ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ଡ. ଫନୀ ମହାନ୍ତି । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଜୀବନ ଦର୍ଶନର ନିଖୁଣ ଛାପ ।
ମାନଚିତ୍ର , ମାୟା ଦର୍ପଣ, ଅହଲ୍ୟା, ବିଷାଦଯୋଗ , ପ୍ରିୟତମା, ମୃଗୟା, ସୁନୟନା, ବଂଶୀ ବାଦକ , ଚିତ୍ରନାରୀ, ଚିତ୍ର ପ୍ରତିମା, ଦ୍ଵିତୀୟ ଈଶ୍ୱର, ଅର୍ଦ୍ଧନାରୀଶ୍ୱର , ପୁଷ୍ପଧନୁ , କେବଳ ପ୍ରେମରେ, ଦିନେ ଦିନେ , କଥା ସବୁ ଅଧା ରହିଗଲା ( କବିତା ସଙ୍କଳନ ) , କାଳ ସର୍ପ ( ଗଳ୍ପ ) , ଫନୀ ମହାନ୍ତିଙ୍କ କାବ୍ୟ ବିଶ୍ୱ ( ସମାଲୋଚନା ) ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା।
ସଂଯୋଗ , ଶ୍ରୀ , ଶହେ ବର୍ଷର ଓଡ଼ିଆ କବିତା ( ଇଂରାଜୀ ) ସମକାଳୀନ ଓଡ଼ିଆ କବିତା ( ହିନ୍ଦୀ ) ଆଦି ପୁସ୍ତକର ସେ ଜଣେ ସଫଳ ସମ୍ପାଦକ। ଏହା ସହ ଇଂରାଜୀ , ହିନ୍ଦୀ , ବଙ୍ଗଳା , ସାନ୍ତାଳୀ ଓ ସଂସ୍କୃତ ଭାଷାର ଅନେକ କବିତାର ସେ ଜଣେ ସଫଳ ଅନୁବାଦକ। ତାଙ୍କର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର , କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର , ଭାନୁଜୀ ରାଓ କବିତା ସମ୍ମାନ , ସଂସ୍କୃତି ସମ୍ମାନ , ସଚ୍ଚି ରାଉତରାୟ କବିତା ସମ୍ମାନ ଓ ସାହିତ୍ୟ ଶିଖର ସମ୍ମାନ ସହ ଆହୁରି ଅନେକ ଅନୁଷ୍ଠାନ ଓ ସାହିତ୍ୟ ସଂସଦ ତରଫରୁ ସେ ସମ୍ମାନିତ ଓ ସମ୍ବର୍ଦ୍ଧିତ।
ଓଡ଼ିଆ ସାହିତ୍ୟର ମହାନ ପ୍ରତିଭା ଡ . ଫନୀ ମହାନ୍ତିଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ।
ସୃଷ୍ଟିର ମୌଳିକ ଅବଧାରଣାଟି କ’ଣ ?
ଉତ୍ତର : ସୃଷ୍ଟିର ଅବବୋଧ ସମ୍ପର୍କରେ ବୈଜ୍ଞାନିକ ଓ ଦାର୍ଶନିକ ମାନେ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ନିଜ ନିଜର ମତାମତ ରଖିବେ । କିନ୍ତୁ , ମୁଁ ଏଠାରେ ନିଜର ଅଭିମତ ରଖିବି ସର୍ଜନକ୍ରିୟାର ଅବବୋଧ ବିଷୟରେ । ସର୍ଜ୍ଜନଶୀଳତାରେ ଲିପ୍ତ ବ୍ୟକ୍ତି ତା ନିଜର ଅନ୍ତଃପ୍ରକୃତି ଓ ବର୍ହି ପ୍ରକୃତି ମଧ୍ୟରେ ଥିବା ସାମଞ୍ଜସ୍ୟକୁ ଆଧାର କରି ସତ୍ୟର ଅନୁସନ୍ଧାନ କରେ । ବୋୖଜ୍ଞାନିକର ଯାତ୍ରାପରିଧିରୁ କେନ୍ଦ୍ରକୁ ଏବଂ ବ୍ୟକ୍ତିର ଯାତ୍ରା କେନ୍ଦ୍ରରୁ ପରିଧିକୁ । ବୈଜ୍ଞାନିକ ଭାଷା ଯୁକ୍ତି ଓ ପ୍ରମାଣ ଉପରେ ଆଧାରିତ ଅଥଚ ବ୍ୟକ୍ତିର ( ସ୍ରଷ୍ଟାର ) ଭାଷା ବିଶ୍ୱ ଚେତନାର ଅଂଶ ବିଶେଷ । ବିନ୍ଦୁରୁ ସିନ୍ଧୁକୁ ତାର ଯାତ୍ରାପଥ । ଜୀବଦ୍ଦଶାରେ ସେ ମୃତ୍ୟୁର ସାମ୍ନା କରେ । ତା ଚାରିପାଖର ଦୃଶ୍ୟ ଜଗତରେ ଘଟୁଥିବା ଘଟଣାକୁ ଦେଖି ଓ ସେଇ ଘଟଣା ଯଦି ତାର ହୃଦୟକୁ ଦୁଃଖ ଯନ୍ତ୍ରଣାରେ ସନ୍ତୁଳିତ କରି ବସେ , ସେ ତାକୁ ହିଁ ନେଇ ନିଜ ଭାଷାରେ ରୂପ ଦେବାକୁ ପ୍ରୟାସ କରିଥାଏ । ନିଜ ଅନୁଭବର ବିଶାଳତା ଓ ଅନୁଭୂତିର ଗଭୀରତା ସମ୍ପର୍କରେ ବ୍ୟକ୍ତି ଯେତିକି ସଚେତନ ହୁଏ , ସ୍ରଷ୍ଟାର ସୃଷ୍ଟି ପ୍ରକ୍ରିୟା ସେତିକି ସକ୍ରିୟ , ଜୀବନ୍ତ ଓ ପ୍ରାଣସ୍ପର୍ଶୀ ହୋଇଥାଏ । ସର୍ଜନଶୀଳତା ପଛରେ ସ୍ନିଗ୍ଧତା ଓ ସମ୍ଭାବନା ହିଁ ରହିଥାଏ । ବ୍ୟକ୍ତି ଚେତନାର ପ୍ରଧାନ ଗୁଣ ହେଲା ପ୍ରେମ । ପ୍ରେମହୀନ ଜୀବନ ସର୍ଜନକ୍ଷମ ନୁହେଁ । ପ୍ରେମ ଏକ ମହାନୁଭବ , ଏକ ଆଧ୍ୟାତ୍ମିକ ମହାନନ୍ଦ । ଏହା ଲୌକିକ ସ୍ତରରେ ଆଦୌ ସୀମିତ ନୁହେଁ । ଚେତନାର ଉନ୍ମେଷ ସହ ବ୍ୟକ୍ତି ପ୍ରେମ ଲୌକିକ ସ୍ତରରୁ ଉର୍ଦ୍ଧ୍ୱମୁଖୀ ହୋଇ ଅଲୌକିକ ସ୍ତରକୁ ଯାତ୍ରାରମ୍ଭ କରେ ଓ ବ୍ରହ୍ମାତୀୟ ପ୍ରେମରେ ପରିଣତ ହୋଇଥାଏ । କବି ପ୍ରେମରେ ଏକ ସ୍ୱତନ୍ତ୍ର ଆବେଗ ଓ ମୂଲ୍ୟବୋଧ ରହିଛି । କବି ପାଇଁ ପ୍ରେମ ଏକ ମଧୁର ଯନ୍ତ୍ରଣା ଓ ମଧୁର ମୃତ୍ୟୁ। ସ୍ବପ୍ନ ଓ ସୃଜନ ପରସ୍ପରର ପରିପୂରକ। ନିଜ ସୃଷ୍ଟି ସମ୍ଭାରର ବିକାଶ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ । ସର୍ଜନକ୍ରିୟାର ଅବବୋଧ କହିଲେ ମୋଟାମୋଟି ଭାବେ ମୁଁ ଏହାହିଁ ବୁଝେ । ଅନ୍ତରମୟ କୋଷଠାରୁ ଆନନ୍ଦମୟ କୋଷ ପର୍ଯ୍ୟନ୍ତ କାବ୍ୟ କବିତାର ମହାଯାତ୍ରା । ନିଜ ବାଗ ଓ ଢଙ୍ଗରେ , ନିଜ କଳା କୌଶଳରେ , ସ୍ବପ୍ନ ଓ ସୃଜନ ପରସ୍ପର ପରିପୂରକ । ସୃଷ୍ଟିର ପ୍ରସାର ଓ ଭୁୟୋ ବିକାଶ ଏହା ଉପରେ ନିର୍ଭରଶୀଳ , ସତ୍ୟ ଶିବ ଓ ସୁନ୍ଦରର ଆବାହନ ପାଇଁ ।
କବିତାର ବ୍ୟାଖ୍ୟା କେମିତି କରିବେ ?
