ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ଜ୍ୱଳ ନକ୍ଷତ୍ର ମୌସୁମୀ ଦାସ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର ଚରିତ୍ର ସବୁବେଳେ ଜୀବନ୍ତ। ସେଥିପାଇଁ ତାଙ୍କ ଲେଖା ସବୁ ପାଠକର ଜୀବନର ନିଜସ୍ୱ ଅନୁଭୂତି ମନେହୁଏ । ସାଧାରଣ ମଣିଷର ଜଟିଳ ମାନସିକତାକୁ ସେ ସରଳ ବର୍ଣ୍ଣନାଧର୍ମୀ ଗଦ୍ୟ ଶୈଳୀରେ ବ୍ୟକ୍ତ କରିଥାନ୍ତି ଗଳ୍ପ ମାଧ୍ୟମରେ। କବିତା ରଚନାରେ ମଧ୍ୟ ସେ ଖୁବ ସିଦ୍ଧହସ୍ତା । ନିଜ ଲେଖନୀର ନିଆରାପଣରେ ଓଡ଼ିଆ ଭାଷା ସାହିତ୍ୟକୁ ସେ ଋଦ୍ଧିମନ୍ତ କରି ଚାଲିଛନ୍ତି ।
ତାଙ୍କ ଲେଖନୀ ନିଃସୃତ ‘କଫି ହାଉସ’, ‘ମୀମାଂସା ‘, ‘ମେଘମୁକ୍ତ ଆକାଶ ‘ (ଗଳ୍ପ ସଙ୍କଳନ) , ‘ପଞ୍ଚାତ୍ମିକା ‘ (ମିଳିତ ଗଳ୍ପ ସଙ୍କଳନ) ଏବଂ ‘ରାସପର୍ବ ‘(କବିତା ସଙ୍କଳନ) ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ପାହାଚ ଯୁବ ପ୍ରତିଭା (ଗଳ୍ପ) ସମ୍ମାନ, କଥାକଳିକା ଯୁବ ପ୍ରତିଭା ପୁରସ୍କାର, ମଧୁଲିତା ଗଳ୍ପ ସମ୍ମାନ, ଆରପାଖ ଯୁବ ଲେଖକ (ଗଳ୍ପ) ସମ୍ମାନ , ବେଳାଧ୍ଵନି ଗଳ୍ପ ସମ୍ମାନ (ବ୍ରହ୍ମପୁର ସାହିତ୍ୟ ପରିଷଦ), ଭୁବନେଶ୍ବର କାପୋକ ସଂସ୍ଥା ତରଫରୁ ୟୁଥ୍ ପ୍ରତିଭା ସମ୍ମାନ ସହ ଆହୁରି ଅନେକ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ସେ ସମ୍ମାନିତା ଓ ସମ୍ବର୍ଦ୍ଧତା ।
ଲେଖିକା ମୌସୁମୀ ଦାସଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ।
ସାହିତ୍ୟ ଓ ଜୀବନ କିପରି ଭାବରେ ପରସ୍ପର ସହ ଜଡ଼ିତ?
ଜାଣତରେ ହେଉ କି ଅଜାଣତରେ, ଜୀବନ ଓ ସାହିତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆମେ ବଞ୍ଚୁଥିବା ଜୀବନ, ପାରିପାର୍ଶ୍ବିକ ଜୀବନ, ସାମାଜିକ , ଆଞ୍ଚଳିକ ଅଥବା ବୈଶ୍ବିକ, ଜଣେ ଲେଖକର ଅନ୍ତର୍ଦୃଷ୍ଟି, ଏ ସମଗ୍ର ଧରାର ଜୀବନଯାତ୍ରାକୁ ନିରୀକ୍ଷଣ କରୁଥାଏ ସତତ। ଅହରହ ଅନୁଧ୍ୟାନ, ଅନୁଶୀଳନ କରୁଥାଏ ଜୀବନର ସୂକ୍ଷ୍ମାତିସୂକ୍ଷ୍ମ ଘଟଣା , ସ°ଘାତ, ସ°ଘର୍ଷ ଏବଂ ବିଭିନ୍ନ ରଙ୍ଗ, ବିଭିନ୍ନ ବୈଚିତ୍ର୍ୟକୁ। ସେଇ ସବୁ ଅନୁଭବ ରୂପ ପାଏ ସାହିତ୍ୟରେ କଳାତ୍ମକ ରୂପରେ।
କେଉଁ ସ୍ରଷ୍ଟାଙ୍କ ସୃଷ୍ଟି, ଆପଣଙ୍କୁ ସାହିତ୍ୟମନସ୍କ କରାଇଲା ?
