କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସରୋଜ କଣ୍ଠରେ ନିଜ କବିତାର ଆବୃତି ଶୁଣି ସେ ଚମକି ଉଠିଲା । ମନର ବେଦନାକୁ ଛାତିତଳେ ଚାପିଧରି ହାଲୁକା କଣ୍ଠରେ କହିଲା- ଆତ୍ମ ବିସ୍ମୃତ ହୁଅନ୍ତୁ ନି ସରୋଜବାବୁ ! ଇଏ ଗୋଟିଏ କବିତା ମାତ୍ର ।
– ମିଛ କହୁଛ ପଦ୍ମିନୀ ! ଇଏ କେବଳ ଶବ୍ଦ କେତୋଟିର କବିତା ମାତ୍ର ନୁହେଁ । ଦରଦୀ ହୃଦୟକୁ ଛୁଇଁ ଯାଉଥିବା ଏ ଦୁଇ ଧାଡ଼ିରେ କାହାର ନା କାହାର କୋହ ଗୁଂଫିତ ହୋଇ ରହିଛି । ତେବେ ଥାଉ ସେ କଥା । ଏଇଟା ତ ତମର ପୁରୁଣା କବିତା । ତିନିବର୍ଷ ତଳର ତାରିଖ ତଳେ ଲେଖାହେଇଛି ।
କାହିଁ, ଆଜିକାଲି ତ ଆଉ ଲେଖୁନ ?
ହଠାତ୍ ପଦ୍ମିନୀ ମୁହଁରୁ ବାହାରି ପଡ଼ିଲା- ଜୀବନର କଠୋରତାକୁ ଅନୁଭବ କଲା ପରେ, ଏ ଧରଣର କୋମଳ ଭାବନା ଆଉ ମନକୁ ଆସିନାହିଁ । ଅଧିକ କିଛି ମନର ଆବେଗକୁ ଖୋଲାଖୋଲି ଭାବେ କାଳେ କହି ହେଇଯିବ, ସେଇ ଆବେଗ ଭିତରେ କାଳେ ଚନ୍ଦ୍ରଭାନୁଙ୍କ ବାସ୍ତବ ପ୍ରସଙ୍ଗ ଖୋଲି ହେଇଯିବ- ଏଇ ଆଶଙ୍କାରେ ପଦ୍ମିନୀ ପ୍ରସଙ୍ଗକୁ ବଦଳାଇଲା- ଆସନ୍ତୁ ସରୋଜ ବାବୁ ! ଜଳଖିଆ ସବୁ ଥଣ୍ଡା ହେଇଗଲାଣି ।
ଆଗପଛ ହୋଇ ଉଭୟେ ଖାଇବା ଜାଗାରେ ପହଂଚିଲେ । ବିଶ୍ୱାସ ଚାମଚଖଣ୍ଡେ ହାତରେ ଧରି ଥାଳି ଉପରେ ଘ ବାଡ଼େଇ ଚାଲିଛି । ମା’ଙ୍କୁ ଦେଖି ଶୀଘ୍ର ବାଢ଼ିବାପାଇଁ ଅଳି କଲା । ବିଶ୍ୱାସର ଅଜବ ପ୍ରଶ୍ନ ମାନଙ୍କର ଉର ଦେଉ ଦେଉ କେତେବେଳେ କି ତିନିଜଣଙ୍କର ଖାଇବା ଶେଷ ହୋଇ ଯାଇଥିଲା ।
ଅଇଁଠା ପ୍ଲେଟ୍କୁ ଧରି ପଦ୍ମିନୀ ଉଠିଲା । ପଛେ ପଛେ ସରୋଜ ମଧ୍ୟ । ସେଦିନ ହଠାତ୍ ପଦ୍ମିନୀର ମନେହେଲା ବିଶ୍ୱାସକୁ ବହୁଦିନ ହେବ ବାହାରକୁ ବୁଲେଇ ନେଇ ନାହିଁ । ସେ ସରୋଜଙ୍କୁ ଅନୁରୋଧ କଲା । ପ୍ରଥମେ ପ୍ରଥମେ ସେ ଅସ୍ୱୀକାର କରୁଥିଲେ । କିନ୍ତୁ ପଦ୍ମିନୀର ବାରମ୍ବାର ଅନୁରୋଧ କ୍ରମେ ଜଣାଇଲେ । ପୋଷାକ ବଦଳାଇ ଯିବା ପୂର୍ବରୁ ସେ ସରୋଜଙ୍କୁ ପଚାରିଲା- ଆପଣଙ୍କ ପାଇଁ କେଉଁ ଡ୍ରେସ ବାହାର କରିବି ?
– ମୁଁ ତ କାଙ୍ଗାଳ ଅବସ୍ଥାରେ ତମ ପାଖରେ ପହଂଚିଥିଲି । ମୋର ସବୁ ଡ୍ରେସ ତୁମର ଅର୍ଥ ଓ ମନୋମତରେ କିଣାଯାଇଛି । ଏଣୁ ଯାହା ଦେବ, ପିନ୍ଧିବି ।
ସୂକ୍ଷ୍ମ ହସହସି ହାଲୁକା ମନ୍ତବ୍ୟ ଦେଲେ ସେ । ଅନୁରୂପ ହସର ଧାରେ ତାଙ୍କ ଉପରକୁ ଫିଙ୍ଗିଦେଇ ସେ ତରତର ହୋଇ ଶୋଇବା ଘରକୁ ଗଲା ।
କ୍ରମଶଃ
Comments are closed.