ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ସୁନ୍ଦର କାଠର ସାଇଡ଼୍ ବୋର୍ଡ଼, ଗୋଟେ କାଉଚ୍ ଏବଂ ଚମତ୍କାର ଚିତ୍ରଥିବା କିଛି ତକିଆରେ ଲାଉଞ୍ଜଟି ଖୁବ୍ ବିଳାସମୟ ଦିଶୁଥିଲା । କିଛି ଲୋକ ବସି ଖବରକାଗଜ ଓ ମାଗାଜିନ୍ ପଢ଼ୁଥିଲେ । ସିଗାରେଟ୍ ପିଇବା ପାଇଁ ଗୋଟିଏ ଛୋଟ ଘରଟିଏ ବି ଥିଲା, ଯେଉଁଠି ପୁରୁଷମାନେ ରାତ୍ରଭୋଜନ ସାରି ମଦ ଓ ସିଗାରେଟ୍ରେ ମସଗୁଲ ହେଉଥିବେ ବୋଲି ସମୀରା ଅନୁମାନ କରୁଥିଲା । ଅନ୍ୟମନସ୍କ ସମୀରାକୁ ହଲେଇଦେଇ ବୀରା ପାଟି କରି କହିଲା, “ଏଇ ଦେଖ ଦି’, ଏଠି ଗୋଟେ ବୁଟିକ୍ ।” ଛୋଟ କ୍ୟାବିନ୍ ପରି ଗୋଟିଏ ଷ୍ଟୋର୍କୁ ଦେଖେଇ ବୀରା କହିଲା, “ଆମେ ଏଠୁ ଆମ ଜିନିଷ ସବୁ କିଣାକିଣି କରିପାରିବା ।”
ବୁଟିକ୍ ସାମ୍ନାରେ ଗୋଟିଏ ସାଇନ୍ ବୋର୍ଡ଼ – “ସ୍ଟିଫାନି ବୁଟିକ୍ ପାର୍ଲୋର ।” ଏବଂ ତା’ ତଳେ ସେଠାରେ ଉପଲବ୍ଧ ସବୁ ଜିନିଷର ବିବରଣୀ । “ଖେଳନା କଣ୍ଢେଇ, ଗୋଲାପୀ ଭ୍ୟାନିଟି ବ୍ୟାଗ୍ ବିକ୍ରି କରୁଥିବା ଦୋକାନକୁ ଆମେ ଯିବୁନି । ଜାଣିଥାଅ ।” ଆଖି ବୁଲେଇ ଆଣି, ଦି ଭାଇଯାକ ଜଣେଇ ଦେଲେ ।
ଏକଥା ଶୁଣି ବୀରା ଟିକେ କ୍ଷୁବ୍ଧ ହେଲା, ଆଉ ସେ ଦୁଇଜଣଙ୍କ ହାତକୁ ଭିଡ଼ି, ଦୋକାନ ଭିତରକୁଟାଣି ଟାଣି ନେଇ ଚାଲିଲା । ଏସବୁ ଦେଖି ସମୀରାକୁ ଖୁବ୍ ଖୁସି ଲାଗୁଥାଏ । ମୁଣ୍ଡ ହଲେଇ ହଲେଇ ସେ ସେମାନଙ୍କ ପଛେ ପଛେ, ବୁଟିକ୍ ଭିତରକୁ ପଶିଲା । ବୁଟିକ୍ ଭିତରର ସାଜସଜ୍ଜାରୁ ସ୍ପଷ୍ଟ ବାରି ହୋଇଯାଉଥାଏ ଯେ, ଏଇଟି କେବଳ ଝିଅମାନଙ୍କ ପାଇଁ । ବୀରା ତା’ ଭିତରେ ଖୁସିରେ ଘୂରି ବୁଲୁଥାଏ, କିନ୍ତୁ ଏ ଦୁଇ ଭାଇଙ୍କୁ ଦେଖିଲେ, ଲାଗୁଥାଏ ଯେମିତି ସେମାନେ ଏ ପାର୍ଲୋର ଠାରୁ ମାଇଲ୍ ମାଇଲ୍ ଦୂରରେ ଅଛନ୍ତି ।
କିଛି ସମୟ ପରେ, ସମୀରାକୁ ଦେଖି ବୀରା ପଚାରିଲା, “ଏତେ ବେଳ ଯାଏଁ କୋଉଠି ଥିଲ ଦି’?” “ଆରେ… ମୁଁ…”, ସମୀରା କହୁକହୁ, ବୀରା କହିଲା, “ହଉ, ଛାଡ଼ ସେକଥା । ଚାଲ, ଆମେ ସମସ୍ତେ ବୁଟିକ୍ର ସବୁ ସେକ୍ସନ୍ ବୁଲିବା ।” “ହେଲା ଯେ, ଆମେ ଏ ଜିନିଷ ପତ୍ର ସେକ୍ସନ୍କୁ କାହିଁକି ଯିବା?”, ସିଡ଼୍ ପଚାରିଲା ।
“ଦି’, ଆଉ ମୁଁ ଭାରତରେ ଥିବା ଆମ ସମ୍ପର୍କୀୟମାନଙ୍କ ପାଇଁ କିଛି ଉପହାର କିଣିବୁ ତ! ଆଉ, ତମେ ତମ ବାପାମା’ଙ୍କ ପାଇଁ କିଛି କିଣିବନି?”, ହାଲ୍କା ଭାବରେ ବୀରା କହିଲା ।
କ୍ରମଶଃ
Comments are closed.