ତିନି ଚାରି ଦିନର ପ୍ରୟାସ ପରେ ୧୪ ଅଗଷ୍ଟ
୧୯୯୧ ରେ ମୋର ୧୨ ପଦ ବିଶିଷ୍ଟ ପ୍ରଥମ କବିତା ଲେଖିବାରେ ସଫଳ ହୋଇଥିଲି । ଆଉ ତହିଁ ପର ଦିନ ସେଇଟା ସେଠି ସାରଙ୍କୁ ଶୁଣେଇଲି । ମୁଁ ନିଜେ ସେହି କବିତା ଲେଖିଛି ଜାଣିବା ପରେ ସେ ମୋର ବହୁତ ପ୍ରଶଂସା କରିଥିଲେ; ସେଇ ସ୍ମୃତିଟି ଆଜି ବି ମୋତେ ରୋମାଂଚିତ କରେ ।
ଗଳ୍ପ, କବିତା,ନାଟକ, ପ୍ରବନ୍ଧ ଆଦି ସବୁ ବିଭାଗରେ ଆପଣ ସକ୍ରିୟ । ତେବେ କେଉଁ ବିଭାଗଟି ଆପଣଙ୍କୁ ଅଧିକ ପରିଚିତ କରାଇଛି ଏବଂ ଆପଣ କେଉଁଥିରେ ଅଧିକ ଆତ୍ମସନ୍ତୋଷ ପାଇଛନ୍ତି ?
ଉ : ମୋତେ ପରିଚିତ କରେଇବାରେ ମୋ ଗବେଷ୍ମଣାତ୍ମକ ପ୍ରବନ୍ଧ “ମୃତ୍ୟୁ ପରେ ନେତାଜୀ” ର ଭୂମିକା ସର୍ବାଧିକ , କିନ୍ତୁ ସବୁଠୁ ଅଧିକ ଆତ୍ମ ସନ୍ତୋଷ ମିଳେ କବିତାରୁ । ଯଦିଓ ମୁଁ ଛନ୍ଦହୀନ ଓ ଛନ୍ଦଯୁକ୍ତ ଉଭୟ ଶୈଳୀରେ କବିତା ଲେଖୁଛି କିନ୍ତୁ ରୀତିଯୁଗୀୟ ଶୈଳୀରେ ଛନ୍ଦ କବିତାଟିଏ ସମ୍ପୂର୍ଣ୍ଣ କରିସାରିଲେ ଯେଉଁ ଆତ୍ମ ସନ୍ତୋଷ ମିଳେ ତାହା ଅବର୍ଣ୍ଣନୀୟ ।
କବିତାର କୋମଳତା, ନାଟକର ବାସ୍ତବତା ଓ ପ୍ରବନ୍ଧର ଗୂଢ଼ତତ୍ତ୍ୱ ମଧ୍ୟରେ କିପରି ସମନ୍ୱୟ ରଖି ପାରନ୍ତି ?
ଉ: ୱାର୍ଡସ୍ମିଥଙ୍କ ଭାଷାରେ ହୃଦୟର ଅନ୍ତ ଅନ୍ତର୍ଦେଶରେ ଉଦ୍ବେଳିତ ହେଉଥିବା ଭାବନାର ଶବ୍ଦ ରୂପର ସ୍ୱତଃ କ୍ଷରଣ ହିଁ କବିତା । ଏଣୁ ଅଧିକାଂଶ ସାରସ୍ୱତ ସାଧକଙ୍କ ସାହିତ୍ୟ ସାଧନା କବିତାରୁ ହିଁ ହୋଇଥାଏ । ପରେ ପରେ ସେଇ କୋମଳ ଭାବନାର ସ୍ରୋତକୁ କଡେଇ ନେବାର କଳାରେ ନିପୁଣ ହେଇ ଉଠିଲେ ସେଇ ସୃଜନଶୀଳତାଟିକୁ ଗଳ୍ପ ନାଟକ ରୂପ ବି ଦିଆ ଯାଇପାରେ । ପ୍ରବନ୍ଧର କ୍ଷେତ୍ର ଏ ସବୁରୁ ଟିକିଏ ଭିନ୍ନ । ତା’ ପାଇଁ ଭାବନା ଓ ତଥ୍ୟ ଉଭୟର ସନ୍ତୁଳନ ଆବଶ୍ୟକ ପଡେ । ତେଣୁ ପ୍ରବନ୍ଧ ଲେଖିବା ପୂର୍ବରୁ ଯଥେଷ୍ଟ ଅଧ୍ୟୟନର ଆବଶ୍ୟକତା ଥାଏ । କେବେ କେବେ ପ୍ରବନ୍ଧ ମନସ୍କ ହେଲାବେଳେ ସାହିତ୍ୟର ଅନ୍ୟ ଦିଗରୁ ନିଜକୁ ବିରତ ରଖିବାକୁ ପଡେ ।” ମୃତ୍ୟ ପରେ ନେତାଜୀ “ପ୍ରବନ୍ଧ ଉପରେ କାମ କରୁଥିବା ବେଳେ ପାଖାପାଖି ଦୁଇବର୍ଷ ମୁଁ ଅନ୍ୟ କୌଣସି ବିଷୟ ପ୍ରତି ଦୃଷ୍ଟି ଦେଇପାରି ନଥିଲି। ଯଦିଓ ସମସ୍ତଙ୍କ କ୍ଷେତ୍ରରେ ଏପରି ହେବା ବିଧେୟ ନୁହେଁ ।
ଆପଣଙ୍କ ବହୁ ଚର୍ଚ୍ଚିତ ପ୍ରବନ୍ଧ ପୁସ୍ତକ ‘ମୃତ୍ୟୁ ପରେ ନେତାଜୀ’ ବିଷୟରେ କିଛି କହିବେ ?
