ଗଦାଧର ମିଶ୍ର ଜଣେ ନିଆରା ବ୍ୟକ୍ତିତ୍ୱ । ସେ ଜଣେ ଛାତ୍ରବତ୍ସଳ ଅଧ୍ୟାପକ , ନିଷ୍ଠାପର ସାମ୍ବାଦିକ, ଲୋକପ୍ରିୟ ସାମାଜିକ କର୍ମୀ , ସଫଳ ସଂସ୍କୃତି ସଙ୍ଗଠକ ଏବଂ ନିରପେକ୍ଷ ସାହିତ୍ୟ ସମାଲୋଚକ ଭାବରେ ସୁପରିଚିତ । ତାଙ୍କର ସାହିତ୍ୟ ଆଲୋଚନା ପୁସ୍ତକଗୁଡିକ ଶିକ୍ଷାର୍ଥୀଙ୍କ ଗହଣରେ ବେଶ୍ ଆଦୃତ । ସଂସ୍କୃତି ସଂଗଠକ ଭାବରେ ସେ ଆନନ୍ଦପୁର ସାହିତ୍ୟ ସଂସଦକୁ ବନ୍ଧୁମାନଙ୍କ ସହ ମିଶି ଦେଇଛନ୍ତି ନୂଆ ନୂଆ ଦିଗ। ସେ ଯେଉଁ କାମ ବି କରନ୍ତି ତା ଭିତରୁ ତାଙ୍କର ନିଷ୍ଠା ,ତତ୍ପରତା ଓ ଅଧ୍ୟବସାୟ ବାରି ହୋଇପଡେ । ଉଭୟ ଶୈକ୍ଷିକ ଜୀବନ ଏବଂ ଜୀବନ ଶିକ୍ଷାରେ ବିଭିନ୍ନ ପରୀକ୍ଷାକୁ ସାମ୍ନା କରି , ସେ ନିଜ ବ୍ୟକ୍ତିତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଛନ୍ତି ।
ଓଡ଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ଇତିହାସ , ସାହିତ୍ୟର ଭିତ୍ତିଭୂମି : ଧରା ଓ ଧାରା , କବି ଅଭିମନ୍ୟୁ ଓ ବିଦଗଧ ଚିନ୍ତାମଣି ଆଲୋଚନା , ରାଧାନାଥ ରାୟ ଦରବାର ( ସମ୍ପାଦନା ) , ସାହିତ୍ୟ ପଠନର ରୀତି ଏକ ଆଲୋଚନା , ରସକଲ୍ଲୋଳ ଆଲୋଚନା , କବିବର ରାଧାନାଥ ଓ ଉଷା ( ସମ୍ପାଦନା ) , କବି ଗଙ୍ଗାଧର ଓ ‘ପ୍ରଣୟ ବଲ୍ଲରୀ’ ଆଲୋଚନା ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା ।ନିଜ ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ।
ଲେଖକ ଗଦାଧର ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ ।
୧. ଆପଣ ଅଧ୍ୟାପକ ହିସାବରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ପୁଣି କେଉଁ ପରିସ୍ଥିତିରେ ସାମ୍ବାଦିକତା ଆଡକୁ ଢଳିଲେ ?
ଉତ୍ତର : ଅଧ୍ୟାପକଟିଏ ହେବି ଏଭଳି ଆଶା ଆରମ୍ଭରୁ ନଥିଲା । ଉତ୍ତମ କର୍ମସଂସ୍ଥାନଟେ ପାଇଁ ଯଥାସାଧ୍ୟ ଉଦ୍ୟମ କରୁଥିଲି ।ଆକାଶବାଣୀରେ କାର୍ଯ୍ୟନିର୍ବାହୀ , ଏପରିକି ଘୋଷକ ପଦବୀ ଯାଏଁ ବହୁତ ସଂଗ୍ରାମ କରିଥିଲି । ପେକ୍ସ ପାଇଁ ଦିଲ୍ଲୀ ଯାଇ ୟୁପିଏସସିରେ ଇଣ୍ଟରଭିଉ ଦେଇ ସଫଳତା ଲାଭ କରିଥିଲେ ହେଁ, ଅପେକ୍ଷା ତାଲିକାରେ ବର୍ଷେ ଯାଏଁ ରହିଲି । ସାଧାରଣ ବର୍ଗର ହେଇଥିବାରୁ, ଲାଭ କିଛି ହେଲା ନାହିଁ । ପୁଣି ଘୋଷକ ପଦବୀ ପାଇଁ ପରୀକ୍ଷା ଦେଲି । କିନ୍ତୁ ସେଠାରେ ବି ମୋର କେହି ନିଜ ଲୋକ ନଥିଲେ । କାରଣ ସେହି ସାକ୍ଷାତକାରଟି ଅଲ ଇଣ୍ଡିଆ ରେଡ଼ିଓ, କଟକରେ ହେଉଥିଲା । ଏହାପରେ ଶ୍ରୀରାମଚନ୍ଦ୍ର ଭବନରେ ବିଶ୍ବ ହିନ୍ଦୁ ପରିଷଦ, ରାଜ୍ୟ ଅଫିସରେ ମାସିକ ପତ୍ରିକା ହିନ୍ଦୁ ଚେତନାରେ କାମ କଲି । ସେତେବେଳେ ଆମ ଟିମରେ ସଂଗଠନ ସମ୍ପାଦକ ଅରୁଣ ଭାଇ(ପଣ୍ଡା),ରାଜ୍ୟ ସଭାପତି ପୁରୀ ବଲରାମକୋଟ ମଠର ମହନ୍ତ ଅଯୋଧ୍ୟା ନାଥଜି ମହାରାଜ, ସମ୍ପାଦକ ଅଚ୍ୟୁତାନନ୍ଦ କର ଓ ସହ ସମ୍ପାଦକ କେନ୍ଦ୍ରାପଡା କିଆରବାଙ୍କ ମଠର ମହନ୍ତ ସ୍ୱାମୀ ଶିବନାଥ ଥିଲେ । କାମ କରିବାକୁ ଭଲ ଲାଗୁଥିଲା । ମତେ ଅଯୋଧ୍ୟାନାଥଜୀ ଚେଷ୍ଟା କରିଥିଲେ ବନାରସରେ ଥିବା ସର୍ବ ଭାରତୀୟ ରାମାୟାଣୀ ପ୍ରଚାର ସମିତିର ସମ୍ପାଦକ ଭାବେ ରଖିବାକୁ। ବଡ଼ ଭାଇ ଆଦୌ ପାଖରୁ ଅନ୍ତର କରିବାକୁ ଚାଁହୁ ନଥିଲେ । ଘରକୁ ଆସିବାକୁ କହିଲେ । ତାପରେ ନିବାସ, ଭୁବନେଶ୍ୱରରେ ଅଧ୍ୟାପକ ପାଇଁ ସାକ୍ଷାତକାର ଦେଲି ।