କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଇସ୍ପାତ ନଗରୀର ନିର୍ଜନ ରାଜପଥ, ରେଷ୍ଟୁରାଣ୍ଟ , ପାର୍କର ମନୋଜ୍ଞ ପରିବେଶରେ ଦୁଇଟି ହୃଦୟ ବେଶ୍ କିଛିଦିନ ଗଢ଼ିଚାଲିଲେ ପ୍ରେମର ମୀନାର । ସେଦିନ ନୂଆବର୍ଷର ପ୍ରଥମ ଦିନରେ, ହୋଟେଲର ନିଭୃତ କୋଠରି ଭିତରେ ବସି ଅତି ନିକଟରୁ ଚନ୍ଦ୍ରଭାନୁ ଲକ୍ଷ୍ୟ କରୁଥିଲେ ଉଷାର ଲାବଣ୍ୟମୟୀ ରୂପଶ୍ରୀକୁ । ତାଙ୍କ ଆଖିର ଇସାରା ପାଇବା କ୍ଷଣି ସାମାନ୍ୟ କମ୍ପି ଉଠିଲା ସେ । ଥରିଲା କଣ୍ଠରେ ବାରଣ କରି ପଚାରିଥିଲା- ମୁଁ ଜାଣେ, ଅନେକ ଦିନରୁ ମାନସିକ ସ୍ତରରେ ଆମେ ପରସ୍ପରକୁ ପାଇ ସାରିଛେ । ତେବେ କ’ଣ ବିବାହ ପୂର୍ବରୁ ତମେ ଚାହଁ…
ଶବ୍ଦମାଳାର ଯାଦୁକରୀ ସ୍ପର୍ଶରେ ଯୁବତୀ ମନକୁ ଚହଲାଇ ପାରୁଥିବା ଚନ୍ଦ୍ରଭାନୁ, କଥା ମଝିରୁ ତାକୁ ଅଟକାଇ ଦେଇ କହିଲେ- ନା, ନା ଡାର୍ଲିଂ, ସେ ଧୃଷ୍ଟତା ମୋର ନାହିଁ । ଉଷାର ସୌନ୍ଦର୍ଯ୍ୟ ମତେ ଏଭଳି ବିମୋହିତ କରିଛି ଯେ ଯେଉଁଭାନୁ ପଶ୍ଚିମାକାଶରେ ଶାନ୍ତିରେ ବିଶ୍ରାମ ନେଇଥିଲା, ଆଜି ସେ ପୂର୍ବାକାଶରେ ରଙ୍ଗରେଣୁ ବିଛାଇ ଉଇଁଆସିଛି- କେବଳ ତୁମର ଦର୍ଶନ ପାଇଁ ଦେବୀ ! କେବଳ ଉଷାର ସାନିଧ୍ୟ ପାଇଁ ।
ହସିଉଠିଲା ଉଷା- ସତରେ ଭାନୁ ! ତମେ କି ସୁନ୍ଦର କଥା କହିପାର । କଥା କହି ମନମୋହିବା କଳା ତମଠୁ ଶିଖିବା କଥା ।
ଚନ୍ଦ୍ରଭାନୁ ଉଷାର ଅଧିକ ନିକଟତର ହେବା ପ୍ରୟାସରେ ଥିଲେ- କହିଲେ- ମୁଁ କେବଳ କଥା ହିଁ କ’ଣ କହିଜାଣେ ? ତମପ୍ରତି ମୋ ହୃଦୟରେ ଥିବା ଅନୁରକ୍ତିକୁ କ’ଣ ଏତେବେଳ ଯାଏ ତମେ ଅନୁଭବ କରି ପାରିନାହିଁ ? କଥାର କମ୍ପନରେ କେତେବେଳୁ କି ଉଷାକୁ କବଳିତ କରିସାରିଥିବା ଚନ୍ଦ୍ରଭାନୁ ହଠାତ୍ ତା’ର ଦୁଇପାପୁଲିକୁ ମୁଠେଇ ଧରିଲେ । ଆବେଗ ବଶତଃ ଥରି ଉଠୁଥିଲା ତାଙ୍କର ଦୁଇପାପୁଲି ।
ସେତେବେଳକୁ ଏକରକମ ନଇଁ ସାରିଥିଲା ଉଷା । ଆଗରୁ ନିଜକୁ ନିରର୍ଗଳ କରିସାରିଥିବା କୌଣସି ଯୁବତୀ ତା’ର ପ୍ରେମିକ ନିକଟରେ ପ୍ରାୟତଃ ଦୃଢ଼ ହୋଇପାରେନି । ଇଚ୍ଛା ଅନିଚ୍ଛାର ବାଲିବନ୍ଧ ଭୁଷୁଡ଼ି ଯିବାକୁ ବେଶୀ ସମୟ ଲାଗେନାହିଁ । ତଥାପି କଣ୍ଠରେ ସଙ୍କୋଚ ଭରି ଉଷା ବାରଣ କଲା-ସିଙ୍ଗଲ କ୍ୟାବିନ୍ ହେଲେ ସୁଦ୍ଧା ଇଏ ହୋଟେଲ ଚନ୍ଦ୍ରଭାନ, ତମ ଘର ନୁହେଁ ।
– ଜାଣେ ଉଷା, ଇଏ ଘର ନୁହେଁ । ଆଗକାଳରେ ବଣଜଙ୍ଗଲର ନିଭୃତ କୁଞ୍ଜ ତଳେ ପ୍ରଣୟ ପିଆସୀ ଦୁଇଟି ପ୍ରାଣ ଏକାକାର ହୋଇଯାଉଥିଲା ।
Comments are closed.