Latest Odisha News

ଜୀବନର ଶେଷ ଯାଏଁ ମୋ ହାତରେ କଲମ ଥାଉ : ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ

ଓଡ଼ିଶା ସାହିତ୍ୟରେ ତରୁଣ ପୀଢ଼ିର ଜଣେ ଅଗ୍ରଣୀ ଲେଖିକା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ। ସ୍ତମ୍ଭ , ଗଳ୍ପ , କବିତା ଫିଚର, ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ ସହ ପ୍ରବନ୍ଧର ବିଶ୍ଳେଷଣ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇପାରନ୍ତି ତାଙ୍କ ସର୍ଜନାର ଧାରା ।

ନୂଆ ସକାଳ, ଶେଷ ଚିଠି, ପ୍ରତୀଚିର, ବହ୍ନି କନ୍ୟା, ପାପୁଲିଏ ସ୍ପର୍ଶ, ଦୁଷ୍ଟ ପରୀ ଓ ଅନ୍ୟାନ୍ୟ କାହାଣୀ, ତୁମ ପାଇଁ, ତୁମ କଥା ମନେପଡେ, ଝଡ, ମନୋଜ ଦାସଙ୍କ ଗଳ୍ପରେ କୁହୁକ ବାସ୍ତବତା, ଉତ୍ତର ଆଧୁନିକତା ଓ ନବ ପ୍ରଜନ୍ମର କଥାକାର ପ୍ରଭୃତି ପୁସ୍ତକ ସହ ଆହୁରି ଅନେକ କାଳଜୟୀ ପୁସ୍ତକର ସେ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ପୁରସ୍କାରର  ଓ ସମ୍ମାନରେ ସମ୍ମାନିତା।

ଲେଖିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାଶଙ୍କ ସହିତ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

 

 

ସାହିତ୍ୟ ସର୍ଜନା ପ୍ରତି କେମିତି ଆକର୍ଷିତ ହେଲେ ?

କୌଣସି ଆକର୍ଷଣ ବା ପ୍ରେରଣା ସର୍ଜନ ଶକ୍ତି ତିଆରି କରେ ନାହିଁ। ଏହା ସ୍ୱତଃସ୍ଫୂର୍ତ୍ତ । ପଠନ ପ୍ରତି ଆଗ୍ରହ ପିଲାଦିନୁ ରହି ଆସିଛି। ସାନ ବେଳେ ଘରକୁ ଜହ୍ନମାମୁଁ , ମୀନାବଜାର ନିୟମିତ ଭାବରେ ଆସୁଥିଲା। ସେତେବେଳେ କାହାଣୀର ଆଲୌକିକ ଦୁନିଆରେ ମୁଁ ହଜି ଯାଉଥିଲି। ଶ୍ରେଣୀରେ ଏକ ପ୍ରତିଯୋଗିତାର ପୁରସ୍କାର ସ୍ଵରୂପ ମହାନ୍ ସାରସ୍ବତ ସାଧକ ମନୋଜ ଦାସଙ୍କ ‘ଶେଷ ବସନ୍ତର ଚିଠି’ ବହିଟି ପାଇଥିଲି। ଏହା ପରେ ଆହୁରି ପଠନ ମନସ୍କ ହେଲି। ଧୀରେ ଧୀରେ ମୋ ଭିତରେ ସର୍ଜନଶୀଳତା ପ୍ରବେଶ କଲା। ସ୍କୁଲ ପତ୍ରିକାରେ ୧୯୯୫ ରେ ବାହାରିଥିବା ଲେଖା ପାଇଁ ସମସ୍ତଙ୍କ ପାଖରୁ ମିଳିଥିବା ପ୍ରଶଂସା ପରବର୍ତ୍ତୀ ସମୟରେ ଲେଖିବାର ସ୍ପୃହା ସୃଷ୍ଟି କଲା। ମାତ୍ର ପାଠପଢାର ଚାପରେ ଅନେକ ଲେଖା ଡାଏରୀ ପୃଷ୍ଠାରେ ବା ରଫ ଖାତାରେ ଆତ୍ମଗୋପନ କରି ରହିଗଲେ। କଲେଜ କବିତାରୁ ସମ୍ପୂର୍ଣ୍ଣ ଉପନ୍ୟାସ ଯାଏଁ ଯାତ୍ରା ଆଦୌ ସହଜ ନଥିଲା।

ଗଳ୍ପ , କବିତା, ଆଲେଖ୍ୟ, ଉପନ୍ୟାସ ଆଦି ସବୁ ବିଭାଗରେ ଆପଣ ଲେଖାଲେଖି କରନ୍ତି । ତେବେ ଆତ୍ମତୃପ୍ତି କେଉଁଠି ?

