Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ତା’ର ଦି’ ହାତକୁ ମୁଠେଇ ଧରି ମୀନାକ୍ଷୀ ପଚାରିଲା-କିରେ, କଥା କ’ଣ ? ଏ ଆଖି ନଚା ଢ଼ଙ୍ଗ କେବେଠୁ ଶିଖିଲୁ ।

ପଦ୍ମିନୀର ଫାଜିଲାମି ଆଉ ପାଦେ ବଢ଼ିଗଲା- ସବୁକଥା କ’ଣ ଶିଖିବାକୁ ପଡ଼େ ? ହେଉ ହେଉ ହେଇଯାଏ ନା କେତେକଥା । ଯଦି ତୁ ଚାହିଁବୁ ଆଉ ଗୋଟେ କଥା ମୁଁ ଶିଖିଛି । ଦେଖେଇବି ?

ମିନାକ୍ଷୀ ‘ହାଁ’ କରି ରହିଗଲା । ଏ ପଦ୍ମିନୀ ତ ଆଗର ନୁହେଁ ।

ଏ ଭିତରେ ନିଶ୍ଚୟ କିଛି ଘଟିଛି । ଏ ପଦ୍ମିନୀ କ’ଣ ଦେଖେଇବାକୁ ଚାହୁଁଛି ? ଏପରି କୌଣସି ବି ଅପ୍ରତ୍ୟାଶିତ ଆଶ୍ଚର୍ଯ୍ୟ ସେ ତା’ର ଏଇ ଅନ୍ତରଙ୍ଗ ସାଙ୍ଗଠାରୁ ଆଶା କରୁ ନଥିଲା । ନିଜକୁ ସଂଶୟ ଘେରରେ ଅଧିକ ସମୟ ନ ରଖି ସେ ତା’ର ଆଉ ଟିକେ ନିକଟକୁ ଘୁଞ୍ଚି ଯାଇ କହିଲା- ହଁ,ହଁ, ଦେଖା-ଦେଖା, କ’ଣ ଦେଖେଇବୁ ?

– ତୁ ଦେଖିଲେ ତାଜୁବ୍ ହେଇଯିବୁ । ଏ ଭିତରେ ମୁଁ ଆଖି ମାରିବା ବି ଶିଖି ଯାଇଛି ।

ମିନାକ୍ଷୀର ବିବାକ ବିସ୍ମୟ ହେବା ପରିସ୍ଥିତି । ଅଳ୍ପ କେତେ ଦିନ ଭିତରେ ଲାଜକୁଳୀ ଆଉ ସଂଯମୀ ଝିଅଟା, ଏତେ ଚପଳ କେମିତି ହେଇଗଲା ?

ସେତେବେଳକୁ ପଦ୍ମିନୀ ପଥର ଉପରେ ବସି ସାରିଥିଲା । ତା’ର ଦୁଇ ଆଣ୍ଠୁ ଉପରେ ହାତ ରଖି ମୀନାକ୍ଷି ପଚାରିଲା- ଆରେ, ଏ କ’ଣ ମୁଁ ଶୁଣୁଛି ଏତେବେଳ ଯାଏ ? ଏ ଭିତରେ ତୁ ତ ଆଖି ଉପରେ ଗବେଷଣା ବୋଧେ କରିସାରିଲୁଣି । କଥା କଥାରେ ଆଖିର ଉଦାହରଣ । କଥା କ’ଣ ? – କଥା କ’ଣ କି, ହୃଦୟ ଯେତେବେଳେ କାହାକୁ ଚାହେଁ ସେତେବେଳେ ଆଖିକୁ ହିଁ ବେଶୀ କାମ କରିବାକୁ ପଡ଼େ ।

କ୍ରମଶଃ

Comments are closed.