କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
କିଛି କ୍ଷଣ ପାଇଁ ଚନ୍ଦ୍ରଭାନୁଙ୍କର ଭ୍ରମର ମାନସ ମଧ୍ୟ ସ୍ଥିର ହୋଇଗଲା । ପାପୁଲିରେ ଲୁହ ପୋଛି ଦେଉ ଦେଉ ସେ କଥାରେ ଅମୃତ ଝରାଇ ତାକୁ ପଚାରିଲେ କି ଭାବନା ଭିତରେ ବୁଡ଼ି ରହିଛ ଯେ, ତମ ଆଖିରେ ଏ ଲୁହ ? ମନ ଭିତରେ କିଛି ଶଙ୍କା, ସନ୍ଦେହ ରଖିଛ କି ?
ଅନ୍ୟର ମନଭାବକୁ ଠିକ୍ ଧରିପାରୁଥିବା କଳାରେ ନିପୁଣ ଚନ୍ଦ୍ରଭାନୁଙ୍କ ମୁହଁରୁ ଏକଥା ଶୁଣି ପଦ୍ମିନୀ ବଡ଼ କରୁଣ ଦୃଷ୍ଟିରେ ତାଙ୍କୁ ଚାହିଁଲା । ସେ ତା’ର ଦି’ ପାପୁଲିକୁ ଏକରକମ ଭିଡ଼ିଧରି ବୁଝାଇଲେ- ଏତେ
ଭାବପ୍ରବଣ ହୁଅନି ପଦ୍ମିନୀ । ତଥାକଥିତ ପ୍ରେମିକ ପ୍ରେମିକା ଭଳି ଆମ ସମ୍ପର୍କ ଆରମ୍ଭ ହୋଇନି । ସମାଜର ଗୋଚରରେ, ଦୁଇ ପରିବାରର ସହମତିରେ ଆମ ସମ୍ପର୍କ । ତେବେ କାହାକୁ ତମର ଡର ? କେଉଁ କ୍ରୂର ପ୍ରତିବନ୍ଧକର ଆସନ୍ନ ଆଶଙ୍କାରେ ତମେ ଏତେ ଗଭୀରଭାବେ ଚିନ୍ତାଗ୍ରସ୍ତ ?
ପଦ୍ମିନୀ ନିଜକୁ ସମ୍ଭାଳି ନେଲା । ପ୍ରକୃତିସ୍ଥ ହୋଇ କହିଲା- ସେସବୁ ଠିକ୍ ଯେ, ଜାଣେନା, କାହିଁକି କେଜାଣି ବେଳେବେଳେ ତମକୁ ନେଇ ମୋ ମନରେ ଅଯଥା ଅସୁରକ୍ଷିତ ଭାବନା କାହିଁକି ଆସୁଛି ?
ପଦ୍ମିନୀ କପାଳ ଉପରକୁ ଝୁଲି ଆସିଥିବା ଚୂର୍ଣ୍ଣ କେଶକୁ ସଜାଡ଼ି ଦେଉ ଦେଉ ସେ କଣ୍ଠରେ ନମନୀୟ ଦୃଢ଼ତା ଭରି କହିଲେ, ତମେ ମତେ ଅବିଶ୍ୱାସ କରୁଛ ପଦ୍ମିନୀ ? ଆମର ବିବାହ ସ୍ଥିର ହୋଇସାରିଛି । ନିର୍ଦ୍ଧାରିତ ଲଗ୍ନରେ, ସମସ୍ତଙ୍କ ଆଗରେ ମୁଁ ତୁମକୁ ପତ୍ନୀ ଭାବରେ ସ୍ୱୀକାର କରିବି… ।
କଥା ଆଉ ଆଗକୁ ନେଲାନି ପଦ୍ମିନୀ । ବେଶୀ ସମୟ ବାହାରେ ରହିଲେ ଘରେ ଖରାପ ଭାବିବେ । ସେ ଫେରିଯିବା ପାଇଁ ଅଚାନକ ଠିଆ ହୋଇପଡ଼ିଲା । ଚନ୍ଦ୍ରଭାନୁ ବି ଉଠିପଡ଼ି ତା’ର ପଥରୋଧ କଲେ- ଏତେ ଶୀଘ୍ର ଚାଲିଯିବ ମିନୀ ?
କ୍ରମଶଃ
Comments are closed.