ପ୍ରଫେସର ନିତ୍ୟାନନ୍ଦ ଶତପଥୀ ବିଶେଷଜ୍ଞ ଭାବେ ଥିଲେ । ବହୁତ ପିଲା, ସାକ୍ଷାତକାର ଦେଲେ। ଶେଷରେ ମୁଁ କୃତିତ୍ୱ ଲାଭ କରି ଅବିଭକ୍ତ ପୁରୀ ଜିଲ୍ଲାର ଟାଙ୍ଗୀରେ ଥିବା ଦୁର୍ଗା ଚରଣ ଚିଲିକା କଲେଜରେ ଯୋଗ ଦେଲି । ତାହା ଥିଲା ମୋର ପ୍ରଥମ କଲେଜ । ଟାଙ୍ଗୀ ଖୁବ ଭଲ ଲାଗୁଥିଲା । ଘଟଣାକ୍ରମରେ ଟାଙ୍ଗୀରୁ ୟୁଏନ ଏସ କଲେଜ, ମୁଗପାଳ ଓ ପୁଣି ଟାଙ୍ଗୀ କଲେଜରେ ରହିବା ପରେ ମୁଁ ଏଫ ସି ଆଇ, ତାଳଚେର କଲେଜରେ ଯୋଗ ଦେଲି। ସେଠାରୁ ୨୦୦୩ ମସିହାରେ ଭି ଆର ଏସରେ ଆସି ଭୁବନେଶ୍ୱର ବିବେକାନନ୍ଦ ରେସିଡେନ୍ସିଆଲ କଲେଜରେ କିଛି ବର୍ଷ ରହି ଶେଷରେ ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେଲି। ସେବେଠାରୁ ସମ୍ବାଦ ଓ ସାହିତ୍ୟକୁ ଏକାକାର କରି ଜୀବନ ଯାତ୍ରା ଅବ୍ୟାହତ ରଖିଛି । ଏହା ସହିତ ସମାଜ ସେବାରେ ମଧ୍ୟ ନିଜକୁ ସାମିଲ କରି ବେଶ ସନ୍ତୁଷ୍ଟ ।
୨. ଏହି ଉଭୟ ବୃତ୍ତିରୁ କେଉଁଟି ଆପଣଙ୍କ ମନକୁ ସନ୍ତୋଷ ଦେଇପାରିଛି ?
ଉତ୍ତର : ଅଧ୍ୟାପନା କାଳରେ ମୁଁ ୧୯୯୯ ମସିହାରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଆଦୃତ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଭାବେ ପ୍ରାୟ ୧୪ ବର୍ଷ କାର୍ଯ୍ୟ କରି ବହୁତ ଶାନ୍ତି ଲାଭ କରିଛି। ସେତେବେଳେ ଗ୍ରାମ୍ୟ ସ୍ତରରେ ପିଲାମାନଙ୍କୁ ଧରି ଓ ନିଜେ ପିଲାମାନଙ୍କ ସହିତ ସାମିଲ ହେଇ ଅପରିସୀମ ଉନ୍ନୟନମୂଳକ କାର୍ଯ୍ୟ କରିଛି। ଅନୁଗୁଳର ତଦାନୀନ୍ତନ କଲେକ୍ଟର ନିତେନ ଚନ୍ଦ୍ର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଦେଖି ବିସ୍ମୟ ପ୍ରକାଶ କରି ଅନେକ ସୁନ୍ଦର ମନ୍ତବ୍ୟ ପ୍ରଦର୍ଶନ ପୁସ୍ତିକାରେ ଉଲ୍ଲେଖ କରିଛନ୍ତି ତଥା ଭାରତର ଉତ୍ତର ପୂର୍ବାଞ୍ଚଳର ମୁଖ୍ୟ ପ୍ରଶାସକ ପ୍ରକାଶ କୁମାର ମୋ କାର୍ଯ୍ୟକୁ ସମୀକ୍ଷା କରି ଏନ ଏସ ଏସ ରାଜ୍ୟ ଉପଦେଷ୍ଟା ମଣ୍ଡଳୀରେ ଅନ୍ୟତମ ଉପଦେଷ୍ଟା ଭାବେ ମତେ ଚୟନ କରିଥିଲେ। କେବଳ ଏତିକି ନୁହେଁ, ରାଜ୍ୟ ଜାତୀୟ ସେବା ପୁରସ୍କାର ଶିବିରରେ ସାରା ରାଜ୍ୟରୁ ଅନେକ ସଫଳ ଅଧିକାରୀଙ୍କ ମଧ୍ୟରୁ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ୧୯୯୯ ମସିହାରେ ମତେ ସର୍ବୋଚ୍ଚ ସର୍ବଶ୍ରେଷ୍ଠ ସେବା ପୁରସ୍କାର ଭୁବନେଶ୍ୱରସ୍ଥ ସୂଚନା ଭବନ ପ୍ରେକ୍ଷାଳୟରେ ପ୍ରଦାନ କରାଯାଇଥିଲା । ତେବେ କେଉଁ ବୃତ୍ତି ମତେ ସନ୍ତୋଷ ଆଣିଦେଇଛି ; ଅନ୍ତତଃ ଏତିକି କହିବି, ମୋ ଦୃଷ୍ଟିରେ ଯେଉଁ ବୃତ୍ତି ଆସିଛି, ତାହାକୁ ଶତ ପ୍ରତିଶତ ସମ୍ପାଦନ କରିଛି । କାହିଁକିନା ମୋ ଜୀବନ କାଳ ମଧ୍ୟରେ ଅଧ୍ୟାପନା କ୍ଷେତ୍ରରେ କେବେ ସମୟ ନଷ୍ଟ କରିନି କି କେବେ ଚେୟାରରେ ଢିଲା ମାରି ବସିନି। ମୋ’ ଛାତ୍ର ମାନେ ଯେଉଁଠି ଥିଲେ ବି ମୋ କ୍ଳାସରେ ପ୍ରାୟ ସମସ୍ତେ ଉପସ୍ଥିତ ରହନ୍ତି। ଚେଷ୍ଟା କରେ, ସମସ୍ତେ ଠିକ ଭାବେ ପାଠ୍ୟକ୍ରମକୁ ହୃଦୟର ସହିତ ଗ୍ରହଣ କରନ୍ତୁ । ଅଧ୍ୟାପନା ବ୍ୟତୀତ ସେବା କ୍ଷେତ୍ରରେ ମୁଁ ଅଧିକ ସନ୍ତୁଷ୍ଟ ।
୩. ଆପଣ ଅନେକ ଗଦ୍ୟ ପୁସ୍ତକ ରଚନା କରିଛନ୍ତି । ସେଥିରୁ କେତୋଟି ପାଠ୍ୟପୁସ୍ତକର ମାନ୍ୟତା ମଧ୍ୟ ପାଇଛି । ଗଦ୍ୟ ଲେଖାକୁ ନେଇ ଆପଣଙ୍କର ପ୍ରତିକ୍ରିୟା କ’ଣ ରହିବ ?
