କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଶୁଣିଥିଲି, ମଣିଷ ଜୀବନର ସବୁ ନିର୍ଣ୍ଣୟ ଈଶ୍ୱର ନେଇଥିଲେ ବି ମନୁଷ୍ୟକୁ କର୍ମ କରିବାକୁ ପଡ଼େ, ବିବେକାନୁଗତ ଭାବେ । ସେଥିରେ ଶତ ପ୍ରତିଶତ ସଫଳତା ମିଳି ନପାରେ । ତଥାପି କର୍ମ ହିଁ ମଣିଷର ପୁରୁଷାର୍ଥ ।
ମହାଭାରତର କର୍ଣ୍ଣ ଚରିତ୍ର ବାରଂବାର ମୋ ଭିତରେ କର ଲେଉଟାଇବାକୁ ଲାଗିଲା । ସେଇ ରାତି ଶୋଇ ପାରିଲି ନାହିଁ । ମନେମନେ ନିର୍ଦ୍ଧାରିତ କରି ନେଲି ମୋର ଭବିଷ୍ୟତ କର୍ମ ସାରେଣି । ସେଇ କେତେ ଦିନ ଭିତରେ ସମୟ ମୋ ହୃଦୟରୁ ଚିପୁଡ଼ି ନେଇଥିଲା ସମସ୍ତ ଆବେଗ ଉଜେନାକୁ । ମନ ଭିତରୁ କାଢ଼ି ଫୋପାଡ଼ି ଦେଇଥିଲି, ଆପି- ଅଭିଯୋଗର କା ସବୁକୁ । ଚେତନାରେ ନଥିଲା କାହାପ୍ରତି ଅଭିମାନ-ରାଗ ଅଥବା ଘୃଣା ।
ତା’ ପରଦିନ ଶାଶୁ-ଶ୍ୱଶୁରଙ୍କୁ ସବୁ କଥା ଜଣାଇଦେଲି । ସେମାନେ ଶୁଣୁ ଶୁଣୁ କଳାକାଠ ପଡ଼ିଗଲେ । ଆବାଲ୍ୟରୁ ଗାଁରେ ରହୁଥିବା ଅତି ସାଧାରଣ ସାଦାସିଧା ମଣିଷ ସେମାନେ । ଉଚ୍ଚ ଶିକ୍ଷିତ ପୁଅର ମଗଜରେ ଦାନା ବାନ୍ଧିଥିବା ଅଭିସନ୍ଧିସବୁ ସେମାନେ ନା ବୁଝିପାରୁଥିଲେ ନା ହଜମ କରିପାରୁଥିଲେ । ନିଜକୁ ଯଥାସମ୍ଭବ ଦୃଢ଼ରଖି ପରିସ୍ଥିତିର ଗମ୍ଭୀରତା ସଂପର୍କରେ ସେମାନଙ୍କୁ ବୁଝାଇଲି । ହାତଯୋଡ଼ି ଅନୁରୋଧ କଲି, ଏ ଘଟଣା ଘରର ଚାରିକାନ୍ଥ ଭିତରେ ରଖିବାକୁ । ଟେଲିଗ୍ରାମ ପାଇ ବାବା-ବୋଉ ବି ଶାଶୁଘର ଗାଁକୁ ଦୌଡ଼ି ଆସିଲେ । ସବୁ ଶୁଣି ହତ ଚକିତ ହୋଇଗଲେ । ବୋଉ ବଡ଼ପାଟିରେ କାନ୍ଦିବା ଆରମ୍ଭ କରୁଥିଲା । ତାକୁ ଚୁପ୍ କରାଇ, ସେମାନଙ୍କୁ ବି ଅନୁରୋଧ କଲି ମୋ ପାଇଁ କେହି ବି ଦୁଃଖ ନ କରିବାକୁ ।
ଦୃଢ଼ କଣ୍ଠରେ ବୁଝାଇଲି- କୌଣସି ବି ପରିବାରର ଶିକ୍ଷିତା ଝିଅଟିଏ ଅଥବା ଶିକ୍ଷିତା ବୋହୂଟିଏ, ଜୀବନର ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ଭାଙ୍ଗି ନଯାଇ ସଳଖି ଛିଡ଼ା ହୋଇପାରିବ । ଏଥିପାଇଁ ଯେଉଁ ମନବଳର ଆବଶ୍ୟକତା, ତାହା ଏଇ କେତେଦିନର ମାନସମନ୍ଥନ ଭିତରେ ମୁଁ ପାଇ ସାରିଛି । ମୁଁ ନିଜ ଗୋଡ଼ରେ ଛିଡ଼ା ହେବି । ବିଶ୍ୱାସକୁ ମଣିଷ କରିବି । ଗୋଟିଏ ଅନୁରୋଧ, ଉଭୟ ପରିବାରର କେହି ବି ମୋ ସହ ଆସିବେ ନାହିଁ । ମୁଁ ଭୁବନେଶ୍ୱର ଫେରିଯିବି । ନିଜ ମୁଁ ଜୀବନର ଏ ବିପର୍ଯ୍ୟୟକୁ ଆଜିଠାରୁ ବାହାର ଦୁନିଆ ଜାଣୁ, ମୁଁ ଚାହେଁନା ।
କ୍ରମଶଃ
Comments are closed.