ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ସୁମନ୍ତ କୁମାର ପାଢ଼ୀ । ସାହିତ୍ୟ ସର୍ଜନାରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କବିତାର ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ତାଙ୍କର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ।
ଓଡ଼ିଆ ସାହିତ୍ୟର ସଶ୍ରଦ୍ଧ ସ୍ୱର ସୁମନ୍ତ କୁମାର ପାଢ଼ୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’
ଆପଣ ସାହିତ୍ୟ ପ୍ରତି କେମିତି ଆକର୍ଷିତ ହେଲେ ?
ଆକର୍ଷଣ ତ ହୃଦୟ ଆଉ ମନ ଭିତରୁ ଗୋଟେ ଚୁମ୍ବକୀୟ ଶକ୍ତି ପରି ଆପେ ସୃଷ୍ଟି ହୁଏ ।କିନ୍ତୁ ଛୋଟ ବେଳେ ଚତୁର୍ଥ ଶ୍ରେଣୀରେ ଶିଶୁ ଲେଖା ,ରାଷ୍ଟ୍ର ବନ୍ଦନା ପଢୁ ପଢୁ ମୁଁ ବି ଲେଖି ପାରିବି ବୋଲି ଭାବନା ଆସିଥିଲା ।ଛୋଟ ଛୋଟ କବିତା ଲେଖିବା ଆରମ୍ଭ କଲି । ବାପା ମା’ ଭଉଣୀମାନଙ୍କ ପ୍ରଶଂସା ଓ ପ୍ରେରଣା ସେଥିରେ ଆହୁରି ଆକର୍ଷଣ ଭରିଦେଲା ।
ଜଣେ ଲେଖକ ଭାବରେ ନିଜକୁ କିପରି ବର୍ଣ୍ଣନା କରିବେ ?
ମୁଁ ନିଜକୁ କେବେ ଲେଖକ ବୋଲି ଭାବିନି । ନିଜକୁ ଜଣେ ସାହିତ୍ୟାନୁରାଗୀ ମଣିଷ ଭାବେ ନିଜର ଭାବନାକୁ ପରିପ୍ରକାଶ କରି ଖୁସି ହୁଏ ।ମୋର ଗହନ ମନର ବର୍ଣ୍ଣମାଳାକୁ ଧଳା କାଗଜ ଉପରେ ସ୍ୟାହି ଦେଇ ଉତାରେ ।
ଅନୁଭୂତି ଓ ଅଭିଜ୍ଞତା ଜଣେ ଲେଖକଙ୍କୁ ଅଧିକ ସାନ୍ଦ୍ର କରେ କି ?
ହଁ, ନିଶ୍ଚୟ । ଅନୁଭୂତି ଏବଂ ଅଭିଜ୍ଞତା ଦ୍ୱାରା ହିଁ ଜଣେ ଅଧିକରୁ ଅଧିକ ଭଲ ଏବଂ ଗୋଟେ ସୂକ୍ଷ୍ମ ଜିନିଷକୁ ବିସ୍ତୃତ ଭାବରେ ,ଗୋଟେ ବିସ୍ତୃତ ଜିନିଷ କୁ ସୂକ୍ଷ୍ମ ଭାବରେ ଲେଖିବାର କଳା ପାଇପାରି ଥାଏ ।
ଜଣେ ସ୍ରଷ୍ଟାର ନିଜସ୍ୱ ସର୍ବଶ୍ରେଷ୍ଠ ସୃଷ୍ଟି କ’ଣ ହୋଇପାରେ ?
ମୋ ମତରେ ଗୋଟେ ଲେଖାକୁ ବହୁ ବର୍ଷ ପରେ ପୁଣି ଥରେ ପଢିଲେ ବି ମନରେ ଆଗ୍ରହ ଓ ଉନ୍ମାଦନା ଆଣି ପାରୁଥିବା ଲେଖା ହିଁ ସ୍ରଷ୍ଟା ପାଇଁ ସର୍ବଶ୍ରେଷ୍ଠ କୃତି ।
ସାହିତ୍ୟର ଅନେକ ବିଭାଗ ମଧ୍ୟରୁ କବିତା ଲେଖିବା ପାଇଁ ଆପଣ କାହିଁକି ଅଧିକ ଆଗ୍ରହୀ ହେଲେ ?
କବିତା ଅଧିକ ଲେଖିବାର କାରଣ ବି ମୋ କାର୍ଯ୍ୟ ବ୍ୟସ୍ତତା ,ଗଳ୍ପ ପାଇଁ ଟିକେ ଅଧିକ ସମୟ ଦରକାର ପଡେ ବୋଲି ମୁଁ ଭାବେ । କବିତା ମୋ ମନର ସ୍ୱତଃସ୍ଫୂର୍ତ୍ତ ପ୍ରବାହର ଧାରା । କର୍ମ ଜଞ୍ଜାଳ ଭିତରେ ବି କବିତା ଲେଖି ହୋଇଯାଏ । ମୁଁ ଗଳ୍ପ ବି ଲେଖେ । ଗୋଟେ କ୍ଷୁଦ୍ର ଉପନ୍ୟାସ ମଧ୍ୟ ଲେଖସାରିଛି । କିନ୍ତୁ ସେ ସବୁକୁ ପୁସ୍ତକର ଆକାର ଏଯାଏଁ ଦେଇପାରିନି ।
କେବେ ନିଜ ରଚନାର ସମୀକ୍ଷା କରିଛନ୍ତି କି ? ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?
