କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଆରେ, ପାଞ୍ଚଟା ବାଜିବାକୁ ମୋଟେ ଦଶମିନିଟ୍ ଅଛି । ଆମେ ତେବେ ଏଇଠି ଦୀର୍ଘ ପାଞ୍ଚ ଘଣ୍ଟା ଧରି ବସିଛେ ? ଭୁବନେଶ୍ୱରରୁ କେତେବେଳେ କ’ଣ ଖାଇ ଆସିଥିଲେ, ଆଉ ମନେନାହିଁ । ମତେ ଭୀଷଣ ଭୋକ ଦେଲାଣି… ।
ଠିଆ ହେବା ସମୟରେ ଶାଢ଼ୀ ସଜାଡ଼ୁ ସଜାଡ଼ୁ ପଦ୍ମିନୀ ହସିହସି ଜବାବ ଦେଲା- ତତେ ଏଇନେ ଭୋକ, ଶୋଷ ସବୁ ହେବ । ଦେଖିଲୁଣି, ଏ ଅଞ୍ଚଳ କେମିତି ନିଛାଟିଆ ହୋଇଆସିଲାଣି । ଜନ ସମାଗମ ବେଳେ ଏ ସ୍ଥାନ ସତରେ ନନ୍ଦନକାନନର ଶୋଭା ଧାରଣ କରେ । କିନ୍ତୁ ନିର୍ଜନ ହୋଇ ଆସିଲେ ଏଇ ପରିସର ଜାନ୍ତବ କାନନ ପରି ଭୟଙ୍କର ମନେହୁଏ । ତୁ ଶୁଣିନୁ, ଏଇଠି ଘଟିଯାଇଥିବା ଦୁର୍ଘଟଣା ? ଜଣେ ଅଫିସରଙ୍କ ସ୍ତ୍ରୀ ଉପରେ ଅତ୍ୟାଚାର କରାଯାଇଥିଲା… ।
– ଏଁ, କ’ଣ କହିଲୁ ? ଆଶ୍ଚର୍ଯ୍ୟ ଏବଂ ଭୟରେ କମ୍ପି ଉଠିଲା ମୀନାକ୍ଷିର ସ୍ୱର ।
– ତୁ ଜାଣିନୁ ମୀନା, ଲୋକଲୋଚନ ଅନ୍ତରାଳରେ ଏଠି ବହୁତ କିଛି ଅପ୍ରୀତିକର ଘଟଣା ଘଟେ । ତା’ଛଡ଼ା, ତୋ ପରି ସୁନ୍ଦରୀ ପାଖରେ ଥିଲେ, ଯେତିକି ଗୌରବ, ସେତିକି ବିପଦ ।
ଖାଲି ମାଠିଆରେ ପାଣି ଭରିବାବେଳେ ଯେପରି ଶବ୍ଦ ହୁଏ, କଳକଳ ଶବ୍ଦରେ ଦୁଇ ସାଙ୍ଗ ହସି ହସି ଗାଡ଼ି ପାଖକୁ ଆସିଯାଇଥିଲେ ।
ଗାଡ଼ିର ଦରଜା ଖୋଲୁଖୋଲୁ ମୀନାକ୍ଷି ଇସାରାରେ ପଦ୍ମିନୀକୁ ଭିତରକୁ ଡାକିଲା । ସାମନା ସିଟ୍ରେ ବସି ଦରଜା ବନ୍ଦ କରୁକରୁ ପଦ୍ମିନୀ ମୁହଁରୁ ବାହାରି ଆସିଲା- ବାସ୍ତବିକ ଚନ୍ଦ୍ରଭାନୁଙ୍କ ରୁଚି ବେଶ ଆଧୁନିକ । ସ୍ତ୍ରୀ ତ ସ୍ତ୍ରୀ, ଗାଡ଼ିକୁ ମଧ୍ୟ ସେ ଲେଟେସ୍ଟ ମଡେଲର ରଖିଛନ୍ତି ।
– ହୁଁ, ନିଜ ଭିତରର ଗମ୍ଭୀରତାକୁ ଗୋଟିଏ ପଦରେ ବ୍ୟକ୍ତ କରି ମୀନାକ୍ଷି ଗାଡ଼ି ଷ୍ଟାର୍ଟ କଲା ।
କ୍ରମଶଃ…
Comments are closed.