ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ବନ୍ଦିତା ଦାଶ । ଗଳ୍ପ, ଉପନ୍ୟାସ, କବିତା, ଶିଶୁ ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । ତାଙ୍କ କାହାଣୀ କେଉଁଠି ବି ଫୁଟି ଉଠିପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ସେଦିନରୁ ଆଜି, ଜୀବନର ନାନାବାୟା, ମରୁ ନଦୀର ସ୍ଵପ୍ନ ପ୍ରଭୃତି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ତାଙ୍କର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା ।
ଓଡ଼ିଆ ସାହିତ୍ୟର ସଶ୍ରଦ୍ଧ ସ୍ୱର ବନ୍ଦିତା ଦାଶଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’
ସାହିତ୍ୟ ସର୍ଜନା ପ୍ରତି କେମିତି ଆଗ୍ରହୀ ହେଲେ ?
ପିଲାଦିନୁ ଦେଖିଚି ଜହ୍ନ ଆଲୁଅରେ ଝୋଟି ଚିତା ପକାଉପକାଉ,କନ୍ଥା ସିଲେଇ କରୁକରୁ ଜେଜିମାଆ ସୁନ୍ଦର କବିତା ମନକୁ ମନ ଗାଇଥାଏ ପଦ ପଟେଇ। ବାଦିପାଲା ଗାୟକ ଆମଘରେ ଭିଡ ଜମାନ୍ତି ବାପାଙ୍କ ପାଖରେ। ହାରମନିୟମ ଧରି କେହିକେହି ସ୍ବର ଲମ୍ବାନ୍ତି। ଛାନ୍ଦ, ଚମ୍ପୁ, ଚଉତିଶା ସହିତ ଆଲୋଚନା ହୁଏ ଋତୁସଂହାର, କୁମାର ସମ୍ଭବମ୍ ,ଗୀତଗୋବିନ୍ଦ, ସାରଳା ମହାଭାରତ, ବିଲଙ୍କା ରାମାୟଣ, ଭାଗବତ, ବୈଦେହୀଶ ବିଳାସ, ରସକଲ୍ଲୋଳ, ସମରତରଙ୍ଗ, ବିଦଗ୍ଧ ଚିନ୍ତାମଣି, ଟୀକା ଗୋବିନ୍ଦଚନ୍ଦ୍ରଠୁ ଆରମ୍ଭକରି ଗୋପାଳକୃଷ୍ଣ, ବନମାଳୀ, ରାଧାନାଥ , ଗଙ୍ଗାଧର, ଫକୀରମୋହନ, ନୀଳକଣ୍ଠ, ଗୋଦାବରୀଶ,ମାନସିଂହ, ଗଡନାୟକ … ସଂସ୍କୃତ ସାହିତ୍ୟ ସହିତ ଓଡ଼ିଆ ସାହିତ୍ୟର ବିଶେଷ ଆଲୋଚନା ହୁଏ। ଝୁମର ସହିତ କୀର୍ତ୍ତନ ବି ହୁଏ । ଅଜା ଓ ଜେଜେବାପା ହରିବଂଶ, ରାମାୟଣ, ମହାଭାରତ , ଭାଗବତ ଇତ୍ୟାଦି ପାରାୟଣ କରନ୍ତି। ଏଭଳି ପରିବେଶ ମୋତେ ଆକୃଷ୍ଟ କରିଥିଲା , ବିଶେଷ କରି ବିଭିନ୍ନ ଅଳଙ୍କାର ଓ ରାଗ ମନରେ ଘରକରିନେଇଥିଲା। ମନୋରଞ୍ଜନ କହିଲେ ସେତେବେଳେ ଚଳଚ୍ଚିତ୍ର ଯଦିଓ ଥିଲା ଯାତ୍ରା,ପାଲା, ଦାସକାଠିଆ, ଚଢେଇନାଚ ଇତ୍ୟାଦିକୁ ବିଶେଷ ଭାବେ ବୁଝାଉଥିଲା, ଯେଉଁଥିରେ ଆମ ସଂସ୍କୃତି ଆମ ପରମ୍ପରା ଜୀବନ୍ତ ଭାବରେ ରହିଥିଲା। ବାପା ସନେଟ ଲେଖୁଥିଲେ ତଥା ‘ସଂଯୁକ୍ତା’ ଓ ‘ଖାରବେଳ’ ପାଲା ପାଇଁ ଡାଇରୀରେ ଲେଖୁଥିଲେ ରୀତି ଯୁଗୀୟ ଭଳି ଖଣ୍ଡ କାବ୍ୟ।ବୁଝି ପାରୁନଥିଲି କିଛି, କିନ୍ତୁ ଲେଖିବାକୁ ଆଗ୍ରହ ଦେଖାଇ କବିତା ଭଳି କିଛି କାନ୍ଥରେ, ବାଲିରେ ଓ ଖାତାରେ ଲେଖୁଥିଲି।
ଗଳ୍ପ , କବିତା, ପ୍ରବନ୍ଧ,ଉପନ୍ୟାସ, ଶିଶୁ ସାହିତ୍ୟ ଆଦି ସବୁ ବିଭାଗରେ ଆପଣ ଲେଖାଲେଖି କରନ୍ତି । ସମାଜପାଇଁ ବି କାମ କରନ୍ତି । ତେବେ ଆତ୍ମତୃପ୍ତି କେଉଁଠି ?
କେଉଁ ବିଭାବରେ ଲେଖୁଛି ତାହା ନୁହେଁ ,କେବଳ ଲେଖିବାରେ ଆନନ୍ଦ (ଆତ୍ମତୃପ୍ତି) ମିଳେ। ଲେଖୁଛି ମାନେ ନିଃଶ୍ୱାସ ଚାଲିଛି , ଏମିତି ହିଁ ଅନୁଭବ ହୁଏ। କାହିଁକି କେଜାଣି ଆଉ ସବୁ ତୁଚ୍ଛ ଲାଗେ । କେବଳ ଯେ ଲେଖିବା ଓ ପଢ଼ିବା ପାଇଁ ଭଲ ଲାଗେ ତା ନୁହେଁ ,ତା’ ସହିତ ଆମ ସମାଜର ଅନଗ୍ରସର ବର୍ଗଙ୍କ ପାଇଁ କାମକରିବାକୁ ବଳକା ସମୟ ନିଅଣ୍ଟିଆ ଲାଗେ। ଚିତ୍ର ଆଙ୍କିବା, ଡ୍ରାମା କରିବା,ପରିବେଶ ସୁରକ୍ଷା ପାଇଁ ନିଜ ଅଞ୍ଚଳରେ ଗଛ ଲଗେଇ ଯତ୍ନନେବା , ପଲିଥିନ କମ୍ ବ୍ୟବହାର ଲାଗି ଲୋକଙ୍କୁ ବୁଝାଇ କନା ବ୍ୟାଗର ବ୍ୟବହାର କରାଇବାକୁ ମୋତେ ଭଲଲାଗେ। ମୋ ସହିତ ଥିବା ମଣିଷଙ୍କ ପାଖରେ ଅସୁବିଧା ସମୟରେ ପହଞ୍ଚି ଦାୟିତ୍ଵ ନେବା କେବଳ ପରିବାରର ନୁହେଁ, ରକ୍ତର ନୁହେଁ ସାହି ପଡିଶା ସମସ୍ତଙ୍କୁ ଆପଣେଇ ବସୁଧୈବ କୁଟୁମ୍ବକମ୍ କହିବାରେ ପରମ ତୃପ୍ତି ମିଳେ।
ଧାରାବାହିକ ଭାବରେ ଓଡ଼ିଶା ସମ୍ବାଦରେ ପ୍ରକାଶିତ ଆପଣଙ୍କ ରଚିତ ଉପନ୍ୟାସ ‘ତଥାପି ଅପେକ୍ଷା’ ବହୁଳ ଭାବରେ ଆଦୃତ। ଏପରି ଏକ ଭିନ୍ନ ଧରଣର ଉପନ୍ୟାସ ଲେଖିବା ପାଇଁ କାହିଁକି ଆଗ୍ରହୀ ହେଲେ ?
