କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସମ୍ବାଦଟି ଶୁଣି ପଦ୍ମିନୀର ମସ୍ତିଷ୍କରେ ଶତଶତ ତରଙ୍ଗ ଚକ୍ରାକାରରେ ଖେଳିଗଲା; ଠିକ୍ ଯେମିତି ରାତ୍ରିର ଶାନ୍ତ ପରିବେଶରେ ସ୍ଥିର ଥିବା ପୋଖରୀରେ ପ୍ରତ୍ୟୁଷରୁ କେହି ଜଣେ ସନ୍ତରଣକାରୀ ଲମ୍ଫ ଦେଲାପରି ।
ଆଖିରେ ଆଖିଏ ପ୍ରଶ୍ନନେଇ ପ୍ରକାଶ ତାକୁ କେତେବେଳେ ନୀରବରେ ତ କେତେବେଳେ ପ୍ରକାଶ୍ୟରେ ବାରମ୍ବାର ପଚାରୁଛି- କଥା କ’ଣ ପଦ୍ମିନୀ ଦେବୀ ? ଚନ୍ଦ୍ରଭାନୁ ପରି ଶାନ୍ତ, ସରଳ, ବୁଦ୍ଧିଜୀବୀ ପକ୍ଷେ ଏହା କ’ଣ ସମ୍ଭବ ?
ପ୍ରଶ୍ନବାଣରେ କ୍ଷତାକ୍ତ ପଦ୍ମିନୀ ଭିତରୁ କେହି ଜଣେ ନିରବ ଚିତ୍କାର କରୁଛି- ଯେ ଶାନ୍ତ ସେ ମିଥ୍ୟାବାଦୀ ହୋଇପାରେ… ଯେ ସରଳ ସେ ଚରିତ୍ରହୀନ ହୋଇପାରେ…. ବୁଦ୍ଧିଜୀବୀ ଅନ୍ୟାୟୀ, ଦୁର୍ନୀତିଗ୍ରସ୍ତ ହୋଇପାରେ… । କିନ୍ତୁ ସେ ମୁହଁ ଖୋଲି କିଛି କହିପାରୁ ନଥିଲା । ଚନ୍ଦ୍ରଭାନୁଙ୍କ ସହ ତା’ର ସମ୍ପର୍କ ଆଜି ତାର ପରିଚିତ ପରିବେଶରେ ସମସ୍ତଙ୍କ ନିକଟରେ ଉଦ୍ଘାଟିତ ହୋଇଯାଇଛି । ସେ ଓଡ଼ିଶା ଫେରିବା ପୂର୍ବରୁ ପଦ୍ମିନୀ ଯେଉଁସବୁ ମିଥ୍ୟା ଅଭିବ୍ୟକ୍ତି ଶୁଣାଇଥିଲା; ସେ ସବୁ ଆସ୍ତେ ଆସ୍ତେ ଆଲୋକ ମଧ୍ୟକୁ ଆସିଯାଇଛି ।
ଆଜି ପ୍ରକାଶ ମୁହଁରୁ ଏ ସବୁ ଶୁଣି ସେ ବୁଝିପାରିଛି ଯେ ଦିନେ ସେ ଚନ୍ଦ୍ରଭାନୁଙ୍କର ପତ୍ନୀ ଥିଲା- ଏହା ଦିବାଲୋକ ଭଳି ସ୍ପଷ୍ଟ ହୋଇଗଲାଣି । ଏକଦା ତାଙ୍କ ସନ୍ତାନ ତା’ ଗର୍ଭକୋଷରେ ବିଚରଣ କରି ଆଜି ଅନୁରୂପ ରୂପ ନେଇ ଏକ ଅନିନ୍ଦ୍ୟ ସୁନ୍ଦର ବାଳକରେ ପରିଣତ ହୋଇଛି, ଏହା ଶତପ୍ରତିଶତ ପ୍ରମାଣିତ ହୋଇଯାଇଛି । ଚନ୍ଦ୍ରଭାନୁକୁ ବିବାହ କରି ଦିନେ ସେ ଯେମିତି ରାଜଧାନୀର ପରିଚିତ ଚଲାପଥରେ ହସର ଚନ୍ଦ୍ରମଲ୍ଲିକା ଫୁଟାଇପାରିଥିଲା, ଆଜି ପରିତ୍ୟକ୍ତା ହୋଇ ସେ ଲକ୍ଷ୍ୟ କରୁଛି; ତା’ର ଦୋଷ ଦୁର୍ବଳତାର ଧ୍ୱଜା ରାଜଧାନୀର ପରିଚିତ ପରିବେଶ ମାନଙ୍କରେ ଉଡ଼ିବାର ଦୃଶ୍ୟ ।
ପ୍ରକାଶର ପ୍ରଶ୍ନର କି ଉର ଦେବ ସେ ଭାବିପାରୁ ନଥିଲା । କାରଣ ଚନ୍ଦ୍ରଭାନୁଙ୍କ ସାମାଜିକ ପ୍ରତିଷ୍ଠା, ତାଙ୍କ ଶାଳୀନତାଭରା ବ୍ୟବହାର ସମସ୍ତଙ୍କୁ ମୁଗ୍ଧ କରିଦେଇଛି । ସାରା ଅଫିସ ତାଙ୍କ ବ୍ୟବହାରରେ ଯେପରି ମବମୁଗ୍ଧ । ତାଙ୍କ ପ୍ରତିଷ୍ଠାର ବ୍ୟାପକତା ନିକଟରେ ତାର ସମସ୍ତ ନିର୍ଦ୍ଦୋଷଭାବ, ସବୁ କୈଫିୟତ ନିଶ୍ଚୟ ମୂଲ୍ୟହୀନ । ସୁତରାଂ ପ୍ରକାଶ ମୁହଁକୁ କେବଳ ଚାହିଁରହିବା ବ୍ୟତୀତ ସେ କିଛି କହିପାରିଲା ନାହିଁ ।
କ୍ରମଶଃ
Comments are closed.