କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ରବିବାସରୀୟ ପୌଷ ଅପରାହ୍ନ । ମନ ତକଲିରୁ ଛିଡ଼ି ଯାଇଥିବା ଅତୀତର ସୂତାଖିଅକୁ ପଦ୍ମିନୀ ଯୋଡ଼ିବାରେ ଲାଗିଛି । ସମୟର ଘୂର୍ଣ୍ଣିରେ ଇତଃସ୍ତତଃ ହୋଇ ଯାଇଥିବା ସୂତାଖିଅ ଗୁଡ଼ିକୁ ଏକାଠି କରି ଗଣ୍ଠି ପକାଇବାକୁ ସେ ଆଗରୁ କେବେ ବି ଚେଷ୍ଟା କରିନାହିଁ । ମନ ଭିତରେ ବିକ୍ଷିପ୍ତ ହୋଇ ପଡ଼ିଥିବା ଟିକି ଡୋରଗୁଡ଼ିକ ଆଜି ତା’ ଆଗରେ ଇତଃସ୍ତତଃ ଉଡ଼ି ଯାଚଜ୍ଞା-ଭରା ଦୃଷ୍ଟିରେ ଅନୁନୟ କରୁଛନ୍ତି-ଆମକୁ ଏକାଠି କର । ଆଗ ପଛ କରି ସମନ୍ୱୟ ଶୈଳୀରେ ଆମକୁ ବାନ୍ଧିଦିଅ । ଗଡ଼ି ଯାଇଥିବା ସମୟର ଆମେ ହିଁ ମୂକସାକ୍ଷୀ । ତମେ ଚାହିଁଲେ ଆମେ ପୁଣି ସାକାର ହେବୁ । ଜୀବନ୍ତ ହେବୁ ।
ସକାଳ ଭଳି ନରମ, ପାଖୁଡ଼ା ଭଳି ନମନୀୟ ସ୍ୱଭାବର ଅଧିକାରିଣୀ ପଦ୍ମିନୀ, ପିଲାବୟସରୁ କେବେ କାହାର ଏଇ ଭଳି ଅନୁନୟଭରା ଅନୁରୋଧ ପାଖରୁ ମୁହଁ ଫେରାଇ ଆସି ପାରିନି । ଆଜି ସମୟର ଶକ୍ତ ଚଟାଣ ଉପରେ ଛିଡ଼ା ହୋଇ, ଉପରେ ଅଜାଡ଼ି ପଡ଼ିଥିବା ପରସ୍ତ ପରସ୍ତ ଆଘାତ ଓ ଅପମାନର ବେହରଣ ଭିତରେ, ସେ ଅନୁଭବ କରୁଛି; ତଥାପି ସେଇଭଳି କରୁଣ-କୋମଳ ମନଟି ତା’ର ସଜୀବ ଅଛି । ସତେଜ ଅଛି । ଅତୀତର ସୂତାଖିଅ ଗୁଡ଼ିକ ନିର୍ଜୀବ ମନେ ହେଉନି । ସେଥିରେ ଜଡ଼ିତ ହୋଇ ରହିଛି- ତା’ର ହସ, ଅଶ୍ରୁ, ନିଃଶ୍ୱାସ ପ୍ରଶ୍ୱାସ, ରକ୍ତମାଂସ । ଯାଂତ୍ରିକ ନ୍ୟାୟରେ ବାଟ ଚାଲୁଥିବା ଆଜିର ପଦ୍ମିନୀ ଏକ ବାୟବୀୟ ଉଦ୍ଭିଦ । ଏହି ସୁତାଖିଅ ଗୁଡ଼ିକ ହିଁ ତା’ର ପ୍ରକୃତ ରୂପ ।
ଭାବନା ଭିତରେ ଅପରାହ୍ନର ନରମ ଖରା ତା’ ଉପରେ ଲେସି ହୋଇ ଗଲାଣି । ସେଥିପ୍ରତି ତା’ର ନଜର ନାହିଁ । ସଫା କରି ଶୁଖାଇଥିବା ଲୁଗାପଟାକୁ ତୋଳିବାକୁ ଆସି ସେ କେତେବେଳେ ଜାପ୍ରିଂ ତଳ ପାହାଚ ଉପରେ ବସି ପଡ଼ିଛି ଏବଂ ଅତର୍କିତ ଭାବେ ଗ୍ରାସ କରିଥିବା ଭାବନାର ଅଡ଼ୁଆ ଅଂଚଳ ଭିତରକୁ ସେ
କେତେବେଳେ ପଶି ଯାଇଛି, ସେ କଥା ଆଉ ମନେ ପଡ଼ିଲାନି ।
କ୍ରମଶଃ
Comments are closed.