Latest Odisha News

BREAKING NEWS

ସାହିତ୍ୟ, ସ୍ୱତଃସ୍ଫୂର୍ତ୍ତ ଆବେଗର ଧାରା : ଘନଶ୍ୟାମ ପଲେଇ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଘନଶ୍ୟାମ ପଲେଇ। ସାହିତ୍ୟ ସର୍ଜନାରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟି ଉଠିପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ତାଙ୍କର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ।

ଓଡ଼ିଆ ସାହିତ୍ୟର ସଶ୍ରଦ୍ଧ ସ୍ୱର ଘନଶ୍ୟାମ ପଲେଇଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’

ସାହିତ୍ୟ କହିଲେ ଆପଣ କ’ଣ ବୁଝନ୍ତି ?

ସାହିତ୍ୟ ହେଉଛି ସ୍ୱତଃସ୍ଫୂର୍ତ୍ତ ଆବେଗର ଧାରା । ଚିନ୍ତା କଳ୍ପନାର ବୈତରଣୀ । ଅବିରତ ଧାରାଟିଏ ଯାହା ଆଗକୁ ଆଗକୁ ମାଡି ଚାଲିଥାଏ ସମାଜର କଲ୍ୟାଣ ପାଇଁ । ଏହି ଧାରା ସମାଜର ଶୋଷ ମେଣ୍ଟେଇବା ସହ ସମାଜର ହିତରେ ଲାଗିଥାଏ । ବେଳେ ବେଳେ ହଳୁଆର ଗୀତରେ ବା ସନ୍ଧ୍ୟା ଆଳତିରେ ଫୁଟି ଉଠେ ତ ପୁଣି କେବେ କେବେ ଜେଜେମାର କାହଣୀ ପେଡି ଭିତରେ କିମ୍ବା କାହା ଛାତିର କୋହ ଭିତରେ ଲୁଚି କି ରହିଥାଏ । ହଁ ଏହାର ପାଣି ସବୁବେଳେ ସ୍ୱଚ୍ଛ ରହିବା ଦରକାର । ଯେପରିକି ସମାଜର ପ୍ରତିବିମ୍ବଟା ଠିକ୍ ଭାବେ ପ୍ରତିଫଳିତ ହେଇ ପାରୁଥିବ ।

ସାହିତ୍ୟ ପ୍ରତି କେମିତି ଆକର୍ଷିତ ହେଲେ?

ମୋର ମନେ ଅଛି ଛୋଟବେଳେ ଦେଖି ଆସିଛୁ ମୋ ବାପା ସବୁଦିନ ସକଳ ପାହାନ୍ତାରୁ ଉଠି ଗାଧୁଆ ପାଧୁଆ ସାରି ଉଚ୍ଚ ସ୍ୱରରେ ହନୁମାନ ଚାଳିଶା ପାଠ କରିବେ, ଗୀତା ଭାଗବତ ପଢିବେ, ବିଭିନ୍ନ ମନ୍ତ୍ର ସବୁକୁ ମଧୁର କଣ୍ଠରେ ଗାଇବେ । ଏହାର ପ୍ରଭାବ କେଉଁଠି ନା କେଉଁଠି ସାହିତ୍ୟ ସାଧାନା ଦିଗକୁ ଟାଣି ନେଇ ଥିଲା । ହନୁମାନ ଚାଳିଶା କହନ୍ତୁ କି ମନ୍ତ୍ରସବୁ କହନ୍ତୁ ଆପେ ଶୁଣି ଶୁଣି ମନେ ରହିଯାଇଥିଲା । ଯାହା ମନେ ମନେ ଗୁଣୁଗୁଣେଇବାକୁ ବାଧ୍ୟ କରିବା ସହ ମତେ ସାହିତ୍ୟ ମନସ୍କ କରି ଗଢି ତୋଳୁଥିଲା । ମୁଁ ଯେତେବେଳେ ପଞ୍ଚମ ଶ୍ରେଣୀ ପଢୁଥାଏ ଶିଶୁ ଗପଟିଏ ଲେଖି “ ରାଷ୍ଟ୍ରଦୀପ”କୁ ପଠେଇଥିଲି । ଅବଶ୍ୟ ପ୍ରକାଶିତ ହେଲା ନାହିଁ କିନ୍ତୁ ସେତେବେଳର ସମ୍ପାଦକ ଚିଠିଟିଏ ଲେଖି ଗପଟିକୁ ସଂଶୋଧନ କରି ଫେରେଇବା ସହ ଭଲ ହେଇଚି କହି ପ୍ରଶଂସା କରିଥିଲେ । ଯାହା ମୋ କବି ପ୍ରାଣକୁ ଆଲୋଡିତ କରିଥିଲା । ତା’ ପରେ ପରେ ଶିଶୁ ସାହିତ୍ୟ ଲେଖାର ଧାରା ଚାଲୁ ରହିଲା । ଅନେକ ଶିଶୁ ପତ୍ରିକା ଯଥା – ଶୁଆ ଶାରୀ, କାଉଁରି ଚାନ୍ଦ, ସ୍ୱୟଂପ୍ରଭା ଇତ୍ୟାଦି ପତ୍ରିକାରେ ଲେଖା ସବୁ ବାହାରିଲା । ଯାହା ମତେ ଉତ୍ସାହିତ କରିଥିଲା ।

