Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ଲଳିତା ପଛରେ ସ୍ମିତ ହସନେଇ ଛିଡ଼ା ହୋଇଥିବା ଚନ୍ଦ୍ରଭାନୁଙ୍କୁ ଦେଖି । ତାଳମେଳ ନ ଥିବା ବହୁ ବିଚିତ୍ର ଘଟଣା, ଅଦ୍‌ଭୂତ ଦୃଶ୍ୟ ସ୍ୱପ୍ନ ଇଲାକାରେ ସମ୍ଭବ -ପଦ୍ମିନୀ ଜାଣେ । ହେଲେ ଇଏତ ସ୍ୱପ୍ନ ନୁହେଁ । ଏହା ସମ୍ଭବ କିପରି ?

ଲଳିତା ଦୁଇପ୍ଲେଟକୁ ଟେବୁଲ ଉପରେ ରଖି, ପଦ୍ମିନୀର ଦୁଇ କାନ୍ଧକୁ ହଲାଇଦେଲା । ପଦ୍ମିନୀର ଦୁଇ ବଡ଼ ବଡ଼ ଡୋଳା ଉପରକୁ ନଇଁ ଆସିଲା ଦୁଇ ସଲ୍ଲଜ ପତା । ଚନ୍ଦ୍ରଭାନୁ ଅଦୂରରେ ଛିଡ଼ା ହୋଇ ସେମିତି ସ୍ମିତ ହସୁଥିଲେ । ତାଙ୍କର ଦୁଇ ଉଜ୍ଜ୍ୱଳ ଆଖିର କଥାକୁହା ଚାହାଁଣି କ୍ରମଶଃ ବିମୋହିତ କରୁଥିଲା ପଦ୍ମିନୀକୁ ।

ପରିସ୍ଥିତିକୁ ସଂଭାଳିନେଲା ଲଳିତା । ଚନ୍ଦ୍ରଭାନୁଙ୍କୁ ଟେବୁଲ ଉପରେ ବସାଇ ଦେଇ କହିଲା
– ତମେ ଜାଣିଛ ଚାନ୍ଦୁଭାଇ, ଇଏ ମୋର ସାଙ୍ଗ ପଦ୍ମିନୀ । ଭାରି ଫୁଲେଇ ଆଉ… ।
କଣେଇ ଚାହିଁଲା ଲଳିତା ପଦ୍ମିନୀ ଆଡ଼େ ।
– ହ୍ୟାତ୍‌… ଇଏ କ’ଣ କହୁଛୁ… । ଲାଜେଇ ଗଲା ପଦ୍ମିନୀ ।
– ଆରେ, ଚାନ୍ଦୁଭାଇଙ୍କୁ ଲାଜ କ’ଣ ? ତୁ ବୋଧେ ଜାଣିନୁ, ଇଏ ମୋ ସମ୍ପର୍କୀୟ ମାଉସୀଙ୍କ ପୁଅ । ଏଇତ, ଭଞ୍ଜନଗରରେ ତାଙ୍କର ବାହାଘର ଠିକ ହୋଇଛି । ଝିଅଟିର ନାଆଁ ପଦ୍ମିନୀ… ଖିଲଖିଲ ହୋଇ ହସି ଉଠିଲା ଲଳିତା । ଚନ୍ଦ୍ରଭାନୁ ବି ନ ହସି ରହିପାରିଲେନି ।

ପକୋଡ଼ି ପ୍ଲେଟରୁ ମିଠା ଦୁଇଟା ବାହାର କରି ଲଳିତା ଉଭୟଙ୍କୁ ଖୁଆଇ ଦେଲା । କହିଲା – ଆଜି ହିଁ ଚାନ୍ଦୁଭାଇଙ୍କଠୁ ତାଙ୍କ ବାହାଘର ଠିକ୍ ହେବା କଥା ଶୁଣିଲୁ । ଏ ଖୁସି ଖବରକୁ ଅଧିକ ଖୁସି କରିଦେଲା, ତୋ ସହ ତାଙ୍କର ବାହାଘର । ଯୋଗକୁ ତୁ ବି ‘ବେଳ କାଳ ଜାଣି ଗଡ଼ିଲେ ଗୋପୀ….’, ବୁଝିଲୁ ତ… ।
ପଦ୍ମିନୀର କାନମୂଳ ନାଲି ପଡ଼ିଗଲା । ସେ ଲାଜେଇ କହିଲା- ମୁଁ କ’ଣ ଜାଣି ଥିଲି ଏତେ କଥା ! ତୋ ସହ ଦେଖା କରିବାକୁ ସିନା ଆସିଥିଲି । ନ ହେଲେ….. ଚନ୍ଦଭାନୁ ଏ ଥର ମୁହଁ ଖୋଲିଲେ – ‘ନ ହେଲେ କ’ଣ ପଦ୍ମିନୀ ?

ମୁଁ ଏଠିକୁ ଆସିଥିବା ଜାଣିଥିଲେ ତମେ ଲଳିତାକୁ ଭେଟିବାକୁ ଆସି ନଥା’ନ୍ତ, ଏଇଆ ତ ! କୋଇବାତ୍ ନହୀଁ, ମୁଁ ତମ ଘରେ ପହଁଚି ଯାଇଥାଆନ୍ତି, ସର୍‌ପ୍ରାଇଜଲି… । ତିନିହେଁ ହସି ଉଠିଲେ । ପଦ୍ମିନୀର ସାନ ଭାଇ ବି ସେତିକି ବେଳେ ଆସି ପହଁଚିଲା । ଆସନ୍ନ ସନ୍ଧ୍ୟାକୁ ଅନୁମାନ କରି ଭାଇର ହାତଧରି ପଦ୍ମିନୀ ଯିବା ପାଇଁ ଉଦ୍ୟତ ହେଲା । ଲଳିତା ଓ ଚନ୍ଦ୍ରଭାନୁ ବାହାର ଯାଏ ଆସି ତାକୁ ବଳେଇଦେଲେ ।

Leave A Reply

Your email address will not be published.