Latest Odisha News

ଉଭୟ ଭାଷା ପ୍ରତି ଯଥେଷ୍ଟ ଜ୍ଞାନ ଥିଲେ ହିଁ ଜଣେ ସଫଳ ଅନୁବାଦକ ହୋଇପାରିବ : ବିଜୟ କୁମାର ପ୍ରଧାନ

ସାହିତ୍ୟ କୌଣସି ଗୋଟିଏ ଅଞ୍ଚଳର ଭାଷା ମଧ୍ୟରେ ସୀମିତ ନୁହେଁ, ବରଂ ପୃଥିବୀର ସବୁ ଅଞ୍ଚଳର ଭାଷା, ସଂସ୍କୃତି, ସାମାଜିକ ଚଳଣି ସହ ସାହିତ୍ୟ ପ୍ରତ୍ୟକ୍ଷ ଭାବରେ ଜଡ଼ିତ । କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢ଼ିବା ସମ୍ଭବ ନୁହେଁ। ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ, ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ। ଅନୁବାଦ ଏକ ସୁକ୍ଷ୍ମ ସୃଜନାତ୍ମକ କଳା । ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ କଷ୍ଟସାଧ୍ୟ। ସେହି ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଖୁବ ସୁନ୍ଦର ଭାବରେ ନିର୍ବାହ କରୁଛନ୍ତି ଅନୁବାଦକ ବିଜୟ କୁମାର ପ୍ରଧାନ । ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସେ ସର୍ବଦା ଚେଷ୍ଟିତ।

ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ, କିଛି ଲାଭ ନାହିଁ, କିନ୍ନର କଥା , ମହଲ ପ୍ରଭୃତି ଅନୁବାଦ ପୁସ୍ତକ ସହ ଆହୁରି ଅନେକ ଅନୁବାଦ ସାହିତ୍ୟର ସେ ଜଣେ ସଫଳ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହ ଆହୁରି ଅନେକ ପୁରସ୍କାର ଓ ସମ୍ମାନରେ ସେ ପୁରସ୍କୃତ ଏବଂ ସମ୍ମାନିତ।

ଅନୁବାଦକ ବିଜୟ କୁମାର ପ୍ରଧାନଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

 

 

 ଅନୁବାଦ ଓ ଅନୁସୃଜନ ଭିତରେ କି ପାର୍ଥକ୍ୟ ଅଛି ବୋଲି ଆପଣ ମନେ କରନ୍ତି ?

ଗୋଟିଏ ଭାଷାର ଅନ୍ୟ ଏକ ଭାଷା ମାଧ୍ୟମରେ କାୟା ପରିବର୍ତ୍ତନକୁ ‘ଅନୁବାଦ’ କୁହାଯାଏ। ଅପର ପକ୍ଷରେ ଗୋଟିଏ ଭାବନାକୁ ଅନ୍ୟ ଭାଷାନ୍ତର କରିବା ହେଉଛି ଅନୁସୃଜନ।

ଅନୁବାଦ କରିବା ପଛରେ ଆପଣଙ୍କର କେଉଁ ଆଭିମୁଖ୍ୟ ଥାଏ ?

ନିଜେ କିଛି ନୂତନ ଜ୍ଞାନ ଅର୍ଜନ କରିବା ଓ ଆନନ୍ଦ ସାଉଁଟିବା ; ପୁଣି ସେସବୁ ପତ୍ର ପତ୍ରିକାରେ ପ୍ରକାଶନ ମାଧ୍ୟମରେ ଆଗ୍ରହୀ ଓ ସଚେତନ ପାଠକ-ପାଠିକାଙ୍କ ମଧ୍ୟରେ ବିତରଣ କରିବା ହେଉଛି ମୋର ଅନୁବାଦର ଆଭିମୁଖ୍ୟ।

କେଉଁ ଲେଖକଙ୍କୁ ଅନୁବାଦ କରି ଆପଣ ବେଶି ଆନନ୍ଦିତ ହୋଇଛନ୍ତି ଏବଂ କାହିଁକି ?

