ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ପ୍ରବୀଣ କୁମାର କବି । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ କବିତାଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ।
ଇନ୍ଦ୍ରଧନୁ, ଶତାବ୍ଦୀର ଶେଷ ଚିଠି , ଅଦୃଶ୍ୟ ଅନ୍ଧାର, ସ୍କେୟାର୍ଡ଼ ସିକ୍ରେଟ ଅଫ ପ୍ଲାଣ୍ଟସ, ଦ ହିଡେନ ସଞ୍ଜୀବନୀ ପ୍ରଭୃତି ସଙ୍କଳନର ସେ କାଳଜୟୀ ସ୍ରଷ୍ଟା। ତାଙ୍କର ଅନବଦ୍ୟ ସାରସ୍ୱତ ସାଧନା ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ।
କବି ପ୍ରବୀଣ କୁମାର କବିଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’
୧. ଆପଣଙ୍କ ପିଲାଦିନ କିପରି ଥିଲା ଏବଂ ତାହା ଆପଣଙ୍କୁ ସାହିତ୍ୟ ସର୍ଜନା ପାଇଁ କିପରି ଭାବରେ ପ୍ରେରିତ କରିଥିଲା ?
ମୋ ପିଲାଦିନ ଥିଲା ଖୁବ୍ ସାଧାରଣ, ଠିକ୍ ସବୁ ମଧ୍ୟବିତ୍ତ ଘରର ପୁଅଟିଏ ପରି ।ଖାତା, ବହି , କଲମରେ ସୀମିତ ଥିଲା ମୋ ଚାଷ। ଘରର ସମସ୍ତଙ୍କ ଆଶାର ଆଷାଢ଼ ତୁହାକୁ ତୁହା ମେଘ ହୋଇ ବର୍ଷୁଥିଲା ମୋ ମୁଣ୍ଡ ଉପରେ କିନ୍ତୁ ,ତଥାପି ଛାତିରେ ଥିଲା ମରୁଭୂମିର ଡହଡହ ଶୋଷ। ସେ ଶୋଷ ଯେ କବିତାର, ସେତେବେଳେ ଜଣାନଥିଲା । କବିତା ଲେଖିବାକୁ ପ୍ରଥମେ ଆଗ୍ରହ ଜନ୍ମିଲା ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ଶୁଣିବା ପରେ। ପରେପରେ ସଚ୍ଚି ରାଉତରାୟଙ୍କ ଛୋଟ ମୋର ଗାଁ ଟି ମତେ ବହୁଳ ଭାବରେ ପ୍ରେରିତ କରିଥିଲା କବିତା ଲେଖିବାପାଇଁ ।
୨. ସାହିତ୍ୟର ଅନେକ ବିଭାଗ ମଧ୍ୟରୁ କବିତା ଲେଖିବା ପାଇଁ ଆପଣ କାହିଁକି ଅଧିକ ଆଗ୍ରହୀ ହେଲେ ?
ସାହିତ୍ୟର ସବୁ ବିଭାଗଗୁଡ଼ିକ ମଧ୍ୟରୁ କବିତା ସବୁବେଳେ ସ୍ଵତନ୍ତ୍ର ; କାହିଁକି ନା କବିତାରେ ଯେଉଁ ସୁକ୍ଷ୍ମ ଅନୁଭବ ଥାଏ , ଯେଉଁ ଲାଳିତ୍ୟ ଆଉ ଚପଳତା ଥାଏ , ଯେଉଁ ଭାବ, ସ୍ୱର, ସ୍ଥାପତ୍ୟ ଥାଏ ସର୍ବୋପରି ଯେଉଁ ଆତ୍ମିକ ସୋନ୍ଦର୍ଯ୍ୟ ଥାଏ ତାହା ଆଉ କେଉଁ ବିଭାଗରେ ମୁଁ ସେତେମାତ୍ରାରେ ପାଏନା। ଆଉ ଏମିତି ବି କବିତା ତ ପୃଥିବୀର ଶ୍ରେଷ୍ଠତମ ସୌନ୍ଦର୍ଯ୍ୟ , ଯିଏ ତା ପ୍ରେମରେ ଥରେ ପଡ଼ିଛି ସେଥିରୁ ନିସ୍ତାର କାହିଁ !
୩. ‘କବିତା’ର ବ୍ୟାଖ୍ୟା କେମିତି କରିବେ ?
କବିତା ଏପରି ଏକ ବାଟ ଯେଉଁ ବାଟରେ ଗଲେ ଜୀବନକୁ ଚିହ୍ନିହୁଏ , ବୁଝିହୁଏ , ଭୋଗିହୁଏ ଖୁବ୍ ପାଖରୁ ଆଉ ଯେଉଁ ବାଟରେ ଗଲେ ପଶୁତ୍ୱକୁ କବର ଦେଇ ଦେବତ୍ଵ ଜାଗ୍ରତ ହୁଏ ଆତ୍ମାରେ। ମୋ ପାଇଁ କବିତା ହେଉଛି ମୋର ପ୍ରିୟତମ ଅନ୍ତରଙ୍ଗ ଦୁଃଖ , ମୋ ଆତ୍ମାର ବିଭୂତି ଯାହାକୁ ମୁଁ ଖୁବ୍ ନିରୋଳାରେ, ନୀରବରେ ଭୋଗିବାକୁ ଚାହେଁ ଚିରକାଳ।
୪. ରୀତି ଯୁଗର କବିତା ଓ ଏବେର କବିତା ଭିତରେ କଣ ପରିବର୍ତ୍ତନ ଘଟିଛି ବୋଲି ଆପଣ ଭାବନ୍ତି ?