ମୁଁ ନିଜେ କେବେ ମୋ ଲେଖାର ସମୀକ୍ଷା କରିନି । ଲେଖିବା ପରେ ସେସବୁକୁ ମୁଁ ପାଠକଙ୍କ ଉପରେ ଛାଡି ଦେଇଛି । ମୁଁ ଭାବେ ନିଜେ ନିଜ ଲେଖାର ସମୀକ୍ଷା କିମ୍ବା ତର୍ଜମା କଲେ ଯେଉଁ ମୌଳିକ ଭାବନା ନେଇ ଲେଖାଟି ହୋଇଥାଏ ସେ ତାର ମୌଳିକତା କିଛି ମାତ୍ରାରେ ହରେଇବାର ସମ୍ଭାବନା ଥାଏ ।
ଆପଣ ଜଣେ ଡାକ୍ତର । ଦାୟିତ୍ୱ ଓ ଦାୟବଦ୍ଧତା ଭିତରେ ଛନ୍ଦି ହୋଇଛନ୍ତି କି ?
ଜଣେ ଡାକ୍ତର ଦାୟିତ୍ଵର ଦାୟବଦ୍ଧତା ମଧ୍ୟରେ ବନ୍ଧା ପଡ଼ିଥାଏ । ସେବା ଓ ଚିକିତ୍ସାରେ ବର୍ଷ ମାସ ଦିନ ନିଜକୁ ସମର୍ପି ଦେଇଥାଏ ମାନବ ସେବାରେ । ଏସବୁ ଭିତରେ ନିଜ ପରିବାର ତଥା ନିଜର ରୁଚି ପାଇ ସମୟ ଦେବା ବହୁତ କଷ୍ଟ ,କିନ୍ତୁ କବିତା ଗଳ୍ପର କଞ୍ଚା ମାଲ୍ ବି ମୋର ଏଇ ଦୈନନ୍ଦିନ କାହାଣୀରୁ ହିଁ ଆସିଛି । ଯେତେ ସବୁ ଗଳ୍ପ ଲେଖିଛି ଏ ପ୍ରାୟ ସବୁ କେଉଁ ନା କେଉଁ ରୋଗୀ ଜୀବନ ସହ ଜଡ଼ିତ । ଜଣେ ବ୍ୟକ୍ତିର ଦାୟିତ୍ଵ ଓ ଦାୟବଦ୍ଧତା ପରାଧୀନତାର ବେଡି ନୁହଁ ବରଂ ମୁକ୍ତ ଆକାଶରେ ଗୀତ ଗାଉଥିବା ପକ୍ଷୀ ପରି ମୁକ୍ତ ।
ପୁରସ୍କାର ଓ ପ୍ରଶଂସା ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ?
ନିଶ୍ଚୟ ପ୍ରଭାବିତ କରେ । ପ୍ରଶଂସା ଆଉ ପୁରସ୍କାର କାହାକୁ ଭଲ ନ ଲାଗେ । ମୋ ମତରେ ପୁରସ୍କାର ଓ ପ୍ରଶଂସା ଗୋଟେ ଗୋଟେ ପ୍ରେରଣାର ଉତ୍ସ ଭାବେ କାମ କରେ ।
ସମ-ସାମୟିକ ଲେଖକ ମାନଙ୍କ ପାଇଁ କି ବାର୍ତ୍ତା ଦେବେ?
ରୁଚି ଯେମିତି ଆପେକ୍ଷିକ ଠିକ୍ ସେମିତି ଏକ ନିର୍ଦ୍ଦିଷ୍ଟ କଥା ବା କବିତା କାହା ପାଇଁ ମନ ମୁଗ୍ଧକର ହୋଇପାରେ ତ କାହା ପାଇଁ ଅରୁଚି କର । କାହା ନିନ୍ଦା ବା ପ୍ରଶଂସାକୁ ଖାତିର ନକରି ଲେଖିଚାଲ। କାହାକୁ ଖୁସି କରିବାକୁ ନୁହଁ ବରଂ ନିଜକୁ ଖୁସି ମିଳିବା ପାଇଁ ଲେଖନ୍ତୁ ।
ସାହିତ୍ୟକୁ ନେଇ ଆପଣଙ୍କ ଭବିଷ୍ୟତ ପାଇଁ କି ସ୍ୱପ୍ନ ଦେଖନ୍ତି ?
ସାହିତ୍ୟକୁ ନେଇ ମୁଁ ଭବିଷ୍ୟତ ପାଇଁ ତ ବିଶେଷ କିଛି ସ୍ବପ୍ନ ଦେଖିନି କିମ୍ବା କେବେ ଆଶା ବି କରିନି କି ମୋତେ କିଏ ପୁରସ୍କୃତ କରୁ କି କବି, ଗାଳ୍ପିକ ଭାବେ ସ୍ୱୀକୃତି ଦେଉ । ବାସ୍ ଏତିକି ସ୍ବପ୍ନ ଦେଖିଛି କି ପ୍ରତି ବର୍ଷ ମୋର ଏକ ପୁସ୍ତକ ପ୍ରକାଶିତ ହେଉ ଏବଂ ପାଠକୀୟ ସ୍ୱୀକୃତି ମିଳୁ ।
Comments are closed.