ରେଭେନ୍ସାରେ ଏମ୍ ଫିଲ କରିବା ସମୟରେ ମୋ ଡିସାରଟେସନର ଟପିକ ଥିଲା, ‘ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସରେ ମନୋବିଜ୍ଞାନର ପ୍ରଭାବ।’ ଏଇଠି ପଢିଲି ଚେତନା ପ୍ରବାହକୁ। ମନୋବିଜ୍ଞାନ କାହାକୁ କୁହାଯାଏ ଠାରୁ ଆରମ୍ଭ କରି ଅସ୍ବାଭାବିକ ମନ ପର୍ଯ୍ୟନ୍ତ ପଢିଲି। ଇଉଲିସେସ ଉପନ୍ୟାସକୁ କୃଷ୍ଣ ଚରଣ ସାର୍ ବିଶେଷ ଭାବରେ ଯତ୍ନନେଇ ପଢେଇଲେ ସ୍ବତନ୍ତ୍ର ଭାବରେ। ବିଭିନ୍ନ ଆନ୍ତର୍ଜାତୀୟ ଉପନ୍ୟାସ ସହିତ ଭାରତୀୟ ଔପନ୍ୟାସିକମାନଙ୍କୁ ଚିହ୍ନିଲି ଓ ଜାଣିଲି। ଓଡ଼ିଆ ଉପନ୍ୟାସର ଜନ୍ମଠାରୁ ଲେଖୁଥିବା କାଳ ପର୍ଯ୍ୟନ୍ତ ପଢିଲି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ । ଚେତନା ପ୍ରବାହ କଣ ଓ କାହିଁକି ତାକୁ ଉପନ୍ୟାସରେ ପରୀକ୍ଷା ନିରୀକ୍ଷା କରାଗଲା ସେ ବିଷୟରେ ଅବଗତ ହେଲି। ଏତିକି ବୁଝିଲି, ଯାହାସବୁ ଆମ ମାଟିର ନୁହେଁ ବା ଯାହାକୁ ଆମେ ଭୋଗିନୁ ତାହା ଆମ ହୃଦୟକୁ ଛୁଇଁ ପାରିବନି। ସରସ ନୁହେଁ ନିରସ ଲାଗିବ। ଗଳ୍ପାଂଶ ନଥିଲେ ପଢିବାର ଆଗ୍ରହ ରହିବନି। ଭୟ ଓ ଆଶଙ୍କା ମଧ୍ୟରେ ବାରମ୍ବାର ଲେଖିବାର ପ୍ରବଣତା ଜାଗ୍ରତ ହେଉଥିଲା। ବହୁ ବର୍ଷ ପରେ ମାନସିକ ଅନ୍ତର୍ଦାହ ଓ ଉଦବେଳନ ପୀଡା ଦେବାପରେ ଓହ୍ଲାଇ ଆସିଲା ‘ତଥାପି ଅପେକ୍ଷା’। କେଉଁ ଧରଣର ହୋଇଚି ତାହା ସମୟ କହିବ।କହିବେ ସମାଲୋଚକଗଣ। ପାଠକେ ପସନ୍ଦ କଲେ ସେତିକି ମୋତେ ନୂତନ ସର୍ଜ୍ଜନା ପାଇଁ ପ୍ରେରଣା ଯୋଗାଉଛି ।
ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହା ଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?