ଉତ୍ତର : ଜୀବନ ଜିଜ୍ଞାସା ଓ ଜଗତ ଜିଜ୍ଞାସାର ବୃହତ୍ତର ବଳୟ ଭିତରେ ଥାଏ କାବ୍ୟ କବିତାର କେନ୍ଦ୍ରବିନ୍ଦୁ। ବିନ୍ଦୁରୁ ସିନ୍ଧୁକୁ ଯାତ୍ରା ହିଁ ସ୍ରଷ୍ଟାର ମୂଳ ଲକ୍ଷ୍ୟ କିନ୍ତୁ ଏହି ପ୍ରକ୍ରିୟାର ପାଦେ ପାଦେ ଥାଏ ବ୍ୟର୍ଥତା , ଅସଫଳତା, ଶାବ୍ଦିକ ଛଳନା , ଶୈଳୀଗତ ଉତ୍ସୃଙ୍ଖଳତା , ଦୁର୍ବାର ରହସ୍ୟମୟତା ଓ ମାତ୍ରାଧିକ ବୌଦ୍ଧିକତା ବା ପ୍ରଜ୍ଞାପ୍ରବଣତା ସର୍ଜନଶୀଳତାରେ ବାଧା ସୃଷ୍ଟି ମଧ୍ୟ କରିଥାନ୍ତି। ଏଥିପ୍ରତି ସ୍ରଷ୍ଟା ଓ ସୃଷ୍ଟି କ୍ରିୟାରେ ତଲ୍ଲୀନ ଥିବା ବେଳେ ସତର୍କତା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ । ବ୍ୟକ୍ତି ଚେତନାର ମୌଳିକ ଗୁଣ ହେଲା ପ୍ରେମ। ସମ୍ପର୍କରୁ ପ୍ରେମର ସୃଷ୍ଟି। ପ୍ରେମ ନଥିଲେ ସୃଷ୍ଟି ସମ୍ଭବ ନୁହେଁ। ସେଥିପାଇଁ କୁହାଯାଏ ପ୍ରେମ ନାହିଁ ତ ସୃଜନଶୀଳତା ନାହିଁ। ବିଶାଳ ଦୃଷ୍ଟିଭଙ୍ଗୀ ନେଇ ନିଜକୁ , ସଚରାଚର ବିଶ୍ୱକୁ ଦେଖିବାକୁ ହେବ , ବୁଝିବାକୁ ହେବ , ଅନୁଭବିବାକୁ ହେବ। ନିଜ ସାଙ୍ଗେ ନିଜେ ସାରା ଜୀବନ ଯୁଝିବାକୁ ହେବ। ପ୍ରେମ ଓ ସୌନ୍ଦର୍ଯ୍ୟର ଉପାସନା କରିବାକୁ ହେବ। ଚିରନ୍ତନ ସତ୍ୟର ଲକ୍ଷ୍ୟ ପ୍ରାପ୍ତି ଆଶାରେ କବିତା ନୀରବତାର ସତ୍ୟପାଠ। କବିତା ଆମ ଆତ୍ମାର ସ୍ୱର, ସଂସ୍କୃତିର ମୂଲ୍ୟବାନ ଦସ୍ତାବିଜ। ଅନ୍ଧ ଅନୁକରଣରୁ ତତ୍ତ୍ଵ ଓ ଦର୍ଶନରୁ ଦ୍ଵିଧାବିଭକ୍ତ ବିଖଣ୍ଡିତ ଜୀବନଚର୍ଯ୍ୟାରୁ ସମସାମୟିକ ମାତ୍ରାଧିକ ଘଟଣା ପ୍ରବାହରୁ କବିତା ମୁକ୍ତି ଚାହେଁ। ବ୍ୟକ୍ତି ଚେତନା ସାର୍ବଜନୀନ , ସର୍ବକାଳୀନ ଓ ଚିରନ୍ତନ ହେବା ସମ୍ଭବ। ଯେତେବେଳେ ତାହା ମହାସାଗରୀୟ ବା ବ୍ରହ୍ମାଣ୍ଡୀୟ ଚେତନାରେ ମିଳିମିଶି ଏକ ହୋଇଯିବ। କେବଳ ଶବ୍ଦ ନୁହେଁ, ଭାଷା ନୁହେଁ , ଚିତ୍ରକଳ୍ପ , ପ୍ରତୀକ , କି ମିଥ ନୁହେଁ କି କାଳଖଣ୍ଡ ନୁହେଁ ବରଂ ସେ ସବୁର ମଧୁର ସମନ୍ଵୟରୁ ସୃଷ୍ଟି ହୋଇ ପାରିବ ଉଚ୍ଚାଙ୍ଗ କଳାତ୍ମକ ସୃଷ୍ଟି ପ୍ରଭା। ଏହା ହିଁ ସ୍ରଷ୍ଟାର ଆତ୍ମିକ ଅନ୍ୱେଷଣ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଓଡ଼ିଆ ସାହିତ୍ୟରେ କବିତାର ପ୍ରଭାବ କେମିତି ? ରୀତି ଯୁଗର କବିତା ଓ ଏବେର କବିତା ଭିତରେ କଣ ପରିବର୍ତ୍ତନ ଘଟିଛି ବୋଲି ଆପଣ ଭାବନ୍ତି ?
ଉତ୍ତର : ହଜାରେ ବର୍ଷରୁ ଉର୍ଦ୍ଧ୍ବକାଳ ଆମ କାବ୍ୟ କବିତା ସାହିତ୍ୟର ବିଭିନ୍ନ ବିଭାଗ ମଧ୍ୟରେ ପ୍ରଥମ ସ୍ଥାନରେ ହିଁ ରହି ଆସିଛି । ରୀତିଯୁଗଠାରୁ ଏଯାବତ ଭିନ୍ନଭିନ୍ନ ବାଗ ଓ ଢଙ୍ଗରେ , ସ୍ୱର ଓ ମୂର୍ଚ୍ଛନାରେ ଶୈଳୀ ଓ ଭାଷା ବିନ୍ୟାସରେ ରସୋତୀର୍ଣ୍ଣ ହୋଇ ଆତ୍ମ ପ୍ରକାଶ କରିବା ସହିତ ବିପୁଳ ପରିମାଣରେ ପାଠକୀୟ ସ୍ୱୀକୃତି ଲାଭ କରିଛି , ଏଥିରେ ଦ୍ବି ମତ ନାହିଁ । ଏହା ଭାରତୀୟ ସାହିତ୍ୟର କାବ୍ୟ ଜଗତରେ ଏକ ବିରଳ ଘଟଣା । ଛନ୍ଦୋଶ୍ରୟୀ କବିତା , ମୁକ୍ତଛନ୍ଦର କବିତା ଓ ଗୀତି କବିତା ପ୍ରାବଲ୍ୟ ଆମ ସାହିତ୍ୟର ବିଶେଷତ୍ୱ । ଆମ କବିତାରେ ବିଗତ କିଛି ବର୍ଷ ଧରି ସମସାମୟିକ ଘଟଣାବଳୀ ଉପରେ ମାତ୍ରାଧିକ କବିତା ଲେଖା ଯାଉଛି । କବିମାନେ ସମ୍ବାଦପତ୍ରର ଚମକପ୍ରଦ ଘଟଣାକୁ ଆଧାର କରି ସେଥିରେ କାଳ୍ପନିକ ପୁଟ ଦେଇ କବିତା ଲେଖୁଛନ୍ତି ଓ ନିଜ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରୁଛନ୍ତି । କେତେକ କ୍ଷେତ୍ରରେ କବିତାର ମେଟାଫର ଓ ପ୍ରତୀକ ପର୍ଯ୍ୟାପ୍ତ ପରିମାଣରେ ମଧ୍ୟ ବ୍ୟବହାର ହେଉଛି ଓ ଶାବ୍ଦିକ ଛଳନା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଚିରନ୍ତନ ସାହିତ୍ୟ ସୃଷ୍ଟି ସମ୍ଭାରରେ ଆମ କାବ୍ୟ କୋଣାର୍କ ଦ୍ଧିମନ୍ତ ହେବା ଆବଶ୍ୟକ । ସମସାମୟିକ ଘଟଣା ସର୍ବାନ୍ତକରଣରେ ସାର୍ବଜନୀନ ଘଟଣା ନୁହେଁ । ସେଥିପ୍ରତି ନିଘା ରଖିବା କବିର ଜନ୍ମୋଚିତ ଧର୍ମ । ମୋର ଏ ମତ ସହିତ ଅନ୍ୟମାନେ ରାଜି ନହୋଇ ପାରନ୍ତି ; ଏହା ବି ସତ୍ୟ ଯେ ପ୍ରତ୍ୟେକ ବ୍ୟକ୍ତିର ଆତ୍ମିକ ଅନ୍ୱେଷଣ ଅନ୍ୟଠାରୁ ଭିନ୍ନ ହେବା ମଧ୍ୟ ବ୍ୟକ୍ତିଗତ ବ୍ୟାପାର ।
ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ଧାରାରେ ସାହିତ୍ୟ ଅଗ୍ରଗତି କରୁ ନାହିଁ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?
ଉତ୍ତର : ଆଜିକାଲି ଆମ ସାହିତ୍ୟରେ ଯେତେ ବହି ପ୍ରକାଶ ପାଉଛି ତନ୍ମଧ୍ୟରେ କାବ୍ୟ କବିତା ଗ୍ରନ୍ଥ ପ୍ରକାଶନର ସ୍ଥାନ ସର୍ବୋଚ୍ଚ ସ୍ତରରେ ଥିବା ଦେଖା ଯାଉଛି। ରାଶି ରାଶି କବିତା ସଙ୍କଳନ ପ୍ରକାଶନ, ପାଠକାର୍ପଣ, କାବ୍ୟପାଠ, ଚର୍ଚ୍ଚା, ସମୀକ୍ଷା, ଆଲୋଚନା ଓ ନିବନ୍ଧ ଇତ୍ୟାଦି ବହୁଳ ପରିମାଣରେ ଲେଖା ହେଉଛି। ଅଧିକାଂଶ ସ୍ଥଳେ ଏହା ପ୍ରାୟୋଜିତ ବୋଲି ପାଠକେ ଅନୁଭବ କରୁଛନ୍ତି। ପୂର୍ବ ଅପେକ୍ଷା ପ୍ରକାଶନ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ଘଟିଛି। ସାମାଜିକ ଗଣମାଧ୍ୟମ, ବୈଦୁତିକ ମିଡ଼ିଆ ମଧ୍ୟ ଏ ଦିଗରେ ବେଶ ସକ୍ରିୟ ଥିଲା ପରି ମନେ ହେଉଛି। ପ୍ରଚାର ପ୍ରସାର ମଧ୍ୟ ସୁଗମ ହୋଇ ପାରୁଛି।
ପୁରସ୍କାର ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?