ଗତ ଚାରି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ମଧ୍ୟରେ ବହୁ ଭାଷାର ଲେଖକ ଲେଖିକାଙ୍କ ସୃଷ୍ଟିକୁ ଅନୁବାଦ କରିଛି ; ତେବେ ହିନ୍ଦୀ, ପଞ୍ଜାବୀ, ଇଂରାଜୀ କଥା ସାହିତ୍ୟର ବର୍ଷିୟାନ ଲେଖକ ମନମୋହନ ସିଂହ ୱାଡ଼ାଙ୍କର ( ଜନ୍ମ : ୧୮ ଅଗଷ୍ଟ ୧୯୩୨) ବହୁ ଗଳ୍ପ ( ୫୦ ରୁ ଉର୍ଦ୍ଧ୍ବ) ଓ ଦୁଇଟି ଐତିହାସିକ ଉପନ୍ୟାସ ଯଥା ଯୁଦ୍ଧନାଦ ଓ କାଳ କଥା ଅନୁବାଦ କରି ମୁଁ ଆତ୍ମତୃପ୍ତି ପାଇଛି। ତାଙ୍କର ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ ହେଉଛି ମୋର ସାହିତ୍ୟିକ ଜୀବନର ପ୍ରଥମ ପ୍ରକାଶିତ ପୁସ୍ତକ । ଏହା ଆମ ଓଡ଼ିଶା ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ । ଏଥିରେ ସ୍ଥାନିତ ଗଳ୍ପଗୁଡ଼ିକ କଳ୍ପନା ପ୍ରସୂତ ନୁହେଁ, ବରଂ ପ୍ରାୟ ଚାରି-ପାଞ୍ଚ ହଜାର ବର୍ଷ ପୂର୍ବର ବିଷୟବସ୍ତୁ ଉପରେ ଆଧାରିତ। ଏହି ଗଳ୍ପଗୁଡ଼ିକରେ ଥିବା ନାରୀ ଚେତନା ସ୍ପଷ୍ଟ ଭାବରେ ଆମ ଦେଶର ପରମ୍ପରାରେ ସୁ ପ୍ରାଚୀନ କାଳରୁ ରହି ଆସିଥିବା ବାମାବାଦୀ ଚେତନାର ପ୍ରମାଣ ଦିଏ।

ଜଣେ ସଫଳ ଅନୁବାଦକ ହେବାର ସୂତ୍ର କ’ଣ ?

ଉତ୍ସ ବା ମୂଳ ଭାଷାରେ ଯଥେଷ୍ଟ ଜ୍ଞାନ ସହିତ ଲକ୍ଷ୍ୟ ବା ଉଦ୍ଦିଷ୍ଟ ଭାଷା ପ୍ରୟୋଗ ଓ ବ୍ୟବହାରରେ ଦକ୍ଷତା ଥିଲେ ହେଁ ଜଣେ ସଫଳ ଅନୁବାଦକ ହୋଇ ପାରିବ।

 ଅନୁବାଦ ସାହିତ୍ୟ ଓଡ଼ିଶାର ପାଠକଙ୍କ ଦ୍ୱାରା କେତେ ମାତ୍ରାରେ ଆଦୃତ ବୋଲି ଆପଣ ମନେ କରନ୍ତି ?

ଆଗରୁ ଅଧିକାଂଶ ଲୋକଙ୍କର ଧାରଣା ଥିଲା ଯେ ଅନୁବାଦ ହେଉଛି ଏକ ଧନ୍ୟବାଦବିହୀନ କାର୍ଯ୍ୟ। ଏବେ କିନ୍ତୁ ସେ ପରିସ୍ଥିତି ନାହିଁ। ଅନୁବାଦ ସାହିତ୍ୟ ପ୍ରତି ଓଡ଼ିଆ ପାଠକର ଆଗ୍ରହ ବଢ଼ିଛି । ସବୁ ସାହିତ୍ୟ ପତ୍ର-ପତ୍ରିକା ଅନୁବାଦକୁ ଏକ ସ୍ୱତନ୍ତ୍ର ବିଭାଗର ମାନ୍ୟତା ଦେଉଛନ୍ତି। ଏହା ଅନୁବାଦ ସାହିତ୍ୟ ପାଇଁ ଏକ ଶୁଭ ସୂଚନା।

ସମ୍ପ୍ରତି ନୂଆ ଲେଖକମାନେ ଅନୁବାଦ ସାହିତ୍ୟ ପ୍ରତି ବିଶେଷ ଆଗ୍ରହ ଦେଖାଉ ନାହାନ୍ତି । ତେବେ ସେ କ୍ଷେତ୍ରଟି କିପରି ବିକଶିତ ହୋଇ ପାରିବ ବୋଲି ଭାବୁଛନ୍ତି ?

