ଲେଖକ ହୁଅନ୍ତୁ ବା କବି ଅବା ଆଲୋଚକ, ଯେକୌଣସି ପୁସ୍ତକ ପ୍ରକାଶନ ପଛରେ ପ୍ରକାଶକଙ୍କର ସବୁଠାରୁ ବଡ଼ ଦାୟିତ୍ୱ ରହିଥାଏ। ପ୍ରକାଶକ ହିଁ ପୁସ୍ତକ ଆଉ ଲେଖକର ମଧ୍ୟରେ ଯୋଗସୂତ୍ରର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ପ୍ରକାଶକ ଯଦି ଜଣେ ଲେଖକ ହୋଇଥାନ୍ତି ତେବେ ତାହା ମଣିକାଞ୍ଚନର ସଂଯୋଗ ବୋଲି ଧରାଯାଏ । ସେହପରି ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ହେଉଛନ୍ତି ବାଦଲ ମହାନ୍ତି । ଗଳ୍ପ, ଉପନ୍ୟାସ, କବିତା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ ।
ପ୍ରେମପକ୍ଷ ଦେବୀ ଓ କବି, ମାଇଚିଆ, କଲମର କୁହୁ, ଛାଇ ଯେବେ ଲମ୍ବେ ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ତାଙ୍କର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ ।
ଓଡ଼ିଆ ସାହିତ୍ୟର ସଶ୍ରଦ୍ଧ ସ୍ୱର ବାଦଲ ମହାନ୍ତିଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’
ନିଜର କେଉଁ ପରିଚୟରେ ଆପଣ ଅଧିକ ସନ୍ତୁଷ୍ଟ, ପ୍ରକାଶକ ନା ଲେଖକ ?
ଉଭୟ ପରିଚୟରେ ମୁଁ ସନ୍ତୁଷ୍ଟ । ଲେଖକ ଭାବରେ ସାହିତ୍ୟର ସର୍ଜନା ଏବଂ ପ୍ରକାଶକ ଭାବରେ ଲେଖକଙ୍କ ସାନିଧ୍ୟ ଉଭୟ ମୋ ପାଇଁ ମୂଲ୍ୟବାନ ।
ପ୍ରକାଶନୀ ଆପଣଙ୍କ ଲେଖକୀୟ ସତ୍ତାକୁ କିପରି ଭାବରେ ପ୍ରଭାବିତ କରିଛି ?
ସତ୍ତା ଫତ୍ତା କିଛି ନୁହେଁ, କିଛି ଭଲ ବହି ଛାପିବା ଓ ବହିଥାକକୁ ଦେଖୁଦେଖୁ ମରିବାର ଲୋଭଟିଏରୁ ଏ ଯୋଜନା ।
ଓଡ଼ିଆ ସାହିତ୍ୟରେ ପ୍ରକାଶିତ ପୁସ୍ତକ ସଂଖ୍ୟା ବଢିବଢି ଚାଲିଥିବା ବେଳେ, ଲେଖକଟିଏ ଆଜି ବି ତା ଲେଖାଲେଖିରୁ ଉପାର୍ଜନ କରିପାରୁନି । ଏହି ବିଡ଼ମ୍ବନାକୁ ଆପଣ କେମିତି ଦେଖିବେ?
ଲେଖାଲେଖିରୁ ଉପାର୍ଜନ ହେଉଛି, ହେଲେ ସର୍ଜ୍ଜନଶୀଳ ଲେଖାରୁ ନୁହେଁ । ଲେଖକଟିର ଯଦି ଲେଖାଲେଖାରୁ ପଇସା ଉପାର୍ଜ୍ଜନ କରିବା ନିହାତି ଦର୍କାର, ତେବେ ସେ ଅର୍ଥ ଉପାର୍ଜ୍ଜନକାରୀ ବହି ଲେଖୁ । ଭଲ ଦି’ପଇସା କମେଇବ । ସେମିତି ଅପର୍ଯ୍ୟାପ୍ତ ସୁଯୋଗ ଅଛି ଓଡ଼ିଶାରେ । ସାହିତ୍ୟରୁ ଉପାର୍ଜ୍ଜନ ପାଇଁ ପ୍ରଥମତଃ ପ୍ରଭାବିତ କଲାପରି ଗୁଣାତ୍ମକମାନର ଲେଖା ଜରୁରୀ । ତା’ପରେ ଓଡ଼ିଆ ଭାଷା କହୁଥିବା, ବୁଝୁଥିବା ଓ ପଢୁଥିବା ଲୋକଙ୍କ ସଂଖ୍ୟା କେତେ ଯେ, ଅନ୍ୟ ଭାଷାର ବହି ଭଳି ଅଧିକ ମାତ୍ରାରେ ବିକ୍ରି ହେବ!
