Latest Odisha News

ସାହିତ୍ୟ ସବୁବେଳେ ଜୀବନର ପ୍ରଥମ ଆବଶ୍ୟକତା : ପରେଶ କୁମାର ପଟ୍ଟନାୟକ

ସମକାଳୀନ ଓଡ଼ିଆ ସାହିତ୍ୟର ଗଳ୍ପ ଜଗତରେ ପରେଶ କୁମାର ପଟ୍ଟନାୟକ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ । ସ୍ଵତନ୍ତ୍ର ତାଙ୍କର କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟିଉଠି ପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ଶବ୍ଦ ବିନ୍ୟାସ, ଚରିତ୍ର ଚିତ୍ରଣ ଏବଂ ନିତିଦିନିଆ ଜୀବନର ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରସଂଶା କରିବାପାଇଁ।

ଅବଶିଷ୍ଟାଂଶ , ଈଶ୍ୱର ଅନିଶ୍ଵର, ଭାସି ଯା’ ମୋର କାଗଜ ଡଙ୍ଗା, ଶ୍ବାନ ବୃତ୍ତାନ୍ତ ଆଦି ପୁସ୍ତକ ସହ ଶତାଧିକ ଗଳ୍ପର ସେ କାଳଜୟୀ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ।

ଗାଳ୍ପିକ ପରେଶ କୁମାର ପଟ୍ଟନାୟକଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

କେଉଁ ସ୍ରଷ୍ଟାଙ୍କ ସୃଷ୍ଟି, ଆପଣଙ୍କୁ ସାହିତ୍ୟମନସ୍କ କରାଇଲା ?

ମୋର ସମସ୍ତ ପୂର୍ବସୂରୀଙ୍କ ସାହିତ୍ୟ ଦ୍ୱାରା ମୁଁ ପ୍ରଭାବିତ ଓ ସେଇମାନଙ୍କ ଲେଖା ପଢ଼ି ମୋ ମନରେ ଲେଖକ ହେବାର ଆଶା ଜାଗିଥିଲା। ଶ୍ରଦ୍ଧା ଓ ସମ୍ମାନର ସହ ମୁଁ ସେମାନଙ୍କୁ ସ୍ମରଣ କରୁଛି।

ସାହିତ୍ୟ ଓ ଜୀବନ କିପରି ଭାବରେ ପରସ୍ପର ସହ ଜଡ଼ିତ?

ଜୀବନ ଖୁବ ବଡ଼ । ବ୍ୟାପକ ତା’ର କାନଭାସ । ସାହିତ୍ୟ ଏକ ମାଧ୍ୟମ , ଯାହା ଜୀବନର ଚିତ୍ର ଆଙ୍କେ । ସରୁ ନଥାଏ ଚିତ୍ର ଆଙ୍କିବା । ଚାଲିଛି ଚିତ୍ରାଙ୍କନ ଓ ସାହିତ୍ୟର ନୂତନ ସୃଜନ ହେଉଛି ।

ଗପ ଲେଖିବା ଏବଂ ଗାଳ୍ପିକ ଭାବରେ ପରିଚିତ ହେବାର ଯାତ୍ରା କିପରି ଥିଲା ?

