Latest Odisha News

ରଚନା ସହିତ ଅନୁଭୂତି ସବୁବେଳେ ଜଡ଼ିତ : ଶୁଭନାରାୟଣ ସ୍ୱାଇଁ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଶୁଭନାରାୟଣ ସ୍ୱାଇଁ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଅନୁବାଦ ଓ ପୁସ୍ତକ ସମୀକ୍ଷା ବିଭାଗରେ ମଧ୍ୟ ସେ ବେଶ ସକ୍ରିୟ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା ।

ଇଚ୍ଛାପତ୍ର, ସବୁଜ ବଂଶୀର ସ୍ୱର , ବିଚିତ୍ର ବର୍ଣ୍ଣର ଆକାଶ, କାତିକେଲା, ଶଙ୍ଖ ଓ ଅନ୍ୟାନ୍ୟ କବିତା, ଏଠି ଗୋଟିଏ ଜହ୍ନ ଥିଲା ପ୍ରଭୃତି ପୁସ୍ତକ ସହ ଆହୁରି ଅନେକ ପୁସ୍ତକର ସେ କାଳଜୟୀ ସ୍ରଷ୍ଟା।। ନିଜ ର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ।

ଲେଖକ ଶୁଭନାରାୟଣ ସ୍ୱାଇଁଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୂଖ୍ୟ ଉତ୍ସ କ’ଣ ଥିଲା ?

ଉ : ବାପା, କବି ଜଳଧର ସ୍ବାଇଁଙ୍କୁ ଅନେକ ଲୋକ ଜଣେ ବ୍ୟକ୍ତି ନୁହଁ ବରଂ ଏକ ଅନୁଷ୍ଠାନ ବୋଲି କୁହନ୍ତି। ସେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ସତ୍ତା ସାହିତ୍ୟ ସଂସଦ ମାଧ୍ୟମରେ ବର୍ଷକୁ ତିନୋଟି ସାହିତ୍ୟ ସଭାର ଆୟୋଜନ କରନ୍ତି। ସେହି ସାହିତ୍ୟ ସଭାକୁ ଖୁବ୍ ବଡ ଵଡ କବି ଓ ଲେଖକମାନେ ଆସନ୍ତି, କବିତା ପଢ଼ନ୍ତି , ଗଳ୍ପ ଓ ସାହିତ୍ୟର ଅନ୍ୟାନ୍ୟ ଦିଗ ଉପରେ ଆଲୋଚନା କରନ୍ତି। ପିଲାବେଳେ, ସେହି ସାହିତ୍ୟ ସଭାରେ ମୋର କାମ ଥିଲା ସେହି କବି ଓ ଲେଖକମାନଙ୍କୁ ଚାଆ ଓ ଜଳଖିଆ ବାଣ୍ଟିବା। ଏମିତି ଚାଆ ପିଆଉ ପିଆଉ କେତେବେଳେ ମୁଁ କବିତାର ପ୍ରେମରେ ପଡିଗଲି ସେକଥା ଜାଣି ପାରିଲି ନାହିଁ । ଜାଣିବି ପାରିଲି ନାହିଁ ଯେ କବିତା ଲେଖୁ ଲେଖୁ କେମିତି ସାହିତ୍ୟର ଅନ୍ୟ ବିଭାଗଗୁଡିକରେ ବି ପ୍ରବେଶ କରିଗଲି।

ଆପଣ ଏକାଧାରରେ ଜଣେ କବି, ଔପନ୍ୟାସିକ ଏବଂ ପୁସ୍ତକ ସମୀକ୍ଷକ। ତେବେ କେଉଁ ପରିଚୟ ଆପଣଙ୍କୁ ଅଧିକ ଆତ୍ମସନ୍ତୋଷ ଦେଇଛି ଓ କାହିଁକି ?

