Latest Odisha News

ପିଲାମାନଙ୍କ ମନରେ ମାତୃଭାଷା ପ୍ରୀତି ଜାଗ୍ରତ ହେଉ : ସ୍ଵପ୍ନା ମିଶ୍ର

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ସ୍ୱପ୍ନା ମିଶ୍ର । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ରମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଞ୍ଚାରି ଆଣି ତାକୁ ନେଇ ସେ ସୃଷ୍ଟି କରନ୍ତି କବିତା, ଗଳ୍ପ ଓ ଉପନ୍ୟାସ। ସେଥିପାଇଁ ତାଙ୍କ ଲେଖାସବୁ ଜୀବନ୍ତ ଲାଗେ। ପାଠକକୁ ନିଜ ସହ ଘଟିଥିବା ଘଟଣାର ଅବିକଳ ବିଷୟ ପରି ଲାଗେ। ଏହା ବ୍ୟତୀତ ତାଙ୍କ ଲେଖାରେ ଘଟଣାକ୍ରମର ପ୍ରବାହମାନତା ନିରନ୍ତର ଭାବେ ଆଗକୁ ବଢ଼ୁଥିବାରୁ ପାଠକ ମଧ୍ୟ ବିନା ବିରତିରେ ତାକୁ ପଢିଯାଏ ।

ତାଙ୍କ ଲେଖନୀ ନିଃସୃତ ପ୍ରଥମ ପୃଥିବୀ, ଅନାବୃତ, ବୃକ୍ଷ ଜାତକ, ସ୍ୱପ୍ନ ଶୀକାର, ପ୍ରାର୍ଥନାର ନିଆଁ ଘେର, ଶୁକ୍ଲପକ୍ଷ, ନୀରବତାର ଉଚ୍ଚାରଣ, ଫେଟା, ସଂଶୟାତ୍ମା, ସମୁଦ୍ର ଘୋଡ଼ା, ଭାଗବତର ଭାଷା ଆଦି ପୁସ୍ତକ ସାଉଁଟିଛି ବିପୁଳ ପାଠକୀୟ ଆଦୃତି । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା ।

ଲେଖିକା ସ୍ୱପ୍ନା ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୂଖ୍ୟ ଉତ୍ସ କ’ଣ ଥିଲା ?

ପୁରୀ ପାଖରେ ଗୋଟିଏ ବ୍ରାହ୍ମଣ ଶାସନ ଗାଁରେ ମୋର ଜନ୍ମ। ମୋର ପିଲାଦିନ ଗାଁରେ ବିତିଛି । ଆମ ଘର ଦାଣ୍ଡ ପିଣ୍ଡାରେ ପୁରାଣ ପଢ଼ା ହୁଏ। ଗାଆଁ ଲୋକ ଏକାଠି ବସି ଶୁଣନ୍ତି।ବହି ପଢ଼ା ହେବାକୁ ବୟସ୍କମାନେ ଏତେ ବେଶୀ ଆଗ୍ରହ ସହ ଶୁଣିବା ପୁଣି ସେ କାହାଣୀ ଭିତରେ ତଲ୍ଲୀନ ହୋଇଯିବା ଦୃଶ୍ୟଟି ଏବେ ବି ମୋର ମନେ ଅଛି। ତାହା ହିଁ ବହି ପ୍ରତି ଓ ପରବର୍ତ୍ତୀ ସମୟରେ ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୁଖ୍ୟ କାରଣ ।

 ଆପଣ ଗଳ୍ପ, କବିତା, ଉପନ୍ୟାସ ସବୁ ବିଭାଗରେ ଲେଖନୀ ଚାଳନା କରିଛନ୍ତି ; ତେବେ ଆତ୍ମତୃପ୍ତି କେଉଁଠି ଅଧିକ ?

କବିତା, ଗପ, ଉପନ୍ୟାସ ଯାହା ବି ଲେଖେ ଭଲ ଲେଖାଟିଏ ଉତୁରିଲେ ଆନନ୍ଦ ମିଳେ। ଲେଖାଟିଏ ଭଲ ନହେଲେ ସମ ପରିମାଣରେ ନିରାନନ୍ଦ ଆବୋରି ବସେ । ଆତ୍ମତୃପ୍ତି ମୋର ନଥାଏ। ତେଣୁ ପ୍ରତ୍ୟେକଟି ଲେଖା ଆରମ୍ଭ କଲାବେଳେ ଲେଖାଟି ପୂର୍ବ ଲେଖାମାନଙ୍କ ଅପେକ୍ଷା କେମିତି ଭିନ୍ନ ଆଉ ଭଲ ହେବ ସେ ଦିଗରେ ମୁଁ ଚେଷ୍ଟା କରେ।

ଉପନ୍ୟାସଟିଏ ଲେଖିଲା ବେଳେ ଆପଣ କି ପ୍ରକାର ପ୍ରସ୍ତୁତି କରିଥାନ୍ତି ?

