କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
– ତାଙ୍କ ପରିବାର ବିଷୟରେ କିଛି କହିଲୁନି…
– ଯାହା ଶୁଣିଛି, ପଲ୍ଲୀର ଗୋଟେ ଛୋଟିଆ ଘରେ ତାଙ୍କ ପରିବାର ରହନ୍ତି । ଇଏ ଅଧ୍ୟାପକ ଅଛନ୍ତି । ଆଉ ଅଧିକା କିଛି ମୁଁ ଜାଣେନି । ଘରେ କାହାକୁ ପଚାରିବି ଯେ, ଲାଜ କଥା !
– ହଁ ସତକଥା । ତଥାପି ବାହାଘର ଠିକ୍ କରିବା ପୂର୍ବରୁ ଘରେ ତତେ କେହି କିଛି ପଚାରିନାହାନ୍ତି ? ଯେମିତିକି ବରପାତ୍ରର ଗୁଣ… ଚରିତ୍ର… ଘର ପରିବାରର ଚାଲି ଚଳନି । ମାନେ… ଘରେ କଥା ହୁଅନ୍ତି ନି… ବର… ଘର ଇତ୍ୟାଦି…ଇତ୍ୟାଦି ।
ପଦ୍ମିନୀ କେବଳ ‘ଆଁ’ କରି ତାକୁ ଚାହିଁ ରହିଲା । ଚନ୍ଦ୍ରଭାନୁଙ୍କୁ ଦେଖିବା ଦିନରୁ ସେ ତାଙ୍କ ଭିତରେ ଏତେ ଦୂର ତଲ୍ଲୀନ ହୋଇଯାଇଛି ଯେ, ବିବାହ ଭଳି ଜୀବନର ସର୍ବାପେକ୍ଷା ଗୁରୁତ୍ୱପୂର୍ଣ୍ଣ ମୋଡ଼କୁ ସେ ଗୋଟେ ଖିଆଲରେ ପାରହେବାକୁ ମନସ୍ଥ କରିସାରିଛି । ଯେଉଁଥିପାଇଁ ଏ ବିଷୟରେ ଘରେ କାହା ସହ ଆଲୋଚନା କରିବା ବି ସେ ଆବଶ୍ୟକ ମଣି ନାହିଁ । ଚନ୍ଦ୍ରଭାନୁଙ୍କୁ ଦେଖିବା ପୂର୍ବରୁ ‘ହାତେ ମାପି ଚାଖଣ୍ଡେ ଚାଲୁଥିବା’ ପଦ୍ମିନୀ, କିଛି ଗୋଟେ କରିବା ପୂର୍ବରୁ ତା’ ବିଷୟରେ ପୁଙ୍ଖାନୁପୁଙ୍ଖ ବିଶ୍ଳେଷଣ କରିବା ପଦ୍ମିନୀର ଏ ପରିର୍ବନ କେମିତି ସଂଭବ ହେଲା? ରୂପ ନଗରୀର ରାଜନନ୍ଦନ ଚନ୍ଦ୍ରଭାନୁଙ୍କର ଆଭା-ଅର୍ଣ୍ଣବ ମଧ୍ୟରେ ସେ ଯେଉଁ ମୋହାଚ୍ଛନ୍ନ ଅବସ୍ଥାରେ ଲମ୍ଫ ଦେଇଥିଲା; ମୀନାକ୍ଷିର ଏଇ ସାଧାରଣ ପ୍ରଶ୍ନ ଶୁଣି ସେ ଆବେଶ ଭିତରୁ ବାହାରକୁ ଆସି ବଡ଼ କରୁଣଭାବେ ତାକୁ ଚାହିଁ ରହିଲା ।
ମୀନାକ୍ଷି ତା’ର ଦୁଇ ହାତକୁ ମୁଠେଇ ଧରି କହିଲା- ମୁଁ ତତେ ଏ କଥା ପଚାରି ଆଘାତ ଦେଲି କି ମିନୀ? କିନ୍ତୁ ଭୁଲ ବୁଝନା ସାଥୀ, ମୋର ପଚାରିବାର ଉଦ୍ଦେଶ୍ୟ ନୁହେ, ସମସ୍ତେ ବଡ଼ ଅଫିସରମାନଙ୍କୁ ବିବାହ କରିବା ଉଚିତ, ଯାହାର କୋଠା-ବାଡି, ବ୍ୟାଙ୍କ ବାଲାନ୍ସ, ଧନ-ସଂପି ଆଦି ଥିବ… ବୁଲିବା ପାଇଁ ଗାଡି.. ଘରେ ଚାକର, ପୂଜାରୀ ଥିବେ… ଏମିତି ସବୁ । କିନ୍ତୁ ଏ ସବୁ ନଥାଇ ବି ଯାହାର ଗୋଟେ ସମ୍ବେଦନଶୀଳ ହୃଦୟ ଥିବ, ଯିଏ ନାରୀକୁ ସ୧ାନ ଦେଇ ଜାଣିଥିବ, ଯେଉଁଥିପାଇଁ ଝିଅଟିଏ ତା’ ପାଖରେ ସବୁକିଛି ସମର୍ପଣ କରି ମଧ୍ୟ ନିଜକୁ ନିଃସ୍ୱ ଭାବିବ ନାହିଁ, ମୋ ମତରେ ସେମିତି ଲୋକକୁ ହିଁ ବିବାହ କରିବା ଉଚିତ ।
କ୍ରମଶଃ
Comments are closed.