ପ୍ରାୟ କୋଡ଼ିଏ ବର୍ଷ ତଳେ କବିତା ଲେଖାରୁ ହିଁ ଆରମ୍ଭ ହୋଇଥିଲା ମୋର ସାହିତ୍ୟିକ ଜୀବନ। କବିତା ହିଁ ମୋର ପ୍ରଥମ ପସନ୍ଦ। କିନ୍ତୁ ସାହିତ୍ୟର ପରିଧିରେ ମୋତେ ପରିଚୟ ଦେଇଥିଲା ମୋର ପ୍ରଥମ ଉପନ୍ୟାସ ” ବିଚିତ୍ର ବର୍ଣ୍ଣର ଆକାଶ ” । ପାଠକଙ୍କ ପ୍ରତିକ୍ରିୟା ଏହି ଉପନ୍ୟାସ ପ୍ରତି ଖୁବ୍ ଅଧିକ ରହିଲା। ସୈୗଭାଗ୍ୟକୁ ବହିଟି ୨୦୨୧ ରେ ଟାଇମ୍ ପାସ୍ ବେଷ୍ଟ ସେଲର ପୁରସ୍କାର ପାଇଲା। ଏହା ମୋତେ ଏକ ସ୍ବତନ୍ତ୍ର ପରିଚୟ ଦେଲା। କିନ୍ତୁ, ଆପଣ ଯେଉଁ ଆତ୍ମ ସନ୍ତୋଷର କଥା କହୁଛନ୍ତି, ତାହା ଜଣେ ସମୀକ୍ଷକ ହିସାବରେ ପାଇଛି। ଏହାର ଦୁଇଟି କାରଣ ରହିଛି। ପ୍ରଥମଟି ହେଲା ଏହା ମାଧ୍ୟମରେ ମୁଁ ଓଡ଼ିଆ ସାହିତ୍ୟ ପାଇଁ ବେଶ୍ କିଛି ନୂତନ ପାଠକ ସୃଷ୍ଟି କରି ପାରୁଛି। କୈୗଣସି ଵହିକୁ ମାଗଣା ନନେଇ ନିଜ ହାତରୁ ପଇସା ଖର୍ଚ୍ଚ କରି ବଜାରରୁ ଓଡ଼ିଆ ବହି କିଣୁଛି। କୈୗଣସି ବହି ଉପହାରରେ ପାଇଥିଲେ ମୁଁ ପ୍ରଥମେ ଦେଖେ ମୋ ଦ୍ଵାରା ତାହାର ସମୀକ୍ଷା ସମ୍ଭବ ନା ନୁହଁ। ଯଦି ସମ୍ଭବ, ତେବେ ସେହି ବହିର ସମୀକ୍ଷା କରିବା ପୂର୍ବରୁ ସଂପୃକ୍ତ କବି /ଲେଖକ /ଲେଖିକାଙ୍କୁ ମୁଁ ସେହି ବହିର ମୂଲ୍ୟ ପୈଠ କରେ। କାରଣ ମୁଁ ଵିଶ୍ଵାସ କରେ ସାରା ଜୀବନ ମାଗଣାରେ ଲେଖୁଥିବା ଓଡ଼ିଆ କବି ଓ ଲେଖକଙ୍କୁ ଯଦି ମୁଁ ଅନ୍ତତଃ ସେମାନଙ୍କ ବହିର ମୁଲ୍ୟ ଦେଇ ସମୀକ୍ଷା କରେ, ତେବେ ତାହା ସେମାନଙ୍କ ପ୍ରତି ମୋର ସବୁଠୁ ଶ୍ରେଷ୍ଠ ସମ୍ମାନ ହୋଇ ପାରିବ। ଓଡ଼ିଶାରେ ଏଭଳି ଏକ ନୂତନ ପରମ୍ପରା ସୃଷ୍ଟି କରି ପାରିଥିବାରୁ ଏହା ମୋତେ ଗଭୀର ଆତ୍ମ ସନ୍ତୋଷ ଦେଉଛି। ଦ୍ବିତୀୟ କାରଣଟି ହେଉଛି, ଏହା ଦ୍ଵାରା ମୁଁ ବହିଟିକୁ ପଢ଼ି ଜ୍ଞାନ ଅର୍ଜନ କରିବା ସହିତ ଖୁବ୍ ଅଧିକ ଲୋକଙ୍କ ସହିତ ଭାବର ଆଦାନ ପ୍ରଦାନ କରି ପାରୁଛି।