ଆପଣଙ୍କ ରଚିତ ଗଳ୍ପ ସଙ୍କଳନ ‘ତଳ ପାହାଚର ମଣିଷ’ ବିପୁଳ ଭାବରେ ପାଠକୀୟ ଆଦୃତି ସାଉଁଟିଛି । ପୁସ୍ତକଟିର ଏପରି ନାମକରଣର ତାତ୍ପର୍ଯ୍ୟ କ’ଣ ?

ଉପର ପାହାଚର ଲୋକମାନେ କେବେ ଚାହାଁନ୍ତି ନାହିଁ ତଳ ପାହାଚର ଲୋକଙ୍କୁ । ଏପରି ସ୍ଥଳେ କିଛି କରି ନପାରିଲେ ବି ସେମାନଙ୍କ ପ୍ରତି ସମ୍ବେଦନଶୀଳତା ଓ ଭଲ ପାଇବା ଜନ୍ମ ଦିଏ ତାଙ୍କ ଦୁଃଖୀ ଜୀବନର ଦୈନ୍ୟକୁ କାହାଣୀ ତଥା ଗପ ମାଧ୍ୟମରେ । ଗପ ଗୁଡିକରେ ଘଟଣଗୁଡିକ ଘଟୁଥିବାର ଜଳଜଳ ଦିଶିଯାଏ ଆଖିକୁ । ଆପ୍ଳୁତ କରେ ମନକୁ । ସ୍ତମ୍ଭିଭୁତ କରେ ବେଶ କିଛି ସମୟ । ହଁ ଏଥିରେ ଥିବା ୩୨ ଟି ଗଳ୍ପରେ ପାଠକ କେଉଁଠି ନା କେଉଁଠି ନିଜକୁ ଖୋଜି ପାଏ ଚରିତ୍ର ଓ ଘଟଣାମାନଙ୍କ ଭିତରେ । ହୁଏତ ସେଥିପାଇଁ ପୁସ୍ତକଟି ସମସ୍ତଙ୍କର ପ୍ରିୟ ହୋଇପାରିଛି ।

ଆପଣ ପେଶାରେ ଜଣେ ଭାରତ ସରକାରଙ୍କ ପରିଚାଳିତ ସଂସ୍ଥାର ଅଧିକାରୀ ନିଶା କିନ୍ତୁ ସାହିତ୍ୟ ସାଧାନା । କିପରି ଭାବରେ ଏ ସନ୍ତୁଳନ ରକ୍ଷା କରନ୍ତି ?