ସାହିତ୍ୟ ସହିତ ସମ୍ପୃକ୍ତି , ବେଶ କିଛି ବର୍ଷର । ଏହି ଯାତ୍ରା ଖୁବ ଚମକପ୍ରଦ । ଏହି ମାଧ୍ୟମରେ କିଛି ଜଣଙ୍କ ସହିତ ବନ୍ଧୁତା ହେଲା । କାହାରି କାହାରି ସହିତ ସମ୍ପର୍କ ବଢ଼ିଲା । ଏବେ ହିସାବ କରି ଦେଖୁଛି ଯେ, ମୋର ବନ୍ଧୁ ତାଲିକାରେ ଯେଉଁମାନେ ଅଛନ୍ତି ସେମାନେ ସମସ୍ତେ ପ୍ରାୟ ସାହିତ୍ୟ ସହ ସମ୍ପୃକ୍ତ। ମୁଁ ଯାହା ଯେମିତି କଥା ବାର୍ତ୍ତା କରେ , ସେ ସବୁ ମଧ୍ୟ ସାହିତ୍ୟ ସମ୍ପର୍କୀତ। ମନେହୁଏ ଏଇ ଜୀବନଟି ଯେମିତି ସାହିତ୍ୟଭରା ହୋଇ ଯାଇଛି। ଏମିତି ବି ମୋର କେହି ବନ୍ଧୁ ସମ୍ପର୍କୀୟ , ଯେଉଁମାନେ ସାହିତ୍ୟର ଧାର ଧାରନ୍ତି ନାହିଁ , ମୋ ସହ ଦେଖାହେଲେ ପଚାରନ୍ତି ” କଣ ଲେଖା ଲେଖି ଚାଲିଛି ନା ?” ସାହିତ୍ୟ ମୋର ପରିଚୟରେ ପରିଣତ ହୋଇଯାଇଛି ଯେପରି ।

ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ କେବେ ବାଧକ ସାଜିଛି କି? ଯଦି ହଁ, ତାହେଲେ ତାର ସାମ୍ନା କିପରି କରିଛନ୍ତି ?

ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ ବାଧକ ହେବା ସ୍ୱାଭାବିକ। ଯେତେ ଯାହା ହେଲେ ବି ଲେଖକ ଏକ ସାମାଜିକ ପ୍ରାଣୀ। ସେ ସମାଜ ଭିତରେ, ପରିବାର ଭିତରେ, ବୃତ୍ତି ଭିତରେ ବଞ୍ଚିଥାଏ । ସବୁ କ୍ଷେତ୍ରରେ ଜଣେ ସଫଳ ହେବା ସମ୍ଭବ ନୁହେଁ। ଯିଏ ଭଲ ସଂସାରୀ ହୁଏ, ସେ ଭଲ କଳାକାର ହୋଇ ପାରେନା। ଯିଏ ଭଲ ଚାକିରୀଆ, ହୁଏ ସେ ଭଲ ସଂସାରୀ ହୋଇପାରେନା। ଯିଏ ସବୁଠି ଭଲ ହେବାକୁ ଚାହେଁ, ସେ କେଉଁଠି ବି ଭଲ ହୋଇ ପାରେନା। ସବୁଯାକ କ୍ଷେତ୍ର ଲୋକଟିଠାରୁ ଗୁରୁତ୍ୱତାy) ଦାବୀ କରନ୍ତି। ଏମିତିରେ କାଳ ଗର୍ଭରେ ବ୍ୟକ୍ତିଗତ ଜୀବନ ହଜିଯାଏ। ସାହିତ୍ୟିକ ଜୀବନ ବଞ୍ଚି ରହେ। କାଳିଦାସ ଲେଖକ ଭାବରେ ବଞ୍ଚି ରହିଛନ୍ତି। ବ୍ୟକ୍ତିଗତ ଜୀବନରେ ସେ ସୁରାସକ୍ତ ବା ବେଶ୍ୟାସକ୍ତ ଥିଲେ କି ନାହିଁ ତାହା ଆଜି ଅପ୍ରାସଙ୍ଗିକ ।

ଜୀବନରେ ଗୁରୁତ୍ୱତାକୁ ବୁଝିବା ଇ ହେଉଛି ବଡ଼ କଥା। ସାହିତ୍ୟ ମୋ ପାଇଁ ପ୍ରଥମ ଆବଶ୍ୟକତା ହୋଇଯାଇଛି ଏବଂ ଅନ୍ୟ ସବୁ କ୍ଷେତ୍ରରେ ମୁଁ ବିଫଳ ହେବାକୁ ବାଧ୍ୟ । ଅବଶ୍ୟ ସାହିତ୍ୟରେ ବି ମୁଁ ବିଫଳ, ତାହା ଏକ ଭିନ୍ନ ଦୃଷ୍ଟିକୋଣରୁ । କିନ୍ତୁ ଆଶ୍ୱାସନା ଏତିକି ଯେ ମୁଁ ନିଜ ରୁଚିରେ ଏ ଜୀବନ ବାଛି ନେଇଛି ଓ ମୁଁ ଖୁସି ଏ ସାହିତ୍ୟିକର ଜୀବନ ପାଇଁ।

କୁହାଯାଉଛି ଗପ ଏବେ ଗଣଚେତନାରୁ ଦୂରେଇଯାଉଛି। ସେ ବିଷୟରେ କ’ଣ କହିବେ ?