ମୋ ବାବା କୃଷ୍ଣ ମୋହନ ଦାସ ଜଣେ କବି ଓ ଗାଳ୍ପିକ ଥିଲେ। ସେ ମଧ୍ୟ ସେ ସମୟର ପ୍ରସିଦ୍ଧ ଅନାମ ଗୋଷ୍ଠୀର କବି ଥିଲେ। ଘରେ ଯେତେବେଳେ କବିତା ଆସର ହୁଏ, ମୁଁ ଲୁଚି ଲୁଚି ଶୁଣେ ଓ ବାବାଙ୍କ ଗପ କବିତା ସବୁ ପଢେ। ତାପରେ, ଶୈଶବରୁ ହିଁ ଗପ ଶୁଣିବା ସହିତ ପ୍ରଚୁର ପଢିବାର ସୁଯୋଗ ପାଇଥିଲି। ଜହ୍ନମାମୁଁ, ଶିଶୁଲେଖା, ମନପବନ, ମୀନାବଜାର ଆଦି ଶିଶୁ ପତ୍ରିକାରୁ ଆରମ୍ଭ କରି ଇଶପ୍ କାହାଣୀ, ଗର୍କି, ମୋପାସାଂ, ଲିଓ ଟଲଷ୍ଟୟ, ଓ ହେନରି ପ୍ରଭୃତିଙ୍କ ଗଳ୍ପ ସବୁର ଓଡ଼ିଆ ଭାଷାନ୍ତର, ବିଶ୍ଵ ସାହିତ୍ୟ ସମେତ ବିଭିନ୍ନ ଦେଶ ବିଦେଶର କାହାଣୀ ପଢୁଥିଲି। ଆମ ପାଠ୍ୟକ୍ରମରେ “ରେବତୀ” ଓ “ବୁଢ଼ା ଶଙ୍ଖାରୀ” ଗଳ୍ପ ଦୁଇଟି ମୋତେ ସବୁଠୁ ଅଧିକ ଆଲୋଡିତ କରିଥିଲା। ଘରେ ସୁରେନ୍ଦ୍ର ମହାନ୍ତିଙ୍କ “କୃଷ୍ଣଚୁଡା” ଗଳ୍ପ ସଂକଳନରୁ “ସାରୀପୁତ୍ତ” ଗଳ୍ପ ପଢି ଅନେକ ଦିନ ଯାଏଁ କୋହାଚ୍ଛନ୍ନ ରହିଥିଲି। ଏହି ସବୁ ଘଟଣାକ୍ରମ, ମତେ ଧୀରେ ଧୀରେ ସାହିତ୍ୟମନସ୍କ କରିଛି କେତେବେଳେ, ମୁଁ ଜାଣିପାରିନି ।
କବିତାର ଭାବ ନା ଗଳ୍ପର କଳେବର, କେଉଁଥିରେ ଆପଣ ଅଧିକ ସନ୍ତୁଷ୍ଟ ?