ହଁ, ନିଶ୍ଚୟ ! ମୁଁ ସମ୍ପ୍ରତି ଭାରତ ସରକାରଙ୍କ ଇସ୍ପାତ ପ୍ରାଧିକରଣ ସଂସ୍ଥା (ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ :ସେଲ) ଅଧିନସ୍ଥ ଟେନସା, ସୁନ୍ଦରଗଡରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ । ମୋ ନିଜ ଗାଁଟି କେନ୍ଦୁଝର, ଝୁମ୍ପୁରା ବ୍ଳକରେ । ଗାଁ ପରିବେଶ ମୋତେ ସାହିତ୍ୟ ସାଧନା ପାଇଁ ସଦାସର୍ବଦା ଖୋରାକ ଯୋଗାଇ ଥାଏ । ମୁଁ ଭାବେ କର୍ମ ହିଁ ଭଗବାନ । ତେଣୁ କର୍ମ ପ୍ରତି ସଦାସର୍ବଦା ମୁଁ ଯଥେଷ୍ଟ ସଚେତନ ଥାଏ । ତା’ବାଦ ସମୟ ତକ ସାହିତ୍ୟ ସାଧନାରେ ମଜିଥାଏ ବା ସାହିତ୍ୟର ସାଗରରେ ବୁଡ ପକାଉଥାଏ । ସାହିତ୍ୟ ମୋ ପାଇଁ ନିଶା । ପରିବାର ପ୍ରତି ମଧ୍ୟ ମୁଁ ଢେର ସଚେତନ ଥାଏ । ମୋ ପରିବାର ମତେ ସବୁବେଳେ ସହଯୋଗ କରି ଆସୁଛନ୍ତି । ସେଥି ପାଇଁ ତ ଆମ ଘରେ ସବୁବେଳେ ଏକ ପଢାର ପରିବେଶ ସୃଷ୍ଟି ହେଇଥାଏ ।

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ପ୍ରଭାବିତ କରେ ?

ଉ- ସମ୍ମାନ ଓ ସ୍ୱୀକୃତି ନିଶ୍ଚୟ ପ୍ରଭାବିତ କରେ । ତା’ମାନେ ନୁହେଁ ତା’ ପଛରେ ଗୋଡେଇବା ବା ନପାଇଲେ ଭାଙ୍ଗି ପଡିବା । ହଁ ସମ୍ମାନ ମିଳିଲେ ଆତ୍ମତୃପ୍ତି ସହ ଦାୟିତ୍ୱବୋଧ ମଧ୍ୟ ବଢିଯାଏ ଏବଂ ଟିକିଏ ଅଧିକ ସଚେତନ ରହିବାକୁ ପଡିଥାଏ ।

 

ପୁରସ୍କାର ସାହିତ୍ୟ ସୃଷ୍ଟିର ମାପଦଣ୍ଡ ବୋଲି ଆମେ ଭାବିବା ଉଚିତ କି ?

ଉ- ଆଦୌ ନୁହଁ । ଅନେକ ସାହିତ୍ୟ ସାଧକ ଅଛନ୍ତି ନିଜ ନିଜ କ୍ଷେତ୍ରରେ ବଳିଷ୍ଠ । ପୁରସ୍କାର ଖୁବ କମ୍‍ ଲୋକକୁ ହିଁ ମିଳିପାରେ । ଭଲ ଭଲ ଲେଖକ ବି ଦୃଷ୍ଟି ଆଢୁଆଳରେ ରହିଯାଏ । ତା’ ମାନେ ନୁହଁ ଯେ ତାଙ୍କ ଲେଖା ପାଠକାଦୃତ ହୁଏନି ବା ହେବନି ।

ନିଜ ଲେଖକୀୟ ସଫଳତାର ଶ୍ରେୟ କାହାକୁ ଦେବେ?
ଉ- ପ୍ରଥମେ ବାପା ମା, ଗୁରୁ ଗୁରୁଜନ , ସାହିତ୍ୟକୁ ହାତଧରି ଚିହ୍ନଉ ଥିବା ସାହିତ୍ୟିକ ବନ୍ଧୁ ସର୍ବୋପରି କହିବାକୁ ଗଲେ ମୋର ପ୍ରିୟ ପାଠକମାନଙ୍କୁ। ସେମାନେ ପଢୁଛନ୍ତି ବୋଲି ତ ମୁଁ ଆଜି ଏଇଠି । ତେଣୁ ସଫଳତାର ସମସ୍ତ ଶ୍ରେୟ ମୋର ପାଠକମାନଙ୍କୁ ହିଁ ଦେବି ।

 ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?

କଞ୍ଚା ମାଟିରେ କିଛି ବି ଗଢା ଯାଇପାରେ । ସାଧନା ଦ୍ୱାରା ଶାଣିତ କରିବାର ଅଛି । ପଢନ୍ତୁ ଅଧିକ ଲେଖନ୍ତୁ କମ୍‍ । ଦେଖିବେ ଆପେ ଆପେ ସବୁ ଠିକ ହେଇ ଯିବ ।

Comments are closed.