ଆତ୍ମତୃପ୍ତି ! ଆପଣ କ’ଣ କହିପାରିବେ ଗୋଟିଏ ମା’ ପାଇଁ ତାର କେଉଁ ପିଲାଟି ପ୍ରିୟ? ସମସ୍ତ ସର୍ଜନା ହୃଦୟରୁ ନିଃସୃତ। ତେବେ ସାମୟିକ ଭାବନା କବିତାର ରୂପ ନେଉଥିବା ବେଳେ ଏକକ ଘଟଣା ବା ଚରିତ୍ର ଗଳ୍ପର ରୂପ ନିଏ । ଉପନ୍ୟାସର ପଟ୍ଟଭୂମି ସମ୍ପୂର୍ଣ୍ଣ ଅଲଗା। ଏହା ତାର ଚରିତ୍ର ନିଜେ ହିଁ ଚୟନ କରେ। ଲେଖାକର ହାତ ଧରି ଲେଖାଇନିଏ ସମସ୍ତ କାହାଣୀ। କାହାଣୀଟି ଚାଲୁଥିବା ଯାଏଁ ଯେତିକି ଅସ୍ଥିର ଲାଗେ, ସରିଯିବା ପରେ ସେତିକି ଖାଲିପଣ ଆବୋରି ବସେ। ଆଉ ସମାଲୋଚନା ପାଇଁ ଅନେକ ପଢ଼ାପଢ଼ି କରିବାକୁ ହୁଏ। ଏହା ପ୍ରାୟତଃ ଗବେଷଣାଧର୍ମୀ ।

ପ୍ରତ୍ୟେକ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ପ୍ରତ୍ୟେକ ଲେଖକ ସମୀକ୍ଷକ ହୋଇ ପାରେନା। ସମୀକ୍ଷକର ଦୃଷ୍ଟି ଭିନ୍ନ ଭିନ୍ନ ଦିଗରୁ ସର୍ଜନାଟିକୁ ତଉଲେ। ତାର ମାପଦଣ୍ଡ ତିଆରି କରେ। ତା’ର ମୁଖ୍ୟସ୍ରୋତଟିକୁ ଆବିଷ୍କାର କରେ। ଲେଖାଟିଏ ସ୍ୱତଃପ୍ରବୃତ୍ତ ହୋଇ ଲେଖି ହୋଇଗଲା ପରେ ସମୀକ୍ଷକ ହାତରେ ଚାଷ ହୁଏ। ଏହାର୍ ନିର୍ଯ୍ୟାସ ବାହାରିବା ବେଳେ ସମୁଦ୍ର ମନ୍ଥନ ପରି ଏଥିରୁ ଅନେକ କିଛି ବାହାରେ। ତେବେ ଯେଉଁ ଟୋପାକ ଅମୃତ ବାହାରେ ତାହାର ପ୍ରଭାବ ସୁଦୂରପ୍ରସାରୀ। ଏଠାରେ ଏକ ଆମୋଦକର ସ୍ମୃତି ଉପସ୍ଥାପନ କରିବି। ମୋର ପିଏଚଡି ସମୟରେ ମହାନ ଲେଖକ ମନୋଜ ଦାସଙ୍କୁ ଭେଟିବାକୁ ଯାଇଥାଏ। ପ୍ରସିଦ୍ଧ ଗୀତିକାର ଦେବଦାସ ଛୋଟରାୟ ମତେ ମୋର ରିସର୍ଚ୍ଚ ବିଷୟରେ ପଚାରିଥିଲେ। ମୁଁ ଉତ୍ତର ଦେଲି ‘ମ୍ୟାଜିକାଲ ରିଅଲିଜିମ୍ ଇନ୍ ଦ ଫିକସିନାଲ ୱାର୍କସ ଅଫ ମନୋଜ ଦାସ’। ଏହା ଶୁଣି ମନୋଜ ଦାସ କହିଲେ ଯେ “ତୁମେ ଏପରି ଏକ ବିଷୟ ବାଛିଛ ଯାହା ଲେଖକ ନିଜେ ଜାଣନ୍ତି ନାହିଁ। ” କିନ୍ତୁ ପରେ ମୋ ସନ୍ଦର୍ଭଟି ସେ ଖୁବ୍ ପ୍ରଶଂସା କରିଥିଲେ । ଏହାର ଓଡ଼ିଆ ସଂସ୍କରଣ ମନୋଜ ଦାସଙ୍କ ଗଳ୍ପରେ ‘କୁହୁକ ବାସ୍ତବତା’ ଅନେକ ପ୍ରଶଂସା ସାଉଁଟିଛି । ସମୀକ୍ଷକ ଭାବରେ ଏହାମୋର ସର୍ବକାଳୀନ କୃତି ଓ ସ୍ୱୀକୃତି।