କେଉଁ ଗଳ୍ପ ଗଣଠାରୁ ଦୂରେଇ ଯାଇଛି ? ଆଜିର ଗଳ୍ପ ? ଯଦି ଆଜିର ଗଳ୍ପ ଗଣଠାରୁ ଦୂରେଇ ଯାଇଛି ତେବେ ପାଠକମାନେ ଦୁଃଖିତ ହେବାର କୌଣସି କାରଣ ନାହିଁ। ସେମାନେ ଗତ କାଲିର ଗଳ୍ପ ପଢ଼ନ୍ତୁ। ଆମ ସାମନାରେ ସାହିତ୍ୟରେ ବିଶାଳ ଭଣ୍ଡାର ପଡ଼ି ରହିଛି। ଆଜିର ଲେଖକ ପସନ୍ଦ ନ ଆସିଲେ ସେମାନେ ଫକିର ମୋହନ, ସୁରେନ୍ଦ୍ର ମହାନ୍ତି ବା ମନୋଜ ଦାସଙ୍କୁ ଖୋଜନ୍ତୁ । ଏଇ ବିଶିଷ୍ଟ ଲେଖକମାନଙ୍କୁ ଖୋଜା ପଡ଼ୁଥିବାର ତ ଦେଖାଯାଉନି । ମନେ ହୁଏ, ନ ପଢୁଥିବା ଲୋକ ହିଁ ଏମିତି ଅଭିଯୋଗ କରନ୍ତି । ନ ପଢିବାର ଇଏ ଗୋଟେ ବାହାନା ।

ସମକାଳୀନ ସାହିତ୍ୟ ପାଠକ କମ ଓ ଲେଖକ ଅଧିକ ସୃଷ୍ଟି କରୁଛି ବୋଲି ଅନେକ ମତ ଦିଅନ୍ତି । ଏପରି କାହିଁକି ହେଉଛି ବୋଲି ଆପଣ ଭାବୁଛନ୍ତି ?

ସମକାଳରେ ପାଠକ କମ ଓ ଲେଖକ ବେଶିର ଅଭିଯୋଗ ସତ୍ୟ ହୋଇପାରେ। ଲେଖକ ସଂଖ୍ୟା ବୃଦ୍ଧି ଆଶ୍ୱସ୍ତିର ବିଷୟ । ମାତ୍ର ପାଠକ ସଂଖ୍ୟା ହ୍ରାସ ନିଶ୍ଚିତ ଭାବରେ ଦୁଃଖଦ । ଏମିତିରେ ଓଡ଼ିଆମାନେ କେବେ ବି ଖୁବ୍ ସାହିତ୍ୟପ୍ରିୟ ନଥିଲେ । ଏମିତି ନୁହେଁ ଯେ ଫକୀର ମୋହନଙ୍କ ବହି ଲକ୍ଷ ଲକ୍ଷ ସଂଖ୍ୟାରେ ବିକ୍ରି ହୋଇଥିଲା। “ଦେଶ କାଳ ପାତ୍ର” ପୁସ୍ତକରେ ଜଗନ୍ନାଥ ପ୍ରସାଦ ଦାସ ଲେଖିଛନ୍ତି ଯେ, ମାତ୍ର ଚାରି ଜଣ ମଫସଲିଆ ଲୋକ ଫକୀରମୋହନଙ୍କ ଛ ମାଣ ଆଠଗୁଣ୍ଠକୁ ଉତ୍କଳ ସାହିତ୍ୟରେ ପଢ଼ି ରାମଚନ୍ଦ୍ର ମଙ୍ଗରାଜର ବିଚାର ଦେଖିବାକୁ କଟକ ଆସିଥିଲେ। ମାତ୍ର ଓଡ଼ିଆ ବକ୍ତାମାନେ କୁହନ୍ତି ଯେ କୋଉଠି ଶହ ଶହ ସଂଖ୍ୟାରେ ଲୋକ ଆସିଥିଲେ ସେହି କାଳ୍ପନିକ ଚରିତ୍ରର ବିଚାର ଦେଖିବା ପାଇଁ ।