ଉତ୍ତର : ପୁରସ୍କାର ସପକ୍ଷରେ ଓ ବିପକ୍ଷରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇ ଆସୁଛି। ପୂର୍ବରୁ ଯୋଗ୍ୟ ଲେଖକମାନେ ପୁରସ୍କାର ପାଉଥିଲେ ବି କେତେକ କ୍ଷେତ୍ରରେ ସେଥିରୁ ବ୍ୟତିକ୍ରମ ମଧ୍ୟ ଦେଖା ଦେଉଛି । ପୁରସ୍କାର ସାମୟିକ ଭାବେ ଯେକୌଣସି ସ୍ରଷ୍ଟାକୁ ପ୍ରରୋଚିତ କରିଥାଏ। କିନ୍ତୁ ପୁରସ୍କାର ଲେଖକର ଏକ ମାତ୍ର ଲକ୍ଷ୍ୟ ହେବା କଥା ନୁହେଁ । ଏପରି କେତେକ ଲେଖକ ଆମ ଭିତରେ ଅଛନ୍ତି ଯେଉଁମାନେ ଲକ୍ଷ୍ୟ ହାସଲ ପାଇଁ ଯାବତୀୟ କୁତ୍ସିତ ନୀତିବିରୁଦ୍ଧ, ଆଦର୍ଶହୀନ ପନ୍ଥା ଅବଲମ୍ବନ କରିବାକୁ ପଛାଉ ନାହାଁନ୍ତି । ଅଥଚ, ଲୋକେ ଜାଣିବାକୁ ନୀତି, ଆଦର୍ଶ , ନିରପେକ୍ଷ, ବିଚାର ବିମର୍ଷ ଉପରେ ଦୀର୍ଘ ଅଭିଭାଷଣ ଦେବାକୁ ମଧ୍ୟ ପଛାଉ ନାହାଁନ୍ତି । ଗୁଣାତ୍ମକ ରଚନାରେ ଅଧିକାରୀ ହୋଇଥିବା କେତେକ ଯୋଗ୍ୟ ଲେଖକ ଅନ୍ୟାୟ ଅନୀତିର ଶିକାର ହୋଇ ଆଦୌ ପୁରସ୍କାର ପାଉ ନାହଁନ୍ତି ବା ପାଇଲେ ବହୁ ବିଳମ୍ବରେ କାଁ ଭାଁ ସ୍ଥଳେ ପାଉଛନ୍ତି।
ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ କି ?
ଉତ୍ତର : ନିରୋଳା ଲେଖକଟିଏ କୌଣସି ନିର୍ଦ୍ଦିଷ୍ଟ ବାଦର ବଶବର୍ତ୍ତୀ ହୋଇ ସାରା ଜୀବନକାଳ ସର୍ଜନକ୍ରିୟାରେ ତଲ୍ଲୀନ ହେବାର ଆବଶ୍ୟକ ଆବଶ୍ୟକ ନାହିଁ। ଲେଖକ ତ ପ୍ରଚାରକ ନୁହେଁ କି ଧ୍ଵଜାଧାରୀ ନୁହେଁ। ଅନ୍ଧ ଅନୁକରଣରେ ଜୀବନଟିଏ ଜୀଇଁବାରେ କି ଯୁକ୍ତି ଅଛି! ନିଡର, ନିର୍ଭିକ ଭାବେ ସେ ପ୍ରଥମେ ନିଜକୁ ଚିହ୍ନୁ, ନିଜ ଭିତରେ ଥିବା ଅନ୍ୟ ମାନଙ୍କୁ ମଧ୍ୟ ଚିହ୍ନିବାକୁ ଚେଷ୍ଟା କରୁ। ମାନବିକତାର ଜୟଗାନ କରୁ। ମହାସାଗରୀୟ ଚେତନାରେ ନିଜେ ଆଗ ଉଦବୁଦ୍ଧ ହେଉ ଏବଂ ଅନ୍ୟକୁ ମଧ୍ୟ ଆପଣାର କରୁ ନିବିଡ଼ ନିଟୋଳ ନିର୍ଭେଜାଲ୍ ପ୍ରେମ ଓ ମମତ୍ୱବୋଧରେ।
ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଭାବରେ ଦେଖନ୍ତି ?
