Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୬)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ତିନି ଜଣକ ପାଇଁ ପୋଷାକ ବାହାର କରିବାକୁ ଆଲମାରୀ ପାଖକୁ ଯିବା ପୂର୍ବରୁ ଖଟର ମୁଣ୍ଡ ପାଖରେ ଥିବା ବେଞ୍ଚ ଉପରେ ତିନି ଥାକ ହୋଇ ରଖାଯାଇଥିବା ଶାଢ଼ୀ, ପ୍ୟାଣ୍ଟସାର୍ଟ ଓ ବିଶ୍ୱାସର ଡ୍ରେସକୁ ଦେଖି ସେ ବିସ୍ମିତ ହୋଇଉଠିଲା । ଯେଉଁ କେତେକ ଶାଢ଼ୀ, ପେସାର୍ଟ ଅପରିଷ୍କାର ହୋଇଥିଲା, ଆସନ୍ତାକାଲି ରବିବାର, ସେଗୁଡ଼ିକୁ ସଫା କରିବ ବୋଲି ସେ ଠିକ୍ କରିଥିଲା, ବର୍ତ୍ତମାନ ସଫା ହୋଇ ଇସ୍ତ୍ରୀ ଅବସ୍ଥାରେ ସେ ସବୁ
ବେଞ୍ଚ  ଉପରେ ତିନି ଥାକ ହୋଇ ରଖାଯାଇଛି । ଭିତରେ ରହି ସେ ସରୋଜଙ୍କୁ ଡାକିଲା । ସେଭିଂ ହେଉଥିବା ଅବସ୍ଥାରେ ଦାଢ଼ିରେ ସାବୁନ୍ ମାଖିମାଖି ସେ ଭିତରକୁ ଆସିଲେ । ତାକୁ ଦେଖି ସେ ପଚାରିଲା-
ଏସବୁ ଅପରିଷ୍କାର ଲୁଗା ଏଠିକୁ କିପରି ଆସିଲା ?

– ଉଁ…. । ଅନ୍ୟମନସ୍କ ଭାବେ ସେ ଉଚ୍ଚାରଣ କଲେ ।

– ନା… ନା…, ଏ ଲୁଗାସବୁ ପରିଷ୍କାର ହୋଇ ଏଠି କେମିତି ରହିଲା ?

– ସେ କିଛି ନୁହେଁ, ମୁଁ ସଫାକରି ରଖିଦେଇଛି, ଆଜି ।

– ଆପଣ ସଫା କରିଛନ୍ତି ମୋର ଶାଢ଼ୀ, ବ୍ଲାଉଜ୍‌… ?

– ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ‘ମାନବିକତା’ ଶବ୍ଦ ଉପରେ

ଖାଲି ତମର ତ ଏକଚାଟିଆ ଅଧିକାର ନାହିଁ ନା…. ? ଦିନସାରା ଘର କାମ , ଅଫିସ କାମ କରିକରି ତମେ ନୟାନ୍ତ ହେବ, ଆଉ ମୁଁ କେବଳ ବସି ବସି ସବୁ ସମୟ ହତ୍ୟା କରି ଚାଲିଥିବି ।

ସେ ପୁଣି କଣ୍ଠସ୍ୱରକୁ ବଦଳାଇ ଜଣେ ବଡ଼ଭାଇର ନମନୀୟ ଆଦରପଣରେ ତାଙ୍କ ଛୋଟ ଭଉଣୀକୁ ବୁଝାଇଲା ଭଲି କହିଲେ- ମି ପ…ନାୟକଙ୍କ ଫେରିବା ଦିନ ପାଖେଇ ଆସିଲାଣି । ଦର୍ପଣରେ ନିଜକୁ ଥରେ ଦେଖିଲ । ମତେ ଆଶ୍ରୟ ଦେବା ଦିନଠାରୁ ତମେ କେତେ ଦୁର୍ବଳ ହୋଇଯାଇଛ ? ମୋ ପାଇଁ ଅନେକ ପରିଶ୍ରମ କରୁଛ…….. ଅନେକ ଅର୍ଥ ଖର୍ଚ୍ଚ କରିଛ… । କାହିଁକି ପଦ୍ମିନୀ… ?

ଅପରାହ୍ନର କ୍ଷୀଣ ଆଲୋକରେ ସେ ଦେଖିଲେ ପଦ୍ମିନୀ ନିର୍ବୋଧ ଦୃଷ୍ଟିରେ ତାଙ୍କୁ ଚାହିଁ ରହିଛି ।
ସମ୍ଭବତଃ ସେ ଭାବୁଛି, ସରୋଜ ତା’ର କିଏ ? କେତେ ଦିନପାଇଁ ସେ ତାଙ୍କୁ ଘରେ ଆଶ୍ରୟ ଦେଇପାରିବ ? ଯେତେବେଳେ ତାଙ୍କୁ ନେଇ ବହୁ କାଳ୍ପନିକ କାହାଣୀ ସାହି ପଡ଼ିଶାଠୁ ଆରମ୍ଭ କରି ସାରା ରାଜଧାନୀରେ ପ୍ରଚାର ହେବ, ତେବେ ସେ କି ପ୍ରକାର ଉର ଦେଇ ଲୋକମାନଙ୍କ ମୁହଁକୁ ବନ୍ଦ କରି ଦେଇପାରିବ ? ଜଣେ ଅସହାୟ ଲୋକକୁ ଆଶ୍ରୟ ଦେଇଥିବା ଘଟଣା କ’ଣ କୁଟିଳ ସମାଜରେ ସରଳ ଭାବେ ବିଶ୍ୱାସଯୋଗ୍ୟ ହୋଇପାରିବ ?

 

Comments are closed.