କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ପଦ୍ମିନୀ ଭାବିଲି- ଏଇ ରାସ୍ତାରେ ଚନ୍ଦ୍ରଭାନୁଙ୍କ ସହ ଯିବାବେଳେ ସହଯାତ୍ରୀମାନେ ଭାବୁଥିବେ, ଏ ଭଳି ଜଣେ ସୁନ୍ଦର ପୁରୁଷ ପାଇଁ ଏ ସ୍ତ୍ରୀ ଉପଯୁକ୍ତ ନୁହେଁ । ଆଉ ଆଜି ସରୋଜ ସହ ତାକୁ ଦେଖି ଭାବୁଥିବେ, ଏ ସ୍ତ୍ରୀ ପାଇଁ ଏମିତି କୁତ୍ସିତ ସ୍ୱାମୀ ଉପଯୁକ୍ତ ନୁହେଁ । ଜଗତରେ ରୂପର ପସରା ହିଁ ସମସ୍ତଙ୍କ ଦୃଷ୍ଟିରେ ପ୍ରଥମେ ପଡ଼େ । ମଣିଷ ଯଦି ବୁଝିପାରନ୍ତା, ସୁନ୍ଦର ମହାକାଳ ଫଳର ଅଭ୍ୟନ୍ତର କେତେ କୁତ୍ସିତ ଆଉ କଳା କୋଇଲିର କୁହୁତାନ କେତେ ମଧୁର; ତେବେ ଆଜି ନାରୀ ସମାଜରେ ଖେଳିଖେଳି ଚନ୍ଦ୍ରଭାନୁ ନିଜର ଦୀପ୍ତି ପତାକା ଉଡ଼ାଉ ନ ଥା’ନ୍ତେ ।
ମୀନାକ୍ଷିକୁ ଶୋଇବା ଘରେ ବସାଇ ଦେଇ ପଦ୍ମିନୀ ଜଳଖିଆ ଆଣିବାପାଇଁ ଯିବାକୁ ବାହାରିଲାବେଳେ, ପଛପଟୁ ସେ ତା’ର ଗୋଲାପୀ ପଣତକୁ ଓଟାରି ଧରି ବାରଣ କଲା- ମୁଁ ଏଇନେ କିଛି ଖାଇବିନି । ଆଗେ କହିଲୁ; ତୋ ଦେହ କେମିତି ଅଛି ?
– କାହିଁକି ? ମୁଁ ତ ବେଶ୍ ଭଲ ଅଛି ।
– ତେବେ ଗତକାଲି ମୁଁ ଯାହା ଶୁଣିଥିଲି ସବୁ ମିଛ ?
ତୁ କାଲି ଆସିଥିଲୁ କି ?
– ହଁ, କିନ୍ତୁ ତୋ ଘରେ ଯେଉଁ ଶାନ୍ତ, ସୁଧୀର କପୋତଟିକୁ ପୋଷିଛୁ, ସେ ଦୃଢ଼ କଣ୍ଠରେ କହିଲେ, ତୁ ଅସୁସ୍ଥ- କାହା ସହ ବି ଦେଖା କରିପାରିବୁ ନାହିଁ । ଏଣୁ ଅଗତ୍ୟା ମତେ ଫେରିବାକୁ ପଡ଼ିଥିଲା । ସତରେ; ତୁ ଯେଉଁ କପୋତଟିକୁ ପୋଷିଛୁ, ସେ ଯେତିକି ନିରୀହ ତହୁଁ ଅଧିକ କୃତଜ୍ଞ ।
ମୀନାକ୍ଷିର କଥାଶୁଣି ତା’ର ମନେପଡ଼ିଲା ଗତକାଲିର ଘଟଣା । ଅଫିସରୁ ଫେରିବା ରାସ୍ତାରେ ଚନ୍ଦ୍ରଭାନୁଙ୍କର ସମସ୍ତ ସ୍ମୃତି ତାକୁ ବାରମ୍ବାର ଓଲଟପାଲଟ କରୁଥିଲା । ତାଙ୍କର ପ୍ରେମ, ପ୍ରତାରଣା ସବୁ ମିଶି ତା’ ଭିତରେ ଅସହ୍ୟ ପୀଡ଼ାର ଯାତନା ବୋଳିଦେଇ ଯାଉଥିଲା । ଚନ୍ଦ୍ରଭାନୁ ଏଠିକୁ ଆସିବା ଆଜି ପାଞ୍ଚ ଦିନ ପୂରିଲା । ଏହି ଦିନଗୁଡ଼ିକ ଭିତରେ ସେ ନିଜକୁ ଯଥା ସମ୍ଭବ ପ୍ରକୃତିସ୍ଥ କରି ରଖି ଚାଲିଛି । ଘରେ, ବାହାରେ,
ଅଫିସ ଭିତରେ ଏପରିକି ମୀନାକ୍ଷି ସହ କଥାର୍ବାା ଭିତରେ ବି ସେ ତା’ର ଭଙ୍ଗାରୁଜା ମନଟିକୁ କାହାକୁ ଦେଖାଇପାରିନି । ଅଥଚ ଆଜି ସେ ଯେମିତି ତା’ ଆୟରେ ନାହିଁ ।
କ୍ରମଶଃ
Comments are closed.