ଉତ୍ତର : ଆମ ସାହିତ୍ୟର ଭବିଷ୍ୟତ ଚିରାକାଳ ପାଇଁ ଉଜ୍ଜ୍ବଳ ହୋଇ ରହିବ ଯାବତୀୟ ବାଧା ବନ୍ଧନ, ପୃଷ୍ଟପୋଷକତାର ଅଭାବ, ସରକାରୀ ଓ ବେସରକାରୀ ଅବହେଳା। ମନ୍ଦ ଗ୍ରହମାନଙ୍କର ଅଭିସନ୍ଧି ସତ୍ତ୍ୱେ ଓ ପୂଜ୍ୟ ପୂଜାର ବ୍ୟତିକ୍ରମ ସତ୍ତ୍ୱେ ସବୁ କାଳଖଣ୍ଡର କେହି ନା କେହି ଯୁଗସ୍ରଷ୍ଟା କଳା ଓ ସଂସ୍କୃତିର ଏହି ମହାନ ମାଟିରେ ଅବତାରୀ ପୁରୁଷ ଭାବେ ଧରାବତରଣ କରିବେ ଓ ସେମାନଙ୍କର ବ୍ୟକ୍ତିଗତ ନିଷ୍ଠା ଓ ଶବ୍ଦ ବ୍ରହ୍ମର ପଦ୍ମପାଦ ତଳେ ସମର୍ପିତ ମନୋଭାବ ଯୋଗୁଁ ଆମ ଭାଷା, ସାହିତ୍ୟ ଓ ସଂସ୍କୃତି ବିଶ୍ୱୟାତନ ସ୍ତରରେ ଅଧିକରୁ ଅଧିକ ଆଦୃତି ଲାଭ କରିବା ସହିତ ଉଚ୍ଚ ପ୍ରଶଂସିତ ହେବ ଏ ବିଶ୍ୱାସ ମୋର ଅଛି।
ଗପ ତୁଳନାରେ କବିତାକୁ ପାଠକୀୟ ଆଦୃତି ସେତେଟା ମିଳେ ନାହିଁ , କାହିଁକି ?
ଉତ୍ତର : ଆପଣଙ୍କର ଏ ପ୍ରଶ୍ନ ମତେ ଅପ୍ରାସଙ୍ଗିକ ଲାଗୁଛି। କେହି କାହାର ପ୍ରତିଦ୍ବନ୍ଦୀ ନୁହଁନ୍ତି। ସେ କବି ହେଉ କି କଥାକାର ହେଉ ; ପ୍ରତ୍ୟେକ ନିଜ ନିଜ କର୍ମରେ ସକ୍ରିୟ। ମାନବ ସଭ୍ୟତା ଧରାପୃଷ୍ଠରେ ଥିବା ଯାଏଁ ସାହିତ୍ୟର ପ୍ରତିଟି ବିଭାଗ ରସୋତ୍ତୀର୍ଣ୍ଣ ସର୍ଜନରେ ପରିପୁଷ୍ଟ ହେଉଥିବ।
ଆମ ଭାଷା ସାହିତ୍ୟର ଉନ୍ନତି ପାଇଁ ଆମେ କିପରି ଯତ୍ନବାନ ହେବା ଆବଶ୍ୟକ ?
ଉତ୍ତର : ଭାଷା ବିଜ୍ଞାନୀ , ଅଭିଜ୍ଞ ଚିନ୍ତକ ଓ ପ୍ରତିଷ୍ଠିତ ବିଦ୍ୱାନମାନେ ଏହି ପ୍ରଶ୍ନର ସଠିକ ଉତ୍ତର ଦେଇପାରିବେ। ମୋର ଅକ୍ଷମତା ପାଇଁ ମତେ କ୍ଷମା ଦେବେ।
Comments are closed.