ଉତ୍ତର : ହଁ, ପ୍ରାୟ ୫ବର୍ଷର ପରିଶ୍ରମରେ ମୋର ପୁସ୍ତକ ତକ୍ଷଶିଳା, କଟକ, ପ୍ରକାଶ କରିଥିଲେ। ତାହା ହେଉଛି,”ଓଡ଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ଇତିହାସ,”। ଏହା ସହିତ ଆଉ କିଛି ଗଦ୍ୟ ତଥା ସମାଲୋଚନା ପୁସ୍ତକ ଯଥା ସାହିତ୍ୟିକ ଭିତ୍ତିଭୂମି:ଧରା ଓ ଧାରା, ଏବଂ ଆଲୋଚନା ବା ସମୀକ୍ଷାମୂଳକ’ କବି ଗଙ୍ଗାଧର ଓ ପ୍ରଣୟ ବଲ୍ଲରୀ’, ‘କବି ଅଭିମନ୍ୟୁ ଓ ବିଦଗ୍ଧ ଚିନ୍ତାମଣି ତଥା ରସକଲ୍ଲୋଳ’, ‘ଲାବଣ୍ୟବତୀ ‘ ପ୍ରଭୃତି ଲେଖିଛି । କବିବର ରାଧାନାଥଙ୍କ ଉଷା ଓ ଦରବାର ଖଣ୍ଡକାବ୍ୟକୁ ମୂଳ ଲେଖା ରଖି ସମ୍ପାଦିତ ମଧ୍ୟ କରିଛି । ମୋର ଅବଶୋଷ ରହିଛି, ଓଡ଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ଇତିହାସ ଯାହା ୧୯୯୩ ମସିହା ଯାଏଁ ଉଲ୍ଲେଖ ଅଛି, ତାହାକୁ ୨୦୨୦ ମସିହା ପର୍ଯ୍ୟନ୍ତ ପରିବର୍ଦ୍ଧିତ କରିବି । ମୋଟ ଉପରେ କହିଲେ,୧୯୯୦ ରୁ ୨୦୨୦ ଯାଏଁ , ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଯେଉଁ କବି, ଲେଖକ ମାନେ ପ୍ରତିନିଧି ସ୍ତରୀୟ ରହିଛନ୍ତି, ସେମାନେ ସମସ୍ତେ ସ୍ଥାନ ପାଇବେ । ଅବଶ୍ୟ କଷ୍ଟସାଧ୍ୟ କିନ୍ତୁ ପ୍ରାୟ ସେସବୁ ତଥ୍ୟ ସଂଗ୍ରହ କରିସାରିଛି। କେବଳ ବିଭାଗୀକରଣ କରି ଲେଖିବାକୁ ହେବ । ମୋର ପ୍ରାୟ ସବୁ ବହି କଲେଜ ଓ ୟୁନିଭରସିଟି ଛାତ୍ର ଛାତ୍ରୀଙ୍କ ବିଶେଷ କାମରେ ଲାଗୁଛି।
୪. ଆପଣ ସୁନ୍ଦର କବିତା ମଧ୍ୟ ଲେଖନ୍ତି । ‘ସବା ବଡ଼ ଭାଇ ‘ କବିତା ସଂକଳନ ପରେ ଦ୍ୱିତୀୟ କବିତା ସଂକଳନ ନ ଆସିବାର ଅଥବା ଅହେତୁକ ବିଳମ୍ବ ହେବାର କାରଣଟି କ’ଣ ?
ଉତ୍ତର : ଦ୍ୱିତୀୟ ସଙ୍କଳନ ଆସିଯିବା କଥା। ମୋର ଦ୍ଵିତୀୟ ସଙ୍କଳନର ନାମ ବି ସ୍ଥିର ହେଇଥିଲା,”ଯେତେ ଦୂରେ ଥାଅ ପଛେ”, କିନ୍ତୁ ଡ଼ିଟିପି କପିଟି ହଜିଯିବା ପରେ ରହି ଯାଇଥିଲି । ଏବେ ତାହାକୁ କଟକରୁ ପାଇ ନେଇ ଆସିଛି । ମୋର ସାମ୍ରାଜ୍ୟ ଏକ ବ୍ୟସ୍ତବହୁଳ କର୍ମ ପ୍ରବାହର ଦୁନିଆଁ । ମତେ ସମସ୍ତଙ୍କ କଥା ବୁଝିବାକୁ ହୁଏ। ହଜି ଯାଇଥିବା କବିତା ସଙ୍କଳନ ପାଇବା ପରେ ଆଉ କେତୋଟି କବିତା ସଂଯୋଜିତ ହେବ । ସରଳ ବୋଧଗମ୍ୟ ହେଲା ଭଳି ଗୋଟିଏ ଓଡ଼ିଆ ବ୍ୟାକରଣ ବହିର ପାଣ୍ଡୁଲିପି ଡ଼ିଟିପି ଚାଲିଛି । ତାହା ପ୍ରକାଶ ପାଇବା ପରେ କବିତା ବହିଟି ବାହାରିବ ।
୫. ଆପଣ ଜଣେ ସାହିତ୍ୟ ସମାଲୋଚକ । ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ସମାଲୋଚନାଗତ ଅଭାବ ଗୁଡିକ କ’ଣ ବୋଲି ଆପଣ ମନେ କରନ୍ତି ?