ରୀତି ଯୁଗର କବିତା ଥିଲା ମୁଖ୍ୟତଃ ଗୋଷ୍ଠୀବାଦି, କଳ୍ପନା ସମ୍ଭୂତ ଓ ଛନ୍ଦମୟ । ଏବେର କବିତା ମୁକ୍ତ । ସତ୍ୟ ଏବଂ କଳ୍ପନାର ଏକ ଉତ୍ତମ ସମନ୍ୱୟ ।
୫. ଆପଣଙ୍କ କବିତା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ କ’ଣ ?
ପ୍ରେମ ହିଁ ମୋ କବିତା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ ।
୬. ସମ୍ପ୍ରତି ସାହିତ୍ୟରେ କାବ୍ୟଗ୍ରନ୍ଥ କେବଳ ଆଲୋଚନାର ବିଷୟ ହୋଇ ରହି ଯାଉଛି। ଜଣେ କବି ହିସାବରେ ଆପଣ ଏ ବିଷୟରେ କ’ଣ କହିବେ ?
ସମ୍ପ୍ରତି ସାହିତ୍ୟରେ ଆଲୋଚନା କାହିଁ ? ଆଲୋଚନା ସାହିତ୍ୟ ବିଲୁପ୍ତ ପ୍ରାୟ!
୭. ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ ଅଧିକ ସର୍ଜନଶୀଳ କରିବାରେ ସହାୟକ ହୁଏ କି ?
ପୁରସ୍କାର ଓ ପରିଚିତି ସାମୟିକ ଭାବରେ ଜଣକୁ ଆନନ୍ଦ ଦେଇପାରନ୍ତି ଏବଂ ସ୍ୱଳ୍ପମାତ୍ରାରେ ହେଲେବି ସର୍ଜନଶୀଳ କରିବାରେ ସହାୟକ ବି ହେଇପାରନ୍ତି କିନ୍ତୁ ଏମାନେ ସୃଜନର ଆଧାର ନୁହଁନ୍ତି। ସୃଜନର ଆଧାର ପ୍ରେମ ଓ ଭାବ । ସୃଜନ ସମ୍ଭବ ଓ ସଫଳ ହୋଇଥାଏ ମୁଖ୍ୟତଃ ଦୁଇଟି କାରଣରୁ , ଗୋଟିଏ ଉପରର କରୁଣା ଆଉ ଗୋଟିଏ ନିମ୍ନର ଅଭୀପ୍ସା ।
୮. ଓଡ଼ିଆ ସାହିତ୍ୟର ଯାତ୍ରାରେ କିଛି ପରିବର୍ତ୍ତନ ଆସିବାର ଆବଶ୍ୟକତା ଅଛି ବୋଲି ଆପଣ ଭାବନ୍ତି କି ?
ହଁ , ଆବଶ୍ୟକତା ଅଛି। ମୁଁ ଅନେକ ଥର କହିଛି , ଯେଉଁଠି ଛଳନା ଥାଏ ସେଇଠି ସାହିତ୍ୟ ନଥାଏ। ତେଣୁ ପ୍ରଥମେ ଛଳ , କପଟ , ଈର୍ଷା , ହିଂସା ଓ ଅହଙ୍କାର ଠୁ ଦୂରେଇ ରହୁ ଓଡ଼ିଆ ସାହିତ୍ୟ। ସାହିତ୍ୟ ଭାଙ୍ଗିବା ନୁହେଁ ଯୋଡ଼ିବାର କଥା କହୁ, ଘୃଣା ନୁହେଁ ପ୍ରେମର କଥା କହୁ। ସ୍ୱାର୍ଥପରତା ନୁହେଁ ଆତ୍ମବୋଧ ଓ ଜୀବନବୋଧ ର କଥା କହୁ । ଓଡ଼ିଆ ସାହିତ୍ୟରୁ ଅସହିଷ୍ଣୁତା ଛିଡୁ, ସହିଷ୍ଣୁତା ବଢ଼ୁ , ଗ୍ରହଣୀୟତା ବଢ଼ୁ।
୯. କେବେ ନିଜ ରଚନାର ସମୀକ୍ଷା କରିଛନ୍ତି କି ? ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?
ହଁ, ନିଜ କବିତାକୁ ମୁଁ ଅନେକ ଥର ସମୀକ୍ଷା କରିଛି, ଆଉ ସୁଧାରିଛି ବି। କବିତା ଲେଖିବା ବେଳେ ଭାବ ସ୍ପନ୍ଦନର ତୀବ୍ରତାକୁ ମୁଁ ଅନେକ ସମୟରେ ମାପିବାକୁ ଅସମର୍ଥ ହୁଏ । ଶବ୍ଦର ମାୟାଜାଲରେ ପଡ଼ି ଅନେକ ଥର ମୋ କଲମ ଲୋହୁ ଲୁହାଣ ବି ହୁଏ।
0
୧୦. ସାହିତ୍ୟକୁ ନେଇ ଆପଣଙ୍କ ଭବିଷ୍ୟତ ପାଇଁ କି ସ୍ୱପ୍ନ ଦେଖନ୍ତି ?
ସାହିତ୍ୟକୁ ନେଇ ମୁଁ ଖୁବ୍ ଆଶାବାଦୀ। ସ୍ବପ୍ନ ନୁହେଁ ମୋର ବିଶ୍ୱାସ , ସାହିତ୍ୟ ଦିନେ ପୃଥିବୀକୁ ସ୍ବର୍ଗ ଆଉ ମଣିଷକୁ ଦେବତା କରିବ।
Comments are closed.