ଉ : ସଚେତନ ଭାବରେ କବିତା ଲେଖି ହୁଏନି। କବିତାର ଭାବଟି ଆପେ ଆପେ ଓହ୍ଲେଇ ଆସେ କାଗଜକୁ।ପରେ ଭାବନାକୁ ଆଉ ଟିକେ ସ୍ପଷ୍ଟତା ଦେବା ପାଇଁ କେବଳ ଘଷାମଜା କରିବାକୁ ହୁଏ। କବିତାଟିଏ ଭଲ ଉତୁରିଗଲେ ଖୁସି ଲାଗେ। ସେମିତି, ଗଳ୍ପଟିଏ ଲେଖିଲା ବେଳେ ପ୍ରଥମେ ତା’ର ରୂପରେଖ ନିର୍ମାଣ କରିବାକୁ ହୁଏ। ବିଷୟବସ୍ତୁ ଓ ତତ୍ ସ°ଲଗ୍ନ ଘଟଣାକ୍ରମକୁ ସଜାଇବାକୁ ହୁଏ। କ୍ଲାଇମାକ୍ସ ଓ ପରିଣତି ପ୍ରତି ଦୃଷ୍ଟି ଦେବାକୁ ହୁଏ। ଗପରେ କଳେବର ବଡ଼ କଥା ନୁହେଁ, ଏହାର ଉଦ୍ଦେଶ୍ୟ, ବକ୍ତବ୍ୟ ଓ ଔଚିତ୍ୟ ବଡ଼ କଥା ।
ନାରୀଟିଏ ଲେଖିକା ହିସାବରେ ଅନେକ ଅସୁବିଧାର ସାମ୍ନା କରେ ବୋଲି ଅନେକ ମତ ଦିଅନ୍ତି। ସେ ବିଷୟରେ ଆପଣ କଣ କହିବେ ?
ସାହିତ୍ୟ ହେଉ ଅବା ଯେକୌଣସି ସର୍ଜନାତ୍ମକ କର୍ମ ହେଉ, ଏହା ଭାବଗତ ଆବେଗପ୍ରସୂତ । ଏହି ଭାବାତ୍ମକତା ନାରୀ ପୁରୁଷ ନିର୍ବିଶେଷରେ ସମାନ । କିନ୍ତୁ, ନାରୀ ପାଇଁ ପରିବାର, ଘର ସ°ସାରର ଦାୟିତ୍ୱ ବି ମହତ୍ତ୍ୱପୂର୍ଣ୍ଣ। ଆଜିର ଅଧିକାଂଶ ନାରୀ କର୍ମଜୀବୀ ମଧ୍ୟ। ଏସବୁ ଆନୁଷଙ୍ଗିକ କର୍ତ୍ତବ୍ୟ ଓ ଦାୟିତ୍ୱ ନିର୍ବାହ କରିବା ସହିତ ସେ ସୃଜନମନସ୍କ ବି ହୁଏ। ସାହିତ୍ୟର ଇତିହାସ ଓଲଟାଇଲେ ଦେଖିବା, ଅନେକ ନାରୀକବି ଓ ଲେଖିକା ସବୁ ସା°ସାରିକ ଓ ସାମାଜିକ ଦାୟିତ୍ୱ ସୁଚାରୁ ରୂପେ ତୁଲେଇବା ସହିତ ସୃଜନ କର୍ମରେ ମଗ୍ନ ହୋଇ ସଫଳ ହେଇ ପାରିଛନ୍ତି। ଅନେକ ପାରିବାରିକ ସ୍ତରରେ ବାଧା ଓ ବାରଣର ସମ୍ମୁଖୀନ ହେଇଛନ୍ତି, କିନ୍ତୁ ଅଟକି ଯାଇ ନାହାନ୍ତି , ବର° ଏସବୁକୁ ପ୍ରତିହତ କରି ଲେଖନୀ ଧରିଛନ୍ତି। ଅସୁବିଧା , ସମସ୍ୟା ଏସବୁକୁ ଢାଲ କରି ନୁହେଁ, ବରଂ ଅସ୍ତ୍ର କରି ପାରିଲେ ହିଁ ସର୍ଜନାର ରାସ୍ତା ପ୍ରଶସ୍ତ ହେଇ ପାରିବ, ଏକଥା ଆମର ପୂର୍ବସୁରି ଏବଂ ଅଧୁନା ସାହିତ୍ୟିକାମାନେ ବାରମ୍ବାର ପ୍ରମାଣିତ କରି ଆସିଛନ୍ତି।
ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?