ଉତ୍ତର : ଆଜିକାଲି ନିର୍ମଳ ସମାଲୋଚନା କାହିଁ ? ସମାଲୋଚନା ନୀତିନିଷ୍ଠ ହେବା ଜରୁରୀ। ସମାଲୋଚନା ନାମରେ କବି ବା ଲେଖକ ବା ସ୍ରଷ୍ଟାର ଯେତେ ଗୁଣଗାନ ଚାଲିଛି , ତାହା ସମାଜ ପାଇଁ ଆଦୌ ଶୁଭଙ୍କର ନୁହେଁ । ନ୍ୟାୟିକ ସମାଲୋଚନା କୁଆଡେ ଉଭାନ ହେଇଗଲାଣି। ଅଧିକ ପଠନ ପ୍ରବୃତ୍ତି ସମାଲୋଚନାକୁ ଉଚିତ ପଥ ପ୍ରଦର୍ଶନ କରିଥାଏ । ଏହା ହେଲେ ଆମ ସାହିତ୍ୟ ସର୍ବାଙ୍ଗ ସୁନ୍ଦର ହେଇପାରିବ, ଗୁରୁତ୍ୱ ବି ରହିବ ।
୬. ଓଡ଼ିଶାର ସାହିତ୍ୟ ସଙ୍ଗଠନଗୁଡିକ କଣ କଲେ ଅଧିକ ପ୍ରଭାବଶାଳୀ ସାହିତ୍ୟ ସୃଷ୍ଟିରେ ସହାୟକ ହୋଇପାରିବେ ?
ଉତ୍ତର : ଯଦି ଅଧିକ କର୍ମଶାଳା ବିଭିନ୍ନ ବିଭାଗରେ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୁଏ, ତେବେ କବି, ଲେଖକ ଓ ସାହିତ୍ୟିକମାନଙ୍କର ଅନେକ ସନ୍ଦେହ ମୋଚନ ହେଇପାରିବ ଏବଂ ସେମାନେ ଲେଖାଟିଏ ଲେଖିବା ପୂର୍ବରୁ ଅନ୍ତତଃ ଶହେ ଥର ଚିନ୍ତା କରି ଲେଖିବେ, ତେବେ ସେସବୁ ସମାଜ ଉପଯୋଗୀ ହେଇ ପାରିବ । ଅଧିକ କର୍ମଶାଳା ,ଅଧିକ ଭଲ ଲେଖା ସମାଜ ପାଇଁ ସାହିତ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରତ୍ୟେକ ଏହାକୁ ମନରେ ରଖିବା ଉଚିତ ।
୭. ଆପଣ ଜଣେ ବିଦଗ୍ଧ ସାହିତ୍ୟ ପାଠକ । ସମସାମୟିକ ସାହିତ୍ୟକୁ ନେଇ ଆପଣଙ୍କର ମତ କ’ଣ ?
ଉତ୍ତର : ଜଣେ ଓଡ଼ିଆ ଭାବେ, ଓଡ଼ିଆ ବିଭାଗର ଛାତ୍ର ଭାବେ ଏବଂ ସର୍ବୋପରି ଜଣେ ସାଧାରଣ ପାଠକ ଭାବେ କହିବାକୁ ଚାହେଁ, ଯିଏ ଯାହା ଲେଖିଲେ ତାହା ସାହିତ୍ୟ କେମିତି ହେବ ? ସମାଜର କଣ ମଙ୍ଗଳ ସାଧିତ ହେଉଛି ? କହିବା, ଲେଖିବାର ଭଙ୍ଗୀ ଭିନ୍ନ ଭିନ୍ନ ହେଉ କିଛି ଯାଏ ଆସେନି, ମାତ୍ର ଭାବଟି ରହିବ ନା ନାହିଁ ! ଭାବକୁ ଆପଣ ସମାଜ ଉପଯୋଗୀ କରୁଛନ୍ତି ତ ! ଆଜିକାଲି କିଏ କେତେ ଅଧ୍ୟୟନ କରୁଛନ୍ତି ? କୁହାଯାଏ, ଆଖି ଦେଖେ, କିନ୍ତୁ ବିନା ଆଖିରେ ଭୀମଭୋଇଙ୍କ ସୃଷ୍ଟିକୁ ଆମେ ଆଖି ଥିବା ଲୋକ ଏଡାଇ ପାଦେ ଆଗକୁ ଯାଇପାରିବା କି ? ଗ୍ରୀବା, ହୃଦୟ ବି କାନ୍ଦେ ନା ନାହିଁ ତାଙ୍କ ରଚନାରେ ? ଯଦି କାନ୍ଦେ, ସେ ଲେଖାର ମହତ୍ତ୍ୱକୁ ଆମେ କଳନା କରିପାରିବା ? ହଠାତ କେହି ବିରାଟ ସାଧକ ହେଇନଥାନ୍ତି। ସେମାନଙ୍କ ଅଧ୍ୟୟନ, ତଜ୍ଜନିତ ନିଷ୍ଠା, ଭାବ ଓ ଏକାଗ୍ରତାର ସମାହାର ତାଙ୍କୁ ସେହି ଆସନରେ ବସାଇଥାଏ । ରାତାରାତି କୋଟିପତି ହେବା ଯାହା, ରାତା ରାତି ପ୍ରସିଦ୍ଧି ଅର୍ଜନ ଜନିତ ବ୍ୟଗ୍ରତା ମଧ୍ୟ ସେୟା। ତେବେ ସମସାମୟିକ ସାହିତ୍ୟରେ ସିଦ୍ଧତା ଖୁବ କମ ଦେଖିବାକୁ ମିଳୁଛି । ଆମେ ସଚେତନ ହେବା ଅଧିକ ଜରୁରୀ । କାହାକୁ ସମାଲୋଚନା କରିବା ମୋର ଉଦ୍ଦେଶ୍ୟ ନୁହେଁ, କିନ୍ତୁ ସାଧନା ତ କରିପାରିବା? ତାହେଲେ ଆଜି ନହେଲେ କାଲି ସିଦ୍ଧି ଅବଶ୍ୟମ୍ଭାବୀ । ତଥାପି ଆଜିକାଲି ମୁଷ୍ଟିମେୟ କବି ଓ ଲେଖକଙ୍କ ଲେଖା ମନକୁ ଛୁଇଁ ପାରୁଛି। ଏଥିପାଇଁ ଆମେ କାହାକୁ ସମାଲୋଚନା ନକରି କଷ୍ଟ ହେଲେ ବି ଗଳା ବାଟରେ ନଯାଇ ଭଲ ବାଟରେ ଯାଇପାରିଲେ ମୂଲ୍ୟ ଅତୁଟ ରହିବ ।
୮. ଅଧ୍ୟାପନା ଓ ସାମ୍ବାଦିକତା ପରେ ଆପଣ ଏବେ ସମାଜସେବା କ୍ଷେତ୍ରରେ ସକ୍ରିୟ । ଏହି ବୟସରେ ଏଭଳି ଗୁରୁ ଦାୟିତ୍ୱ କିପରି ନିର୍ବାହ କରିପାରନ୍ତି ?