ରଚନା ସହିତ ଅନୁଭୂତି କେତେ ମାତ୍ରାରେ ଜଡ଼ିତ ?

ରଚନା ସହିତ ଅନୁଭୂତି ଶହେରୁ ଶହେ ପ୍ରତିଶତ ଜଡ଼ିତ । ଅନୁଭୂତି ନଥାଇ ଖାଲି କଳ୍ପନାକୁ ଲେଖଲେ ପାଠକଙ୍କ ଗ୍ରହଣୀୟତା ଅପେକ୍ଷାକୃତ କମ୍ ରୁହେ ଵୋଲି ମୋର ଅନୁଭଵ ହୁଏ।

ଉପନ୍ୟାସଟିଏ ଲେଖିଲା ବେଳେ ଆପଣ କି ପ୍ରକାର ପ୍ରସ୍ତୁତି କରିଥାନ୍ତି ?

ଉପନ୍ୟାସଟି ଲେଖିବା ବେଳେ ମୁଁ ଦେଖେ ଚରିତ୍ରଟିକୁ ମୁଁ କେତେ ମାତ୍ରାରେ ନ୍ୟାୟ ଦେଇ ପାରିବି ଏବଂ କାହାଣୀ ସହିତ ନିଜର ଅନୁଭୂତି କେମିତି ଯୋଡି ପାରିବି।

ଜଣେ ଅନୁବାଦକ ହିସାବରେ ‘ଅନୁବାଦ ସାହିତ୍ୟ’ ଓଡ଼ିଶାର ପାଠକଙ୍କ ଦ୍ୱାରା କେତେ ମାତ୍ରାରେ ଆଦୃତ ବୋଲି ଆପଣ ମନେ କରନ୍ତି ?

ଅନୁବାଦ ସାହିତ୍ୟର ଆଦର ଖାଲି ଓଡିଶାରେ ନୁହେଁ ପ୍ରତ୍ୟେକ ରାଜ୍ୟରେ ଅଛି। ଏଠି ଲୋକ ଫ୍ରେଞ୍ଚ କାଫ୍କାଙ୍କୁ ପଢନ୍ତି, ପ୍ଲାଵୋ ନେରୁଦାଙ୍କୁ ପଢନ୍ତି, ଚେତନ୍ ଭଗତ୍ ଙ୍କୁ ପଢନ୍ତି, ଅରୁଣ୍ କମଲ୍ ଙ୍କୁ ପଢନ୍ତି। ପାଠକ ଏମାନଙ୍କ ମୁଳ ଲେଖାକୁ ନୁହେଁ, ବରଂ ଅନୁବାଦକୁ ହିଁ ପଢନ୍ତି।

ଆପଣ ଅନେକ ପୁସ୍ତକର ସମୀକ୍ଷା କରିଛନ୍ତି ତେବେ ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ସମୀକ୍ଷା କରିବା ପାଠକର କାମ, ଲେଖକର ନୁହେଁ। ମୁଁ ଭାବେ ଜଣେ ଲେଖକ ନିଜ ଲେଖାର ସମୀକ୍ଷା ବା ସମାଲୋଚନା କଦାପି କରି ପାରିବ ନାହିଁ।କାରଣ, ଜଣେ ଲେଖକ ନିଜ ଲେଖାର ଭୂଲକୁ ନିଜେ ଏତେ ସହଜରେ କଦାପି ଧରି ପାରବନି।

ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ଅନୁସାରେ ପାଠକ ଅଛନ୍ତି ବୋଲି ଆପଣ କହିବେକି ?