ପ୍ରଥମେ ମୋ’ର ଏକ କବିତା ଶିଶୁ ପତ୍ରିକା ମୀନାବଜାରରେ ପ୍ରକାଶିତ ହେଇଥିଲା ଅଷ୍ଟମ ପଢିଲା ବେଳେ। ତା’ପରେ ସ୍ନାତକ ଶେଷ ବର୍ଷ , କଲେଜ ମ୍ୟାଗାଜିନରେ “ବେକାର” ନାମରେ ଗପଟିଏ ପ୍ରକାଶ ପାଇଥିଲା ଉଣେଇଶ ଶହ ବୟାନବେ ମସିହାରେ ।ସେଇ ଗଳ୍ପଟି ସମସ୍ତଙ୍କୁ ଖୁବ୍ ଭଲ ଲାଗିଥିଲା। ଜଣେ ଶିକ୍ଷିତ ବେକାର ଯୁବକର କଥା ସେଇ ଗଳ୍ପର ବିଷୟବସ୍ତୁ ଥିଲା। ଜଣେ ପାଠକ ଗଳ୍ପଟି ପଢି ଜଣେଇଥିଲେ ଯେ ଗପର କଥାବସ୍ତୁ ତାଙ୍କ ଜୀବନର ଘଟଣା ସହିତ ଅବିକଳ ମିଶି ଯାଉଛି, ଯଦିଓ ମୁଁ ତାଙ୍କୁ ଆଦୌ ଜାଣି ନଥିଲି । ଏଇ କଥା ମୋ ମନରେ ବେଶ୍ ଛାପ ପକେଇ ଥିଲା। କିନ୍ତୁ, ବିଧିବଦ୍ଧ ସାହିତ୍ୟ ପତ୍ରିକା ଭାବରେ ପ୍ରଥମେ ଉଣେଇଶ ଶହ ପଞ୍ଚାନବେରେ କଟକରୁ ପ୍ରକାଶିତ ପତ୍ରିକା “ଶର୍ମିଷ୍ଠା”ରେ “ଝରାଫୁଲର ପ୍ରଶ୍ନ” ନାମରେ ମୋ’ର ଗଳ୍ପଟିଏ ପ୍ରକାଶ ପାଇଥିଲା। ଏଇ ଗପ ପଛରେ ପ୍ରେରଣା ଥିଲା ମୋ’ର ସ୍ନାତକୋତ୍ତର ପଢିବା ସମୟର ଜଣେ ଅନ୍ତରଙ୍ଗ ବାନ୍ଧବୀ ।
ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?
ଇପ୍ସିତ ସୃଷ୍ଟି… ସମୟ ସହିତ ଏମିତି ଅନେକ ଇପ୍ସା ବଦଳି ଚାଲିଛି। ସେଇ ଅନୁସାରେ ସର୍ଜନା କେତେ ପରିମାଣରେ ସାକାର ହେଇଛି, ତାହାର ଆକଳନ କଲେ ହୁଏତ ରୂପାୟନ ତୁଳନାରେ ଅପୂରଣୀୟତାର ଖେଦ ଅଧିକ ହେବ। ଅନେକ ବର୍ଷରୁ ଉପନ୍ୟାସଟିଏ ଦାନା ବାନ୍ଧୁଛି, କିନ୍ତୁ ଅଦ୍ୟାବଧି ସେ ଦିଗରେ ଆଗେଇ ପାରିନାହିଁ।
ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?