ଅନେକ ବର୍ଷ ତଳେ ରାଜା ପ୍ରତାପ ରୁଦ୍ର ଦେବଙ୍କ ସମୟରେ ଓଡ଼ିଶାର ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା କରାଯାଇଥିଲା। ଭାଗବତ ପଢ଼ିବା ଓ ଶୁଣିବା ପାଇଁ ସେ ବ୍ୟବସ୍ଥା କରାଯାଇଥିଲା। ମାତ୍ର ଲୋକମାନେ ଭାଗବତ ଟୁଙ୍ଗୀକୁ ଭାଗବତ ଗାଦି କରିଦେଲେ । ଭାଗବତକୁ ପଢିବା ଶୁଣିବା ବଦଳରେ ପୂଜା କରିବା ଆରମ୍ଭ କଲେ। ହରିବୋଲ ହୁଳହୁଳିରେ ମାତି ରହିଲେ। ମୁଁ ଏପରି ଲୋକଙ୍କୁ ମଧ୍ୟ ଭେଟିଛି ଯେଉଁମାନେ କୁହନ୍ତି ଓଡ଼ିଆ ବହି ଆମେ କାହିଁକି ପଢିବୁ ? କଣ ଅଛି ସେଥିରେ? ମୁଁ ସେମାନଙ୍କୁ ପଚାରେ, ଆପଣ କଣ କଣ ପଢିଛନ୍ତି କୁହନ୍ତୁ । ସେମାନେ ଉତ୍ତର ଦେଇପାରନ୍ତି ନାହିଁ । ବହୁ ଭାବିଚିନ୍ତି ସେ ଯାହା କହନ୍ତି ତାହା ସେ ତାଙ୍କ ପିଲା ଦିନେ ପଢିଥିଲେ । ନ ପଢିବା ପାଇଁ ଯେଉଁମାନେ ବାହାନା କରନ୍ତି ସେମାନଙ୍କୁ ପାରି ହେବ ନାହିଁ।

‘ଶ୍ଵାନ ବୃତ୍ତାନ୍ତ’ ଆପଣଙ୍କର ଏକ ଚର୍ଚ୍ଚିତ ଗଳ୍ପ ସଙ୍କଳନ । ସେ ବିଷୟରେ କିଛି କହିବେ ?

ଶ୍ବାନ ବୃତ୍ତାନ୍ତ ମୋର ଏକ ଅନ୍ୟତମ ଗଳ୍ପ ସଙ୍କଳନ । ଏହା ଚର୍ଚ୍ଚିତ କି ନା ତାହା କହି ପାରିବି ନାହିଁ । ଗୋଟିଏ ବହିକୁ ଖୁବ୍ ଚର୍ଚ୍ଚିତ ବୋଲି କୁହାଯାଏ ଯେତେବେଳେ ତାହା ବିପୁଳ ସଂଖ୍ୟାରେ ବିକ୍ରୀ ହୁଏ ଅବା ତା’ ବିଷୟରେ ଆଲୋଚନା ହୁଏ। ଏପରି କିଛି ହୋଇଥିବାର ସୂଚନା ମୋ ପାଖରେ ନାହିଁ। ଏହା ଏକ ଥିମାଟିକ ଗଳ୍ପ ସଙ୍କଳନ । ଯେଉଁଥିରେ ପ୍ରାୟ ସମସ୍ତ ଗଳ୍ପରେ କୁକୁର ଚରିତ୍ର ରହିଛି। କିଛି ପାଠକଙ୍କୁ ଏହା ଆମୋଦିତ କରି ପାରିଲେ ମୁଁ ଖୁସି ହେବି ନିଶ୍ଚୟ।

ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ନିଃସନ୍ଦେହରେ ମୁଁ ମୋ ଗଳ୍ପର ବଡ଼ ପାଠକ ଏବଂ ସମୀକ୍ଷକ। ମାତ୍ର ସେ କାର୍ଯ୍ୟ ଅଧାରୁ ଛାଡି ଦେବାକୁ ହୁଏ। ଏତେ ଦୋଷ ତ୍ରୁଟି ସାମ୍ନାକୁ ଆସେ ଯେ ସଂଶୋଧନ କରିବାକୁ ଲୋଭ ହୁଏ। ମୁଁ ମାର୍ଜନା କରିବାକୁ ଲାଗିଯାଏ ତ ଶେଷରେ ଦେଖେ, ଗଳ୍ପ ଆଉ ଗଳ୍ପ ହୋଇ ରହି ନାହିଁ । ତାହା ଶେଷ ହୋଇଯାଇଛି । ନିଶ୍ଚିହ୍ନ ହୋଇ ଯାଇଛି । ତେଣୁ ବାଧ୍ୟ ହୋଇ ଗଳ୍ପଗୁଡିକୁ ଅମାର୍ଜିତ ଛାଡି ଦେଉଛି। ଅମାର୍ଜିତ ବି କାହାକୁ ଭଲ ଲାଗିପାରେ।

ଆମ ଭାଷା ସାହିତ୍ୟର ଉନ୍ନତି ପାଇଁ ଆମେ କିପରି ଯତ୍ନବାନ ହୋଇ ପାରିବା ?

ସମସ୍ୟା ତ ଅନେକ। ସମାଧାନର ରାସ୍ତା ସୀମିତ। ଏବେ ସରକାର ସ୍ଥିର କରିଛନ୍ତି ଯେ ଇଂଜିନିୟରିଂ ପାଠ୍ୟକ୍ରମରେ ଓଡ଼ିଆ ସାମିଲ ହେବ। ତାହାର ସପକ୍ଷ ଓ ବିପକ୍ଷ ମତ ବି ଶୁଣିବାକୁ ମିଳୁଛି । ମୋ ମତରେ ଭାଷାଟି ବଞ୍ଚି ରହୁ। ଏହି ଭାଷା ଥିଲା ବୋଲି ଆମେ ଏହି ଭାଷା ଭିତ୍ତିକ ପ୍ରଦେଶଟି ପାଇଲେ । କିନ୍ତୁ ଭାଷାର ବ୍ୟବହାର ଏପରି କମିବାରେ ଲାଗିଛି ଯେ ଆମେ ଅଜାଣତରେ ପରାଧିନତା ଆଡ଼କୁ ମାଡ଼ି ଯାଉଛେ । ଏପରି ଲାଗି ରହିଲେ ଓଡ଼ିଆ କେବଳ ଏକ କଥିତ ଭାଷା ହୋଇଯିବ । ଏକଥା ଭାବିଲେ ଦୁଃଖ ଲାଗୁଛି। ନୂଆ ପିଢୀର ପିଲାମାନଙ୍କୁ ଭାଷା ସାହିତ୍ୟ ପ୍ରତି ଆଗ୍ରହୀ କରି ପାରିଲେ ହିଁ କିଛିଟା ସମାଧାନ ହୋଇ ପାରିବ। ଲେଖକଙ୍କୁ ବହୁତ ପୁରସ୍କାର ମିଳୁଛି , ସମ୍ବର୍ଦ୍ଧନା ମିଳୁଛି ଏବେ ପାଠକଙ୍କୁ ମିଳୁ। ପାଠକ ସଂଖ୍ୟା ବଢ଼ାଇବା ପାଇଁ ସୁଚିନ୍ତିତ ଯୋଜନା ହେଉ ।

Comments are closed.