ଓଡ଼ିଶାରେ ନୂଆ ନୂଆ ଅନୁବାଦକ ସୃଷ୍ଟି କରିବାକୁ ହେଲେ ବର୍ତ୍ତମାନର ପ୍ରତିଷ୍ଠିତ ତଥା ବରିଷ୍ଠ ଅନୁବାଦକମାନେ ଆଗହୀ ଯୁବପୀଢ଼ିଙ୍କୁ ଅନୁପ୍ରେରିତ କରନ୍ତୁ। ତା ଛଡ଼ା ରାଜ୍ୟରେ ଥିବା ବିଭିନ୍ନ ସାହିତ୍ୟ ଅନୁଷ୍ଠାନ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କର ଓଡ଼ିଆ ବିଭାଗ , ଓଡ଼ିଶା ସାହିତ୍ୟ ଏକାଡେମୀର ସହାୟତା ଓ ସହଯୋଗରେ ଅନୁବାଦ-କର୍ମଶାଳାମାନ ଆୟୋଜନ କଲେ ଅବଶ୍ୟ ସଫଳତା ମିଳିବ।

ବହୁତ ସମୟରେ ଅନୁବାଦକଙ୍କୁ ଅନ୍ୟ ଲେଖକଙ୍କ ପରି ସମ୍ମାନ ସ୍ୱୀକୃତି ମିଳେ ନାହିଁ ବୋଲି ଅନେକ ଅନୁବାଦକ ମତ ପ୍ରକାଶ କରନ୍ତି । ଏ ବିଷୟରେ ଆପଣଙ୍କ ମତ କ’ଣ ?

ଅନୁବାଦକମାନେ ସମ୍ମାନ ଓ ସ୍ୱୀକୃତି ପାଇଁ ଲାଳାୟିତ ନ ହୋଇ ବରଂ ନିଜ ନିଜ କଲମ ତଥା ଲେଖାକୁ ସୁଦୃଢ଼ କରନ୍ତୁ । ସମ୍ମାନ ଓ ସ୍ୱୀକୃତି ଆପେ ଆପେ ମିଳିବ। କଥାରେ ଅଛି ପରା : ଗୁଣ ଚିହ୍ନେ ଗୁଣିଆ । ସେମାନେ ନିଶ୍ଚୟ ସାମ୍ନାକୁ ଆସିବେ। ମୋ କ୍ଷେତ୍ରରେ ଏହା ହିଁ ଘଟିଥିଲା।

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଆଉ କି କି ପରିବର୍ତ୍ତନ ଆସିବା ଦରକାର ?

ଓଡ଼ିଶାର ପ୍ରକାଶକମାନେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱତଃ ପ୍ରବୃତ୍ତ ଭାବେ ଅନୁବାଦକମାନଙ୍କୁ ଠାବ କରି ସେମାନଙ୍କ ପୁସ୍ତକସବୁକୁ ପ୍ରକାଶ କରନ୍ତୁ। ମୋ ମତରେ ଏବେ ବି ସଂଖ୍ୟାଧିକ ପାଠକ ଅଛନ୍ତି, ଯେଉଁମାନେ ଅନୁବାଦ ବହି ପଢ଼ିବାରେ ଆଗ୍ରହୀ।

ପ୍ରତ୍ୟେକ ଲେଖକ ଜଣେ ଜଣେ ସମୀକ୍ଷକ। ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ଜଣେ ଲେଖକ ନିଜ ରଚନାକୁ ଅନ୍ୟର ରଚନା ବୋଲି ଭାବି ସମୀକ୍ଷା କଲେ ସେଥିରେ ଥିବା ଭଲ ଦିଗ ଓ ତ୍ରୁଟି ବ୍ୟୁଚ୍ୟୁତି ନିଶ୍ଚୟ ଜାଣି ପାରିବ ଏବଂ ସେ ଅନୁସାରେ ପରବର୍ତ୍ତୀ ସମୟରେ ନିଜେ ସଂଶୋଧିତ ହୋଇପାରିବ।

ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ନୂଆ ଲେଖକମାନେ ନିଜ କଲମ ଚାଲୁ ରଖନ୍ତୁ, କିନ୍ତୁ ତା’ ସହିତ ପୁରୁଣା ନୂଆ ପୁସ୍ତକକୁ ଅଧିକରୁ ଅଧିକ ଅଧ୍ୟୟନ କରନ୍ତୁ। କାରଣ ପଢ଼ିଲେ ଜାଣିବା, ଜାଣିଲେ ଜିଣିବା।

Comments are closed.