ବର୍ତ୍ତମାନର ବୈଷୟିକ ବିଜ୍ଞାନର ବହୁଳ ଉପଯୋଗିତା ଫଳରେ ସାମାଜିକ ଗଣମାଧ୍ୟମ ଫେସବୁକ, ହ୍ଵାଟ୍ସଆପ ଇତ୍ୟାଦିର ବ୍ୟବହାର ସମସ୍ତେ କରୁଛନ୍ତି। ପ୍ରାୟ ନବେ ପଞ୍ଚାନବେ ପ୍ରତିଶତ ସାହିତ୍ୟିକ ଏବେ ଫେସବୁକରେ। ସମସ୍ତେ ନିଜ ପ୍ରକାଶିତ, ଅପ୍ରକାଶିତ ଲେଖାକୁ ଫେସବୁକ ମାଧ୍ୟମରେ ପୋଷ୍ଟ କରୁଛନ୍ତି ଓ ତ୍ଵରିତ ପ୍ରତିକ୍ରିୟା ବି ପାଉଛନ୍ତି। ଜୀବନ ଏବେ ବୁଲେଟ ଟ୍ରେନର ଟ୍ରାକ୍ ରେ ଦୌଡୁଛି, ସମୟ ସଙ୍କୁଚିତ ହେଇ ଯାଉଛି ସାହିତ୍ୟ ପାଇଁ। ଏବେ ୟୁଟ୍ୟୁବ୍, ଫେସବୁକ ଇତ୍ୟାଦି ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଗୁଡିକରେ ପ୍ରତି ଦିନ ବହୁ ନୂଆ ନୂଆ ସାହିତ୍ୟପ୍ରିୟ, ନିଜର ଲେଖା ପୋଷ୍ଟ କରୁଛନ୍ତି। ତନ୍ମଧ୍ୟରୁ ଅନେକଙ୍କଠାରେ ପ୍ରତିଭାର ସମ୍ଭାବନା ଦେଖାଯାଉଛି। ଯେହେତୁ ସାମାଜିକ ଗଣମାଧ୍ୟମର ସାହିତ୍ୟ ଅଣସମ୍ପାଦିତ, ତେଣୁ ଅଗାଡି ରହିବା ସ୍ଵାଭାବିକ। ତେବେ ସାମ୍ପ୍ରତିକ ସମୟରେ ସର୍ଜନାର ପ୍ରଚାର, ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମର ଆବଶ୍ୟକତାକୁ ଏଡ଼ାଇ ଦେଇ ହେବନାହିଁ।
ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ?
ପାଠକୀୟ ପ୍ରତିକ୍ରିୟାକୁ ସର୍ବଦା ଗୁରୁତ୍ୱ ଦିଏ। ପ୍ରତ୍ୟେକ ପାଠକ ନିଜସ୍ଵ ଦୃଷ୍ଟିକୋଣରୁ ଲେଖାର ମାନ ପରଖିଥାଆନ୍ତି। ତେଣୁ ପାଠକୀୟ ମତ, ଅମତ ଉଭୟକୁ ସାଦରେ ଗ୍ରହଣ କରେ। ସକାରାତ୍ମକ ମତ ଖୁସି ଦିଏ । ନକାରାତ୍ମକ ପ୍ରତିକ୍ରିୟା ଆହୁରି ଅଧିକ ସଚେତନ କରାଏ, ଦୋଷତ୍ରୁଟିକୁ ସୁଧାରିବା ଦିଗରେ ଅଧିକ ଯତ୍ନଶୀଳ କରାଏ। ମୋ ମତରେ ଏହା ନକାରାତ୍ମକ ମତ ବୋଲି କହିବା ଠିକ୍ ହେବନି। ଯେଉଁଠି ଯୁକ୍ତିଯୁକ୍ତ ଲାଗେ,ସେଇଠି ନକରାତ୍ମକ ପ୍ରତିକ୍ରିୟାଟି ଗ୍ରହଣଯୋଗ୍ୟ।
ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି?