ଆପଣଙ୍କ କଥା ଓ କବିତାରେ ଜଣେ ସାଧାରଣ ମଣିଷର ଅଭିବ୍ୟକ୍ତି ସ୍ପଷ୍ଟ ଭାବରେ ବାରିହୁଏ । ଏପରି କାହିଁକି?
କାରଣ ସାଧାରଣ ମଣିଷମାନଙ୍କ ଜୀବନରେ ହିଁ ହାନିଲାଭ, ହସଖୁସିର ଉତ୍ଥାନ ପତ୍ତନ ଘଟେ । ତେଣୁ ଘଟଣା ଥାଏ, ଚରିତ୍ର ଥାଏ ଓ ତାହା ପ୍ରତି ମୁହୂର୍ତ୍ତରେ ବି ବଦଳୁ ଥାଏ । ଗୋଟେ ସ୍ଥିର, ଅବିଚଳିତ, ଘଟଣାହୀନ ଜୀବନକୁ ନେଇ କ’ଣ ବା ଲେଖିହେବ? ଭୋଗିନଥିବା କଥା ମୁଁ ଆଦୌ ଲେଖି ହିଁ ପାରେନା ।
ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ? ଏହାଦ୍ୱାରା ଲେଖକର ଦାୟିତ୍ୱବୋଧ ବଢିଯାଏ କି?
ମୋ ପାଇଁ ସାହିତ୍ୟର ସୂକ୍ଷ୍ମ ସୁଖ ଆହରଣର ସୁଖଠୁ ବଳି ବଡ଼ ଅନୁଭବ ଆଉ କିଛି ନାହିଁ । ଆଉ ଏ ସୁଖ ଆସେ ଲିଖନ ପଠନର ଗଭୀର ଆହ୍ଲାଦରୁ । ମୁଁ ଭାବେ ସାହିତ୍ୟ ଏକ ସିଦ୍ଧିହୀନ ଓ ଲକ୍ଷ୍ୟହୀନ ଅସରନ୍ତି ଯାତ୍ରାପଥ । ମୋତେ କେବଳ ଚାଲିବାର ଅଛି । ଲକ୍ଷ୍ୟ ନାହିଁ ଯେହେତୁ ପହଞ୍ଚିଯିବାର ଲକ୍ଷ୍ୟସ୍ଥଳ ବି ନାହିଁ । ଏଇ ବିରାମହୀନ ଚଲାପଥରେ ପୁରସ୍କାର ଏକ ଗଛ ଛାଇ । ଏଇଠି କିଛିକାଳ ଥକ୍କା ମେଣ୍ଟାଯାଇପାରେ, ହେଲେ ଏଇଠି ଅଟକି ଯିବାର ଭୁଲ୍ ଆଦୌ କରିନାହିଁ କି କରିବି ନାହିଁ ମଧ୍ୟ ।
ଆପଣଙ୍କ କବିତା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ କ’ଣ?
ମୋ କବିତାରେ କ’ଣ ଅଛି ମୁଁ ଆଜି ଯାଏଁ ବିଚାର କରିନି । ଆପଣ କହିଲାରୁ ଜାଣିଲି । ମୋ କବିତାରେ କରୁଣ ରସର ବ୍ୟାପକତା ଅଛି ବୋଧେ? ସେଥିପାଇଁ କୋମଳ ହେଇଥିବ । ଯେହେତୁ ମୁଁ କବିତାରେ ଯାହା କହେ ସ୍ପଷ୍ଟ କହେ ଅର୍ଥାତ୍ ମୋ ବକ୍ତବ୍ୟଟି ପ୍ରାଞ୍ଜଳ । ସେଥିପାଇଁ ମାଧୁର୍ଯ୍ୟ ଥିଲା ଭଳି ଲାଗୁଥିବ ।
ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?