ସମ୍ମାନ ଓ ସ୍ବୀକୃତି ଏକା କଥା ନୁହେଁ। ସ୍ବୀକୃତି ମିଳିଲେ ସମ୍ମାନ ମିଳିଥାଏ। ଭାଷା – ଭାରତୀଙ୍କ ବନ୍ଦନା, ଶବ୍ଦସହିତ ଲେଖନୀ ମୂନରେ ବା ଆଜିକାଲି ଆଙ୍ଗୁଠି ଟିପରେ ହୋଇଥାଏ। ପ୍ରଭାବିତ ହୁଅନ୍ତି ବୋଧହୁଏ କିଛି । ସ୍ଥିତପ୍ରଜ୍ଞ ସନ୍ଥ ସାହିତ୍ୟ ସାଧକ ଏସବୁର ଅନେକ ଊର୍ଦ୍ଧ୍ବରେ । ସମ୍ମାନିତ ବ୍ୟକ୍ତିତ୍ବ ଦାୟିତ୍ଵବାନ ହେବା ସ୍ବାଭାବିକ। ଜଣେ ସାରସ୍ବତ ସାଧକ ସମ୍ମାନ ଓ ସ୍ବୀକୃତିଠାରୁ ଭାଷାର ବିକାଶ, ବ୍ୟାକରଣଗତ ତ୍ରୁଟି ଉପରେ ଧ୍ୟାନ ଦେବାସହ ସହନଶୀଳତା, ଉଦାରତା, ସମଭାବାପନ୍ନ ହେବା ଉଚିତ ବୋଲି ମନେକରେ।
ଓଡ଼ିଆ ସାହିତ୍ୟରେ ଲେଖିକାଙ୍କର ପ୍ରଭାବ କିପରି ? ସାମାଜିକ ଚାପରେ ଲେଖିକାମାନେ ବେଳେ ବେଳେ ଦ୍ବନ୍ଦରେ ରହନ୍ତି କି ?
ପ୍ରଥମେ ଓଡ଼ିଆ ସାହିତ୍ୟର ଲେଖିକାଙ୍କୁ ସାଧୁବାଦ୍ ଜଣାଉଛି । ଆମ ସାହିତ୍ୟର ଇତିହାସକୁ ଅନୁଧ୍ୟାନକଲେ ଦେଖାଯାଏ ଯେ ହାତ ଗଣତି ସାହିତ୍ୟ ସୃଷ୍ଟି ହୋଇଛି ଲେଖିକାମାନଙ୍କ ଦ୍ଵାରା। ମଧ୍ୟ ଯୁଗୀୟ ଓଡିଆସାହିତ୍ୟରେ ପ୍ରଥମେ ସେମାନଙ୍କ ନାମ ଆସେ। ଅନେକେ ନିଜେ ଲେଖି ମଧ୍ୟ ଲୁଚିକି ରହନ୍ତି ସାମାଜିକ ଅବସ୍ଥା ବ୍ୟବସ୍ଥାର ଭୟରେ। ଊନବିଂଶଶତାବ୍ଦୀ ବେଳକୁ ନାରୀମାନେ ସଜାଗ ହେଲେ, ପୁଣି ଥରେ ଆରମ୍ଭ ହେଲା ଜୟ ଯାତ୍ରା। ଏବେ ସାହିତ୍ୟର ପ୍ରତ୍ୟେକ ବିଭାବରେ ସେମାନେ ନିଜର ପ୍ରକାଶ ରେଣୁରେ ବିଚ୍ଛୁରିତ। ସ୍ଵ ଆଲୋକରେ ଆଲୋକିତ। ହଁ ,କେବେକେବେ ଚାପ ଯୁକ୍ତ ପୁଣି କେବେ ଚାପ ମୁକ୍ତ ଆଜିର ନାରୀ।ସ୍ୱାଭାବିକ ଭାବରେ ଦ୍ଵନ୍ଦ୍ଵ ରହେ, କିନ୍ତୁ ଲେଖୁଥିବା ମଣିଷ ଜାଣେ ଚରିତ୍ର ଚିତ୍ରଣ ସମୟରେ ଯାହା ସବୁ ଉଚିତ ଲାଗେ ତାହା କଲମକୁ ରୋକି ପାରେନି ବରଂ ଆଗକୁ ଆଗେଇ ନିଏ।ତେଣୁ, ସାମାଜିକ ଚାପ ଦ୍ଵନ୍ଦ୍ୱ ନୁହେଁ ମସୀ କୁ ଅସୀ ରୂପରେ ରୂପାୟିତ କରେ।
ଆପଣଙ୍କ ସୃଷ୍ଟି ସମୂହରେ ଜୀବନ ଦର୍ଶନକୁ ଆପଣ କିପରି ଭାବରେ ରୂପାୟନ କରିଛନ୍ତି ?