ମୁଁ ବର୍ତ୍ତମାନରେ ହିଁ ବଞ୍ଚେ। ଜୀବନରେ ଓ ସୃଜନରେ ବି। ଅନେକ କିଛି କରିବାକୁ ଭାବିଲେ ବି କରିହୁଏନି ବିଭିନ୍ନ କାରଣରୁ। ତେବେ, ହଁ, ମୋ ଭିତରେ ଏକ ପ୍ରଗାଢ଼ ଇଚ୍ଛାଟେ ରହିଛି ଯେ ଜୀବନର ଶେଷ ମୁହୂର୍ତ୍ତ ଯାଏଁ ସାହିତ୍ୟର ହାତ ଧରି ଚାଲୁଥିବି।
ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?
ସତ୍ ଲେଖକଟେ ପାଇଁ ପୁରସ୍କାର , ଉପଢୌକନ ଇତ୍ୟାଦି ଅପେକ୍ଷା ପାଠକୀୟ ଆଦୃତି ଓ ପରିଚିତି ଖୁବ୍ ବେଶୀ ମୂଲ୍ୟ ରଖେ। ପୁରସ୍କାର ତା’ କୃତି ପାଇଁ ଏକ ସ୍ଵୀକୃତି। ସେଇ ହେତୁରୁ ପୁରସ୍କାର ଲେଖକଙ୍କୁ ଅଧିକ ପ୍ରେରଣା ଦେଇଥାଏ, ଦାୟିତ୍ବସମ୍ପନ୍ନ କରିଥାଏ। କିନ୍ତୁ, ପୁରସ୍କାର ପାଇଁ ଆସକ୍ତି ଓ ଲାଳସା ଲେଖକର ପ୍ରାକୃତିକ ସର୍ଜନାକୁ ବ୍ୟାହତ କରେ।
ଜଣେ ସଫଳ ଲେଖକ( ଲେଖିକା) କେମିତି ହୋଇ ପାରିବ ?
ଏମିତି ପ୍ରଶ୍ନର ଉତ୍ତରଟି କଣ ହେଇ ପାରେ , ଜାଣିନି। ଏଥିପାଇଁ କିଛି ଲିଖିତ ଫର୍ମାଟ ଅଛି କି? ଲେଖକଟେ ନିଜ ସର୍ଜନକର୍ମ ପ୍ରତି ପ୍ରତିଶ୍ରୁତିବଦ୍ଧ ହେବା ନିହାତି ଆବଶ୍ୟକ। କେତେ ସଫଳ , କେତେ ବିଫଳ ସେକଥା ତା’ର ସୃଷ୍ଟି, ପାଠକ ଓ ସମୟ ହିଁ ନିର୍ଦ୍ଧାରିତ କରିବ।
ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେବେ ?
ବର୍ତ୍ତମାନ ନବପ୍ରଜନ୍ମଙ୍କୁ ପଢିଲେ ମନରେ ଆଶା ସଞ୍ଚାର ହୁଏ ଯେ ମୋ ଭାଷା, ସାହିତ୍ୟରେ ସଙ୍କଟ ନାହିଁ। ତେବେ, ସେମାନେ ଅଧିକରୁ ଅଧିକ ପଢନ୍ତୁ , ଆପଣାର ଶବ୍ଦଭଣ୍ଡାରକୁ ବଢ଼ାନ୍ତୁ। ସାମାଜିକ ପ୍ରତିବଦ୍ଧତା ପ୍ରତି ସଚେତନ ହୁଅନ୍ତୁ। ନିଜକୁ କୌଣସି ଏକ ନିର୍ଦ୍ଦିଷ୍ଟ ବାଦ ଭିତରେ ସୀମିତ ନ ରଖି ବିସ୍ତୃତ ଆକାଶରେ ବିଚରଣ କରନ୍ତୁ ଓ ବାଦମୁକ୍ତ ସୃଜନରେ ବ୍ରତୀ ହୁଅନ୍ତୁ।
Comments are closed.