ଉପନ୍ୟାସ ପାଇଁ ବିଷୟଟି ମିଳିଗଲା ପରେ ମତେ ସେ ସ୍ଥାନକୁ ଯାଇ ଚରିତ୍ରମାନଙ୍କ ସହ ଏକାତ୍ମ ହେବାକୁ ହୁଏ। ଉପନ୍ୟାସରେ ମୁଁ କଣ କହିବି ଓ କେଉଁ କଥାକୁ ବାଦ ଦେବି ତାକୁ ବାଛିବାକୁ ହୁଏ। କାଗଜ କଲମ ସହ ମନ ଭିତରେ ସମାନ୍ତରାଳ ଭାବରେ ଏ ସବୁର ଗୋଟେ ବିନ୍ୟାସ ଚାଲିଥାଏ।

ଅନୁବାଦ ସାହିତ୍ୟ ପାଇଁ କାହିଁକି ଆଗ୍ରହୀ ହେଲେ ?

ଲେଖାଲେଖି ସହ ପଢ଼ିବା ବି ମୋର ଗୋଟେ ପୁରୁଣା ଅଭ୍ୟାସ । ଅନ୍ୟ ଭାଷାର ଭଲ ଲେଖା ପଢ଼ିବା ବେଳେ ତାକୁ ମୋ ଭାଷାକୁ ଆଣିବାକୁ ଇଚ୍ଛା ହୁଏ। ମୋ ଭାଷାର ପାଠକମାନଙ୍କ ପାଖରେ ତାକୁ ପହଞ୍ଚାଇବାକୁ ଅନୁବାଦ ଏକ ମାଧ୍ୟମ।

ବ୍ୟକ୍ତିଗତ ଜୀବନ ସାହିତ୍ୟ ସୃଷ୍ଟିରେ କେବେ ବାଧକ ସାଜିଛି କି ? ତାର ସାମ୍ନା କିପରି କରିଛନ୍ତି ?

ବ୍ୟକ୍ତିଗତ ଜୀବନ ଓ ସାହିତ୍ୟିକ ଜୀବନ ଭିତରେ କୌଣସି ବାଧାକୁ ମୁଁ କେବେ ଭୋଗି ନାହିଁ। ବରଂ ବ୍ୟକ୍ତିଗତ ଜୀବନର ଅନୁଭବ ଓ ଅନୁଭୂତି ମତେ ସାହିତ୍ୟ ରଚନା ପାଇଁ ଖୋରାକ ଯୋଗାଇଛି।

ଜଣେ ଲେଖିକା ନିଜର ଭାବ ପ୍ରକାଶ କରିବାରେ ସାମାଜିକ ବନ୍ଧନ ବାଧା ସୃଷ୍ଟି କରେ ବୋଲି ଆପଣ ଭାବନ୍ତି କି ?

ହଁ, ଆମ ସମାଜିକ ଜୀବନ ଏବେ ବି ଅନେକ କୁଣ୍ଠା ଓ ବନ୍ଧନ ଦ୍ଵାରା ଆକ୍ରାନ୍ତ। ପୁରୁଷ ଶାସ୍ତ୍ର ରଚନା କରିବ , ନାରୀ ତାକୁ ମାନି ଚାଲିବ ; ଏକଥା ଆଗରୁ ଥିଲା। ଏ ଭିତରେ କେତେ ଯେ ଯୁଗ ଗଲାଣି। ଏବେ ନାରୀ ନିଜେ ନିଜ କଥା ଲେଖୁଛି। ସମାଜର ପ୍ରବଳ ପ୍ରତିପକ୍ଷ ଆଦିମ କାଳରୁ ନାରୀକୁ ଏ ସମ୍ପର୍କରେ ଏଡି ଏଡ଼ି ଆସୁଥିଲେ ବି ବର୍ତ୍ତମାନ ସମୟ ବହୁତ ବଦଳିଛି। ଲେଖିକା ଭାବରେ ମୁଁ ମୋ ନିଜର ଭାବ ପ୍ରକାଶରେ ସାମଜିକ ବନ୍ଧନକୁ  ବନ୍ଧନ ବୋଲି ଭାବି ନାହିଁ।

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ଭଲ ଖାଇଲେ ପାଟିକୁ ଯେମିତି ଭଲ ଲାଗେ, ଭଲ ରାନ୍ଧିଛ କହିଲେ ମନକୁ ସେମିତି ଖୁସି ଲାଗେ। ସେମିତି ଭଲ ଲେଖିଛ ବୋଲି  କିଏ କହିଲେ କି ଲେଖାକୁ ସମ୍ମାନଟିଏ ମିଳିଲେ ବି ଖୁସି ଲାଗେ। ତେଣୁ ଆଗକୁ ଆହୁରି ଭଲ ଲେଖିବାକୁ ଲେଖକ ପ୍ରୋତ୍ସାହନ ପାଏ। ତେବେ ସମ୍ମାନ ମିଳୁ ବା ନମିଳୁ ଜଣେ ଲେଖକର ଦାୟିତ୍ଵ ବୋଧ ସବୁବେଳେ ରହିବା ଉଚିତ୍। ସମ୍ମାନ ସହ ତାର କିଛି ସମ୍ପର୍କ ନ ଯୋଡ଼ିବା ହିଁ ଭଲ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟକ କେତେ ମାତ୍ରାରେ ସହାୟକ ହୋଇଛି ?

ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସମାଜିକ ଗଣମାଧ୍ୟମଠାରୁ ଭଲ ପ୍ଲାଟଫର୍ମ ବୋଧହୁଏ ଆଉ କିଛି ନାହିଁ। ଲେଖକ ଓ ପାଠକ ମଧ୍ୟରେ ସାମାଜିକ ଗଣମାଧ୍ୟମ ଏକ ସେତୁ ସଦୃଶ।

ଲେଖକ ପାଇଁ ସାମାଜିକ ଦାୟିତ୍ଵବୋଧର ଆବଶ୍ୟକତା କେତେ ବୋଲି ଆପଣ ମନେକରନ୍ତି ?

ଲେଖକ ସମାଜରେ ରହେ। ସମାଜରୁ ଯାହା ଆହରଣ କରେ ପ୍ରାଣ ରସରେ ଜାରିତ କରି ସେଇ ଅଭିଜ୍ଞତାକୁ ସାମାଜକୁ ହିଁ ଫେରାଏ। ସାହିତ୍ୟ ମାଧ୍ୟମରେ ଯାହା ଲେଖକ ସମାଜକୁ ଫେରାଏ ତାହା ମନୁଷ୍ୟକୁ ଉନ୍ନୀତ କରାଏ। ଜଗତର ସୀମିତତା, କ୍ଷୁଦ୍ରତା, ସଂକୀର୍ଣ୍ଣତାକୁ କାଟି ମନୁଷ୍ୟ ଚିତ୍ତ ଏକ ବନ୍ଧନହୀନ, ସୀମାହୀନ, ବିରାଟ ସତ୍ତାର ପାଖାପାଖି ହୁଏ। ସାହିତ୍ୟ ସାମାଜ ନିରପେକ୍ଷ ବସ୍ତୁ ଆଦୌ ନୁହେଁ। ସମାଜର ମଧ୍ଯ ସାହିତ୍ୟିକ ପ୍ରତି କର୍ତ୍ତବ୍ୟ ରହିଛି। ସମାଜର ଗ୍ରାହକତା ଓ ପୋଷକତାକୁ ବାଦ ଦେଇ ଲେଖକୀୟ ସ୍ଥିତିର ବିକାଶ ବି  ସମ୍ଭବ ନୁହେଁ। ଲୋକେ ଯେତେଦିନ ପର୍ଯ୍ୟନ୍ତ ସାହିତ୍ୟ ଓ ସାହିତ୍ୟିକମାନଙ୍କୁ ମର୍ଯ୍ୟାଦା ଦେଇ ଶିଖି ନାହାଁନ୍ତି ସେ ପର୍ଯ୍ୟନ୍ତ ସେଇ ଭାଷାର ସାହିତ୍ୟ ଅନ୍ଧକାର ମଧ୍ୟରେ ଅଛି। ଲେଖକର ସାମାଜିକ ଦାୟିତ୍ବବୋଧତା ସବୁବେଳେ, ସବୁକାଳେ ପ୍ରଶ୍ନ ହୋଇ ଆସେ। କିନ୍ତୁ ସମାଜର ସାହିତ୍ୟ ପ୍ରତି କାହିଁକି କେବେ ବି ପ୍ରଶ୍ନଟିଏ ହୋଇ ପାରେନି ?  ସାମାଜଠାରୁ ସାହିତ୍ୟ ଯେଉଁ ସୌଜନ୍ୟ,  ସହନଶୀଳତା ଓ ଗ୍ରାହକତା ଆଶା କରେ, ବଦଳରେ ସମାଜକୁ ତାର ଅନେକ କିଛି ଦେୟ ଅଛି ; ଏକଥା ଯଦି ସେ ଭୁଲିଯାଏ ତେବେ ସେ ବିଶ୍ୱାସଘାତ କରିବା ପରି କଥା ହେବ। ସାହିତ୍ୟ ଯଦି ସମାଜରୁ ନିଜକୁ ଦୁରେଇ ନେବ ତେବେ କେବଳ ଆବେଗ ଓ ବୁଦ୍ଧିର କସରତ ହୋଇ ରହିଯିବ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି?

ଆମ ପିଲାମାନେ ଆମ ଭାଷାକୁ ଆମ ସାହିତ୍ୟକୁ ପଢ଼ନ୍ତୁ ଆଉ ଗର୍ବ କରନ୍ତୁ ଏତିକି ହିଁ ମୋର ସ୍ୱପ୍ନ। ହିନ୍ଦୀ, ଇଂରାଜୀ ବା ଆଉ ଯେ କୌଣସି ଭାଷାକୁ ସେମାନେ ଭଲ ପାଆନ୍ତୁ କିନ୍ତୁ ନିଜ ମା’ର ସମକକ୍ଷ ଯେମିତି ଆଉ କେହି ନୁହେଁ ସେମିତି ନିଜ ଭାଷାକୁ ସେମାନେ ଆହୁରି ବେଶୀରୁ ବେଶୀ ସମ୍ମାନ ଦିଅନ୍ତୁ ।

Comments are closed.