ହଁ, ପାଠକ ଅଛନ୍ତି। କିନ୍ତୁ, ସବୁ ପାଠକଙ୍କର ରୁଚି ଅଲଗା।

ଜଣେ ଲେଖକର ସାମାଜିକ ଦାୟିତ୍ଵବୋଧ କିପରି ହେବା ଆବଶ୍ୟକ ?

ଜଣେ ଲେଖକ ସବୁବେଳେ ଖାଲି ବୈୗଦ୍ଧିକ ସାହିତ୍ୟ ଚକରରେ ନପଡି ତା’ ସାହିତ୍ୟରେ ସମାଜର ବାସ୍ତବି ଚିତ୍ରକୁ , ଅପ୍ରିୟ ସତ୍ୟକୁ ସାହିତ୍ୟିକ କାରିଗରୀରେ ପାଠକ ସାମ୍ନାରେ ଥୋଇବା ଦରକାର। ଜଣେ ଲେଖକ ପାଠକକୁ ଭଲ ସାହିତ୍ୟର ପାଠକ, ଖରାପ ସାହିତ୍ୟର ପାଠକ ନକହି ସମ୍ମାନ ଦେବା ଉଚିତ। ପାଠକକୁ ଲେଖକ କଦାପି କହିବା କଥା ନୁହଁ, ମୋ ଲେଖାର ପ୍ରକୃତ ଅର୍ଥ ଅମୁକ ନୁହେଁ ସମୁକ। ଗୋଟିଏ ଗପ ବା କବିତାର ଅର୍ଥକୁ ଯେଉଁ ପାଠକ ଯେମିତି ବୁଝିଲା ତାପାଇଁ ତା’ର ଅର୍ଥ ସେମିତି ହିଁ ହେଉ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟକ କେତେ ମାତ୍ରାରେ ସହାୟକ ହୋଇଛି ?

ଉ : ବହୁ ମାତ୍ରାରେ ସହାୟକ ହୋଇଛି। ସବୁଠୁ ବଡ଼ ଉଦାହରଣ ଫେସବୁକକୁ ନିଆ ଯାଇପାରେ। ଏଇଠି ଲେଖକଟିଏ ପାଠକର ଗଠନ ମୂଳକ ପ୍ରତିକ୍ରିୟାକୁ ତୁରନ୍ତ ଜାଣି ପାରିବା ସହ ପ୍ରତିକ୍ରିୟା ଉପରେ ପ୍ରତିକ୍ରିୟା ରଖି ଖୁବ୍ ସହଜରେ ଭାବର ଆଦାନ ପ୍ରଦାନ କରି ପାରୁଛନ୍ତି। କିଛି ଲୋକ ମୁଖରେ ମୁଖା ପିନ୍ଧି ଏହାର କିଛି ମାତ୍ରାରେ ଖରାପ ବ୍ୟବହାର ମଧ୍ୟ କରୁଛନ୍ତି। ସେମାନଙ୍କ ଜାଲରେ ନଫସି ସେମାନଙ୍କଠାରୁ ଦୂରେଇ ରହିଵା ଵୁଦ୍ଧିମାନର କାମ ହେଵ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କଣ ସ୍ଵପ୍ନ ଦେଖନ୍ତି ?

ଅନ୍ତତଃ ମୋର ମୃତ୍ୟୁ ପୂର୍ବରୁ ମୋ ସମସାମୟିକ ଓଡ଼ିଆ ସାହିତ୍ୟିକଙ୍କ ୧୦୦ ଭଲ ସାହିତ୍ୟ କୃତିକୁ ବଞ୍ଚେଇ ରଖିବି ପାଠକଙ୍କ ହୃଦୟ ଭିତରେ।

Comments are closed.