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ହଁ, ନିଶ୍ଚିତ ଭାବରେ ପ୍ରଭାବିତ କରେ। ଯଦିଓ ପ୍ରଭାବିତ କରିବା ଉଚିତ୍ ନୁହେଁ। ମନୋଜ ଦାସ ସବୁବେଳେ କହୁଥିଲେ ଲେଖକର ଧର୍ମ ନିନ୍ଦା ବା ପ୍ରଶଂସାର ଉର୍ଦ୍ଧ୍ଵରେ । ନୂଆ ଲେଖକମାନଙ୍କ ପାଇଁ ପୁରସ୍କାର ଓ ସମ୍ଵର୍ଦ୍ଧନା ଟନିକ ପରି କାମକରେ। ମାତ୍ର ପ୍ରବୀଣମାନଙ୍କ ମଧ୍ୟରେ ପୁରସ୍କାର ପାଇଁ ଯେଉଁ ପ୍ରତିଯୋଗିତା ତାହା ଦେଖିଲେ ବେଳେବେଳେ ଭାରି ଦୁଃଖ ଲାଗେ। ଲେଖକର ଦାୟିତ୍ବବୋଧ ଏସବୁ ଉପରେ ନିର୍ଭର କରିବା ଉଚିତ୍ ନୁହେଁ। ଲେଖକର ସାମଜିକ ଦାୟିତ୍ଵ ସବୁ ପୁରସ୍କାରର ଉର୍ଦ୍ଧ୍ଵରେ। ପାଠକୀୟ ସ୍ବୀକୃତି ହିଁ ତା ପାଇଁ ସର୍ବଶ୍ରେଷ୍ଠ ପୁରସ୍କାର।

ଓଡ଼ିଆ ସାହିତ୍ୟରେ ଲେଖିକାଙ୍କର ପ୍ରଭାବ କିପରି ? ସାମାଜିକ ଚାପରେ ଲେଖିକାମାନେ ବେଳେ ବେଳେ ଦ୍ବନ୍ଦରେ ରହନ୍ତି କି ?

ସାହିତ୍ୟରେ ଲେଖକ ଲେଖିକାର ବର୍ଗୀକରଣ ମୁଁ ବିଶ୍ବାସ କରେ ନାହିଁ। ହଁ ଆମର ପୂର୍ବ ପୀଢ଼ି ସମାଜିକ ଚାପ ବଶତଃ ହୁଏତ ଖୋଲାଖୋଲି ଲେଖି ପାରୁନଥିଲେ। ମାତ୍ର ପ୍ରତିଭା ରାୟ ଓ ସରୋଜିନୀ ସାହୁଙ୍କ ପରି ଲେଖିକାମାନେ ନାରୀର ଅନ୍ତର୍ମନକୁ ସ୍ପଷ୍ଟ ଭାବରେ ପରିପ୍ରକାଶ କରିବାରେ ହେଳା କରିନାହାନ୍ତି। କିଛି ସମାଲୋଚକ ଏପରି ଅଭିଯୋଗ ଆଣନ୍ତି ଯେ ନାରୀ ତାର ଏରୁଣ୍ଡିବନ୍ଧ ବାନ୍ଧି ରଖି ପାରେ ନାହିଁ। ଶୋଷଣ, ଅତ୍ୟାଚାର, ସାମଜିକ ସମସ୍ୟା ବିଷୟରେ ଲେଖିକାମାନେ ସବୁବେଳେ ହିଁ ଲେଖି ଆସିଛନ୍ତି।

 

ଆପଣଙ୍କ ସୃଷ୍ଟି ସମୂହରେ ଜୀବନ ଦର୍ଶନକୁ ଆପଣ କିପରି ଭାବରେ ରୂପାୟନ କରିଛନ୍ତି ?