ଉତ୍ତର : ସମାଜସେବାର ମୂଳମନ୍ତ୍ର ମୁଁ ଯେତେବେଳେ ୟୁପିସ୍କୁଲରେ ଅଧ୍ୟୟନ କରୁଥିଲି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଜଣେ ସ୍ୱୟଂସେବକ ଭାବେ ଦରିଦ୍ର , ଅସହାୟ ଲୋକମାନଙ୍କ ସେବାରେ ବଡ ଭାଇମାନଙ୍କ ସହ ମିଶି ସହାୟତା କରୁଥିଲି। କଲେଜ ମାନଙ୍କରେ ଅଧ୍ୟାପନା କ୍ଷେତ୍ରରେ ଅଧ୍ୟାପନା ସହିତ ମୁଁ ପିଲାମାନଙ୍କ ପାଇଁ କିଛି ବହି ଲେଖିଥିଲି। ସେତେବେଳେ କଟକ ବାଲୁବଜାରର ପ୍ରକାଶକ ନାଳନ୍ଦା, ତକ୍ଷଶିଳା, ବାଦାମବାଡ଼ିର ଆଇବିଡ଼ି, ସମ୍ବଲପୁରର ସାହା ପବ୍ଲିସର୍ସ ପ୍ରମୁଖ ପ୍ରକାଶକମାନେ ମୋ ବହି କ୍ରମାଗତ ଭାବେ ପ୍ରକାଶ କରିଥିଲେ।
ସବୁଠାରୁ ବଡ଼ କଥା ହେଲା ଅଧ୍ୟାପନା କାଳରେ ଜୀବନରେ କ୍ଳାସରୁମରେ ମୁଁ କେବେ ବି ଚେୟାରରେ ବସିବାର ସୁଯୋଗ ପାଇନଥିଲି।କେବଳ ଠିଆ ହୋଇ ପିଲାଙ୍କୁ ପାଠ ପଢାଉଥିଲି।
ପ୍ରମୁଖ କଥା ହେଲା ମୁଁ ଯେତେବେଳେ ଆଇଏ ଫାଷ୍ଟ ଇଅରରେ ଛାତ୍ର ଥିଲି, ସେତେବେଳେ ଆରଏସଏସ ପକ୍ଷରୁ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜାତୀୟ ଜରୁରୀ ପରିସ୍ଥିତି କାଳରେ ବିହାରର ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଅଟଳ ବିହାରୀ ବାଜପେୟୀଙ୍କ ଡ଼ାକରାରେ କେନ୍ଦୁଝରରୁ ବଡଭାଇ ଓ ବନ୍ଧୁମାନଙ୍କ ସହ ମିଶି ସତ୍ୟାଗ୍ରହ କରି , ଏଗାର ମାସ କାରାବରଣ କରିଥିଲି। ସେତେବେଳେ ଆମ ସହିତ ଡ଼ଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ, ବିଶ୍ୱ ଭୂଷଣ ହରିଚନ୍ଦନ ପ୍ରମୁଖ ଅନେକ ନେତା କାରାବରଣ କରିଥିଲେ।
ଅଧ୍ୟାପନା ଓ ସାହିତ୍ୟ ସେବା ମୋ ରକ୍ତରେ ଯେମିତି ଥିଲା, ସମାଜ ସେବା ମଧ୍ୟ ତତୋଧିକ ରହିଥିଲା। ଯାହାର କେହି ସାହା ନଥିଲେ ଖୋଜି ଖୋଜି ସେହିମାନଙ୍କୁ ସାହାଯ୍ୟ ଦେଲା ବେଳେ ଅପୂର୍ବ ଆନନ୍ଦ ଅନୁଭବ କରୁଥିଲି। ସେମାନଙ୍କ ଦୁଃଖରେ ମୁଁ ବେଳେବେଳେ ଅଧୈର୍ଯ୍ୟ ହେଇ କାନ୍ଦି ପକାଉଥିଲି। ତେଣୁ ଅଧ୍ୟାପନା,ଓ ସାହିତ୍ୟ ସେବା ପରି ସମାଜସେବା ମଧ୍ୟ ମୋର ଏକ ପ୍ରବୃତ୍ତି ଭାବେ ମୋ ଅଲକ୍ଷରେ ମୋ ଭିତରେ ଜନ୍ମ ନେଇଥିଲା ଓ ତାହା ଏଯାବତ ଚାଲିଛି ମଧ୍ୟ ।
ସାମ୍ବାଦିକତା କ୍ଷେତ୍ରରେ ପ୍ରଥମେ ମୁଁ ସମ୍ବାଦର ସମ୍ପାଦକ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକଙ୍କ ଆଶୀର୍ବାଦ କ୍ରମେ ସମ୍ବାଦର ମୁଖ୍ୟ କାର୍ଯ୍ୟାଳୟ ରେ କିଛି ବର୍ଷ କାର୍ଯ୍ୟ କରିବାପରେ ଆନନ୍ଦପୁର ଅଞ୍ଚଳରେ ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲି। ଏହା ପରେ ଓଡ଼ିଶା ଜାଗରଣ ଏବଂ ସମ୍ପ୍ରତି ମେଟ୍ରୋନିୟୁଜର କେନ୍ଦୁଝର ଜିଲ୍ଲା ମୁଖ୍ୟ ଭାବେ, ଦାୟିତ୍ୱ ଗ୍ରହଣ କରିଛି। କହିବା କଥା ହେଲା,ମୋର ଏସବୁ କାମକୁ ମୁଁ ସମାନ ଗୁରୁତ୍ୱ ଦେଇ କରୁଥିବାରୁ କେବେ ବି ଅସୁବିଧାର ସମ୍ମୁଖୀନ ହୋଇନାହିଁ। ମୁଖ୍ୟ କଥା ହେଲା କର୍ତ୍ତବ୍ୟନିଷ୍ଠା, ଯାହାକୁ ମୁଁ ଅଧିକ ଗୁରୁତ୍ୱ ଦେଇଥାଏ ।