ବହୁତ । ମୁଁ ତ କହିବି ସାମାଜିକ ଗଣମାଧ୍ୟମକୁ କେବଳ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ହିଁ ପ୍ରୟୋଗ କରିବା ଉଚିତ୍ । କରାଯାଉଛି ମଧ୍ୟ, ମୁଁ ବି ତ କରୁଛି ! ବହିର ବିଜ୍ଞାପନ ପାଇଁ ଏହା ଏକ ସହଜ, ସୁନ୍ଦର ଓ ତ୍ୱରିତ ମାଧ୍ୟମ ।
ଲେଖକ ପାଇଁ ସାମାଜିକ ଦାୟିତ୍ୱବୋଧର ଆବଶ୍ୟକତା କେତେ ବୋଲି ଆପଣ ମନେକରନ୍ତି?
ପ୍ରତିଟି ଲେଖାରେ ସାମାଜିକ ବାର୍ତ୍ତାଟେ ପ୍ରଚ୍ଛନ୍ନ ଭାବେ ଥାଏ । କୋଉଠି ଗଭୀରେଇକି ଥାଏ ତ କେଉଁଠି ହାଲକା ଭାବରେ ଥାଏ । ଲେଖକଟେ କେବଳ ଲେଖୁ । ସମାଜ ତା’ର ସାମାଜିକ ଦାୟିତ୍ୱବୋଧକୁ ତା’ଲେଖାରୁ ଖୁଣ୍ଟିନାଣ୍ଟି ନେଇଯିବ, ନେଉଥିଲା ଓ ଆଗକୁ ନେବ ମଧ୍ୟ । ଏଇ ନେବା ବଦଳରେ ସମାଜ ଲେଖକକୁ କିଛି ଦଉ । ଦଉ ମାନେ ହାତୀ, ଘୋଡ଼ା ନୁହଁ, କେବଳ ସମ୍ମାନ । ଏହା ହିଁ ଏବେର ଆବଶ୍ୟକତା ।
ସମ୍ପ୍ରତି ସାହିତ୍ୟରେ କାବ୍ୟଗ୍ରନ୍ଥ କେବଳ ଆଲୋଚନାର ବିଷୟ ହୋଇ ରହିଯାଉଛି । ଜଣେ କବି ହିସାବରେ ଆପଣ ଏ ବିଷୟରେ କ’ଣ କହିବେ?
ଆଉ କ’ଣ ହେବ ବୋଲି ଆପଣ ଭାବୁଛନ୍ତି? ମୋ କବିତା ବହିର ତ ଆଲୋଚନା ହିଁ ଏଯାଏଁ କରାଯାଇନି । ଆମ ଆଲୋଚନା ସାହିତ୍ୟ ତ ଗୋଟେ ନିର୍ଦ୍ଦିଷ୍ଟ ଦଶକରୁ ଆଗକୁ ଆସିପାରିନି । ଆମେ ସମସାମୟିକ ଲେଖକ ପରସ୍ପରର କବିତାକୁ ଆଲୋଚନା କରୁଛୁ, ପଢାପଢି ହେଉଛୁ, ଖୁସି ହେଉଛୁ । କେବେ କେମିତି ଜଣେ ଦି’ଜଣ ପାଠକ କି ପାଠିକା ଫୋନ୍ କଲେ ଆମ ଖୁସି କହିଲେ ସରିବନି । କବିତା ଲେଖିବା ଆମର ଅସହାୟତା, ତାକୁ ଆଉ କାହା ଉପରେ କାହିିଁକି ଲଦିବୁ?
ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?
ଜଣେ ପ୍ରକାଶକ ଭାବେ ଗୁଡ଼ାଏ ସାହିତ୍ୟ ସଭା କରିବି । ଲେଖକ/ଲେଖିକାମାନଙ୍କୁ ନେଇ ପ୍ରାକୃତିକ ସ୍ଥାନମାନଙ୍କୁ ଯିବି, ସେମାନଙ୍କୁ ଖୁବ୍ ଖୁଆଇବି । ସେମାନେ ଗପିବେ, ଖୁସି ହେବେ ଆଉ ସେ ଖୁସିରେ ମୁଁ ବି ସାମିଲ୍ ହେବି । ଏହା ହିଁ ମୋର ଭବିଷ୍ୟତ ଯୋଜନା ।
Comments are closed.