ଏହା ତ ସମୀକ୍ଷକମାନେ ହିଁ କହିପାରିବେ । ମୁଁ କେବଳ ସତ୍ୟ ଆଧାରିତ କିଛି ଘଟଣାକୁ କାହାଣୀର ରୂପ ଦେଇଛି । ସମସ୍ତ ଚରିତ୍ରଙ୍କୁ ନ୍ୟାୟ ଦେବାକୁ ଚେଷ୍ଟା କରିଛି। ମନସ୍ତତ୍ତ୍ଵର ବିଶ୍ଲେଷଣ କରିଛି। ସେଥିରେ ଜୀବନର ଦର୍ଶନ ରୂପାୟିତ ହୋଇଛି କି ନାହିଁ କେବେ ଦେଖିନାହିଁ । କେବେ ଭାବି ନାହିଁ। ଜୀବନ ଏତେ ବିସ୍ତୃତ, ଏତେ ପ୍ରଲମ୍ବିତ ଯେ ତତ୍ତ୍ଵ, ଦର୍ଶନ ଓ ବିଶ୍ଲେଷଣରେ ଏହାକୁ ସୀମିତ କରାଯାଇପାରିବ ନାହିଁ।

ପୁରସ୍କାର ସାହିତ୍ୟ ସୃଷ୍ଟିର ମାପଦଣ୍ଡ ବୋଲି ଆମେ ଭାବିବା ଉଚିତ କି ?

କଦାପି ନୁହେଁ। ପାଠକୀୟତା ହିଁ ଶ୍ରେଷ୍ଠ ପୁରସ୍କାର । ଗ୍ରହଣୀୟତା ହିଁ ଶ୍ରେଷ୍ଠ ମାପଦଣ୍ଡ। ଗଣ୍ଡା ଗଣ୍ଡା ପୁରସ୍କାର ସତ୍ତ୍ୱେ ଯଦି ପାଠକ ଲେଖାକୁ ଗ୍ରହଣ ନକଲେ, ତେବେ ସେ ପୁରସ୍କାର ମୂଲ୍ଯହୀନ ହୋଇଯାଏ। ଏପରି ଅନେକ ପୁରସ୍କାର ପ୍ରାପ୍ତ ଲେଖକଙ୍କୁ ଆମେ ଜାଣିନାହୁଁ, ପଢିବା ତ ଦୂରର କଥା। ଓଡ଼ିଆ ସାହିତ୍ୟରେ ଏହି ପୁରସ୍କାର ମାୟାଟି ଟିକେ ଅଧିକ ମନେହୁଏ । ବୋଧହୁଏ ସେଥିପାଇଁ ଆମେ ବିଶ୍ଵସ୍ତରୀୟ ଲେଖା ଲେଖିପାରି ନାହୁଁ ।

ଅନୁଭୂତିକୁ ନେଇ କେବେ ସାହିତ୍ୟ ରଚନା କରିଛନ୍ତି କି ?

ମୋର ସମସ୍ତ ରଚନା ଅନୁଭୂତି ପ୍ରସୂତ। କଳ୍ପନାଶ୍ରୟୀ ସର୍ଜନା ଲେଖା ଯାଇପାରେ, ମାତ୍ର ତାହା ହୁଏତ ସ୍ଵତଃ ପ୍ରବୃତ୍ତ ହେବ ନାହିଁ । ଅନୁଭବରୁ ଯେଉଁ କଥା କୁହାଯାଏ ତାହା ପାଠକଙ୍କୁ ନିଜସ୍ୱ ଅନୁଭବ ପରି ମନେହୁଏ । ଆମର ବିଶିଷ୍ଟ କବିମାନେ ଅନେକ କଳ୍ପନାଶ୍ରୟୀ ରଚନା କରିଛନ୍ତି। ମାତ୍ର ସେଥିରେ ତାଙ୍କର ହୃଦୟାନୁଭବ ଓ ଆବେଗ ଜଡିତ ହୋଇଥାଏ। ଗଳ୍ପ, ଉପନ୍ୟାସର କାହାଣୀ ଯେତେ କଳ୍ପନାଶ୍ରୟୀ ହେଲେ ମଧ୍ଯ ଜୀବନରେ କେଉଁଠି ନା କେଉଁଠି କଥାକାର ଭେଟିଥାଏ ।

ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?

ଯାହା ଯେତେବେଳେ ଲେଖିବା ପାଇଁ ପ୍ରେରଣା ଦେବ ଲେଖିବି। କାର୍ଯ୍ୟବ୍ୟସ୍ତତା ପାଇଁ ଏବେ ଲେଖାଲେଖି ଧିମେଇ ଯାଇଛି। ମାତ୍ର ଭବିଷ୍ୟତରେ ଏହା ଜାରି ରହିବ। ଜୀବନର ଶେଷ ଯାଏଁ ମୋ ହାତରେ କଲମ ଥାଉ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା।

Comments are closed.