ଜୀବନ ,ଯାହା ଯେତେବେଳେ ଯେମିତି ମୋତେ ଦେଖାଦେଇଛି, ଉଦବେଳିତ କରିଛି ସେତିକି ହିଁ ଓହ୍ଲେଇ ଆସେ କାଗଜ ଉପରକୁ । ଲେଖିବା ସମୟରେ ମୁଁ ଅନେକ ସ୍ଥାନରେ ନଥାଏ, କେହି ଯେମିତି ଲେଖାଇନିଏ ମୋ’ ଦ୍ବାରା ସେଭଳି ମନେହୁଏ ।ଏକ ବିଶାଳ ଉପଲବ୍ଧିକୁ ପ୍ରକାଶ କରିବାକୁ ଅକ୍ଷମ ମୁଁ। ସମାଲୋଚକମାନେ ବରଂ କହି ପାରିବେ ଏ ବିଷୟରେ ବିସ୍ତୃତ ଭାବରେ। ସେଇଥିପାଇଁ ବୋଧହୁଏ ମୋର ପ୍ରଥମ କବିତା ସଙ୍କଳନ ‘ଜୀବନର ନାନବାୟା’ରେ ଲେଖିହୋଇଯାଇଥିଲା— ହାତୀ ଦେଖୁଥିବା ପାଞ୍ଚ ଅନ୍ଧ ପରି ଜୀବନଦର୍ଶନ କୁହୁକିନୀ ପେଡି..।
ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?
ନା’ ଆଦୌ ନୁହେଁ। ସାହିତ୍ୟ ସର୍ଜନାରେ ଇପ୍ସିତ ବୋଲି କିଛି ନଥାଏ । ସବୁ କିଛି ସବୁବେଳେ ନୂଆ ।
ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?
ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଗଣ ମାଧ୍ୟମର ଭୂମିକା ଅତୁଳନୀୟ। ଦିନଥିଲା ତାଳପତ୍ର ଖେଦା ଭିତରେ ଲୁଚି ରହୁଥିଲା ସାହିତ୍ୟ। ପରେ ଛାପାକଳ, କାଗଜ , ପତ୍ରପତ୍ରିକା ଓ ବହିର ରୂପନେଲା। ବର୍ତ୍ତମାନ ଅପୂର୍ବ ସୁଯୋଗ ମିଳିଛି ସାହିତ୍ୟର ପ୍ରତ୍ୟେକ କ୍ଷେତ୍ରକୁ। ଇଚ୍ଛାକଲେ ଜଣେ ଜଣକୁ ପଢ଼ି ପାରୁଚି ସ୍ୱଚ୍ଛନ୍ଦରେ , ଆଙ୍ଗୁଳି ଟିପିଲେ । ହଁ ,ଗଣମାଧ୍ୟମ ଟିକିଏ ସଜାଗ ହେବା ମଧ୍ୟ ଆବଶ୍ୟକ ପ୍ରଚାର ଓ ପ୍ରସାର ସମୟରେ।
ଯଦି ପାଠକ ନକରାତ୍ମକ ମତ ରଖିଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ହେବ?
ପାଠକେ ମତାମତ ଦେଉଛନ୍ତି ଅର୍ଥ ଖୁସିର ବାର୍ତ୍ତା ଲେଖକ /ଲେଖିକା ପାଇଁ। ସମସ୍ତେ ଏକାଭଳି ମତାମତ ଦେବେନି ବା ସମସ୍ତଙ୍କୁ ସବୁ ଲେଖା ଭଲ ଲାଗିବନି। ଯଦି ଲେଖା ସାର୍ବଜନୀନ ହେଲା ତାହା କାଳଜୟୀ ହେବ ହିଁ ହେବ । ନକାରାତ୍ମକ ବା ସକାରାତ୍ମକ ପ୍ରଭାବ ସୁଲେଖକ ଉପରେ ଅଣୁ ମାତ୍ର ପକାଇ ନଥାଏ କୌଣସି ଭାବରେ। ନିନ୍ଦା ଗାନରେ ବି ଏକ ପ୍ରକାର ପ୍ରଶଂସା ଅଛି ଟିକେ ତଳେଇକି ଦେଖିଲେ ବୁଝିହେବ। ଆଉ ଗୋଟିଏ କଥା, ମିଛ ପ୍ରଶଂସା ଠାରୁ ଶହେ ଗୁଣରେ ଭଲ ନିନ୍ଦା। ନାହିଁ ନାହିଁ ଭିତରେ ‘ହଁ ‘ଲୁଚିଥିବା ଭଳି ଏହା ଏକପ୍ରକାର ଉତ୍ସାହିତ କରାଏ, ପ୍ରତ୍ୟୟ ଯୋଗାଏ ତଥା ଆନନ୍ଦ ଦେଇଥାଏ।
ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି ?