ଉ :ନିଶ୍ଚୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାଁ ନନେବା ଯାଏଁ ବାକି ସବୁ ଅସମ୍ପୂର୍ଣ୍ଣ ଲାଗିବ ମତେ । ପିଲାଦିନୁ ପଢି ଆସିଛୁ ୧୯୪୫ ଅଗଷ୍ଟ ୧୮ ରେ ଏକ ବିମାନ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି । କିନ୍ତୁ ମୋ କଲେଜ ଜୀବନରୁ ଗୋଟିଏ ପ୍ରଶ୍ନ ସବୁବେଳେ ଉଙ୍କି ମାରୁଥିଲା ଯେ ତାଙ୍କ ଜନ୍ମତିଥିକୁ ସବୁଆଡେ ପାଳନ କରାଯାଉଥିବା ବେଳେ ତାଙ୍କ ପୁଣ୍ୟତିଥୀକୁ କାହିଁକି ପାଳନ କରାଯାଉ ନାହିଁ ? ମୋ ଜିଜ୍ଞାସୁ ମନରେ ଏ ପ୍ରଶ୍ନ ତ ରହି ଆସିଥିଲା କିନ୍ତୁ ଉତ୍ତର ଖୋଜିବା ପ୍ରୟାସ କେବେ କରି ନଥିଲି । ୨୧ ଅକ୍ଟୋବର ୨୦୧୮ ରେ ଆମ ପ୍ରଧାନମନ୍ତ୍ରୀ ସେ ବର୍ଷ ଦ୍ୱିତୀୟଥର ପାଇଁ ଲାଲକିଲ୍ଲା ରୁ ପତାକା ଉତ୍ତୋଳନ କରିବା ପରେ ନେତାଜୀଙ୍କୁ ନେଇ ଗଣ ମାଧ୍ୟମରେ ଚର୍ଚ୍ଚା ପୁଣି ଥରେ ଜୋର ଧରିଲା । ଆଉ ସେଇଠୁ ଜାଣିବାକୁ ପାଇଲି ଯେ ନେତାଜୀ ଙ୍କ ମୃତ୍ୟୁର ସତ୍ୟତାକୁ ନେଇ ଭାରତ ସରକାର ତିନିଥର ତଦନ୍ତ କରେଇ ସରିଲା ପରେ ମଧ୍ୟ ଉତ୍ତର ଅମୀମାଂସିତ । ସେଇ ଅମୀମାଂସିତ ଉତ୍ତର ଖୋଜିବାର ପ୍ରୟାସ ହେଉଛି ମୋର ଏ ପୁସ୍ତକ “ମୃତ୍ୟୁ ପରେ ନେତାଜୀ” । ପଶ୍ଚିମ ବଙ୍ଗ ସରକାର ଓ ଭାରତ ସରକାର ନେତାଜୀ ଙ୍କ ସମ୍ପର୍କିତ କିଛି ଗୁପ୍ତ ଦସ୍ତାବେଜ ସାର୍ବଜନୀନ କରିଛନ୍ତି ଜାଣି ସେ ସବୁ ଉପରେ ଦୁଇବର୍ଷର ଗବେଷଣା ଜାରି ରଖିଥିଲି । ଆଉ ଏହି କ୍ରମରେ ବହୁ ଆଶ୍ଚର୍ଯ୍ୟଜନକ ସତ୍ୟ ସବୁ ଜାଣିବାକୁ ପାଇଲି ଯାହା ଭାରତର ସ୍ବାଧୀନତା ଓ ତାର ସମକାଳୀନ ରାଜନୀତିକ ପୃଷ୍ଠଭୂମି ଉପରେ ଥିବା ମୋର ଧାରଣାକୁ ସମ୍ପୂର୍ଣ୍ଣ ବଦଳି ଦେଇଥିଲା । ନେତାଜୀଙ୍କ ବିଷୟରେ ଅନେକ ଅଜଣା ତଥ୍ୟ ପାଠକ ପାଇବେ ଏ ପୁସ୍ତକରୁ। ଯାହା ହେଉ ମୋର ସୌଭାଗ୍ୟ ଯେ ୨୦୨୦ ପବିତ୍ର ନେତାଜୀ ଜୟନ୍ତୀ ଦିନରେ କଟକ ସ୍ଥିତ ନେତାଜୀଙ୍କ ଜନ୍ମ ସ୍ଥାନ ନେତାଜୀ ମ୍ୟୁଜିମରେ ହିଁ “ମୃତ୍ୟ ପରେ ନେତାଜୀ” ଉନ୍ମୋଚିତ ହେଲା ଓ ଜାନକୀନାଥ ଭବନର ସେଇ ଲାଇବ୍ରେରୀରେ ଏବେ ବି ସେ ବହି ପାଠକମାନଙ୍କ ପାଇଁ ଉପଲବ୍ଧ ।
ପୁସ୍ତକ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ପାଠକ ସଂଖ୍ୟା କମି ଯାଉଛି ବୋଲି ଆପଣ ଭାବନ୍ତି କି ?