୯.ଜରୁରୀକାଳୀନ ପରିସ୍ଥିତି ସମୟରେ ଆପଣ ତାକୁ ବିରୋଧ କରି ଏଗାର ମାସ ଜେଲ ଯାଇଥିଲେ । କେଉଁ ଉତ୍ସାହ ଆପଣଙ୍କୁ ଆପଣଙ୍କ ଛାତ୍ର ଜୀବନରେ ପ୍ରତିବାଦ ଆଡକୁ ଟାଣି ନେଇଥିଲା ? ସେହି ସମୟର ଅନୁଭୂତି ସମ୍ପର୍କରେ କିଛି କୁହନ୍ତୁ।
ଉତ୍ତର : ମୁଁ ଆଇ. ଏ.ପଢୁଥାଏ ଆନନ୍ଦପୁର କଲେଜରେ । ବୟସ ମାତ୍ର ୧୭ ବର୍ଷ। ସେତେବେଳେ ଆମ ଅଞ୍ଚଳରେ ଟିଭି ନଥାଏ । ଖବରକାଗଜ ପଢି ଭାରତର ଅବସ୍ଥା ଜାଣିବାକୁ ବ୍ୟଗ୍ର ଥିବା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସ୍ୱୟଂସେବକ ଭାବେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଜାତୀୟ ଜରୁରୀ କାଳୀନ ପରିସ୍ଥିତି ଜାରି କରିବା ମତେ ହତ ସ୍ତମ୍ଭିତ କରିଥିଲା। ଅନେକ ରାଜନୈତିକ ନେତୃବୃନ୍ଦଙ୍କୁ ଜେଲରେ ରଖାଯାଇ ଅକଥନୀୟ ନିର୍ଯ୍ୟାତନା ଦିଆ ଯାଉଥିଲା। ପ୍ରେସ ଉପରେ କଡା କଟକଣା ଲାଗିଲା। ବିହାରର ଲୋକନାୟକ ଜୟପ୍ରକାଶଙ୍କ ସମ୍ପୂର୍ଣ୍ଣ କ୍ରାନ୍ତିରେ ଭାରତବର୍ଷର ଅନେକ କଲେଜ ଛାତ୍ର ପ୍ରଭାବିତ ହେଇ ସତ୍ୟାଗ୍ରହ କରି କାରା ବରଣ କରୁଥିଲେ । ମୋର ମନେପଡେ, ସେ ସମୟରେ ଅଟଳ ବିହାରୀ ବାଜପେୟୀଙ୍କ ହାତ ଲେଖା ପ୍ରେରଣାଦାୟକ ପତ୍ରର ନକଲ ସାରା ରାଜ୍ୟ ସମେତ ଆମ ଅଞ୍ଚଳକୁ ମଧ୍ୟ ଆସିଥିଲା । ଜେଲ ଯିବା ପୂର୍ବରୁ କିଛି ବଡ଼ ଭାଇମାନଙ୍କ ସହିତ ରାତିର ଅନ୍ଧାରରେ ଜନବସତିରୁ ଦୂରରେ ଥିବା ବିଲ, କାଜୁ ଜଙ୍ଗଲ ଓ ଅପନ୍ତରା ସ୍ଥାନ ମାନଙ୍କରେ ଆମର ଗୁପ୍ତ ବୈଠକ ହୋଇ ସତ୍ୟାଗ୍ରହ ପାଇଁ ପ୍ରସ୍ତୁତି ଆଲୋଚନା ଚାଲୁଥିଲା। ଶେଷରେ ୧୯୭୫ ମସିହା ଡିସେମ୍ବର ୮ ତାରିଖ ଦିନ ଆମେ କେହି କିଛି ଘରେ ନକହି ଆନନ୍ଦପୁର ରାଜରାସ୍ତାରେ ସ୍ଲୋଗାନ ଦେଇ ବୀର ଦର୍ପରେ କଚେରୀ ଆଡେ ଯାଉଥିବା ବେଳେ ଆମ ମଧ୍ୟରୁ ୧୧ଜଣଙ୍କୁ ଆରେଷ୍ଟ କରି ନିଆଗଲା । ଶିକ୍ଷା ଗ୍ରହଣର କୌଣସି ବୟସ ନଥାଏ । କାହିଁକି ନା, ମୁଁ ଏବେବି ଅଧ୍ୟୟନରତ। ପ୍ରଥମେ ଦେଶ , ଦେଶ ଠିକ ରହିଲେ ଆମେ ସ୍ୱଚ୍ଛନ୍ଦ ରହିବା। ଏମିତି ଭାବି ସତ୍ୟାଗ୍ରହ କରିଥିଲୁ। ଛାତ୍ର ଜୀବନ ଅର୍ଥାତ ସେହି ସମୟରେ କିଶୋର ବାଳକ ଥିଲୁ। ମନେ ପଡୁଚି, ସେହି ଦିନ ଆନନ୍ଦପୁର ଥାନାରେ ଆମକୁ ରଖାଗଲା ।ରାତ୍ରୀ ଭୋଜନରେ ଆମକୁ କିଛି ବି ଦିଆ ଗଲାନାହିଁ। ଭୋକରେ ପେଟଟି ଆଉଟପାଉଟୁ ହେଉଥାଏ। ତାପରେ ଥାନା ଅଧିକାରୀଙ୍କ ଆଶ୍ରାବ୍ୟ ଭାଷା ସବୁ ସହିବାକୁ ହେଉଥାଏ । ଆମ ସମସ୍ତଙ୍କ ଘର ମୁରବୀ ମାନେ ଥାନାକୁ ଆସିଥିଲେ ହେଁ ଆମ ସହିତ ସାକ୍ଷାତ କରିବାର ସୁଯୋଗ ଦିଆଗଲା ନାହିଁ । ତା ପରଦିନ, ଅର୍ଥାତ ୯ ତାରିଖ ଦିନ ଆମକୁ କୋର୍ଟ ଫରୱାର୍ଡ କରାଗଲା । ମାଜିଷ୍ଟ୍ରେଟଙ୍କ ନିକଟରୁ ଜେଲକୁ ଯାଉଥିବା ବେଳେ ବିଶିଷ୍ଟ ସମାଜସେବୀ ଶ୍ରୀପତି ଭାଇ(ପଟ୍ଟନାୟକ) ଜେଲ ଗେଟ ପୂର୍ବରୁ ଆମେ ଭୋକିଲା ଥିବାଜାଣି ପ୍ରଚୁର ବରା, ସିଙ୍ଗଡ଼ା, ଆଳୁଚପ ଓ ରସଗୋଲା ଆଣି ଖୁଆଇଥିଲେ ଓ ଆମପାଇଁ ଗର୍ବ ଅନୁଭବ କରୁଥିଲେ। ଖାଇ ସାରିବା ପରେ ଜେଲକୁ ଗଲୁ । ଜେଲ ଅଫିସରେ ଆମକୁ ଓଜନ କରାଗଲା। ସମସ୍ତଙ୍କୁ ଗୋଟିଏ ଗୋଟିଏ କମ୍ବଳ, ପିତଳ ଥାଳି ଓ ପିତଳ ଗିନା ଗୋଟିଏ ଗୋଟିଏ ଧରେଇ ଦିଆ ଗଲା । ଈଶ୍ୱରଙ୍କ ଆଶୀର୍ବାଦରୁ ଆମ ସମସ୍ତଙ୍କୁ ଗୋଟିଏ ୧୦/୧୨ଫୁଟର ଏକ ଛୋଟ ୱାର୍ଡରେ ରଖାଗଲା ।