ସାହିତ୍ୟ କହିଲେ ମୁଁ ବୁଝେ ଯିଏ ଆମ ସହିତ ଅଛି , ଯିଏ ଆମ ହିତରେ ଅଛି … ଏମିତି କିଛି । ଆମ ସହିତ ଥିବା ବସ୍ତୁକୁ ନେଇ ସ୍ବପ୍ନ କଣ ଦେଖିବି ,ବାସ୍ତବତାକୁ ହିଁ ସତ୍ୟ ବୋଲି କହିବି। ବାସ୍ତବ ରାସ୍ତାରେ ଚାଲୁଚାଲୁ ସ୍ବପ୍ନ ଦେଖା ହେଉଥିବ, ହେଉଥିବ କେତେ ପରୀକ୍ଷା ନିରୀକ୍ଷା ପୁଣି, ଗଢ଼ିହେଉଥିବ କୋଣାର୍କ କି ତାଜମହଲ … ଅନାଗତ ଭବିଷ୍ୟତ ପାଇଁ ସକାରାତ୍ମକ ଦୃଷ୍ଟିକୋଣ ମୋର ସର୍ବଦା ରହିଛି , ରହିଥିବ।
ଲେଖାସବୁ ପତ୍ରପତ୍ରିକାରେ ନା ପୁସ୍ତକରେ ପ୍ରକାଶିତ ହେଲେ ଆନନ୍ଦ ମିଳେ ?
ହାଇସ୍କୁଲରେ ପଢ଼ିବା ସମୟରେ ବାର୍ଷିକ ପତ୍ରିକା ପାଇଁ ଲେଖା ମଗାଗଲା। ନିଜ ପାଇଁ ତ ଲେଖିଲି , ସାଙ୍ଗ ତଥା ବିଭିନ୍ନ ଶ୍ରେଣୀର ଅନେକଙ୍କ ପାଇଁ ବି ଲେଖିଦେଇଥିଲି , କବିତା, ଗପ , ପ୍ରବନ୍ଧ, ହସକଥା ଏମିତି କିଛି…। ବାର୍ଷିକୋତ୍ସବ ଦିନ ଯେତେବେଳେ ପତ୍ରିକା ଉନ୍ମୋଚନ ହୋଇ ହାତକୁ ଆସିଲା, ମୋ ଲେଖା ସେଥିରେ ନଥିଲା।କାନ୍ଦିପକେଇଲି। ସଂସ୍କୃତ ସାର୍, ଗୀତା ଦିଦି ଓ ରେଣୁକା ଦିଦି ଜାଣିଥିଲେ ସବୁ, ବୁଝେଇ କହିଲେ, ‘ତୋ ନାଁ ନାହିଁ ବୋଲି ଦୁଃଖ କରୁଚୁ, ଦେଖ୍ ଅନ୍ୟ ଅନେକଙ୍କ ନାମରେ ତୁ ଅଛୁ’। ହସିଥିଲି, ସେଦିନ। ଦୁର୍ଭାଗ୍ୟର ବିଷୟ ଅନେକ ଲେଖା ପତ୍ରିକା ସହିତ ସମାଧି ଲଭିଛି।ସାଇତି ପାରିନି।
ଏମ.ପି.ସି.ରେ ପଢିବା ସମୟରେ କଲେଜ ମ୍ୟାଗାଜିନରେ କବିତା ଓ ପ୍ରବନ୍ଧ ପ୍ରକାଶିତ ହୋଇଥିଲା। ରେଭେନ୍ସାରେ ଆଉ ଏକ ପ୍ରକାର ଘଟଣା ଘଟିଲା। ଶ୍ରୀଯୁକ୍ତ କୃଷ୍ଣ ଚରଣ ବେହେରା ମୋ’ କବିତାକୁ ଚିରି ଦେଇ କହିଥିଲେ ‘ତୁମେ ପ୍ରବନ୍ଧ ଲେଖ, ସମାଲୋଚନା ଦିଗଟି ଆମର ଦୁର୍ବଳ , ସେଥିରେ ମନ ଦିଅ…ଗପ, କବିତା ଲେଖିବାକୁ ଅନେକ ଅଛନ୍ତି।’ ମୁଁ ତାଙ୍କ କଥା ଅନୁସାରେ ଯଦିଓ ଲେଖାଲେଖି କଲି, କବିତା ପ୍ରତି ବିଶେଷ ଆଗ୍ରହୀ ହେଲି। ପ୍ରବନ୍ଧ,କବିତା, ଗପ ଇତ୍ୟାଦିକୁ ପତ୍ରପତ୍ରିକାଗୁଡ଼ିକୁ ପଠେଇଲି ।ପ୍ରକାଶିତ ହେଲା , ହେଉଚି ମଧ୍ୟ । ଜୀବନର ନାନାବାୟା, ମରୁ ନଦୀର ସ୍ବପ୍ନ, ସେଦିନରୁ ଆଜି ଇତ୍ୟାଦି ମୋର କବିତା ବହି ପ୍ରକାଶିତ। ସତ କହିବାକୁ ଗଲେ ବହି ପଢୁଥିବା ଲୋକେ କମ୍ ଏବେ, ବରଂ ପତ୍ରପତ୍ରିକା ପଢ଼ି ମତାମତ ଦିଅନ୍ତି ପାଠକେ। ଆହୁରି ମଧ୍ଯ ସାମାଜିକ ଗଣମାଧ୍ୟମ ସୁନ୍ଦର ଭାବରେ ପରିବେଷଣ କରନ୍ତି ଏସବୁ । ତେଣୁ , ସମୟ ବୋଧହୁଏ ଚାହୁଁଚି କିଛି ନୂତନତ୍ବ।
ସାରସ୍ବତ ସାଧନା ବେଳେ ଚରିତ୍ର ସହ ଏକାକାର ହୋଇ ଲେଖକ କେବେ କଷ୍ଟ ଅନୁଭବ କରେ କି ?
ଚରିତ୍ରର ଦୁଃଖ, ସୁଖକୁ କଲମରେ ଫୁଟେଇବା ପାଇଁ ମାଆ ଭଗବତୀ ସରସ୍ଵତୀଙ୍କ ସହିତ ଏକାତ୍ମ ହେବା ସମୟରେ ଶବ୍ଦରେ ରୂପନିଏ ବିଭିନ୍ନ ପ୍ରକାର ଭାବ। ସେଠି ଯାତନା ଭିତରେ ଥାଏ ଦିବ୍ୟ ଚେତନା। ଚରିତ୍ର ଭିତରେ ମଗ୍ନ ରହେ ମନ। ସେ ସାନିଧ୍ୟ ଆଙ୍କିଦିଏ କେତେକେତେ ନୂତନ ସୃଜନ… ସେ ଯନ୍ତ୍ରଣା ,ସେ ବେଦନା ଉନ୍ମୋଚନ କରେ ସକାରାତ୍ମକ ଦୃଷ୍ଟିକୋଣ ନିଶ୍ଚିତ ଭାବରେ। ସେହି ବଳୟରୁ ବାହାରି ଆସିଲା ପରେ ଏ ବାହ୍ୟ ଜଗତର ପୃଷ୍ଠାରେ ଈର୍ଷା, ଦ୍ୱେଷ, ହିଂସା, ପରଶ୍ରୀକାତରତା ଦେଖିଲେ ଭୀଷଣ କଷ୍ଟ ହୁଏ। ବର୍ଣ୍ଣନାତୀତ ସେ ଯନ୍ତ୍ରଣା, ସେ ଦାହ, ସେ ପୀଡ଼ା
Comments are closed.