ଉ: ନିଶ୍ଚୟ ଏହା ଏକ ଜଟିଳ ସମସ୍ୟା । ଆଗ ଭଳି ବହି ପଢିବାର ଆଗ୍ରହ ଆଉ ଦେଖାଯାଉ ନାହିଁ । ବିଶେଷ କରି ଯୁବ ପୀଢ଼ି ନିଜ ପାଠ୍ୟ ପୁସ୍ତକ ଭିନ୍ନ ଅନ୍ୟ ପୁସ୍ତକ ପଢ଼ିବାରେ ରୁଚି ରଖୁ ନାହାନ୍ତି । ଯେଉଁ ଅଳ୍ପ କେତେ ଜଣ ରୁଚି ରଖୁଛନ୍ତି ସେମାନଙ୍କ ଭିତରୁ ବି ବହୁତ କାଗଜ ଅପେକ୍ଷା ସ୍କ୍ରିନରେ ପଢିବାକୁ ଅଧିକ ଆଗ୍ରହୀ ହେଉଛନ୍ତି । ଏଣୁ ବହି ବିକ୍ରିର ପରିମାଣ ଆଶାନୁରୂପ ହେଉ ନଥିବାରୁ ପ୍ରକାଶନ ସଂସ୍ଥାମାନେ ମଧ୍ୟ କ୍ଷତିରେ ଚାଲୁଛନ୍ତି । ତା’ଛଡା ଲେଖକମାନେ ନିଜ ଖର୍ଚ୍ଚରେ ଆଜି କାଲି ନିଜ ବହି ଛାପିବାରେ ଲାଗିଲେଣି ଏଣୁ ସଂଖ୍ୟା ବଢି ଯାଉଛି ସିନା କିନ୍ତୁ ମାନ ପ୍ରଭାବିତ ହେଉଛି ଯାହା ପାଠକମାନଙ୍କୁ ଆହୁରି ଅଧିକ ବିମୁଖ କରାଉଛି ।
ଓଡ଼ିଆ ସାହିତ୍ୟର ଯାତ୍ରାରେ କିଛି ପରିବର୍ତ୍ତନ ଆସିବାର ଆବଶ୍ୟକତା ଅଛି ବୋଲି ଆପଣ ଭାବନ୍ତି କି ?
ଉ: ଆତ୍ମପ୍ରଚାର ଏବେ ଏହି ସାହିତ୍ୟ ଯାତ୍ରାର ବଡ଼ ପ୍ରତିବନ୍ଧକ ସାଜିଛି । ଦୀର୍ଘସୁତ୍ରୀ ସାଧନା ବଦଳରେ ରାତାରାତି ପରିଚିତ ହୋଇ ପ୍ରସିଦ୍ଧି ପାଇବାର ଲାଳସା ଜାଗିଛି ସାହିତ୍ୟିକମାନଙ୍କୁ । ଆଉ ଏହାର ସୁଯୋଗ ନେଇ କିଛି ଅସାଧୁ ଲୋକ ସାହିତ୍ୟମଞ୍ଚକୁ ଏକ ପ୍ରକାର ବ୍ୟାପାର ମଞ୍ଚ କରି ସରିଲେଣି । ସମ୍ମାନ ସମ୍ବର୍ଦ୍ଧନା ଆଦିର ଦୋକାନ ବସିଲାଣି ।ଏପରିକି ସାହିତ୍ୟ ଉପରେ ରାଜନୀତି ମଧ୍ୟ ଲଦା ଗଲାଣି ପ୍ରକୃତ ସାହିତ୍ୟ ସେବକମାନେ ଏଥିରୁ ବିରତ ହେବା ଦରକାର । ସାହିତ୍ୟ ନିଜର ହିତ ସାଧନାରେ ନୁହେଁ ; ସମାଜର ହିତ ସାଧନ ପାଇଁ ହେବା ଉଚିତ ।ସାହିତ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଥିବା ସାହିତ୍ୟର ତର୍କ ବିତର୍କକୁ ଆପଣ କେତେଦୂର ଗ୍ରହଣ ଯୋଗ୍ୟ ବୋଲି ଭାବନ୍ତି ?