ସେତେବେଳେ ଆମର ବାହାରେ ଥିବା ସ୍ୱୟଂସେବକ ଭାଇମାନେ ବାହାରେ ଥାଇବି ଆମ ଅବସ୍ଥା ବୁଝୁଥିଲେ । ଜେଲ ଭିତରେ ଜେଲରଙ୍କୁ କହି ଭଟ୍ଟା ଘରେ(ଜେଲରେ ରୋଷେଇ ହେଉଥିବା ଘରକୁ ଭଟ୍ଟା ଘର କୁହାଯାଏ) ରୁଟିନ୍ ଅନୁଯାୟୀ ପାଳି କରି ଦୁଇ ଜଣ ଲେଖା ରୋଷେଇ କରୁଥିଲୁ । ଜେଲ ଭିତରେ ବି ଆମେ ସଂଘର ଶାଖା ଲଗାଇ ‘ନମସ୍ତେ ସଦା ବତ୍ସଲେ ମାତୃଭୂମେ’ … ପ୍ରାର୍ଥନା ଗାଉଥିଲୁ । ଆମ ଦଶ ଜଣଙ୍କ ମଧ୍ୟରେ ନେତୃତ୍ୱ ନେଉଥିବା କ୍ଷୀରୋଦ ଭାଇ ଦାୟିତ୍ୱ ବଣ୍ଟନ କରିଥାନ୍ତି । ଘରର ପରିଚ୍ଛନ୍ନତା , ପାଣି ଆଣିବା, ଖାଦ୍ୟ ବଣ୍ଟନ, ଜେଲ ବାହାର ଭାଇମାନଙ୍କ ସହିତ ଚିଠି ଭିତରେ ଗୋଡି ପୁରାଇ ଲୁଚାଇକି ଫୋପାଡିବା ,ସନ୍ଧ୍ୟାରେ ବିଭିନ୍ନ ମହାପୁରୁଷ ତଥା ଦେଶପ୍ରେମୀଙ୍କ ଜୀବନ କାହାଣୀ ଶୁଣାଇବା ପ୍ରଭୃତି ଦାୟିତ୍ୱ ବଣ୍ଟନ କରାଯାଇଥିଲା। ଆମେ ଆମ ଖାଦ୍ୟରୁ କିଛି ଡାଲି, ଆଳୁ ଓ ପିଆଜ ରଖି ରଖି ଅଧିକ ହେଇଗଲେ, ଜେଲ ଗେଟରେ ଥିବା ୱାର୍ଡରଙ୍କୁ ହାତ କରି ବ୍ୟାଗ ବ୍ୟାଗ ଜିନିଷ ବାହାରେ ଅପେକ୍ଷା କରିଥିବା ସ୍ୱୟଂସେବକ ଭାଇଙ୍କୁ ଦେଇଥାଉ। ସେ ତାହାକୁ ବିକ୍ରିକରି ଆମ ଆବଶ୍ୟକୀୟ ଜିନିଷ ଆଣି ଦିଅନ୍ତି । ଗୋଡିରେ ଚିଠି ଦେଇ ସେମାନେ ଖବର ଦେଲେ ଆମେ ଗେଟ ପାଖେ ରହି ବ୍ୟାଗଟିକୁ ଆଣୁ । ବ୍ୟାଗରେ ଥିବା ଜିନିଷ ହେଲା, ସନ ଲାଇଟ ଓ ଲାଇଫବୟ ସାବୁନ, ନଡିଆ ତେଲ, ଚିନାବାଦାମ, ଭଜା ମଟର, ଚିନି ଓ ଚା’ପତି ତଥା ବେଳେ ବେଳେ ଜଳଖିଆ। ମରୁଡି ପ୍ରପୀଡ଼ିତ ଲୋକଙ୍କ ପରି ଆମେ ସେ ଜିନିଷ ଆସିବା ମାତ୍ରେ ହାଇଁ ପାଇଁ ହେଇଥାଉ । ଦେହପା ଖରାପ ହେଲେ ଔଷଧ ମଧ୍ୟ ଏହି ରୀତିରେ ଆସେ । ଆମମାନଙ୍କ ଘରୁ ଚିନି ଓ ଚୂଡ଼ାଗୁଣ୍ଡ, ଛତୁଆ ପ୍ରଭୃତିର ଡବା ଜେଲ ୱାର୍ଡରଙ୍କୁ ଟଙ୍କା ପଇସା ଦେଇ ଘରଲୋକ ପଠାଇଥାନ୍ତି । ଜେଲ ଭିତରେ ଆମେ କିଛି ଛାତ୍ର ପରୀକ୍ଷା ପାଇଁ ଘରୁ ଆସିଥିବା ବହି ମଧ୍ୟ ପଢୁ । ସେତେବେଳେ ରାତିରେ ଲାଇଟ ବ୍ୟବସ୍ଥା କୌଣସି ୱାର୍ଡରେ ନଥାଏ । ତେଣୁ ଦିନବେଳେ କିଛି ପଢ଼ିଥାଉ। ଦୀର୍ଘ ମାସ ପରେ ପରୀକ୍ଷା ଦେଇ ଆଇ .ଏ. ପାସ କଲି । ଜେଲ ଗେଟ ପାଖକୁ ସମସ୍ତଙ୍କ ଘର ଲୋକ ଭେଟିବାକୁ ଆସୁଥିଲେ । ମାତ୍ର ଗୋଟିଏ ମିନିଟ କଥାବାର୍ତ୍ତା ହବାକୁ ପଡେ । ସେତେବେଳେ ଆମ ନନା ମୋ ପାଇଁ ଦାଢି ଛାଡ଼ି ଦେଇଥିଲେ । ମନେ ଅଛି, ନନାଙ୍କ ବଡ଼ପୁଅ ଲିପୁ ଖୁବ ଛୋଟ ଛୁଆ ,ତାକୁ ଧରି ନନା ଜେଲଗେଟ ପାଖକୁ ଆସିଥିଲେ। ଛୋଟ ଫାଙ୍କରେ ମୁଁ ନନାଙ୍କୁ ପ୍ରଣାମ କଲି ଓ ନନାଙ୍କ ପାଖେ ଅତି ଛୋଟ ଥିବା ପୁଅ ଲିପୁ ମତେ ଦେଖି ମୋ ପାଖକୁ ଆସିବାକୁ ହାତ ବଢ଼ାଇ କାନ୍ଦିଲା, ହେଲେ ନିର୍ଦ୍ଦୟ ୱାର୍ଡର ଛୋଟ ଗଳା ବାଟକୁ ଢ଼ାଙ୍କୁଣିରେ ବନ୍ଦ କରିଦେଲା । ମୁଁ କାନ୍ଦି ପକାଇଥିଲି ।
୧୦. ଆଜିର ସୋସିଆଲ ମିଡ଼ିଆର ସାହିତ୍ୟିକ ଧାରାକୁ ନେଇ ଆପଣଙ୍କର ମତ କ’ଣ ?
