କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସେଇ ମୀନାକ୍ଷି…. !
ଉାଳ ତଟିନୀ ସାଜି ଭସାଇ ନେଇଛି ତା’ ଜୀବନର ସମସ୍ତ ସରସତାକୁ । ଅମାନିଆ ଝଞ୍ଜା ଭଳି ଭଡ଼ାଇ ନେଇଛି ସୋହାଗ ଫସଲ । ଉଜାଡ଼ି ଦେଇଛି ଜୀବନ ଉପବନ । କାରୁଣ୍ୟ ଜଡ଼ିତ ରାତ୍ରିଟିଏ ଭଳି ନିଶୂନ କରି ଦେଇଛି ବଳକା ଜୀବନକୁ । ପଦ୍ମିନୀର ଦୁଇ ନାକ ପୁଡ଼ା ଫୁଲି ଉଠୁଥିଲା , ଦୁଃଖ ଆଉ ଘୃଣାରେ ।
ଆଜିଯାଏ ସେ ଦୁଃଖକୁ ଆପଣେଇ ବାଟ ଚଲିଛି । କିନ୍ତୁ ଘୃଣାକୁ ସାଥିରେ ଧରି ଜୀବନ ଜୀଇଁବା ବଡ଼ ଦୁଷ୍କର । ସେଥିରେ ପୁଣି ପ୍ରିୟ ସାଥୀଜଣେ ଯଦି ଘୃଣାର ପାତ୍ରୀ ହୋଇଯାଏ? ସେ ଘୃଣା ଏପରି ଏକ ଜହର, ଯାହା ବଞ୍ଚାଇ ତ ପାରେ ନାହିଁ; ମାରି ମଧ୍ୟ ପାରେ ନାହିଁ । ଏକ ପୀଡ଼ା ପୂର୍ଣ୍ଣ ଜୀବନ୍ତ ବୃତ୍ତାନ୍ତ ସାରେ ପରିଣତ କରିଦିଏ ମଣିଷକୁ ।
ପତି ପରିତ୍ୟକ୍ତା ନାରୀର ସ୍ୱାମୀ ପ୍ରତି ଯେତିକି ରାଗ ଥାଏ, ତା’ଠାରୁ କାହିଁ କେତେ ଗୁଣ ଅଧିକ ରାଗ ଥାଏ, ସେଇ ନବାଗତା ନାରୀ ଉପରେ । ଠିକ୍ ଯେମିତି ପତ୍ନୀର ପ୍ରେମିକ ଉପରେ ହିଁ ପତି ପ୍ରତିଶୋଧ ନେଇଥାଏ । ଦୂରସ୍ଥ ଦୃଶ୍ୟ ଆଖିକୁ ଛୋଟ ଦେଖାଯାଏ ସତ; କିନ୍ତୁ ତାକୁ କେନ୍ଦ୍ର କରି ପ୍ରତିଫଳିତ ହେଉଥିବା ସାଗୁଡ଼ିକ ସ୍ପଷ୍ଟ ମନେହୁଅନ୍ତି । ପଦ୍ମିନୀର ଆଖି ଆଗରେ ଯେମିତିକି ରୂପେଲୀ ପରଦାଟିଏ ଅଛି । ତା’ରି ଉପରେ ସ୍ପଷ୍ଟ ପ୍ରତୀୟମାନ ହେଉଛି- ମୀନାକ୍ଷି ଓ ଚନ୍ଦ୍ରଭାନୁ ମିଳନ ସଂଗୀତର ତାଳେ ତାଳେ ନାଚି ବୁଲୁଛନ୍ତି ।
ଚନ୍ଦ୍ରଭାନୁ…… !
ଯାହାର ଶୀତଳ କିରଣ ସ୍ପର୍ଶରେ କଇଁଫୁଲର ନିମିଳିତ ପତାରୁ ତନ୍ଦ୍ରା ତୁଟିଯାଏ, ସେହି ଚନ୍ଦ୍ରଭାନୁ ପଦ୍ମିନୀ ପାଇଁ କ’ଣ ସୋହାଗ ବହନ କରି ଆଣିପାରେ ? ହାତ ବଢ଼ାଇ ନିକଟରେ ଥିବା ସୁଟକେଶରୁ ଚନ୍ଦ୍ରଭାନୁଙ୍କର ଫଟୋ ଖଣ୍ଡିକ ବାହାର କଲା ପଦ୍ମିନୀ । ବ୍ଲାକ ବେକ୍ଗ୍ରାଉଣ୍ଡ୍ ଭିତରେ ଜଳି ଉଠୁଛି ତାଙ୍କର ପ୍ରତିଛବି; ଠିକ କଳା ରାତିରେ ଚନ୍ଦ୍ରମାର ଜ୍ୟୋତି ପରି । ଦୁଇ ଆଖି କୋଣରେ ତା’ର ଲୁହ ଜକେଇ ଆସିଲା ।
କ୍ରମଶଃ
Comments are closed.