ଉ: ଏହାର ଉଭୟ ସକାରାତ୍ମକ ଓ ନକରାତ୍ମକ ଦିଗ ଅଛି । ଏହା ଲେଖକକୁ ସିଧା ପାଠକ ସହ ଯୋଡିବାରେ ସାହାଯ୍ୟ କରିବା ସହ ସରଳ ସମୀକ୍ଷା ତଥା ସହଜ ପ୍ରଚାରର ମାଧ୍ୟମ ବି ହେଉଛି । କିନ୍ତୁ ତା ସହ ଏହା ଭିନ୍ନ ଭିନ୍ନ ଦଳରେରେ ବାଣ୍ଟି ସାହିତ୍ୟିକ ମାନଙ୍କୁ ସାହିତ୍ୟିକମାନଙ୍କ ବିରୁଦ୍ଧରେ ବି ଛିଡା କରେଇବାରେ ବି ଲାଗିଛି । ଏପରିକି କେତେକ କ୍ଷେତ୍ରରେ ଏହି ସାହିତ୍ୟର ତର୍କ ବିତର୍କ ବ୍ୟକ୍ତିଗତ ଜୀବନ ଓ ସମ୍ପର୍କକୁ ବି ପ୍ରଭାବିତ କରୁଛି ।
ଆପଣ ସାହିତ୍ୟ ବ୍ୟତୀତ ଅଭିନୟ , କ୍ଷୁଦ୍ର ଚଳଚ୍ଚିତ୍ର ନିର୍ଦ୍ଦେଶନା, ସଂଳାପ ଓ ପଟ୍ଟକଥା ଲିଖନ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏସବୁ ସାହିତ୍ୟ ସହିତ କିପରି ଭାବରେ ସମ୍ପର୍କିତ ବୋଲି ଆପଣ କହିବେ ?
ଉ: ମୋ ମତରେ ସାହିତ୍ୟ ସର୍ଜନା ଅନ୍ୟ ସବୁ ସୃଜନଶୀଳତା ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ଜଡିତ। ଗଳ୍ପ ଲେଖିବା କିମ୍ବା ସେଇ ଗଳ୍ପକୁ ନାଟକ ରୂପ ଦେବା ଯେମିତି ସାହିତ୍ୟର ଅଙ୍ଗ ସେମିତି କାହାଣୀର ଚିତ୍ରନାଟ୍ୟକୁ ସଂଳାପରେ ସଜେଇବା ବି ସାହିତ୍ୟର ଏକ ଅଙ୍ଗ । କାହାଣୀ ଚିତ୍ରନାଟ୍ୟ ସଂଳାପ ନିର୍ଦ୍ଦେଶନା ଓ ଅଭିନୟ ସବୁକିଛି ଅଙ୍ଗାଙ୍ଗୀଭାବେ ଜଡ଼ିତ ।
ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?
ଉ: “ମୃତ୍ୟୁ ପରେ ନେତାଜୀ” ପରେ ଆଉ କିଛି ପୁସ୍ତକ ପ୍ରକାଶିତ କରିନଥିଲି । ଖୁବ ଶୀଘ୍ର ଭାରତ ଇତିହାସ ସମ୍ପର୍କିତ ଅନ୍ୟ ଏକ ପ୍ରବନ୍ଧ ପୁସ୍ତକ ‘ବିସ୍ମୃତ ନାୟକ’ ପ୍ରକାଶିତ କରେଇବାର ଯୋଜନା ଅଛି । ତା’ ଛଡା କିଛି ବାସ୍ତବ ଚରିତ୍ରମାନଙ୍କ ଉପରେ ପର୍ଯ୍ୟବେଶିତ ଏକ ଗଳ୍ପ ସଙ୍କଳନ ‘ଭିନ୍ନ ରେବତୀ’ ମଧ୍ୟ ଖୁବ ଶୀଘ୍ର ପାଠକମାନଙ୍କ ପାଇଁ ଉପଲବ୍ଧ ହେବ।
Comments are closed.