ଉତ୍ତର : ସୋସିଆଲ ମିଡିଆ ଯେତିକି ଭଲ, ସେତିକି ଖରାପ ନିଜ ନିଜ ବ୍ୟବହାର ଅନୁଯାୟୀ । ଆମେ ଖରାପକୁ ଗ୍ରହଣ ନକରି ଭଲକୁ ଗ୍ରହଣ କରିବା ଉଚିତ। ସୋସିଆଲ ମିଡିଆରେ ଏବେ ସାହିତ୍ୟ ଓ ସଙ୍ଗୀତର ତୂର୍ଯ୍ୟନାଦ ଟିକେ ଅଧିକା। ବେଳେ ବେଳେ ଭଲ କବିତା, ଗଳ୍ପ ଓ ଚିତ୍ର ବା ଆର୍ଟ ଖୁବ ଭଲ ଲାଗୁଛି । ଆମେ ମାଧ୍ୟମର ସଠିକ ପରିଚାଳନା କରିପାରିଲେ , ତାହା ସମସ୍ତଙ୍କ ପାଇଁ ମଙ୍ଗଳସୂଚକ ଓ ଲାଭଦାୟୀ ହେଇପାରିବ ।
୧୧. ଆନନ୍ଦପୁର ସାହିତ୍ୟ ସଂସଦ ସହ ଆପଣ ଆବେଗିକ ଭାବରେ ଜଡିତ । ଏହାର କାର୍ଯ୍ୟକଳାପ ବିଷୟରେ କିଛି କହିବେ କି ?
ଉତ୍ତର : ଆନନ୍ଦପୁର ସାହିତ୍ୟ ସଂସଦ ଗଠନ ନିଷ୍ପତ୍ତି ୨୦୦୩ ମସିହାରେ ନେଇଥିଲି । ଏହା ସେତେବେଳେ କବି ଶମ୍ଭୁନାଥ ରାଉତ, ଅଶୋକ ପୁହାଣ , ପ୍ରଫୁଲ୍ଲ ଚକ୍ର ପ୍ରମୁଖଙ୍କ ସହାୟତାରେ ଆରମ୍ଭ ହେଇଥିଲା । ତେବେ ସଂସଦର କାର୍ଯ୍ୟ ପନ୍ଥା ଅତ୍ୟନ୍ତ ଜଟିଳ ହେଲେ ବି ପ୍ରତ୍ୟେକ ବର୍ଷ ରାଜ୍ୟ ସାହିତ୍ୟ ସମାବେଶ ସେହି ଗୋଟିଏ ବାର ଅର୍ଥାତ ଫେବୃଆରୀ ପ୍ରଥମ ରବିବାରରେ ପାଳିତ ହୁଏ। ପ୍ରଫେସର ଗଙ୍ଗାଧର ବଳ ଥିଲେ ମୁଖ୍ୟ ଉପଦେଷ୍ଟା। ତାଙ୍କରି ନିର୍ଦ୍ଧାରିତ ନୀତିରେ ସଂସଦ ଚାଲେ । ସେ ଏବେ ନାହାନ୍ତି, କିନ୍ତୁ ସେହି ନୀତିକୁ ପାଥେୟ କରି ସଂସଦ ୧୭ ବର୍ଷରେ ପଦାର୍ପଣ କରିସାରିଛି । ରାଜ୍ୟର ଜଣେ ପ୍ରମୁଖ ଓ ତେଜଷ୍କ୍ରିୟ କବିଙ୍କୁ ସଂସଦର ଅତି ଗୁରୁତ୍ୱପୂର୍ଣ ରାଜ୍ୟ ସାହିତ୍ୟ ସମ୍ମାନ ରାଜ୍ୟ ବିଚାରକ ମଣ୍ଡଳୀଙ୍କ ଦ୍ଵାରା ନିର୍ଦ୍ଧାରିତ ହୁଏ ।ବିଭିନ୍ନ ସମୟରେ ମୁଖ୍ୟ ଉତ୍ସବ ପୂର୍ବରୁ ଗ୍ରାମାଞ୍ଚଳରେ ସାହିତ୍ୟର ବିଭିନ୍ନ ବିଭାଗ ସମ୍ପର୍କିତ କର୍ମଶାଳା ମଧ୍ୟ ଆମେ ଆୟୋଜନ କରୁ । ଆମ ସଂସଦରୁ ସମ୍ମାନିତ ଅନେକ ବ୍ୟକ୍ତିତ୍ୱ କେବଳ ରାଜ୍ୟ ସାହିତ୍ୟ ଏକାଡେମୀ ନୁହେଁ, ପରନ୍ତୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ବିମଣ୍ଡିତ ହେବା ଆମ ପାଇଁ ନିଶ୍ଚିତ ଗର୍ବର ବିଷୟ ।
୧୨. ଆଗାମୀ ଦିନ ପାଇଁ ଜୀବନକୁ ନେଇ ଆପଣଙ୍କର ସ୍ବପ୍ନ କଣ ?
ଉତ୍ତର : ମୁଁ ସ୍ୱପ୍ନ ଦେଖେ ନାହିଁ ବୋଲି ଆଜି ଏମିତି ଆଖୋଜା ଓ ଅଲୋଡା ହେଇ ପଡିରହିଛି । ସ୍ୱପ୍ନ ଦେଖ ମନା ନାହିଁ, କିନ୍ତୁ ସେହି ସ୍ୱପ୍ନକୁ ଏମିତି ସଫଳତାର ରଙ୍ଗ ଦିଅ ଯାହା ଅନ୍ୟମାନଙ୍କ ପାଇଁ ସ୍ୱପ୍ନ ହେଇ ଝଟକୁଥିବ ।
Comments are closed.